Breaking News

ଅନ୍ତର୍ଜାତୀୟ ରେଡିଓ ମେଳା ଉଦ୍‌ଘାଟିତ; ରେଡିଓ ସମାଜର ସୁରକ୍ଷା କବଚ: ସୌମ୍ୟରଂଜନ

‘‘୨୦୦୭ ମସିହାରେ ରେଡିଓ ଚକଲେଟ୍‌ ଆରମ୍ଭ ହେବା ପୂର୍ବରୁ ଅନେକ ବନ୍ଧୁ ମୋତେ ନିରୁତ୍ସାହିତ କରିଥିଲେ। ରେଡିଓ ଯୁଗ ସରିବାକୁ ବସିଥିବା ବେଳେ ଘରୋଇ ରେଡିଓର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଥିଲେ।

ଭୁବନେଶ୍ବର: ‘‘୨୦୦୭ ମସିହାରେ ରେଡିଓ ଚକଲେଟ୍‌ ଆରମ୍ଭ ହେବା ପୂର୍ବରୁ ଅନେକ ବନ୍ଧୁ ମୋତେ ନିରୁତ୍ସାହିତ କରିଥିଲେ। ରେଡିଓ ଯୁଗ ସରିବାକୁ ବସିଥିବା ବେଳେ ଘରୋଇ ରେଡିଓର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଥିଲେ। ମୁଁ ବିଚଳିତ ନହୋଇ ରେଡିଓ ଚକଲେଟ୍‌ ଆରମ୍ଭ କରିଥିଲି। କିଛି ମାସ ପରେ ବିଜ୍ଞାନ ଓ କାରିଗରୀ କୌଶଳର ନୂଆ ଆବିଷ୍କାର ରେଡିଓକୁ ଅଧିକ ଲୋକପ୍ରିୟ କରିଦେଲା। ଏବେ କାର୍‌ ଭିତରେ ହେଉ କିମ୍ବା ମୋବାଇଲ୍‌, ସଭିଏଁ ରେଡିଓ ଶୁଣିବାକୁ ଭଲ ପାଉଛନ୍ତି। ଓଡ଼ିଶାର ସାହିତ୍ୟ, ସଂସ୍କୃତି, ନାଟକକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡିଓ ବଡ଼ ଭୂମିକା ଗ୍ରହଣ କରିଛି। କେବଳ ମନୋରଂଜନ ନୁହେଁ ରେଡିଓ ସମାଜର ସୁରକ୍ଷା କବଚ ସାଜିଛି। ଡିଜିଟାଲ୍‌ ଯୁଗରେ ଟିଭି କିଛିଟା ପଛରେ ପଡ଼ି ଯାଇପାରେ କିନ୍ତୁ ରେଡିଓ ସବୁ ସମୟରେ ଆଗରେ ରହିବ।’’ ଆଜି ଆଉଟରିଚ୍‌ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ଏକାଦଶ ଅନ୍ତର୍ଜାତୀୟ ରେଡିଓ ମେଳାକୁ ଉଦ୍‌ଘାଟନ କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ବର୍ତ୍ତମାନ ସମୟରେ କିଏ ସତ କହୁଛି ତାହା ଜାଣିବା କଷ୍ଟକର। ପ୍ରଧ‌ାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ କିଏ ସତ କହୁଛନ୍ତି, ତାକୁ ଆକଳନ କରିବା ସମ୍ଭବ ନୁହେଁ। କିନ୍ତୁ ଦିନ ଥିଲା କେବଳ ରେଡିଓ ସତ କହୁଥିଲା। ଏବେ କିନ୍ତୁ ସରକାରୀ ରେଡିଓ ତଥା ପ୍ରସାରଣ ସଂସ୍ଥା କେତେ ସତ କହୁଛନ୍ତି ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏପରି ଏକ ସମୟରେ ଘରୋଇ ରେଡିଓ ଶ୍ରୋତାଙ୍କୁ ସତ କୁହନ୍ତୁ। ସତ ସହ ମିତ ବସି ନିଡ଼ର ରୁହନ୍ତୁ।
ସମ୍ମାନିତ ଅତିଥି ଭାବେ ପିଆଇବି ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ କହିଲେ, ରେଡିଓ ମଣିଷର ସ୍ବରକୁ ଶକ୍ତିଶାଳୀ କରେ। ସାମାଜିକ ବିକାଶ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ରେଡିଓର ବଡ଼ ଯୋଗଦାନ ରହିଛି। ରେଡିଓ ଥିଲା, ଅଛି ଓ ସବୁଦିନ ପାଇଁ ରହିଥିବ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବେତାର ଅଭିନେତ୍ରୀ ବିଜୟଲକ୍ଷ୍ମୀ ପାହାଡ଼ସିଂହ ଯୋଗଦେଇ ନିଜ ସ୍ବାମୀ ତଥା ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ସ୍ବର୍ଗତ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ କୃତୀ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ‘ଉପେନ୍ଦ୍ର କୁମାର ପାହାଡ଼ସିଂହ ସମ୍ମାନ’ରେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ସ୍ବର୍ଗତ ପାହାଡ଼ସିଂହଙ୍କ ପୁଅ ଦିଲ୍ଲୀପ କୁମାର ପାହାଡ଼ସିଂହ ଉପସ୍ଥିତ ଥିଲେ। ଏଥିସହ ଅଭୟ କୁମାର ଦାଶଙ୍କୁ ‘ନଦିଆ ବିହାରୀ ସ୍ମାରକୀ ସମ୍ମାନ’, କେନ୍ଦୁଝରର ରେଡିଓ ଜୁହାରକୁ ‘ଶ୍ରେଷ୍ଠ କମ୍ୟୁନିଟି ରେଡିଓ ସମ୍ମାନ’, ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ବିଶିଷ୍ଠ ଅବଦାନ ପାଇଁ ଡା. ପ୍ରଭଞ୍ଜନ ରାୟ, ଡା. ଦେବାଶିଷ ମିଶ୍ର ଓ ଡା. ମିହିର କୁମାର ନନ୍ଦଗୋସ୍ବାମୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ‘ବକ୍ତୃତା’ ପ୍ରତିଯୋଗିତାରେ ମନୋଜ କୁମାର ସାହୁ, ତମନ୍ନା ଭୋଇ ଓ ପ୍ରଦୀପ ପ୍ରଧାନ ଏବଂ ‘ସମ୍ବାଦ ପଠନ’ ପ୍ରତିଯୋଗିତାରେ ଅନ୍ତରୀକ୍ଷ ଦାସ, ଆଶୁତୋଷ ପାଢ଼ୀ ଓ ତମନ୍ନା ଭୋଇଙ୍କୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଉଟରିଚ୍‌ ଅନ୍ତର୍ଜାତୀୟ ରେଡିଓ ମେଳାର ଆବାହକ ସୁବ୍ରତ ପତି ସ୍ବାଗତ ଭାଷଣ ଦେଇଥିବା ବେଳେ ଦେବଦତ୍ତ ସ୍ବାଇଁ ଧନ୍ୟବାଦ ଦେଇଥିଲେ। ମୌସୁମୀ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ବର୍ଣ୍ଣାଳୀ ହୋତାଙ୍କ ସହ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରେଡିଓ ମେଳାରେ ଦେଶ ବିଦେଶର ରେଡିଓ ପ୍ରସାରଣ ସଂସ୍ଥା ସହ ନୂଆ ପୁରୁଣା ରେଡିଓ ଦେଖିବାକୁ ଲୋକମାନେ ଭିଡ଼ ଜମାଉଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.