Breaking News

ଅଭିଯୋଗ ବଢ଼ୁନି, ରହସ୍ୟ ଖୋଲୁନି: ଠକ ଯୋଡ଼ିଙ୍କ ମୁଣ୍ଡରେ କାହା ହାତ?

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁ ପରିଚୟରେ ବଡ଼ବଡ଼ ସଂସ୍ଥାକୁ ଚୂନ ଲଗାଉଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓ ଅନୀଲ ମହାନ୍ତି ଗିରଫ ମାମଲା ଏବେ କମିସନରେଟ୍‌ ପୁଲିସ ପାଇଁ ଅଡ଼ୁଆ ବଢ଼ାଇଛି।

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁ ପରିଚୟରେ ବଡ଼ବଡ଼ ସଂସ୍ଥାକୁ ଚୂନ ଲଗାଉଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓ ଅନୀଲ ମହାନ୍ତି ଗିରଫ ମାମଲା ଏବେ କମିସନରେଟ୍‌ ପୁଲିସ ପାଇଁ ଅଡ଼ୁଆ ବଢ଼ାଇଛି। ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଦେବେନ୍ଦ୍ର ସାମଲଙ୍କ ଅଭିଯୋଗ ଆଧାରରେ ଇନ୍‌ଫୋସିଟି ଥାନା ପୁଲିସ ଏହି ଠକ ଯୋଡ଼ିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛି। ମାତ୍ର ଏହା ଭିତରେ ୬ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଆଉ ଅଭିଯୋଗ ହେଉନାହିଁ। ଆହୁରି ଅନେକ ସଂସ୍ଥା ଏହି ଠକ ଯୋଡ଼ିଙ୍କ ପାଲରେ ପଡ଼ି ଫସିଥିବା କୁହାଯାଉଥିଲେ ହେଁ ଗୋଟିଏ ବି ଅଭିଯୋଗ ବଢ଼ିନାହିଁ। ସେହିଭଳି ପୁଲିସ ମଧ୍ୟ ଅଭିଯୁକ୍ତ ଅନୀଲଙ୍କ ଅଫିସ୍‌ରୁ ଜବତ କରିଥିବା ବିଭିନ୍ନ ରେକର୍ଡପତ୍ର ଓ କମ୍ପ୍ୟୁଟର ହାର୍ଡଡିସ୍କରୁ ସେଭଳି କିଛି ଗୋପନୀୟ ତଥ୍ୟ ପାଇବା ସମ୍ଭବ ହୋଇ ନଥିବା ଜଣାପଡ଼ିଛି। ତେଣୁ ମୂଳରୁ ମାମଲାଟି ଯେତିକି ସଂଗିନ୍‌ ଜଣାପଡ଼ୁଥିଲା, ସେମିତି ସ୍ଥିତି ଆଉ ନାହିଁ। ମାମଲାକୁ ପୁଲିସ ଜାଣିଶୁଣି ଚାପୁଛି କି ପ୍ରକୃତରେ ଠକ ଯୋଡ଼ିଙ୍କ ଗୁମର ଭେଦ କରିପାରୁନାହିଁ, ତାହାକୁ ନେଇ ସାଧାରଣରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କୋଟିକୋଟି ଟଙ୍କାରେ ଖେଳୁଥିବା ଏହି ଠକ ଯୋଡ଼ିଙ୍କ କଳା କାରବାରର ଚେର ବେଶ୍‌ ଗଭୀରକୁ ଲମ୍ବିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

୩ଦିନିଆ ରିମାଣ୍ଡ ଆବେଦନ
ଆର୍ଥିକ କାରବାରର ଖୋଳତାଡ଼ ପାଇଁ ଏଫ୍‌ଆଇୟୁକୁ ଚିଠି

ହଂସିତା ଓ ଅନୀଲଙ୍କୁ ୩ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସ କୋର୍ଟରେ ଆବେଦନ କରିଛି। ରିମାଣ୍ଡ ଅବଧି ଭିତରେ ପୁଲିସ ସେମାନଙ୍କଠାରୁ ଆହୁରି କିଛି ଗୁପ୍ତ ତଥ୍ୟ ହାତେଇବା ଲକ୍ଷ୍ୟ ରଖିଛି। ସେମାନଙ୍କ ଆକାଉଣ୍ଟରୁ ପୁଲିସ ବେଶି ଟଙ୍କା ପାଇନାହିଁ। ତେଣୁ ଏହି ଧୂର୍ତ୍ତ ଯୋଡ଼ି କଳା ଟଙ୍କା କାରବାର କଲାବେଳେ ବେଶ୍ ସତର୍କତା ଅବଲମ୍ବନ କରିଥିବା ଅନୁମାନ କରାଯାଉଛି। ଏଥିପାଇଁ କମିସନରେଟ୍‌ ପୁଲିସ ଦିଲ୍ଲୀ ଫାଇନାନ୍‌ସିଆଲ୍‌ ଇନ୍‌ଭେଷ୍ଟିଗେଟିଂ ୟୁନିଟ୍‌କୁ ଚିଠି କରିଛି। ସେହିଭଳି ସେମାନଙ୍କଠାରୁ ଜବତ ହୋଇଥିବା ମୋବାଇଲ୍‌ ଓ ହାର୍ଡଡିସ୍କକୁ ଫୋରେନ୍‌ସିକ୍ ଲାବ୍‌କୁ ପଠାଯାଇଛି। ପୁଲିସ ଠକ ଯୋଡ଼ିଙ୍କ କଳା ସାମ୍ରାଜ୍ୟର ଗୁମର ଫିଟାଇବାକୁ ଏସବୁ ପଦକ୍ଷେପ ନେଉଛି। ମାତ୍ର ୬ ଦିନ ଭିତରେ କିଛି ବଡ଼ଧରଣର ସୁରାକ ମିଳି ନଥିବାରୁ ପୁଲିସ ତଦନ୍ତ ଲୋକଦେଖାଣିଆ ହେଉଛି ବୋଲି ଅଭିଯୋଗ ହେଉଛି। ହଂସିତା ବିବାହିତା ହୋଇଥିଲେ ହେଁ ସ୍ବାମୀଙ୍କଠାରୁ ଦୂରରେ ରହୁଥିଲେ। ସେହିଭଳି ଅନୀଲ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ଅଲଗା ରହୁଥିଲେ। ପଟିଆ ରଘୁନାଥନଗର ଅଞ୍ଚଳର ଏକ ଦାମୀ ଆପାର୍ଟମେଣ୍ଟରେ ସୁଦୃଶ୍ୟ ଫ୍ଲାଟ୍‌ରେ ଏମାନେ ଦମ୍ପତି ପରିଚୟରେ ରହୁଥିଲେ। ଦାମୀ ଗାଡ଼ି, ଦାମୀ ଫ୍ଲାଟ୍‌ ଓ ଦାମୀ ଚଳଣିରେ ପ୍ରଚୁର ଅର୍ଥ ଉଡ଼ାଉଥିଲେ। ପୂର୍ବରୁ ଅନୀଲ୍ ୟୁନିଟ୍‌-୮ ଅଞ୍ଚଳରେ ଏକ ଗାଙ୍ଗୁରାମ ସୁଇଟ୍‌ସ ଦୋକାନ କରିଥିଲେ। କିନ୍ତୁ ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରଠୁ ସେ କୋଟିପତି ପାଲଟିଗଲେ। ଯେଉଁ ଅଭିଯୋଗ ବଳରେ ପୁଲିସ ସେମାନଙ୍କୁ ଗିରଫ କରିଛି, ସେଭଳି କାରବାରରୁ ବିପୁଳ ଅର୍ଥ କମିସନ ଆକାରରେ ମିଳିଥିବ‌ା କିଛି ଅସମ୍ଭବ ନୁହେଁ। ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ସିଏସ୍‌ଆର୍‌ ପାଣ୍ଠି ଯୋଗାଇବା ପାଇଁ ଏହି ଠକ ଯୋଡ଼ି ୨୦ ପ୍ରତିଶତରୁ ଅଧିକ କମିସନ ଦାବି କରୁଥିଲେ। ସେଥିରେ ପୁଣି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସମ୍ପର୍କୀୟ ଝିଅ-ଜୋଇଁ ପରିଚୟ ଦେବା ଥିଲା ବଡ଼ ପ୍ରସଙ୍ଗ। ଏହି ସମ୍ପର୍କ ନକଲି ବୋଲି ପୁଲିସ ଜାଣିବାକୁ ପାଇଛି। ମାତ୍ର ସେମାନେ କେତେ ଦିନ ଧରି ଏହି କଳା କାରବାର ଚଳାଇଥି‌ଲେ ଏବଂ କେତେ ସଂସ୍ଥାକୁ ଚୂନ ଲଗାଇଛନ୍ତି, ତାର ହିସାବ ପୁଲିସ ପାଉନି।

 

 

 

 

 

ସୌଜନ୍ୟ- ସମ୍ୱାଦ

 

Comments are closed.