Breaking News

ଅବିବାହିତ ଯୋଡ଼ିଙ୍କୁ ‘ଓୟୋ’ ମନା: କାଗଜପତ୍ର ମଗାଯିବ

ଓୟୋ ଏହାର ଚେକ୍‌-ଇନ୍ ନୀତିରେ ବଡ଼ ପରିବର୍ତ୍ତନ ଆଣିଛି। କୌଣସି ଅବିବାହିତ ଯୋଡ଼ିଙ୍କୁ ରହିବା ଅନୁମତି ନ ଦେବାକୁ କମ୍ପାନି ନିଷ୍ପତ୍ତି ନେଇଛି। କୌଣସି ଦମ୍ପତି ଓୟୋ ହୋଟେଲ୍‌ରେ ରହିବାକୁ ହେଲେ ସେମାନଙ୍କୁ କାଗଜପତ୍ର ଦେଖାଇବାକୁ ପଡ଼ିବ।

ନୂଆଦିଲ୍ଲୀ: ଓୟୋ ଏହାର ଚେକ୍‌-ଇନ୍ ନୀତିରେ ବଡ଼ ପରିବର୍ତ୍ତନ ଆଣିଛି। କୌଣସି ଅବିବାହିତ ଯୋଡ଼ିଙ୍କୁ ରହିବା ଅନୁମତି ନ ଦେବାକୁ କମ୍ପାନି ନିଷ୍ପତ୍ତି ନେଇଛି। କୌଣସି ଦମ୍ପତି ଓୟୋ ହୋଟେଲ୍‌ରେ ରହିବାକୁ ହେଲେ ସେମାନଙ୍କୁ କାଗଜପତ୍ର ଦେଖାଇବାକୁ ପଡ଼ିବ। ଉତ୍ତରପ୍ରଦେଶର ମିରଟ୍‌ରୁ କମ୍ପାନି ଏହାର ପରୀକ୍ଷଣ ଆରମ୍ଭ କରିଛି। ପ୍ରତ୍ୟକ୍ଷ ଭାବେ ରହିବାକୁ ଆସୁଥିବା କିମ୍ବା ଅନ୍‌ଲାଇନ୍‌ରେ ବୁକିଂ କରିଥିବା ଦମ୍ପତିମାନଙ୍କୁ ସମ୍ପର୍କର କାଗଜପତ୍ର ମଗାଯିବ। କମ୍ପାନି ଏହାର ସହଯୋଗୀ ହୋଟେଲ୍‌ମାନଙ୍କୁ ଏ ସମ୍ପର୍କରେ ଜଣାଇ ଦେଇଛି। ମିରଟ୍‌ରେ ଏହି ନୀତିକୁ ତତ୍କାଳ ଲାଗୁ କରାଯାଇଛି।

ସେଥିରୁ ଯେଉଁ ପ୍ରତିକ୍ରିୟା ମିଳିବ ସେହି ଆଧାରରେ ଏହି ନିଷ୍ପତ୍ତିକୁ ଅନ୍ୟ ସହରଗୁଡ଼ିକରେ କମ୍ପାନି ଲାଗୁ କରିପାରେ ବୋଲି କୁହାଯାଉଛି। ଅବିବାହିତ ଯୋଡ଼ିଙ୍କୁ ଓୟୋରେ ରହିବା ଅନୁମତି ନେଇ ମିରଟରେ ନାଗରିକ ସମାଜ ପ୍ରତିବାଦ କରୁଥିଲା। ଏହି ଅଭ୍ୟାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଉଥିଲା। ଅନ୍ୟାନ୍ୟ ସହରର ବାସିନ୍ଦାମାନେ ମଧ୍ୟ ସମାନ ଦାବି କରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି କମ୍ପାନି ଏହାର ଚେକ୍‌-ଇନ୍ ନୀତିରେ ପରିବର୍ତ୍ତନ ଆଣିଛି। ତେବେ କମ୍ପାନି ସ୍ପଷ୍ଟ କରିଛି ଯେ ଏହା ବ୍ୟକ୍ତିଗତ ସ୍ବାଧୀନତାକୁ ସମ୍ମାନ ଦେଉଛି। ତଥାପି ଆଇନ ପ୍ରଣୟନକାରୀ ସଂସ୍ଥା ଓ ନାଗରିକ ସମାଜର ସ୍ବରକୁ ଶୁଣିବା ଏକ ଦାୟିତ୍ବ ବୋଲି ଏହା ଭାବୁଛି। ଏହି ନୀତି ଓ ଏହାର ପ୍ରଭାବକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଓୟୋକୁ ନେଇ ଲୋକମାନଙ୍କ ମନରେ ଥିବା ଧାରଣାକୁ ବଦଳାଇବା ଏବଂ ତାହାକୁ ପରିବାର, ଛାତ୍ରଛାତ୍ରୀ, ବ୍ୟବସାୟ, ଧର୍ମ ଓ ଯାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ରହଣି ସ୍ଥଳରେ ପରିଣତ କରିବା ଲାଗି କମ୍ପାନି ଏହି ପଦକ୍ଷେପ ନେଇଛି। ଲୋକଙ୍କ ବିଶ୍ବାସ ଓ ଭରସାକୁ ବଢ଼ାଇ ଓୟୋ ନିଜକୁ ଦୀର୍ଘ ସମୟ ରହଣି ଓ ବାରମ୍ବାର ବୁକିଂର ଏକ ସ୍ଥଳରେ ପରିଣତ କରିବାକୁ ଚାହୁଛି। ସୁରକ୍ଷିତ ରହଣିକୁ ପ୍ରୋତ୍ସାହିତ କରିବା ଲାଗି କମ୍ପାନି ପକ୍ଷରୁ ପୁଲିସ ଓ ହୋଟେଲ୍‌ ସହଯୋଗୀଙ୍କ ସହ ମିଶି ସେମିନାର ଆୟୋଜନ କରାଯାଉଛି। ବେଆଇନ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା ହୋଟେଲ୍‌ ସହଯୋଗୀମାନଙ୍କୁ କଳା ତାଲିକାଭୁକ୍ତ କରାଯାଉଛି। ଓୟୋ ବ୍ରାଣ୍ଡ୍‌କୁ ବ୍ୟବହାର କରି ବେଆଇନ କାର୍ଯ୍ୟ କରୁଥିବା ହୋଟେଲ୍‌ଗୁଡ଼ିକ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.