Breaking News

ଅଟକିଗଲା କଣ୍ଟେନର୍‌: ତିନି ଘଣ୍ଟା ବର୍ଷାରେ, ଭିଜିଲେ

ଆଜି ସନ୍ଧ୍ୟା ୬ରୁ ରାତି ୯ଟା ପର୍ଯ୍ୟନ୍ତ ୩ଘଣ୍ଟା ଧରି ଲୋକ ଜାମ୍‌ରେ ଫସି ରହି ବର୍ଷା ମାଡ଼ ଖାଇଲେ। ରସୁଲଗଡ଼ ଓଭରବ୍ରିଜ୍‌ ଉପର ଠାରୁ ଆରମ୍ଭ କରି ବାଣୀବିହାର, ବମିଖାଲ ଓଭରବ୍ରିଜ୍‌ ଉପରେ ଓ ତଳେ ହଜାର ହଜାର ଗାଡ଼ି ଓ ଏକାଧିକ ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଫସି ରହିଲେ।

ଭୁବନେଶ୍ବର: ଆଜି ସନ୍ଧ୍ୟା ୬ରୁ ରାତି ୯ଟା ପର୍ଯ୍ୟନ୍ତ ୩ଘଣ୍ଟା ଧରି ଲୋକ ଜାମ୍‌ରେ ଫସି ରହି ବର୍ଷା ମାଡ଼ ଖାଇଲେ। ରସୁଲଗଡ଼ ଓଭରବ୍ରିଜ୍‌ ଉପର ଠାରୁ ଆରମ୍ଭ କରି ବାଣୀବିହାର, ବମିଖାଲ ଓଭରବ୍ରିଜ୍‌ ଉପରେ ଓ ତଳେ ହଜାର ହଜାର ଗାଡ଼ି ଓ ଏକାଧିକ ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଫସି ରହିଲେ। ହଂସପାଳ ଛକ ନିକଟରେ ଏକ କଣ୍ଟେନର ଅଚଳ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଥିଲା। ଆମ୍ବୁଲାନ୍ସ ବାହାରିବାକୁ ବି ବାଟ ନଥିଲା। ଲୋକମାନେ ବସ୍‌, କାର୍‌ରୁ ଓହ୍ଲାଇ ଚାଲିଚାଲି ଗଲେ।

ସୂଚନା ମୁତାବକ, ସନ୍ଧ୍ୟା ପ୍ରାୟ ୬ଟା ହେବ। ବରମୁଣ୍ଡା ପଟୁ କଟକ ଯାଉଥିବା ଗାଡ଼ିଗୁଡ଼ିକର ବେଗ ହଠାତ୍‌ ହଂସପାଳ ନିକଟରେ କମିଯାଇ ପରେ ପୂରା ସ୍ଥିର ହୋଇଗଲା। ଲୋକ ଭାବିଲେ କିଛି ସମୟ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହେବ। ‌ଘଣ୍ଟା ଘଣ୍ଟା ଧରି ଫସି ରହିବା ପରେ ବି ଗାଡ଼ି ଗଡ଼ୁ ନଥାଏ। ଏପଟେ ବର୍ଷା ମାଡ଼। ଧୀରେଧୀରେ ଜାମ ସ୍ଥିତି ଜଟିଳ ହୋଇଥିଲା। ବାଣୀବିହାର ଠାରୁ ରସୁଲଗଡ଼, ପଳାସୁଣି, ମଞ୍ଚେଶ୍ବର, ବମିଖାଲ ଚାରିପଟେ ଯେଉଁ ଆଡ଼େ ଦେଖିଲେ ମାଳ ମାଳ ଗାଡ଼ି କିଲୋ କିଲୋ ମିଟର ଯାଏ ଲମ୍ବିଥାଏ। ସହରରେ ଯାତାୟତ ଠପ୍‌ ହୋଇଯାଇଥିଲା। କିଏ କୁଆଡ଼େ ଯିବେ କିଛି ବୁଦ୍ଧିପାଟ ଦିଶିନଥିଲା। ହଠାତ୍‌ କାହିଁକି ଜାମ୍‌ ହେଲା? କେହି କିଛି ବୁଝିପାରି ନଥିଲେ। ଆଜି ନା ପ୍ରବଳ ବର୍ଷା ହେଉ ଥିଲା ନା କେଉଁଠି ପାଣି ଜମି ଥିଲା।

ପୂର୍ବରୁ ଜାତୀୟ ରାଜପଥ‌ରେ ଜାମ୍‌ ପାଇଁ ଯେଉଁ ଅଭିଯୋଗ ହେଉଥିଲା, ସେ ଭଳି କିଛି କାରଣ ବି ନଥିଲା। ଦୀର୍ଘ ସମୟ ଧରି ଜାମ୍‌ ଜାରି ରହିବାପରେ ଏଥିରେ ଅଭ୍ୟସ୍ତ ହୋଇ ଯାଇଥିବା ଟ୍ରାଫିକ ପୁଲିସ ମଧ୍ୟ ହାତଟେକି ବସି ଯାଇଥିଲା। ଜାମ୍‌ର ଘଣ୍ଟାଏ ପରେ ଜଣାପଡ଼ିଥିଲା ଯେ ହଂସପାଳ ଛକ ନିକଟରେ ଏକ କଣ୍ଟେନର୍‌ ଅଚଳ ହୋଇ ରହିଛି। ଜାମ୍‌ରେ ପୁଲିସ କିଭଳି ସେଠାରେ ପହଞ୍ଚି କଣ୍ଟେନର୍‌କୁ ରାସ୍ତାରୁ ହଠାଇବ ବୁଦ୍ଧି ପାଇନଥିଲା। କାରଣ ଟ୍ରାଫିକ୍‌ ପୁଲିସ ସେଠାରେ ପହଞ୍ଚିବାକୁ ବାଟ ବି ନଥିଲା। ଜାମ୍‌ରେ ଫସି ବହୁ କସରତ ପରେ ରାତି ପାଖାପାଖି ୮ଟା ସମୟରେ ଟ୍ରାଫିକ୍‌ ପୁଲିସ  ସେଠାରେ ପହଞ୍ଚି କଣ୍ଟେନର୍‌କୁ ହଟାଇଥିଲା। କଣ୍ଟେନର୍‌କୁ ହଟାଇବାର ଘଣ୍ଟାଏ ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.