Breaking News

ଅଧା ବିଜୁଳି ଦେବାକୁ ଆଦାନୀକୁ କହିଲା ବାଂଲାଦେଶ, ଶୀତଦିନରେ ଚାହିଦା ହ୍ରାସ

ଲାଞ୍ଚ କାରବାର ଅଭିଯୁକ୍ତ ଶିଳ୍ପପତି ଗୌତମ ଆଦାନୀଙ୍କ ସଂସ୍ଥା ଆଦାନୀ ପାୱାରଠାରୁ ବାଲାଂଦେଶ ଅଧା ବିଜୁଳି କିଣିବାକୁ ନିଷ୍ପତ୍ତି ନେଇଛି। ଶୀତଦିନ ଲାଗି ବିଦ୍ୟୁତ ଚାହିଦା କମ୍ ଥିବାରୁ ଅଧା ବିଜୁଳି ଦେବାକୁ କମ୍ପାନିକୁ ବାଂଲାଦେଶ କହିଛି।

ନୂଆଦିଲ୍ଲୀ: ଲାଞ୍ଚ କାରବାର ଅଭିଯୁକ୍ତ ଶିଳ୍ପପତି ଗୌତମ ଆଦାନୀଙ୍କ ସଂସ୍ଥା ଆଦାନୀ ପାୱାରଠାରୁ ବାଲାଂଦେଶ ଅଧା ବିଜୁଳି କିଣିବାକୁ ନିଷ୍ପତ୍ତି ନେଇଛି। ଶୀତଦିନ ଲାଗି ବିଦ୍ୟୁତ ଚାହିଦା କମ୍ ଥିବାରୁ ଅଧା ବିଜୁଳି ଦେବାକୁ କମ୍ପାନିକୁ ବାଂଲାଦେଶ କହିଛି। ବାଂଲାଦେଶ ଏବେ ବୈଦେଶିକ ମୁଦ୍ରା ସଙ୍କଟ ଦେଇ ଗତି କରୁଥିବାରୁ ବିଜୁଳି ଲାଗି ‌ଠିକ୍ ସମୟରେ ଦେୟ ପଇଠ କରିପାରୁନାହିଁ। ପୂର୍ବରୁ କିଣାଯାଇଥିବା ବିଜୁଳି ପାଇଁ ଏହା ଦେୟ ଜାରି ରଖିଥିବା ବେଳେ ବିଦ୍ୟୁତ ଯୋଗାଣକୁ କିନ୍ତୁ ଅଧା କରିବା ଲାଗି ଆଦାନୀ ପାୱାରକୁ କହିଛି। ଆଦାନୀ ପାୱାର ପକ୍ଷରୁ ଝାଡ଼ଖଣ୍ଡରେ ୮୦୦ ମେଗାୱାଟ୍‌ର ଦୁଇଟି ୟୁନିଟ୍‌ ଥିବା ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଛି, ଯାହାର ବିଦ୍ୟୁତ୍‌କୁ ବାଂଲାଦେଶକୁ ବିକ୍ରି କରାଯାଉଛି।

ଏନେଇ ୨୦୧୭ରେ ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମୟରେ ୨୫ ବର୍ଷିଆ ବିଦ୍ୟୁତ୍‌ କିଣା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ବାଂଲାଦେଶ ବିଦ୍ୟୁତ ବିକାଶ ବୋର୍ଡ (ବିପିଡିବି)ର ଅଧ୍ୟକ୍ଷ ମହମ୍ମଦ ରେଜାଉଲ୍ କରିମ୍ କହିଛନ୍ତି ଯେ ଆଦାନୀ ପାୱାରକୁ ଅକ୍ଟୋବରରେ ୯୭ ନିୟୁତ ଡଲାର ଓ ନଭେମ୍ବରରେ ୮୫ ନିୟୁତ ଡଲାର ଦିଆଯାଇଥିଲା। ଆଉ ୬୫୦ ନିୟୁତ ଡଲାର ଦେବା ବାକି ରହିଛି। ତେବେ ଆଦାନୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ଉପରେ ବାକି ଥିବା ରାଶି ୯୦୦ ନିୟୁତ ଡଲାର ହୋଇଗଲାଣି। ଫଳରେ ପାୱାର ପ୍ଲାଣ୍ଟ ଚାଲୁ ରଖିବା କଷ୍ଟକର ହୋଇପଡ଼ିଛି। ଆଦାନୀ ଗ୍ରୁପ୍ ମୁଖ୍ୟଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ପରେ କମ୍ପାନି ସହ ହୋଇଥିବା ଚୁକ୍ତିର ସମୀକ୍ଷା କରିବାକୁ ବାଂଲାଦେଶ ସରକାର ଚାହୁଛନ୍ତି। ଆଦାନୀ ଯେଉଁ ଦରରେ ବିଜୁଳି ଯୋଗାଉଛି ତାହା କମ୍ କରିବାକୁ ମଧ୍ୟ ସେଠାକାର ସରକାର ଚାହୁଛନ୍ତି। କିନ୍ତୁ କୌଣସି କୋର୍ଟ ଦ୍ବାରା ଚୁକ୍ତି ବାତିଲ ନ ହେଲେ ତାହା ସମ୍ଭବ ନୁହେଁ।
ସୌଜନ୍ୟ-ସମ୍ୱାଦ

Comments are closed.