Breaking News

ଅଙ୍ଗଦାନ କରି ୩ ଜଣଙ୍କୁ ନୂଆ ଜୀବନ ଦେ‌ଲେ କୁନ୍ତଳା

ରଣପୁର: ଅଙ୍ଗଦାନ ହେଉଛି ଶ୍ରେଷ୍ଠ ଦାନ। ଏହାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ପଞ୍ଚାୟତର ଗଉଡ଼ିଆପଡ଼ା ଗାଁର ବାସିନ୍ଦା କୁନ୍ତଳା ନନ୍ଦ। ତେବେ ମୃତକ କୁନ୍ତଳାଙ୍କ ପରିବାରର ଉଦାର ମନୋଭାବ ଦ୍ୱାରା ଏହା ସମ୍ଭବ ହୋଇପାରିଛି। କୁନ୍ତଳା ଏବେ ନିଜେ ମରି ବି ଜୀବିତ ରହିଛନ୍ତି ତାଙ୍କ ଅଙ୍ଗ ପ୍ରତିରୋପଣ ହୋଇଥିବା ଲୋକଙ୍କ ମାଧ୍ୟମରେ। ତାଙ୍କ ଅଙ୍ଗ ପ୍ରତିରୋପଣ ଦ୍ବାରା ୩ ଜଣଙ୍କୁ ନୂଆ ଜୀବନ ମିଳିଛି।

ସୂଚନା ଥାଉକି, ୪୯ ବର୍ଷ ବୟସ୍କା କୁନ୍ତଳାଙ୍କୁ  ଗତ ମାସ ୨୯ତାରିଖରେ ଏକ ବିଷଧର ସାପ କାମୁଡ଼ି ଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ  ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ  ତାଙ୍କୁ ‌ବ୍ରେନ୍ ଡେଡ୍ ବୋଲି ଡାକ୍ତରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା।

ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ସମ୍ମତି ଦେଇଥିଲେ। ବୁଧବାର କୁନ୍ତଳାଙ୍କର କିଡ୍‌ନୀ ଏବଂ ଯକୃତ ବାହାର କରାଯାଇଥିଲା ।  ଏହି ଅଙ୍ଗ ଶେଷ ପର୍ଯ୍ୟାୟରେ ରୋଗ ସହିତ ଯୁଝୁଥିବା  ତିନି ଜଣଙ୍କୁ ଜୀବନ ଦେଇଥିଲା। ଆଜି ଗୁରୁବାର  ନିଜ ଜନ୍ମମାଟିରେ କୁନ୍ତଳାଙ୍କର ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ କରାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।

 

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.