Breaking News

ଅଣ୍ଡର ଵାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ ଲିଙ୍କ୍ ଧମକ: ବୈଜ୍ଞାନିକଙ୍କୁ ଡିଜିଟାଲ୍ ଆରେଷ୍ଟ, ପୋଛିନେଲେ କୋଟିଏ

ଭୁବନେଶ୍ବରର ଜଣେ ବୈଜ୍ଞାନିକଙ୍କୁ ଡିଜିଟାଲ୍ ଆରେଷ୍ଟ ଧମକ ଦିଆଯାଇଥିଲା। ତାଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଏହାକୁ ଅଣ୍ଡର ଵାର୍ଲଡ ଡନ୍ ଦାଉଦ୍‌ ଇବ୍ରାହିମ୍ ଓ ନଵାବ ମଲ୍ଲିକ ନିର୍ବାଚନ ସମୟରେ ବ୍ୟବହାର କରିଥିବା ଧମକ ଦିଆଯାଇଥିଲା।

କଟକ: ଭୁବନେଶ୍ବରର ଜଣେ ବୈଜ୍ଞାନିକଙ୍କୁ ଡିଜିଟାଲ୍ ଆରେଷ୍ଟ ଧମକ ଦିଆଯାଇଥିଲା। ତାଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଏହାକୁ ଅଣ୍ଡର ଵାର୍ଲଡ ଡନ୍ ଦାଉଦ୍‌ ଇବ୍ରାହିମ୍ ଓ ନଵାବ ମଲ୍ଲିକ ନିର୍ବାଚନ ସମୟରେ ବ୍ୟବହାର କରିଥିବା ଧମକ ଦିଆଯାଇଥିଲା। ଏଭଳି ବ୍ଲାକମେଲ୍ କରି ସାଇବର୍ ଠକ ବୈଜ୍ଞାନିକଙ୍କଠାରୁ ୧ କୋଟି ୬ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଦୁଇ ଠକ ଚେନ୍ନାଇର ସତୀଶ କୁମାର କେ ଏବଂ କେରଳ କୋଝିକୋଡ଼ର ହରିଶ ସିଏମ୍‌କୁ ଗିରଫ କରିଛି। ମୋଟ ଠକେଇ ଟଙ୍କାରୁ ସତୀଶର ବ୍ୟାଙ୍କ ଆକାଉଣ୍ଟକୁ ୬୮ ଲକ୍ଷ ଓ ହରିଶର ବ୍ୟାଙ୍କ ଆକାଉଣ୍ଟକୁ ୩୦ ଲକ୍ଷ ଟଙ୍କା ଯାଇଥିବା ବେଳେ ଅବଶିଷ୍ଟ ଟଙ୍କା ଅନ୍ୟ ସହଯୋଗୀଙ୍କ ନିକଟକୁ ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭୁବନେଶ୍ବରର ଜଣେ ବୈଜ୍ଞାନିକ ଗତ ଅଗଷ୍ଟ ୯ରେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ପାଇଥିଲେ। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଡିଏଚ୍‌ଏଲ୍ କୋରିଅର ସଂସ୍ଥାର କର୍ମଚାରୀ ପରିଚୟ ଦେଇଥିଲା। ଏହି ବୈଜ୍ଞାନିକଙ୍କ ନାଁ ଓ ଆଧାର କାର୍ଡ ବ୍ୟବହାର କରି ଜାପାନକୁ ୫ଟି ପାସପୋର୍ଟ, ୩ଟି କ୍ରେଡିଟ୍ କାର୍ଡ, ୨୦୦ ଗ୍ରାମ ଡ୍ରଗସ୍, ୪ କେଜି କପଡ଼ା, ଗୋଟିଏ ଲାପ୍‌ଟପ ଏବଂ ୩୫ ହଜାର ଟଙ୍କା ଜାପାନ୍ ଯାଉଥିବା କୋରିଅର୍ ସଂସ୍ଥାର କର୍ମଚାରୀ ପରିଚୟ ଦେଉଥିବା ବ୍ୟକ୍ତି ସୂଚନା ଦେଇଥିଲା। କଷ୍ଟମ ବିଭାଗ ଏହାକୁ ଠାବ କରିବା ପରେ ନାର୍କୋଟିକ୍ ବିଭାଗର ଜିମା ଦେଇଛି। ନାର୍କୋଟିକ୍ ବିଭାଗ ଏ ନେଇ ମାମଲା ରୁଜୁ କରିବ। ତେଣୁ ବୈଜ୍ଞାନିକଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ସହିତ ତୁରନ୍ତ କଥା ହେବାକୁ କୋରିଅର୍ କର୍ମଚାରୀ ଜଣକ କହିଥିଲା। ଏହି ବ୍ୟକ୍ତି ଫୋନ୍ ରଖିବା ପରେ ଅନ୍ତର୍ଜାତୀୟ ନମ୍ବରରୁ ହ୍ବାଟସ୍‌ଆପ୍‌ରେ ଏକ ଭିଡିଓ କଲ୍ ଆସିଥିଲା। ଭିଡିଓ କଲ କରିଥିବା ବ୍ୟକ୍ତି ପୁଲିସ ପୋଷାକରେ ଥିବାବେଳେ ନିଜକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ପାର୍ସଲ ମାମଲାରେ ମାମଲା ରୁଜୁ ନ କରିବାକୁ ଭିଡିଓରେ ଅଧସ୍ତନ ଅଧିକାରୀଙ୍କୁ ପରାମର୍ଶ ଦେଉଥିବା ଶୁଭାଯାଉଥିଲା।

କେରଳ, ତାମିଲନାଡ଼ୁରୁ 
୨ ସାଇବର୍ ଠକ ଗିରଫ

ବୈଜ୍ଞାନିକଙ୍କ ଆଧାର କାର୍ଡ ବ୍ୟବହାର କରି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ବିହାରରେ ୪ଟି ବେଆଇନ ଆକାଉଣ୍ଟ ଖୋଲାଯାଇଥିବା ଏବଂ ନିର୍ବାଚନ ସମୟରେ ନଵାବ ମଲ୍ଲିକ, ଦାଉଦ୍ ଇବ୍ରାହିମ ଭଳି ଅନ୍ତର୍ଜାତୀୟ ଅପରାଧୀ ଏହି ଆକାଉଣ୍ଟକୁ ବେଆଇନ ଅର୍ଥ କାରବାର ପାଇଁ ବ୍ୟବହାର କରିଥିବା ଉକ୍ତ ପୁଲିସ ଅଧିକାରୀ ଦର୍ଶାଇ ତଦନ୍ତ ଶେଷ ନହେବା ଯାଏ ବୈଜ୍ଞାନିକ ଖସିଯାଇପାରିବେ ନାହିଁ ବୋଲି ଧମକାଇଥିଲା। ଅଗଷ୍ଟ ୧୪ ତାରିଖ ସକାଳ ୯ଟା ୩୦ରେ ସେହି ପୁଲିସ ଅଧିକାରୀ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଜାରି କରି ମୁମ୍ବାଇ କ୍ରାଇମବ୍ରାଞ୍ଚ ଦ୍ବାରା ନିୟନ୍ତ୍ରିତ ହେଉଥିବା ଆରବିଆଇର ଏକ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥିଲା। ଟଙ୍କା ଜମା କରିବାର ୨୩ ମିନିଟ୍ ପରେ ଟଙ୍କା ଫେରସ୍ତ ହୋଇଯିବ ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୌଣସି ବେଆଇନ ଆକାଉଣ୍ଟ ସହିତ ଲିଙ୍କ୍‌ ହୋଇଛି କି ନାହିଁ, ଜାଣିବା ପାଇଁ ଏଭଳି ପ୍ରକ୍ରିୟା କରିବାକୁ ପଡ଼ିବ। ତେଣୁ ବ୍ୟାଙ୍କ ଯାଇ ତୁରନ୍ତ ୬୮ ଲକ୍ଷ ଟଙ୍କା ପଠାଇବାକୁ ଉକ୍ତ ପୁଲିସ ଅଧିକାରୀ କହିଥିଲେ। ଏହି ବ୍ୟାଙ୍କ ଆକାଉଣ୍ଟଟି ସତୀଶ କୁମାରର ଥିଲା। ପରେ ସେ ଆଉ ଏକ ବ୍ୟାଙ୍କ ଆକାଉଣ୍ଟକୁ ୮ ଲକ୍ଷ ୮୨ ହଜାର ଟଙ୍କା ପଠାଇବାକୁ କହିଥିଲା। ଏହି ଟଙ୍କା ଯିବା ପରେ ପୁଲିସ ଅଧିକାରୀ ଜଣକ ଏକ ଚିଠି ଦେଖାଇଥିଲା। ଏଥିରେ ୩୧ ଲକ୍ଷ ଟଙ୍କାର କଳାଧନ ଧଳା ହୋଇଥିବା କହିଥିଲା। ଏଭଳି ଚିଠି ଦେଖାଇ ପୁଣି ୩୦ ଲକ୍ଷ ଟଙ୍କା ମାଗିଥିଲେ। ଏହି ଟଙ୍କା ଆସିବା ପରେ ବୈଜ୍ଞାନିକଙ୍କ ନାଁରେ ଏନଓସି ଜାରି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏଭଳି ପ୍ରକ୍ରିୟା ଓ ଆଳରେ ବୈଜ୍ଞାନିକଙ୍କ ନିକଟରୁ ସାଇବର ଠକ ୧ କୋଟି ୬ ଲକ୍ଷ ୮୨ ହଜାର ଟଙ୍କା ତିନୋଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ନେଇ ଯାଇଥିଲା।

ଏ ନେଇ ବୈଜ୍ଞାନିକ ଜଣକ ଅଗଷ୍ଟ ୨୦ ତାରିଖରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ସାଇବର୍ ଥାନା ପୁଲିସ ଏକ ମାମଲା ରୁଜୁ କରି ଉପରୋକ୍ତ ଦୁଇ ଠକଙ୍କୁ ଗିରଫ କରିଛି। ଠକ ସତୀଶ ପୂର୍ବରୁ ଚେନ୍ନାଇରେ ଏକ ଡିଜିଟାଲ୍ ଆରେଷ୍ଟ ଘଟଣାରେ ୧ କୋଟି ୯୦ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଗିରଫ ହୋଇଥିଲା। ଦେଶର ବିଭିନ୍ନ ରାଜ୍ୟରେ ସତୀଶ ବିରୋଧରେ ୨୨ଟି ଓ ହରିଶ ବିରୋଧରେ ୬ଟି ଅଭିଯୋଗ ରହିଛି। ମଙ୍ଗଳବାର ଦୁଇ ଠକଙ୍କୁ ଭୁବନେଶ୍ବର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଛି। କ୍ରାଇମବ୍ରାଞ୍ଚ ଏହି ମାମଲାରେ ପୂର୍ବରୁ ରାଜସ୍ଥାନର ହନୁମାନ ନଗର, ଗୁଜୁରାଟ ସୁରଟ ଓ କେରଳରୁ ତିନି ଜଣ ଠକଙ୍କୁ ଗିରଫ କରିଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.