ଡ. ସ୍ମୃତିରଞ୍ଜନ ମିଶ୍ର

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆଜି ୨୬ ବର୍ଷରେ ଉପନୀତ, ରୌପ୍ୟଜୟନ୍ତୀ ପାଳନର ଶେଷ ସ୍ପର୍ଶ। ଆଜି ଏହି ମନୋରମ ପରିସରକୁ କୋଳାଗ୍ରତ କରିବାକୁ ଆସିଛନ୍ତି କଳାକାର, ଛାତ୍ରଛାତ୍ରୀ, ଶିଳ୍ପୀ, ଗୁରୁ, ଅଧ୍ୟାପକ ତଥା କର୍ମଚାରୀମାନେ। ପ୍ରତିଷ୍ଠା ଦିନଠାରୁ ଆଜିପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ସାମ୍ନା କରିଛି ଅନେକ ଉତ୍ଥାନପତନ, ବାଦବିବାଦ, ତର୍କବିତର୍କ, ଉଲ୍ଲାସ ଓ ଉନ୍ମାଦନା ତଥା ସ୍ୱପ୍ନ ଓ ବାସ୍ତବତା। ତଥାପି ଉତ୍କଳୀୟ ସଂସ୍କୃତିର ଟେକ ରଖିବା ଲକ୍ଷ୍ୟରେ ଏହି ବିଶ୍ୱବିଦ୍ୟାଳୟ ଆଜି ବି ଅନନ୍ୟ। ଏହି ବିଶ୍ୱବିଦ୍ୟାଳୟ ଏକମାତ୍ର ସରକାରୀ ବିଶ୍ୱବିଦ୍ୟାଳୟ, ଯାହାର ପରିସର ସମଗ୍ର ଓଡ଼ିଶା ପରିବ୍ୟାପ୍ତ। ଓଡ଼ିଶାର ପୁରପଲ୍ଲୀର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ କୀର୍ତ୍ତିରାଜିକୁ ତର୍ଜ୍ଜମା କରିବା ସହ ଆଦିବାସୀ ବିଷୟକ ଜ୍ଞାନ ଆହରଣ କରିବା, ସେମାନଙ୍କ ସଙ୍ଗୀତ, ନୃତ୍ୟ, କଳାକୁ ଲୋକଲୋଚନକୁ ଅଣିବା ଏହି ବିଶ୍ୱବିଦ୍ୟାଳୟର ଗବେଷଣା ପରିସରଭୁକ୍ତ। ଓଡ଼ିଆ ଅସ୍ମିତାକୁ ଲୋକାଭିମୁଖୀ କରିବା ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କର ଲକ୍ଷ୍ୟ।

ସାଂସ୍କୃତିକ ଚେତନା ହିଁ ମନୁଷ୍ୟ ଜୀବନକୁ ମହତ୍ତର ମାର୍ଗରେ ପରିଚାଳିତ କରିଥାଏ। ସଙ୍ଗୀତ, ନୃତ୍ୟ ଓ ଲଳିତକଳା ପ୍ରଭୃତି ସଂସ୍କୃତିର ଅଙ୍ଗରୂପେ ସ୍ୱୀକୃତ। ଏସବୁର ବିକାଶ ପାଇଁ ସରକାରୀ ଅନୁଷ୍ଠାନମାନେ କାର୍ଯ୍ୟକରନ୍ତି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆଜି ଅନେକ ଆହ୍ୱାନକୁ ସାମ୍ନା କରିବା ସହ ସଂସ୍କୃତିର ଉତ୍ତରୋତ୍ତର ଉନ୍ନତି ପଥରେ ଆଗେଇ ଚାଲିଛି। ବହୁ ବିଦ୍ୱାନ, ବାଗ୍ମୀ ଓ ଚିନ୍ତାନାୟକ ସଂସ୍କୃତିର ସଂଜ୍ଞା ନିରୂପଣ କରିଛନ୍ତି। ଗତପିଢ଼ିର ସଂସ୍କୃତି ବିଦ୍ୱାନ୍ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ସଂସ୍କୃତିକୁ ‘ଆତ୍ମସଂଯମର ଏକ ସଫଳ ଅଭ୍ୟାସ’ ଭାବେ ଅଭିହିତ କରିଛନ୍ତି। ସେ ସଂସ୍କୃତିକୁ ମଣିଷ ଜୀବନର ତୃତୀୟ ପରିସର ଭାବେ ଗ୍ରହଣ କରି କହନ୍ତି ଯେ, ଦେହ ଓ ମନର ଆବଶ୍ୟକତା ପରିପୂରଣ ହେବା ପରେ ସଂସ୍କୃତି ଚେତନାର ଅଭ୍ୟୁଦୟ ଘଟାଇଥାଏ, ଯାହା ବ୍ୟକ୍ତିତ୍ୱରେ ଗଭୀରତା ଆଣିଦିଏ। ମାଥ୍ୟୁ ଆର୍ନଲଡ୍ ସଂସ୍କୃତିକୁ ଏକ ‘ଧୀସାପେକ୍ଷ ପରିଦୃଶ୍ୟମାନ ସତ୍ୟ’ ବୋଲି ଗ୍ରହଣକରି ‘ନୈତିକତାର ମାନଦଣ୍ଡ’କୁ ତାହାର ଆଧାରଶିଳା ବୋଲି ଧାରଣା ଦିଅନ୍ତି।

କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ଅନୁଦାନ ଏବଂ ରାଜ୍ୟ ସରକାରଙ୍କର ପ୍ରତ୍ୟକ୍ଷ ସହାୟତାରେ ବିଶ୍ୱବିଦ୍ୟାଳୟରେ ଜୈନ ଚେୟାର ଅଧୀନରେ ପ୍ରାକୃତ ଭାଷା, ଜୈନ ଧର୍ମ ଓ ଦର୍ଶନ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି। ଜୈନଧର୍ମ ଓ ଦର୍ଶନରେ ଛଅମାସିଆ ପାଠ୍ୟକ୍ରମ ପ୍ରଚଳିତ ହୋଇ ପ୍ରମାଣପତ୍ର ପ୍ରଦାନ କରାଯାଉଛି। ଓଡ଼ିଶାର ଜୈନକୀର୍ତ୍ତି ଓ ଦର୍ଶନ ଆଜି ଅନେକ ଅନାଲୋଚିତ ଦିଗରେ ଜାତୀୟ ସ୍ତରରେ ଏହାର ପ୍ରଚାର ଓ ପ୍ରସାର ପାଇଁ ଜୈନ ଚେୟାର ତରଫରୁ ବିଭିନ୍ନ ଆଲୋଚନାଚକ୍ର କରାଯାଉଛି। ସେହିପରି ତାମିଲନାଡୁ ସରକାରଙ୍କ ଅନୁଦାନରେ ବିଶ୍ୱବିଦ୍ୟାଳୟରେ ତାମିଲ ଚେୟାର ପ୍ରତିଷ୍ଠା କରାଯାଇଅଛି। ଏହି ଚେୟାର ଅଧୀନରେ ଛଅମାସିଆ ତାମିଲ ଭାଷା ପାଠ୍ୟକ୍ରମ ପ୍ରଚଳିତ ହୋଇ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଉଛି। ଗତ ୨୫ ବର୍ଷରେ ଅନେକ ପରିବର୍ତ୍ତନ ଓ ଉନ୍ନତି ଦେଖିବାକୁ ମିଳେ। ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ଓଡ଼ିଆ ଅକ୍ଷର ଶିଳାକୃତିଗୁଡ଼ିକ ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବ ଇତିହାସକୁ ଜୀବନ୍ତ ରୂପ ଦେଇପାରିଛି। ସ୍ଥାପତ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ କୃତିତ୍ୱକୁ ନେଇ ଭାସ୍କର୍ଯ୍ୟ ଉଦ୍ୟାନ ବିଶ୍ୱବିଦ୍ୟାଳୟରେ ଦଣ୍ଡାୟମାନ। ଅନ୍ୟ ବିଭାଗଗୁଡ଼ିକର କୃତିତ୍ୱ ମଧ୍ୟ ବିଶ୍ୱବିଦ୍ୟାଳୟକୁ ଉଲ୍ଲସିତ କରିପାରିଛି। ସଂସ୍କୃତି ଅଧ୍ୟୟନ, ଏହାର ତାତ୍ତ୍ୱିକ ଅନୁଶୀଳନ, ସଂସ୍କୃତି ଓ ବିକାଶ, ଭାରତୀୟ ସଂସ୍କୃତି ଓ ଜନପ୍ରିୟ ସଂସ୍କୃତି, ଜନଜାତି ସଂସ୍କୃତି ସମ୍ପର୍କିତ ପାଠ୍ୟକ୍ରମ ଏଠାରେ ପ୍ରଚଳନ ହେଉଥିବାବେଳେ ସଂସ୍କୃତିର ବହୁ ବ୍ୟାପକ ଓ ଆଧୁନିକତା ପରିପ୍ରେକ୍ଷୀରେ ତା’ର ଉପାଦେୟତା ଉପଲବ୍ଧ। ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅନୁଦାନକ୍ରମେ ୪ ଗୋଟି ଚେୟାର ପ୍ରତିଷ୍ଠା ପରେ ଖୁବ୍ କମ୍ ଦିନ ମଧ୍ୟରେ ଭୀମଭୋଇ ଚେୟାର ଓ ସାରଳା ଦାସ ଚେୟାରରେ ପ୍ରଫେସର ନିଯୁକ୍ତ ହୋଇ ଗବେଷଣା କାର୍ଯ୍ୟ ଚାଲୁରହିଛି। ଅନ୍ୟ ଦୁଇଟି ଚେୟାର- ଜଗନ୍ନାଥ ତତ୍ତ୍ୱ ଚେୟାର ଓ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଭାଷାସାହିତ୍ୟ କ୍ଷେତ୍ରରେ ଗବେଷଣା ପାଇଁ ଭଞ୍ଜ ଚେୟାର ପ୍ରତିଷ୍ଠା ହୋଇ ଗବେଷଣା କରାଯିବା ଏବଂ ପୂର୍ବପୁରୁଷଙ୍କ ଲଢୁଆ ମନୋବୃତ୍ତି ସମ୍ପର୍କରେ ଉଚ୍ଚତର ଗବେଷଣା ପାଇଁ ଜୟୀ ରାଜଗୁରୁ ଚେୟାର ପ୍ରତିଷ୍ଠା କରାଯିବା ପାଇଁ ପ୍ରସ୍ତାବ ବିଶ୍ୱବିଦ୍ୟାଳୟର ବିଚାରାଧୀନ ଅଛି।

ଚଳିତବର୍ଷ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ଶରତ ଉତ୍ସବ, ମେଘ ଉତ୍ସବ ଓ ବର୍ଷା ଉତ୍ସବ ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଛି। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ଏସବୁ ଉତ୍ସବର ଗୁରୁତ୍ୱ ଓ ସାଂସ୍କୃତିକ ପରମ୍ପରା ସମ୍ବନ୍ଧରେ ସୂଚନା ଦେଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁଦାନରେ ଦୃଶ୍ୟକଳା ବିଭାଗଗୁଡ଼ିକ ତରଫରୁ ଅଲଟରନେଟିଭ୍ ଆର୍ଟ କନ୍‌କ୍ଲେଭ୍ (ମାନବୋତ୍ତର) ଆୟୋଜନ କରାଯାଇଥିଲା। ଏଥିରେ ଥାଇଲାଣ୍ଡ, ଆମେରିକା, ଶ୍ରୀଲଙ୍କା, ଦକ୍ଷିଣକୋରିଆ, ଜାପାନ, ନେଦରଲ୍ୟାଣ୍ଡ, ପାକିସ୍ତାନ, ସୁଇଜରଲ୍ୟାଣ୍ଡ ଆଦି ଦେଶମାନଙ୍କରୁ ବହୁ ବିଦ୍ୱାନ, ଗବେଷକ, ପ୍ରଫେସର ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ। ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଆଲୋଚନାଚକ୍ର ଆୟୋଜନ କରାଯିବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ ତଥା ଗବେଷଣା ଉପଯୋଗୀ ଭାବବିନିମୟ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଅନୁଷ୍ଠାନ ଯଥା:- କିସ୍ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି ଗବେଷଣା କେନ୍ଦ୍ର, ଭୁବନେଶ୍ୱର, ସଂସ୍କୃତି ବିଭାଗ ଅଧୀନ ଦକ୍ଷିଣ ଏସୀୟ ସାମରିକ ଗବେଷଣା କେନ୍ଦ୍ର, ଭୁବନେଶ୍ୱର, ଭାରତ ସରକାରଙ୍କର ପର୍ଯ୍ୟଟନ ଓ ଭ୍ରମଣ ଅନୁଷ୍ଠାନ, ଭୁବନେଶ୍ୱର ଏବଂ ଆମେରିକାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଷ୍ଟଡିଜ୍‌, ନୂଆଦିଲ୍ଲୀ ପ୍ରଭୃତି ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଅତୀତରେ ଏହି ବିଶ୍ୱବିଦ୍ୟାଳୟରେ ଗବେଷଣା କରିବା ପାଇଁ ଫ୍ରାନ୍‌ସ, ଜାପାନ, ହଲାଣ୍ଡ, ଜର୍ମାନୀ, କୋରିଆ, ଇଂଲଣ୍ଡ ପ୍ରଭୃତି ବିଭିନ୍ନ ଦେଶରୁ ବହୁ ଛାତ୍ରଛାତ୍ରୀ ଆଇସିସିଆର୍‌ ଜରିଆରେ ବିଶ୍ୱବିଦ୍ୟାଳୟକୁ ଆସି ପାଠ ପଢ଼ିବା ସହ ଗବେଷଣା କରି ଯାଇଛନ୍ତି। ଏଠାରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ଦେଶର ବିଭିନ୍ନ ସଂଗ୍ରହାଳୟ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଓ ଇନ୍‌ଟାକ ଭଳି ବୃହତ୍ ଅନୁଷ୍ଠାନରେ ନିଯୁକ୍ତି ପାଇଛନ୍ତି। ଭାରତର ସଲାରଜଙ୍ଗ ସଂଗ୍ରହାଳୟ ଦ୍ୱାରା ଆମ ଛାତ୍ରଛାତ୍ରୀ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି। ଏହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ସାମ୍ବାଦିକତା ଓ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ପର୍ଯ୍ୟଟନ ଓ ଦେଶର ଅଗ୍ରଣୀ ହୋଟେଲ୍‌ଗୁଡ଼ିକରେ ପଦାଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଂଗୀତ, ଓଡ଼ିଶାର ସ୍ଥାପତ୍ୟ କଳା ବିଶ୍ୱ ପ୍ରସିଦ୍ଧି ଲାଭ କରିସାରିଛି। ଏସବୁ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଅବଦାନ ଅନେକ। ଓଡ଼ିଶାର କଳା, କୌଶଳ, ଶକ୍ତିସାମର୍ଥ୍ୟ ବିଶ୍ୱପ୍ରସିଦ୍ଧି ଲାଭ କରିବା ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ। ଓଡ଼ିଆ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହାୟକ ହୋଇପାରିବ ବୋଲି ଆମ୍ଭର ଆଶା ଓ ବିଶ୍ୱାସ।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ମଦନପୁର, ଭୁବନେଶ୍ୱର