Breaking News

ଅତିଶୀଙ୍କ ବିରୋଧରେ ଆଗୁଆ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି

ଆସନ୍ତାବର୍ଷ ଦିଲ୍ଲୀରେ ପଡିବାକୁ ଯାଉଛି ବିଧାନସଭା ଭୋଟ୍ । ଗୋଟିଏ ପଟେ ଆମ୍ ଆଦମୀ ପାର୍ଟି ସମସ୍ତ ୭୦ଟି ଯାକ ଆସନରେ ପ୍ରାର୍ଥୀ ଘୋଷଣା କରିଦେଇଥିବା ବେଳେ, ବିରୋଧୀ ବିଜେପି କିନ୍ତୁ ଏପର୍ୟ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି ।

ନୂଆଦିଲ୍ଳୀ: ଆସନ୍ତାବର୍ଷ ଦିଲ୍ଲୀରେ ପଡ଼ିବାକୁ ଯାଉଛି ବିଧାନସଭା ଭୋଟ୍ । ଏନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ନହେଇଥିଲେ ବି, ସରଗରମ ହେଇଛି ଦିଲ୍ଲୀ ରାଜନୀତି । ଗୋଟିଏ ପଟେ ଆମ୍ ଆଦମୀ ପାର୍ଟି ସମସ୍ତ ୭୦ଟି ଯାକ ଆସନରେ ପ୍ରାର୍ଥୀ ଘୋଷଣା କରିଦେଇଥିବାବେଳେ, ବିରୋଧୀ ବିଜେପି କିନ୍ତୁ ଏପର୍ୟ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି । କୁହାଯାଉଛି, ଚଳିତ ସପ୍ତାହରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ବସିବାକୁ ଅଛି, ଯେଉଁଠି କି ଦିଲ୍ଲୀ ରଣନୀତି ନେଇ ପ୍ରସ୍ତୁତ ହେଇଥିବା ବ୍ଲୁ-ପ୍ରିଣ୍ଟରେ ମୋଦୀ-ଶାହାଙ୍କ ମୋହର ବାଜିବ । ଆଉ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ ।

ମିଳିଥିବା ସୂଚନା ମୁତାବକ, ଦିଲ୍ଲୀରେ ଏଥର କୌଣସି ବି ପ୍ରକାରେ ସତ୍ତା ହାସଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଜନତା ପାର୍ଟି । ଆଉ ଏଥିପାଇଁ ‘ମଧ୍ୟପ୍ରଦେଶ ଫର୍ମୁଲା’ରେ ରଣନୀତି ପ୍ରସ୍ତୁତ କରାଯାଉଛି । ଖାସ୍ କରି, ଆପର ମୁଖ୍ୟ ଚେହେରା ସାଜିଥିବା ଅରବିନ୍ଦ କେଜ୍ରିଓ୍ୱାଲ, ମୁଖ୍ୟମନ୍ତ୍ରୀ ଅତିଶୀ ଯେଉଁ ଯେଉଁ ସିଟରେ ପ୍ରାର୍ଥୀ ହେଇଛନ୍ତି, ସେହି ସିଟରେ ଆଗୁଆ ପ୍ରାର୍ଥୀ ଘୋଷଣା କରିପାରେ ଭାରତୀୟ ଜନତା ପାର୍ଟି । ଏମିତି କି, କିଛି ଲୋକସଭା ସାଂସଦଙ୍କୁ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇପାରେ ଦଳ ।

ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ମୁତାବକ, ଏଥର ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ବିଜେପି ନିଜର ପୂର୍ବ ସାଂସଦ ପ୍ରବେଶ ସାହିବ ସିଂହ ବର୍ମାଙ୍କୁ ମୈଦାନକୁ ଓହ୍ଲାଇପାରେ । ଯିଏ କି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ । ଏହାସହ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ମଧ୍ୟ ବିଧାନସଭା ନିର୍ବାଚନ ଲଢିପାରନ୍ତି । ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ଆପ୍ ଆଉ କଂଗ୍ରେସ ଛାଡି ଆସିଥିବା ନେତା କୈଲାଶ ଗେହଲଟ, ରାଜକୁମାର ଗୌତମ, ରାଜକୁମାର ଚୌହାନ ଏଭଂ ଅରବିନ୍ଦର ସିଂହ ଲବଲୀଙ୍କ ଭଳି ନେତାଙ୍କୁ ବିଜେପି ପ୍ରଥମ ପର୍ୟ୍ୟାୟରେ ହିଁ ଟିକେଟ୍ ଦେଇପାରେ ।

ସେପଟେ କୁହାଯାଉଛି ଯେ, ଆପ୍ ଆଉ କଂଗ୍ରେସର ଆଉ କିଛି ନେତା ଖୁବଶୀଘ୍ର ପଦ୍ମ ଧରିପାରନ୍ତି । ଆଉ ସେମାନଙ୍କୁ ଦଳ ଟିକେଟ୍ ମଧ୍ୟ ଦେଇପାରେ । ତେବେ ସମସ୍ତ ୭୦ଟି ଯାକ ସିଟକୁ ନେଇ ସର୍ଭେ କାମ କରିଛି ବିଜେପି, ଆଉ ସବୁ ସିଟରେ ତିନି ଜଣ ଲେଖାଏ ସମ୍ଭାବିତ ପ୍ରାର୍ଥୀଙ୍କ ତାଲିକା ଦିଆଯାଇଛି । ଯାହା ମଧ୍ୟରୁ ଜଣେ ନେତାଙ୍କ ନାମ ଫାଇନାଲ କରାଯିବା ସହ, ତାଙ୍କୁ ଟିକେଟ୍ ଦିଆଯିବ ।

ସୂଚନାଯୋଗ୍ୟ ଯେ, ଏଥର ମଧ୍ୟ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦିଲ୍ଲୀ ନିର୍ବାଚନକୁ ଓହ୍ଲାଇବ ବିଜେପି । ଏହି ଫର୍ମୁଲା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ ଆଉ ରାଜସ୍ଥାନରେ ଆପଣାଇଥିଲା ଦଳ । ତେବେ ଖୁବଶୀଘ୍ର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.