Breaking News

ଅଫିସର ବଦଳିଲେ ନକ୍ସା ବଦଳୁଛି: ମୁଖ୍ୟନାଳ ସହ ସଂଯୁକ୍ତ ହୋଇପାରୁନି ଡ୍ରେନ୍‌

ଭୁବନେଶ୍ବର: ଅଫିସର ବଦଳିଲେ ନକ୍ସା ବଦଳି ଯାଉଛି। ଅଧିକାରୀମାନେ ନିଜ ନିଜ ପାରଦର୍ଶିତା ଦେଖାଇବାକୁ ଯାଇ ବିଚିତ୍ର ଯୋଜନା କରୁଛନ୍ତି। ଫଳରେ କେଉଁଠି କୋଟି କୋଟି ଟଙ୍କା ବରବାଦ ହେଉଥିବା ବେଳେ ଆଉ କେଉଁଠି ପ୍ରକଳ୍ପ ଆରମ୍ଭ ହୋଇ ପାରୁନାହିଁ। ଜନପ୍ରତିନିଧି ବା କର୍ପୋରେଟର କେବଳ ମାସକୁ ଥରେ କର୍ପୋରେସନ ବୈଠକରେ ହୋ ହଲ୍ଲା କରୁଛନ୍ତି। ଅଧିକାରୀ ସେମାନଙ୍କ କଥା ଶୁଣୁ ନାହାନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଡୁମୁଡ଼ୁମା ଅଞ୍ଚଳରେ। ଡ୍ରେନ୍‌ ନେଇ ବିଲରେ ଛାଡ଼ି ଦେଇଛନ୍ତି। ପ୍ରାକୃତିକ ନାଳରେ ସଂଯୁକ୍ତ କରିପାରି ନାହାନ୍ତି। ୭ ବର୍ଷ ହେଲାଣି ଲୋକ ଫସିଛନ୍ତି ଆଉ ଚାଷ ଜମି ପଡ଼ିଆ ପଡ଼ିଛି। ୟା ଭିତରେ ବିଏମ୍‌ସିର ୩ ଜଣ କମିସନର ବଦଳିଗଲେଣି। ଦୁଇଜଣ ସିଟି ଇଞ୍ଜିନିୟର ବି ଗଲେଣି। ଏବେ ନୂଆ ଅଧିକାରୀ ପୁରୁଣା ନକ୍ସାକୁ ବାତିଲ କରିବାକୁ ବସିଛନ୍ତି। ଯାହା ଫଳରେ ପୂର୍ବରୁ ଯେଉଁ ନୀଳ ନକ୍ସା ପ୍ରସ୍ତୁତ ହୋଇଥିଲା ସେ ଅନୁସାରେ କାମ ନହେବା ଥୟ ହୋଇଛି।

ରାଜଧାନୀର ସର୍ବବୃହତ୍ ଡୁମୁଡୁମା ହାଉସିଂବୋର୍ଡ କଲୋନିର ଫେଜ୍‌-୧ରୁ ଫେଜ୍-୭ ପର୍ଯ୍ୟନ୍ତ ଓ ଡୁମୁଡ଼ୁମା, ଯଦୁପୁର, ବେଗୁନିଆ ଭଳି ପୁରୁଣା ଗାଁ ବିଏମ୍‌ସିର ୬୪, ୬୫ ଓ ୬୬ ନମ୍ବର ୱାର୍ଡରେ ରହିଛି। ଏହି ତିନି ୱାର୍ଡର ଶତକଡ଼ା ୭୦ ଭାଗ ଡ୍ରେନ୍‌ ପ୍ରାକୃତିକ ନାଳକୁ ସଂଯୁକ୍ତ ହୋଇନାହିଁ। ଏସବୁ ଜଳ ଯଦୁପୁର, ବେଗୁନିଆ ଗହୀରକୁ ଯାଉଛି। ମଇଳା ପାଣି ସିଧାସଳଖ ଧାନବିଲରେ ଜମି ରହୁଛି। ପୂର୍ବରୁ ଏହାକୁ ସମାଧାନ କରିବାକୁ ବିଏମ୍‌‌ସି ଏକାଧିକ ବାର ଯୋଜନା କରିଛି। ଏଠାରୁ ତିନି କିମି ନଳା ତିଆରି ହେଲେ ପୋଖରିପୁଟ ପଛରେ ଥିବା ପ୍ରାକୃତିକ ନଳା-୯ରେ ସଂଯୁକ୍ତ ହୋଇପାରିବ। ଆଉ ସମସ୍ୟା ରହିବନାହିଁ। ଏଥିପାଇଁ ବିଏମ୍‌ସି ସର୍ଭେ କରି ଟେଣ୍ଡର କରିବାକୁ ଯୋଜନା କରିଥିଲା। ହେଲେ ତତ୍‌କାଳୀନ କମିସନର ବିଜୟ ଅମୃତା କୁଲାଙ୍ଗେଙ୍କର ରାତିଅଧିଆ ବଦଳି ହୋଇଗଲା। ପୂର୍ବରୁ ଥିବା ସିଟି ଇଞ୍ଜିନିୟର ଅରୁଣ ନାୟକ ମଧ୍ୟ କାର୍ଯ୍ୟରୁ ଅବସର ନେଲେ। ଏବେ ସିଟି ଇଞ୍ଜିନିୟର ବିଳାସ ବେହେରା ଓ କମିସନର ରାଜେଶ ପ୍ରଭାକର ପାଟିଲ ଏହି ସମସ୍ୟାର ସମାଧାନ ପାଇଁ ନୂଆ ବାଟ ଖୋଜୁଥିବା ଜଣାପଡ଼ିଛି।

ପୂର୍ବରୁ ସାଢ଼େ ୪ ଫୁଟ୍‌ ଓସାରର ଡ୍ରେନ୍ ତିଆରି କରିବାକୁ ସ୍ଥିର ହୋଇଥିଲା। ପରେ ଏହାର ଓସାର ୮ଫୁଟ କରିବାକୁ ପୁରୁଣା ଯୋଜନା ବାତିଲ କରିଦେଲେ। କିନ୍ତୁ ଏହି ଯୋଜନା ମଧ୍ୟ ଝୁଲି ରହିଛି। ଏବେ ଅର୍ଥ ନଥିବାରୁ ଏ ସବୁ ପ୍ରସ୍ତାବ ଉପରେ ବିଏମ୍‌ସି ଆଲୋଚନା କରିବାକୁ ମଧ୍ୟ ଚାହୁନାହିଁ। ବିଏମ୍‌ସି ନିଜସ୍ବ ପାଣ୍ଠି ଏଣେତେଣେ ଖର୍ଚ୍ଚ ହୋଇଥିବାରୁ ଏଠାରେ ଜନସ୍ବାର୍ଥ ବଳି ପଡ଼ିଛି। ନଳା ନହେବା ଦ୍ବାରା ହାଉସିଂବୋର୍ଡର ଡ୍ରେନ୍ ପାଣି ବିଲରେ ଜମା ହେଉଛି। ଫଳରେ ୩୦ରୁ ୫୦ ଏକର ଚାଷଜମି ନଷ୍ଟ ହେବାକୁ ବସିଛି। ୭ ବର୍ଷ ହେଲାଣି ଜମି ପଡ଼ିଆ ପଡ଼ିଛି। କେବଳ ଚାଷ ଜମି ନୁହେଁ, ବରଂ ବେଗୁନିଆରେ ୬୦ ଲକ୍ଷ ଓ ଯଦୁପୁରରେ ୫୦ ଲକ୍ଷ ବ୍ୟୟରେ ପୁନରୁଦ୍ଧାର ହୋଇଥିବା ଦୁଇ ପୋଖରୀ ପାଣି ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ନଳା ପାଣି ଜମିଜମି ପୋଖରି ପାଣିକୁ ଖରାପ କରିଦେଲାଣି। ଏ ନେଇ ୬୪ ନମ୍ବର ୱାର୍ଡ କର୍ପୋରେଟର୍ ସକିବା ମୁସ୍‌ରତ କହିଛନ୍ତି, ୯ ନମ୍ବର ନାଳ ସହ ଏହି ନାଳକୁ ସଂଯୋଗ କରିବାକୁ ସରକାରୀ ଜାଗା ରହିଛି। ଡ୍ରେନ୍ ତିଆରି ହୋଇଗଲେ ଆଉ ସମସ୍ୟା ରହିବନି। ଏ ପ୍ରସଙ୍ଗ ମୁଁ କର୍ପୋରେସନ ବୈଠକରେ ବାରମ୍ବାର ଉଠାଇଛି। ଯେତେଶୀଘ୍ର ବିଏମ୍‌ସି ଏହାର ସମାଧାନ କରିବ ସେତେଶୀଘ୍ର ହଜାର ହଜାର ବାସିନ୍ଦା ନାଳନର୍ଦ୍ଦମା ପାଣିରୁ ମୁକ୍ତି ପାଇବେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.