Breaking News

ଅବିବାହିତ କହି ପ୍ରେମିକାଙ୍କୁ ଠକୁଥିଲା ଦୁଇ ପିଲାଙ୍କ ବାପା: ପ୍ରେମିକ ଗିରଫ

ମାଟ୍ରିମୋନିଆଲ ସାଇଟରେ ନିଜକୁ ଅବିବାହିତ ପରିଚୟ ଦେଇ ଯୁବତୀଙ୍କୁ ଠକୁଥିବା ଜଣେ ଠକ ପ୍ରେମିକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌। ଗିରଫ ଠକ ପ୍ରେମିକ ଜଣକ ହେଉଛି ଦୀପ୍ତିରଂଜନ ପଟ୍ଟନାୟକ।

ଚନ୍ଦ୍ରଶେଖରପୁର: ମାଟ୍ରିମୋନିଆଲ ସାଇଟରେ ନିଜକୁ ଅବିବାହିତ ପରିଚୟ ଦେଇ ଯୁବତୀଙ୍କୁ ଠକୁଥିବା ଜଣେ ଠକ ପ୍ରେମିକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌। ଗିରଫ ଠକ ପ୍ରେମିକ ଜଣକ ହେଉଛି ଦୀପ୍ତିରଂଜନ ପଟ୍ଟନାୟକ। ପୁଲିସ୍‌ ସୂଚନା ଅନୁସାରେ, ଦୀପ୍ତି ଜଣେ ବିବାହିତ ପୁରୁଷ ଓ ତା’ର ସ୍ତ୍ରୀ, ଦୁଇଟି ପିଲା ଅଛନ୍ତି। ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ନିଜକୁ ଅବିବାହିତ ଦର୍ଶାଇ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲା। ପରେ ସେମାନଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହ ପାଇଁ ପ୍ରସ୍ତାବ ଦେଉଥିଲା। ଏପରିକି ବିବାହ ବାବଦକୁ ଯୁବତୀଙ୍କ ପରିବାର ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଓ ଦାମୀ ଉପହାର ଦାବି କରିବା ପରେ ସେଗୁଡ଼ିକୁ ଲୁଟି ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଆଜି ବିଳମ୍ବିତ ରାତିରେ ଅଭିଯୋଗକାରିଣୀଙ୍କ ସହ ଦୀପ୍ତିଙ୍କର ଡମଣା ରାସ୍ତାରେ ବଚସା ଚାଲିଥିଲା। ପରେ ହାତାହାତି ପର୍ଯ୍ୟନ୍ତ କଥା ଯିବାରୁ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପରିସ୍ଥିତି ଅଣାୟତ୍ତ ହେବାରୁ ଉଭୟଙ୍କୁ ଥାନାକୁ ଆଣିଥିଲା। ଘଟଣା ବିଷୟରେ ଯୁବତୀ ପୁଲିସ୍‌ ଆଗରେ ସବୁକିଛି କହିବା ପରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ଠକ ପ୍ରେମିକକୁ ପୁଲିସ୍‌ ହେପାଜତକୁ ନେଇଥିଲା। ଜେରା ପରେ ଦୀପ୍ତି ସବୁ ଅଭିଯୋଗକୁ ସ୍ବୀକାର କରିବା ସହ କେମିତି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲା, ସେ ବିଷୟରେ ମଧ୍ୟ ସବୁକିଛି କହିଦେଇଥିଲା। ଆଜି ଯେଉଁ ଯୁବତୀ ଦୀପ୍ତିଙ୍କୁ କାବୁ କରିଛନ୍ତି, ସେ ଗତ କିଛି ମାସ ପୂର୍ବେ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ପରସ୍ପର ସହ ପରିଚିତ ହୋଇଥିଲେ। ପରେ ଉଭୟ ବିବାହ ପାଇଁ ପ୍ରସ୍ତୁତ ହୋଇଥିଲେ।

ଏନେଇ ଯୁବତୀଙ୍କ ପରିବାର ଲୋକ ଅଭିଯୁକ୍ତକୁ ଲକ୍ଷାଧିକ ଟଙ୍କା ଓ ଗୋଟିଏ ଆଇ ଫୋନ ମଧ୍ୟ ଦେଇଛନ୍ତି। ବିବାହ ନିମନ୍ତ୍ରଣ କାର୍ଡ ଛପା ହେବାପରଠୁ ଦୀପ୍ତି ଏହି ଯୁବତୀଙ୍କଠୁ ଦୂରେଇ ରହୁଥିଲା। ସନ୍ଦେହ ହେବାରୁ ଦୀପ୍ତିଙ୍କ ବିଷୟରେ ‌ଖୋଳତାଡ଼ କରିବା ପରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ଅନ୍ୟ ପକ୍ଷରେ ପୁଲିସ ତଦନ୍ତରେ ଜାଣିବାକୁ ପାଇଛି, ଅଭିଯୁକ୍ତ ଦୀପ୍ତି ସମାନ ଢଙ୍ଗରେ ଗୋପ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୧୫ ଲକ୍ଷ ଟଙ୍କା ଠକି ନେଇଛି। ତା ନାମରେ ତିନିଟି ଥାନାରେ ପ୍ରେମ ଜନିତ ଠକେଇ ମାମଲା ରହିଛି। ପୁଲିସ୍‌ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.