ଚୀନ୍‌ରେ ଅବସ୍ଥାପିତ ପ୍ରମୁଖ ଜାହାଜ ଓ ପରିବହନ କମ୍ପାନି ଜିଏସି ଦ୍ବାରା ‘ଗୋବି’ ନାମରେ ଏକ ନୂତନ ବିଦ୍ୟୁତ୍ ଚାଳିତ ବିମାନ ବିକଶିତ କରାଯାଇଛି। କମ୍ପାନିର ଦ୍ବିତୀୟ ସଂସ୍କରଣ ସ୍ବରୂପ ଏହି ନୂତନ ଉଡ଼ନ୍ତା ଯାନଟିକୁ ମାତ୍ର ୩୦ ମିନିଟ୍ ଧରି ଚାର୍ଜିଂ କଲେ ତାହା ୧୨୪ ମାଇଲ୍‌ ଦୂରତା ଅତିକ୍ରମ କରିପାରିବ ବୋଲି ଦାବି କରାଯାଇଛି। ଦୁଇଟି ଡେଣାଯୁକ୍ତ ଏହି ବିମାନଟିର ୯୦ ପ୍ରତିଶତ ଅଂଶ କାର୍ବନ୍ ଫାଇବର୍‌ରେ ନିର୍ମିତ। ଏହା ଲମ୍ବ ଭାବରେ ଉଡ଼ାଣ ଆରମ୍ଭ କରିବ ଏବଂ ଲମ୍ବ ଭାବରେ ଅବତରଣ କରିବାର ମଧ୍ୟ ସାମର୍ଥ୍ୟ ରଖିଛି। ସମାନ ଆକାର ବିଶିଷ୍ଟ ଏକ ସାଧାରଣ କାର୍‌ର ଏକ ତୃତୀୟାଂଶ ଓଜନ ବହନ କରୁଥିବା ଏହି ‘ଗୋବି’ ବିମାନ ବିଶେଷ କରି ବ୍ୟସ୍ତବହୁଳ ସହରୀ ଟ୍ରାଫିକ୍ ଏବଂ ଅନ୍ତଃସହର ଗମନାଗମନ ସମସ୍ୟାର ଏକ ପ୍ରକୃଷ୍ଟ ସମୟୋଚିତ ସମାଧାନ ହୋଇପାରିବ ବୋଲି କମ୍ପାନି ଆଶା ରଖିଛି।

ଘଣ୍ଟାକୁ ୧୫୫ ମାଇଲ୍ ବା ୨୫୦ କି.ମି. ବେଗରେ ଗତି କରୁଥିବା ଏହି ବିମାନଟିରେ ଚାଳକଙ୍କ ସମେତ ତିନି ଜଣ ବସିବାର ସୁବିଧା ରହିଛି ଏବଂ ଏଥିରେ ଅନେକ ଆଧୁନିକ ନିରାପତ୍ତା ପ୍ରଦାନକାରୀ ବୈଶିଷ୍ଟ୍ୟମାନ ଖଞ୍ଜା ହୋଇଛି। ସମ୍ପ୍ରତି ଏହାକୁ ଥରେ (୩୦ ମିନିଟ୍ ପାଇଁ) ସଂପୂର୍ଣ୍ଣ ଚାର୍ଜ କଲେ ତାହା ୨୦୦ କି.ମି. ବା ୧୨୪ ମାଇଲ୍ ଯିବାକୁ ସକ୍ଷମ ଥିଲା ବେଳେ ଆଗକୁ କମ୍ପାନି ଏହାକୁ ଥରକ ଚାର୍ଜରେ ୨୪୯ ମାଇଲ୍ ବା ୪୦୦ କି.ମି. ଯାଏ ଉଡ଼ାଣ କରିବା ପାଇଁ ପରୀକ୍ଷାନିରୀକ୍ଷା ଜାରି ରଖିଛି। ୨୦୨୫ ମସିହା ସୁଦ୍ଧା ଜିଏସି କମ୍ପାନି ତାହାର ଏହି ସଦ୍ୟତମ ଯାନକୁ ଏୟାର୍‌ ଟାକ୍ସି ବା ଭଡ଼ା ବିମାନ ସେବାରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଅନୁମତି ଲାଭ କରିପାରିବ।