Breaking News

ଅନ୍ତଃରାଜ୍ୟ ଅପରାଧୀଙ୍କ ଟାର୍ଗେଟ୍‌ରେ ରାଜଧାନୀ: ନେଟ୍‌ୱର୍କ ଭେଦିପାରୁନି ପୁଲିସ

ରାଜଧାନୀ ଭୁବନେଶ୍ବର ଏବେ ଅନ୍ତଃରାଜ୍ୟ ଅପରାଧୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି। କମିସନରେଟ୍‌ ପୁଲିସକୁ ଚକ୍‌ମା ଦେଖାଇ ସେମାନେ ଏଠାରେ ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି।

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଏବେ ଅନ୍ତଃରାଜ୍ୟ ଅପରାଧୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି। କମିସନରେଟ୍‌ ପୁଲିସକୁ ଚକ୍‌ମା ଦେଖାଇ ସେମାନେ ଏଠାରେ ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। ପୁଲିସ ବେଳେବେଳେ ଏହି ଅନ୍ତଃରାଜ୍ୟ ଅପରାଧୀଙ୍କୁ ଧରୁଛି, ଏନ୍‌କାଉଣ୍ଟର୍‌ କରୁଛି। ମାତ୍ର ରାଜଧାନୀ ଭୁବନେଶ୍ବରକୁ ଅପରାଧମୁକ୍ତ କରିବା ପାଇଁ ଯେଉଁ ଯୋଜନା ଓ କାର୍ଯ୍ୟ କରାଯିବା କଥା ସେପରି ହେଉନାହିଁ। ଫଳରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର,ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଅପରାଧୀମାନେ ସହର ଓ ସହର ଉପକଣ୍ଠରେ ରହି ସେମାନଙ୍କ ଆପରାଧିକ ସାମ୍ରାଜ୍ୟ ବଢ଼ାଇ ଚାଲିଛନ୍ତି।

ତିନିମାସ ଭିତରେ ରାଜଧାନୀରେ ୪ଟି ଏନ୍‌କାଉଣ୍ଟର୍‌ରେ ୫ଜଣ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ଅନ୍ତଃରାଜ୍ୟ ଅପରାଧୀ ଅର୍ଜୁନ ଅନା‌ରେ, ଦୀପକ କୁମାର, ମନୀଷ ଯାଦବ, ସୋନୁ ଯାଦବ ପ୍ରମୁଖ ଅପରାଧୀ ପୁଲିସ ଜାଲରେ ପଡ଼ିଛନ୍ତି। ବିଭିନ୍ନ ଆପାର୍ଟମେଣ୍ଟ ଲୁଟ୍‌, ଏଟିଏମ୍‌ ଲୁଟ୍‌, ଛିନ୍‌ତାଇ ଭଳି ଅପରାଧରେ ଏମାନେ ସମ୍ପୃକ୍ତ। ପୂର୍ବରୁ ମଧ୍ୟ ଚଡ଼ିଗ୍ୟାଙ୍ଗ୍‌, ଏରାଗୋଲା, ବାୱରିଆ, ତ୍ରିଚିଗ୍ୟାଙ୍ଗ୍‌, ତିନ୍‌ପାହାଡ଼ୀ ଗ୍ୟାଙ୍ଗ୍‌ର ସଦସ୍ୟମାନେ ବିଭିନ୍ନ ସମୟରେ ଭୁବନେଶ୍ବରରୁ ଧରାପଡ଼ିଛନ୍ତି। ଏଥିରୁ ଏକ ଧାରଣା ସୃଷ୍ଟି ହୋଇଛି ଯେ ଭୁବନେଶ୍ବର ଅନ୍ତଃରାଜ୍ୟ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଅପରାଧ ଘଟାଇବା ପରେ ସେମାନେ ଫେରାର ହେଉଯାଉଥିବାରୁ କମିସନରେଟ୍‌ ପୁଲିସର ଚିନ୍ତା ବଢ଼ୁଛି। ବିଭିନ୍ନ ଗ୍ୟାଙ୍ଗ୍‌ର ଅପରାଧୀମାନଙ୍କୁ ଧରିବା ସତ୍ତ୍ବେ ପୁଲିସ ଏହି ଗ୍ୟାଙ୍ଗ୍‌ର ନେଟ୍‌ୱର୍କକୁ ଭେଦି ପାରୁନାହିଁ।  ଫଳରେ କିଛି ଦିନର ନିରବତା ପରେ ଏହି ଗ୍ୟାଙ୍ଗ୍‌ର ପ୍ରାଦୁର୍ଭାବ ପୁଣି ଦେଖିବାକୁ ମିଳୁଛି।

ଫେବ୍ରୁଆରି ୧୬ରେ କମିସନରେଟ୍‌ ପୁଲିସ ମଧ୍ୟପ୍ରଦେଶ ‘ଧର୍‌ ଗ୍ୟାଙ୍ଗ୍‌’ର ମୁଖ୍ୟ ଅର୍ଜୁନ ଅନାରେକୁ ଏନ୍‌କାଉଣ୍ଟର୍‌ କରିଥିଲା। ସେତେବେଳେ ତା’ର ଅନ୍ୟ ଦୁଇ ସହଯୋଗୀ ଖସିଯାଇଥିଲେ। ଏପର୍ଯ୍ୟନ୍ତ ପୁଲିସ ସେମାନଙ୍କ ପତ୍ତା ଲଗାଇବାରେ ପୁଲିସ ବିଫଳ ହୋଇଛି। ପ୍ରାୟ ୭୦ ମାମଲା ପରେ ପୁଲିସ ମଧ୍ୟପ୍ରଦେଶର ଧର୍‌ ଜିଲ୍ଲାରୁ ଆସିଥିବା ଏହି ଗ୍ୟାଙ୍ଗ୍‌‌କୁ ଚିହ୍ନଟ କରିଥିଲା।  ସେହିପରି ଭୁବନେଶ୍ବରରେ ଏକ ବିବାହମଣ୍ଡପରେ ବାହାଘରକୁ ଅତିଥି ବେଶରେ ଆସି ମଧ୍ୟପ୍ରଦେଶର ରିତେଶ ସିସୋଦିଆ ଏଠାରୁ ଲକ୍ଷାଧିକ ଟଙ୍କା  ଓ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲା। ତେବେ ସେ ପୁରୀରେ ଗିରଫ ହୋଇଥିଲା। ତା’ର ସହଯୋଗୀମାନଙ୍କ ସମ୍ପର୍କ‌ରେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ କୌଣସି ସୁରାକ୍‌ ପାଇନାହିଁ।

ମାର୍ଚ୍ଚ ୯ ତାରିଖରେ ଝାଡ଼ଖଣ୍ଡ ଓ ବିହାର ପୁଲିସର ମୋଷ୍ଟୱାଣ୍ଟେଡ୍‌ ଅପରାଧୀ ଦୀପକ କୁମାର ବଡ଼ଗଡ଼ ଅଞ୍ଚଳରେ ଏକ ଏଟିଏମ୍‌ ଲୁଟ୍‌ ବେଳେ ପୁଲିସଠାରୁ ଗୁଳି ଖାଇଥିଲା। ସେ ଏଟିଏମ୍‌‌ରେ ଅଠା ଲଗାଇ ଟଙ୍କା ଲୁଟ୍‌ କରୁଥିଲା। ତା’ର ଦୁଇ ସହଯୋଗୀ ଦୀପକ ପାଣ୍ଡେ ଓ ଅଭିଷେକ ସିଂହ ମଧ୍ୟ ଧରାପଡ଼ିଥିଲେ। ଏହି ଏନ୍‌କାଉଣ୍ଟର ପରେ କମିସନରେଟ୍‌ ପୁଲିସର ଏକ ଟିମ୍‌ ବିହାର ଯିବାର ଥିଲା। ସେଠାରେ ସେମାନଙ୍କର ପୁରୁଣା ଆପରାଧିକ ରେକର୍ଡ ଯାଞ୍ଚ କରିବାର ଥିଲା। ତା’ର ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଗଲା। ତେବେ ଏହି ତଦନ୍ତ ଫାଇଲ ଆଉ ପୁଲିସ ଖୋଲୁନି ଏପ୍ରିଲ ୩ ତାରିଖ ଦିନ କମିସନରେଟ୍‌ ପୁଲିସ କୁଆଖାଇ ପଠାରେ ଏନ୍‌କାଉଣ୍ଟର କରି ବିହାର କଟିହାର ଅଞ୍ଚଳର ମନୀଷ ଯାଦବ ଓ ସୋନୁ ଯାଦବକୁ ଧରିଥିଲା। ସେମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଛିନ୍‌ତାଇ କରି ଆତଙ୍କ ଖେଳାଇଥିଲେ। ତେବେ ଏହି ତଦନ୍ତ ମଧ୍ୟ ସେତିକିରେ ସୀମିତ ରହିଛି। ସେମାନଙ୍କ ସହଯୋଗୀ ତଥା ନେଟ୍‌ୱର୍କ ସମ୍ପର୍କରେ ଖୋଳତାଡ଼ ମଧ୍ୟ ଅଧାରେ ଅଟକିଯାଇଛି। ଗତ ୧୧ ତାରିଖ ଦିନ ନିଶାମାଫିଆ ଝାରପଡ଼ାର ଶେଖ୍‌ ଜାମ୍‌ସେଦ୍‌ର ନେପାଳ ଲିଙ୍କ ଥିବା ନେଇ କମିସନରେଟ୍‌ ପୁଲିସ ସୂଚନା ଦେଇଥିଲା। ସେନେଇ କ’ଣ ପଦକ୍ଷେପ ନିଆଗଲା ତା’ର ସୂଚନା ମଧ୍ୟ ନାହିଁ। ଅଧିକାଂଶ ଅପରାଧୀ ଏନ୍‌କାଉଣ୍ଟର ପରେ ରିମାଣ୍ଡରେ ଆସିପାରିନାହାନ୍ତି। ସେମାନେ କେବେ ରିମାଣ୍ଡରେ ଯିବେ ଏବଂ ଏହି ଅପରାଧର ଗୁମର ଖୋଲିବ ତାହା ଅସ୍ପଷ୍ଟ ରହିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.