Breaking News

ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ ପରେ ୧୨ ଘଣ୍ଟା ନିର୍ଯାତନା

ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ପରେ ଅଭିନେତା ମୁସ୍ତାକ ଖାନ ମଧ୍ୟ ସମାନ ଘଟଣାର ଶିକାର ହୋଇଛନ୍ତି। ନିକଟରେ ତାଙ୍କୁ ଉତ୍ତରପ୍ରଦେଶରେ ଏକ କାର୍ଯ୍ୟକ୍ରମକୁ ଡାକି ଅପହରଣ କରାଯାଇଥିଲା।

ମୁମ୍ବାଇ: ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ପରେ ଅଭିନେତା ମୁସ୍ତାକ ଖାନ ମଧ୍ୟ ସମାନ ଘଟଣାର ଶିକାର ହୋଇଛନ୍ତି। ନିକଟରେ ତାଙ୍କୁ ଉତ୍ତରପ୍ରଦେଶରେ ଏକ କାର୍ଯ୍ୟକ୍ରମକୁ ଡାକି ଅପହରଣ କରାଯାଇଥିଲା। ମୁସ୍ତାକଙ୍କୁ କିପରି ନଭେମ୍ବର ୨୦ରେ ମେରଠକୁ ଏକ ଆୱାର୍ଡ ସୋ ପାଇଁ ଡାକି ଅପହରଣ ପରେ ୧୨ ଘଣ୍ଟା ଧରି ନିର୍ଯାତନା ଦିଆଯାଇଥିଲା ଓ ୨ ଲକ୍ଷ ଟଙ୍କା ନେଇ ଛଡ଼ାଯାଇଥିଲା ସେ ବିଷୟରେ ତାଙ୍କ ବିଜନେସ ପାର୍ଟନର ଶିବମ୍ ଯାଦବ ବର୍ଣ୍ଣନା କରିଛନ୍ତି। ଶିବମ୍ କହିଛନ୍ତି ଯେ ମୁସ୍ତାକଙ୍କୁ ଏକ ଅଗ୍ରିମ ରାଶି ମଧ୍ୟ ଦିଆଯାଇଥିଲା ଏବଂ ବିମାନ ଟିକେଟ୍ ପଠାଯାଇଥିଲା। ଯେତେବେଳେ ଅଭିନେତା ଦିଲ୍ଲୀରେ ଅବତରଣ କଲେ, ତାଙ୍କୁ ଏକ କାର୍‌ରେ ଦିଲ୍ଲୀ ଉପକଣ୍ଠକୁ ନିଆଯାଇଥିଲା। ଅଭିଯୁକ୍ତ ଅପହରଣକାରୀମାନେ ଖାନଙ୍କୁ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ନିର୍ଯାତନା ଦେଇଥିଲେ ଏବଂ ଏକ କୋଟି ଟଙ୍କା ଦାଦାବଟି ମାଗିଥିଲେ। ଶେଷରେ ସେମାନେ ଅଭିନେତା ଓ ତାଙ୍କ ପୁଅଙ୍କ ଆକାଉଣ୍ଟରୁ ୨ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ।

ସକାଳୁ ଖାନ୍ ଯେତେବେଳେ ସକାଳର ଆଜାନ ଶୁଣିଲେ, ସେ ଅନୁଭବ କଲେ ଯେ ପାଖରେ ଏକ ମସଜିଦ୍ ଅଛି ଏବଂ ସେ ଉକ୍ତ ସ୍ଥାନରୁ ପଳାଇ ଯାଇଥିଲେ। ସେଠାକାର ଲୋକଙ୍କଠାରୁ ସାହାଯ୍ୟ ଲୋଡ଼ିଥିଲେ ଏବଂ ପୁଲିସ ସହାୟତାରେ ଘରକୁ ଫେରିଥିଲେ। ଗତକାଲି ଶିବମ୍ ବିଜନୋର ଯାଇ ଏଫ୍‌ଆଇଆର ରୁଜୁ କରିଥିଲେ। ଶିବମ୍ କହିଛନ୍ତି, ଆମ ପାଖରେ ବିମାନ ଟିକେଟ୍, ବ୍ୟାଙ୍କ ଆକାଉଣ୍ଟ ଏବଂ ଏପରିକି ବିମାନବନ୍ଦର ନିକଟରେ ଥିବା ସିସିଟିଭି ଫୁଟେଜର ପ୍ରମାଣ ରହିଛି। ମୁଁ ଭାବୁଛି ପୁଲିସ ଟିମ୍ ନିଶ୍ଚିତ ଭାବେ ଖୁବ୍‌ଶୀଘ୍ର ଦୋଷୀଙ୍କୁ ଠାବ କରିପାରିବ ବୋଲି ଶିବମ୍ କହିଛନ୍ତି। ନିକଟରେ ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ସହ ଘଟିଥିବା ଘଟଣା ସହ ଏହି ଘଟଣା ଏକ ଅଦ୍ଭୁତ ସାମଞ୍ଜସ୍ୟ ରଖିଛି। ହାସ୍ୟ ଅଭିନେତାଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବାହାନାରେ ଡାକି ଅପହରଣ କରାଯାଇଥିଲା। ଅପହରଣକାରୀମାନେ ପ୍ରଥମେ ୨୦ ଲକ୍ଷ ଟଙ୍କା ଦାବି କରି ପରେ ସାଢ଼େ ୭ ଲକ୍ଷ ଟଙ୍କା ନେଇ ପାଲଙ୍କୁ ଛାଡ଼ି ଦେଇଥିଲେ।

ସୌଜନ୍ୟ-ସମ୍ୱାଦ

Comments are closed.