Breaking News

ଅପହୃତ ବାଳକ ୩୦ ବର୍ଷ ପରେ ପରିବାରକୁ ଫେରିଲା, ରାନସମ କଲ୍, ନୀରବତା ଓ ଚମତ୍କାର

ଭାଗ୍ୟର ଖେଳ କାହାକୁ ଜଣା ନ ଥାଏ। ୧୯୯୩ରେ ନଏଡାରୁ ଅପହୃତ ଜଣେ ବାଳକ କ୍ରୀତଦାସ ଭାବେ ୩୦ ବର୍ଷ ଧରି ପଶୁ ଚରାଇବା ପରେ ଜଣେ ବ୍ୟବସାୟୀଙ୍କ ଦ୍ବାରା ଉଦ୍ଧାର ହୋଇ ପରିବାରକୁ ଫେରିପାରିଛନ୍ତି।

ନଏଡା: ଭାଗ୍ୟର ଖେଳ କାହାକୁ ଜଣା ନ ଥାଏ। ୧୯୯୩ରେ ନଏଡାରୁ ଅପହୃତ ଜଣେ ବାଳକ କ୍ରୀତଦାସ ଭାବେ ୩୦ ବର୍ଷ ଧରି ପଶୁ ଚରାଇବା ପରେ ଜଣେ ବ୍ୟବସାୟୀଙ୍କ ଦ୍ବାରା ଉଦ୍ଧାର ହୋଇ ପରିବାରକୁ ଫେରିପାରିଛନ୍ତି। ଏକ ଚମତ୍କାର ଯୋଗୁଁ ଭୀମ ସିଂହ ଏବେ ଘରେ ଅଛନ୍ତି। ଦୁର୍ଗମ ଜୈସଲମେର ଗାଁର ଏକ ପଶୁ ଫାର୍ମରେ କାମ କରୁଥିବା ଦୁର୍ବଳ ବ୍ୟକ୍ତି ଜଣକ ହେଉଛନ୍ତି ସେହି ୯ ବର୍ଷର ବାଳକ, ଯାହାଙ୍କୁ ୩୦ ବର୍ଷ ପୂର୍ବେ ଏକ ଅଟୋରୁ ଅପହରଣ କରାଯାଇଥିଲା। ୧୯୯୩ ମସିହା ସେପ୍ଟେମ୍ବର ମାସରେ ଭୀମଙ୍କୁ ଅପହରଣ କରାଯିବା ପରେ ପରିବାରକୁ ଏକ ରାନସମ କଲ୍ ଆସିଥିଲା। ତା’ପରେ ଅପହର୍ତ୍ତା ନୀରବ ରହିଥିଲେ ଓ ଆଉ ଯୋଗଯୋଗ କରି ନ ଥିଲେ। ଏହାପରେ ପୁଲିସର ଖୋଜାଖୋଜି ଓ ଫଲୋଅପ୍‌ରୁ କିଛି ମିଳି ନ ଥିଲା। ଗାଜିଆବାଦ ବାଳକଟି ପୃଥିବୀରୁ ଯେପରି ଅଦୃଶ୍ୟ ହୋଇଯାଇଥିଲା।

ଭୀମଙ୍କ ବାପା ତୁଲାରାମ ଅବସର ନେବା ପରେ ନିଜ ଗ୍ରାମ ଦାଦରୀକୁ ନ ଫେରିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ସେ ଭାବିଲେ, ଯଦି ପୁଅ ଦିନେ ଘରକୁ ଫେରି ସେମାନଙ୍କୁ ଖୋଜିବ ତେବେ କ’ଣ ହେବ? ତେଣୁ ତୁଲାରାମ ଅବସର ପରେ ନିଜର ଯୋଜନା ବଦଳାଇ ସହିଦ ନଗରରେ ଥିବା ତାଙ୍କ ପରିବାରର ଘର ନିକଟରେ ଗାଜିଆବାଦରେ ଏକ ଅଟାକଳ ଖୋଲିଥିଲେ। ବାସ୍ତବରେ, ସେମାନଙ୍କ ମଧ୍ୟରୁ କେହି ବିଶ୍ୱାସ କରି ନ ଥିଲେ ଯେ ସେମାନେ ଭୀମଙ୍କୁ ଆଉ କେବେ ଦେଖିବେ। ଗତ ମଙ୍ଗଳବାର ଗାଜିଆବାଦର ଖୋଦା ପୁଲିସ ଷ୍ଟେସନରେ ଯେତେବେଳେ ସେମାନେ ମୁହାଁମୁହିଁ ହୋଇଥିଲେ, ସେତେବେଳେ କେହି ବି ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ। ଦାସତ୍ୱରେ ଜୀବନ ବିତାଉଥିବା ଭୀମ ନିଜ ପରିବାରକୁ ଭେଟିଥିଲେ, ଯାହାଙ୍କ ସ୍ମୃତି କେବଳ ସମୟ ସହିତ ନୁହେଁ ବରଂ ବର୍ଷବର୍ଷର ନିର୍ଯାତନା ଭିତରେ ଧୂମିଳ ହୋଇଯାଇଥିଲା। ପରିବାର ଲୋକେ, ପିତାମାତା ଓ ତିନି ଭଉଣୀ ଭୀମଙ୍କୁ ଦେଖି ଦୋଦୋ ଚିହ୍ନା ହେଲେ କାରଣ ୯ ବର୍ଷ ବୟସରେ ଅପହୃତ ହୋଇଥିବା ବାଳକ ଏବେ ୩୯ ବର୍ଷର ଯୁବକ। ତେବେ ଚେହେରାରେ ସାଦୃଶ୍ୟ ଥିଲା। ସେମାନେ ତାକୁ ସ୍ନେହରେ ‘ରାଜୁ’ ଡାକୁଥିଲେ ଏବଂ ତାଙ୍କ ବାମ ହାତରେ ଟାଟୁ କରିଥିଲେ। ତାଙ୍କ ଡାହାଣ ଗୋଡ଼ରେ ଏକ ତିଳ ଚିହ୍ନ ଥିଲା। ଫଳରେ ପରିବାର ଲୋକ ସେହି ପୁଅକୁ ଚିହ୍ନି ପାରିଥିଲେ ଯାହାକୁ ସେମାନେ କେବେ ଦେଖିବେ ବୋଲି ଭାବି ନ ଥିଲେ।

ସାହିବାବାଦର ଏସିପି ରଜନୀଶ ଉପାଧ୍ୟାୟ କହିଛନ୍ତି ଯେ ଭୀମ ଗତ ଶନିବାର ଅପରାହ୍ଣରେ ନୀଳ କାଳିରେ ଲେଖା ଥିବା ଏକ ଚିଠି ନେଇ ଖୋଦା ଥାନାକୁ ଯାଇଥିଲେ। ଦିଲ୍ଲୀର ଯେଉଁ ବ୍ୟବସାୟୀ ଭୀମଙ୍କୁ ଉଦ୍ଧାର କରିଥିଲେ ସେ ଏହି ଚିଠି ଲେଖିଥିଲେ। ପୁଲିସ ପଚରାଉଚରା କରି ଭୀମର ପରିଚୟ ପାଇବ ବୋଲି ତାଙ୍କର ଆଶା ଥିଲା। ଭୀମ ପୁଲିସକୁ କହିଥିଲେ ଯେ ସେ ନଏଡାର କୌଣସି ସ୍ଥାନରୁ ଆସିଛନ୍ତି। ଗାଜିଆବାଦ କିମ୍ବା ସହିଦ ନଗର ବିଷୟରେ ତାଙ୍କର କିଛି ସ୍ମରଣ ନ ଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ପିତାମାତା ଓ ଚାରି ଭଉଣୀ ଅଛନ୍ତି ଏବଂ ସେ ଏକମାତ୍ର ପୁଅ ଥିଲେ। ସେ ତୁଲାରାମ ଓ ଅନ୍ୟ କିଛି ନାମ ବି ଉଲ୍ଲେଖ କରିଥିଲେ ଏବଂ ୧୯୯୩ ମସିହାରେ ତାଙ୍କୁ ଅପହରଣ କରାଯାଇଥିଲା ବୋଲି କହିଥିଲେ।

ପୁଲିସ ପୁରୁଣା ଫାଇଲ୍ ଖୋଳିବା ପରେ ୧୯୯୩ ସେପ୍ଟେମ୍ବର ୮ତାରିଖରେ ସାହିବାବାଦ ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଥିବା ଜାଣିବାକୁ ପାଇଥିଲା। ତିନି ଦିନ ପରେ ସେମାନେ ସହିଦ ନଗରରେ ପରିବାରକୁ ଠାବ କରିଥିଲେ। ତଦନ୍ତରୁ ଜଣାପଡିଛି ଯେ ବିଦ୍ୟୁତ୍ ବିଭାଗରୁ ଅବସର ନେଇଥିବା ତୁଲାରାମଙ୍କ ୯ ବର୍ଷର ପୁଅକୁ ତାଙ୍କର ଜଣେ ଭଉଣୀଙ୍କ ସହ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଟୋରୁ ଅପହରଣ କରି ନିଆଯାଇଥିଲା। ସେମାନଙ୍କୁ ୭.୪ ଲକ୍ଷ ଟଙ୍କା ଦେବା ପାଇଁ ଏକ ଫୋନ୍‌କଲ୍ ମିଳିଥିଲା, କିନ୍ତୁ ଏହା ପରେ ଅପହରଣକାରୀମାନେ କୌଣସି ଯୋଗାଯୋଗ କରି ନ ଥିଲେ। ଅପହରଣକାରୀମାନେ ଭୀମଙ୍କୁ ରାଜସ୍ଥାନ ନେଇ ଜଣେ ପଶୁପାଳକଙ୍କୁ ବିକ୍ରି କରିଦେଇଥିଲେ। ସେ ସାରା ଦିନ ମେଣ୍ଢା ଓ ଛେଳି ଚରାଇବା ସହ ରାତିରେ ପଶୁମାନଙ୍କ ପାଖରେ ଥିବା ଏକ ସେଡରେ ଖାଇ ଶୋଉଥିଲେ। ଅଧିକାଂଶ ଦିନ ସେ ଖାଦ୍ୟ ପାଇଁ ଯାହା ପାଉଥିଲେ ତାହା ଥିଲା ପଟେ ରୁଟି ଓ କିଛି କପ୍ ଚା’। ଏହା ଥିଲା ତାଙ୍କର ୩୦ ବର୍ଷର ଜୀବନ, ଯିଏ ସମ୍ପୂର୍ଣ୍ଣ ବନ୍ଦୀ ଅବସ୍ଥାରେ ଥିଲେ ଏବଂ ବାହାର ଦୁନିଆ ସହିତ କୌଣସି ଯୋଗାଯୋଗ ନ ଥିଲା।

ସୌଜନ୍ୟ-ସମ୍ୱାଦ

Comments are closed.