ଅନୁଗୁଳ: ମହାବଳ ପରେ ଏବେ ବିଭିନ୍ନ ସ୍ଥାନରେ କଲରାପତରିଆ ବାଘ ଶିକାର କରାଯାଉଛି। ଚଳିତବର୍ଷ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏକାଧିକ କଲରାପତରିଆ ଚମଡ଼ା ଜବତ ଘଟଣା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ତେବେ ମହାବଳ ପରେ କଲରାପତରିଆଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ପ୍ରଜାତି ବାଘଙ୍କ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିପାଇଁ ଅନୁଗୁଳ ବନଖଣ୍ଡ ସମେତ ସାତକୋଶିଆ ଅଭୟାରଣ୍ୟରେ ବହୁ କ୍ୟାମେରା ଲଗାଯାଇଛି। ଫଳରେ ଜଙ୍ଗଲରେ ଏମାନଙ୍କ ସଂଖ୍ୟା କେତେ ରହିଛି, ତାହା ସ୍ପଷ୍ଟ ହୋଇପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡକୁ ଲାଗି ରହିଥିବା ମହାନଦୀ ବନଖଣ୍ଡ, ଆଠମଲ୍ଲିକ, ଆଠଗଡ଼, ଅନୁଗୁଳ ବନଖଣ୍ଡର ସୀମାନ୍ତ ଅଞ୍ଚଳରେ ମୋଟ ୧୧୧ଟି କଲରାପତରିଆ ବାଘ ଥିବା ମହାବଳ ଗଣନା ବେଳେ ଜଣାପଡ଼ିଥିଲା। ଅନୁଗୁଳ ବନଖଣ୍ଡରେ ୪ଟି କଲରାପତରିଆ ବାଘଥିବା ଦେଖାଯାଇଥିଲା। ଅନୁଗୁଳ ବନଖଣ୍ଡର ବନ୍ତଳା ବନାଞ୍ଚଳରେ ୨ଟି, ଛେଣ୍ଡିପଦା ଓ ଅନୁଗୁଳ ବନାଞ୍ଚଳରେ ଗୋଟିଏ ଲେଖାଏଁ କଲରାପତରିଆ ଥିବା ଚଳିତବର୍ଷ ମହାବଳ ଗଣନା ବେଳେ ଜଣାପଡ଼ିଥିଲା। ତେବେ ମହାବଳଶୂନ୍ୟ ଅନୁଗୁଳ ଜିଲ୍ଲାରେ ପ୍ରଥମଥର ପାଇଁ କଲରାପତରିଆ ଗଣନା କରାଯାଉଛି। କଲରାପତରିଆଙ୍କୁ ସୁରକ୍ଷା ଯୋଗାଇବାକୁ ବନ ବିଭାଗ ତତ୍ପରତା ପ୍ରକାଶ କରି ସାତକୋଶିଆ ଅଭୟାରଣ୍ୟରେ ଥିବା ବିଭିନ୍ନ ବନାଞ୍ଚଳରେ ୨୬୬ଟି ଓ ଅନୁଗୁଳ ବନଖଣ୍ଡରେ ୬୪ଟି କ୍ୟାମେରା ଖଞ୍ଜିଛି। ଅନୁଗୁଳ ବନଖଣ୍ଡରେ ଲଗାଯାଇଥିବା କ୍ୟାମେରା ଭିତରୁ ବନ୍ତଳାରେ ୨୨ଟି, ଜରପଡ଼ାରେ ୧୬, ଛେଣ୍ଡିପଦାରେ ୧୪ ଓ ଅନୁଗୁଳ ବନାଞ୍ଚଳର ଜଙ୍ଗଲଗୁଡ଼ିକରେ ୧୨ଟି କ୍ୟାମେରା ଲଗାଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି କ୍ୟାମେରାଗୁଡ଼ିକୁ ଆସନ୍ତା ସପ୍ତାହରେ ଖୋଲାଯାଇ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟକୁ ପଠାଯିବ। ଏହା ପରେ ଅନୁଗୁଳରେ କେତେ କଲରାପତରିଆ ଅଛନ୍ତି, ତାହା ଜଣାପଡ଼ିବ ବୋଲି କୁହାଯାଉଛି।