Breaking News

ଅନ୍‌ଏକାଡେମିକୁ କିଣିବ ଆଲେନ୍

ଏଡ୍‌ଟେକ୍ କମ୍ପାନି ଅନ୍‌ଏକାଡେମିକୁ ୮୦୦ ନିୟୁତ ଡଲାରରେ କିଣିବା ଲାଗି ଆଲେନ୍ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ୍‌ କଥାବାର୍ତ୍ତା କରୁଛି। ଏହାପରେ ଉଭୟ ସଂସ୍ଥା ମଧ୍ୟରେ ମିଶ୍ରଣ ହେବାର ସମ୍ଭାବନା ରହିଛି।

ନୂଆଦିଲ୍ଲୀ: ଏଡ୍‌ଟେକ୍ କମ୍ପାନି ଅନ୍‌ଏକାଡେମିକୁ ୮୦୦ ନିୟୁତ ଡଲାରରେ କିଣିବା ଲାଗି ଆଲେନ୍ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ୍‌ କଥାବାର୍ତ୍ତା କରୁଛି। ଏହାପରେ ଉଭୟ ସଂସ୍ଥା ମଧ୍ୟରେ ମିଶ୍ରଣ ହେବାର ସମ୍ଭାବନା ରହିଛି। କିଛି ମାସ ହେଲାଣି ଏହାକୁ ନେଇ ମୁଲଚାଲ ଚାଲିଥିବା ବେଳେ ଆଲେନ୍‌ର ପ୍ରତିଷ୍ଠାତା ମାହେଶ୍ବରୀ ପରିବାରର ଅନୁମୋଦନକୁ ଅପେକ୍ଷା ରହିଛି। ଇକ୍ବିଟି ଅଦଳବଦଳ ଆଧାରରେ ଏହି କାରବାର ହେବ। ଅନଏକାଡେମିର ପ୍ରତିଷ୍ଠାତା ଓ ନିବେଶକମାନଙ୍କୁ ଆଲେନ୍ ପକ୍ଷରୁ ନଗଦ ରାଶି ପ୍ରଦାନ କରାଯିବାର ସମ୍ଭାବନା ମଧ୍ୟ ରହିଛି।

ଏହି ଅଧିଗ୍ରହଣ ସମ୍ପନ ହେବା ପରେ ଅନ୍‌ଏକାଡେମିର ପ୍ରତିଷ୍ଠାତା ସଦସ୍ୟ ଥିବା ଗୌରବ ମୁଞ୍ଜାଲ୍‌, ରୋମାନ୍‌ ସଇନି ଓ ସୁମିତ ଜୈନ କମ୍ପାନି ଛାଡ଼ିବେ। ଏଡ୍‌ଟେକ୍ ଶିଳ୍ପ ଅସ୍ଥିରତା ଦେଇ ଗତି କରୁଥିବା ବେଳେ ତିଷ୍ଠି ରହିବା ଲାଗି ଅନ୍‌ଏକାଡେମି ପକ୍ଷରୁ ଖର୍ଚ୍ଚ କାଟ ଓ ୨୫୦ କର୍ମଚାରୀଙ୍କୁ ଛଟେଇ କରିବା ଭଳି କଠୋର ନିଷ୍ପତ୍ତି ନିଆଯାଇଛି। କମ୍ପାନିର ବହୁ ବରିଷ୍ଠ ଅଧିକାରୀଙ୍କୁ ବିଦା ହେବାକୁ ପଡ଼ିଛି। କିଛି ମାସ ପୂର୍ବେ ଅନ୍‌ଏକାଡେମିର ସିଇଓ ଶ୍ରୀ ମୁଞ୍ଜାଲଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଥିଲା। କମ୍ପାନିର ପ୍ରଦର୍ଶନ ଆଶନୁରୂପ ନ ଥିବାରୁ ଚଳିତ ବର୍ଷ ଦରମାକୁ ନେଇ ମୂଲ୍ୟାଙ୍କନ ହେବ ନାହିଁ ବୋଲି ଏକ ଟାଉନ୍‌ ହଲ୍‌ କାର୍ଯ୍ୟକ୍ରମରେ ସେ ଘୋଷଣା କରିଥିଲେ। ୪୦୦ ଡଲାରର ବୁର୍‌ବେରି ଭଳି ଦାମୀ ଟି-ସାର୍ଟ ପିନ୍ଧି ସେ ଏଭଳି ଘୋଷଣା କରିଥିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା।
ସୌଜନ୍ୟ-ସମ୍ୱାଦ

Comments are closed.