Breaking News

ଅଭିଶପ୍ତ ଗାଁ ଛୋଟିଗୁଡ଼ା: ନିଜ ଅର୍ଥରେ ପୋଲ ଓ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ କଳିଙ୍ଗା ପଞ୍ଚାୟତ ଗଦିଙ୍ଗିଆ ଗ୍ରାମବାସୀ ନିଜସ୍ୱ ପାଣ୍ଠି ସଂଗ୍ରହ କରି ନିଜ ଗାଁ ରାସ୍ତା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଗାଁକୁ ରାସ୍ତାଟିଏ ପାଇଁ ନିବେଦନ କରି ନେତା ଓ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ବର୍ଷ ପରେ ବର୍ଷ ବିତିଗଲା, କେହି ଶୁଣିଲେନି।

କାଶୀପୁର: ଖଣି ଇଲାକାର ପାରିପାର୍ଶ୍ବିକ ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସରକାରୀ ଯୋଜନାର ମଧ୍ୟ ଅଭାବ ନାହିଁ। ହେଲେ ବର୍ଷ ବର୍ଷ ଧରି ପ୍ରଶାସନକୁ ହାରି ଗୁହାରି କରି ଥକିବା ପରେ ଶେଷରେ ନିଜେ ଅସ୍ଥାୟୀ ପୋଲ ଓ ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ। ଖଣିଜ ସମ୍ପଦରେ ପରିପୂର୍ଣ୍ଣ କାଶୀପୁର ବ୍ଲକ୍‌ ଅଡ଼ାଜୋର୍ ପଞ୍ଚାୟତର ଛୋଟିଗୁଡ଼ା ଗ୍ରାମବାସୀଙ୍କ ଏପରି ପଦକ୍ଷେପ ବିକାଶର ଅସଲ ଚିତ୍ରକୁ ପଦାରେ ପକାଇଛି।

ଖଣି ଅଞ୍ଚଳରେ ବିକାଶଠୁ ବହୁ ଦୂରରେ ରହି ଏପରି ଅଭିଶପ୍ତ ଜୀବନ ବିତାଉଛନ୍ତି ଛୋଟିଗୁଡ଼ାବାସୀ। ଗ୍ରାମକୁ ଲାଗି ପାହାଡ଼ି ନାଳ ବୋହି ଯାଇଛି। ନାଳ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ବର୍ଷା ଋତୁରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି। ସେହିପରି ଖରା ଓ ଶୀତ ଦିନରେ ଲୋକଙ୍କୁ ନାଳ ଭିତରେ ପଶି ଯିବାକୁ ପଡ଼ୁଛି। ପର୍ଲାଜୋର ପିଏମଜିଏସ୍‌ୱାଇ ରାସ୍ତାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଛୋଟିଗୁଡ଼ା ଗାଁ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ପୋଲ ଓ ରାସ୍ତା ନଥିବାରୁ ଗାଁକୁ ଯାତାୟାତ ସହ ଆମ୍ବୁଲାନ୍ସ ଯିବାରେ ସମସ୍ୟା ହେଉଥିଲା। ଚଳିତ ବର୍ଷ ଗାଁରେ ଟୋକିମରା ପର୍ବର ଆୟୋଜନ କରାଯାଇଥିବାରୁ ଶହ ଶହ ଲୋକଙ୍କ ଭିଡ଼ ଜମିଛି। ଯାତାୟାତ ସମସ୍ୟା ଉପୁଜିବା ପରେ ଗ୍ରାମବାସୀ ଶେଷରେ ନିଜ ଖର୍ଚ୍ଚରେ ନାଳ ଉପରେ କାଠ, ପଥର ପକାଇ ପୋଲ ନିର୍ମାଣ କରିଛନ୍ତି।

ଛୋଟିଗୁଡ଼ା ଗ୍ରାମରେ ୩୫ ପରିବାର ବସବାସ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗାଁରେ ରାସ୍ତା, ସ୍କୁଲ୍, ସ୍ବାସ୍ଥ୍ୟକେନ୍ଦ୍ର, ପାନୀୟ ଜଳର କୌଣସି ସୁବିଧା ନାହିଁ। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ଗତ କିଛି ମାସ ହେଲା ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି। ଗ୍ରାମରେ ଥିବା ଦୁଇଟି ନଳ କୂପରୁ ପର୍ଯ୍ୟାପ୍ତ ପାଣି ବାହାରୁନି। ଶୀତ, ବର୍ଷାରେ କାମ ଚଳି ଯାଉଥିବା ବେଳେ ଖରା ଦିନେ ପାଣି ପାଇଁ ହଇରାଣ ହେଉଛନ୍ତି ଗ୍ରାମବାସୀ। ଅଙ୍ଗନବାଡ଼ି କେନ୍ଦ୍ର ନିୟମିତ ଖୋଲୁନଥିବା ବେଳେ ସ୍କୁଲ୍ ପ୍ରତିଷ୍ଠା ହୋଇପାରିନି। ଦେଢ଼ କିଲୋମିଟର ଦୂରରେ ଥିବା କୁଲିଆପଦର ବିଦ୍ୟାଳୟକୁ ପିଲାମାନେ ପଢ଼ିବାକୁ ଯାଉଛନ୍ତି। ଗତ କିଛି ଦିନ ହେଲା ଚାଉଳ ଏବଂ ଅନ୍ୟାନ୍ୟ ରାସନ ସାମଗ୍ରୀ ଶେଷ ହୋଇଯାଇଥିବାରୁ ପିଲାଙ୍କୁ ଖାଦ୍ୟ ଦେବା ବନ୍ଦ ରହିଛି ବୋଲି ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା ଲକ୍ଷ୍ମୀ ଦେଈ ମାଝି କହିଛନ୍ତି। ବାରମ୍ବାର ଦାବି ସତ୍ତ୍ବେ ଗ୍ରାମବାସୀଙ୍କ ଦୁଃଖ ପ୍ରଶାସନ ଦୂର କରିବାରେ ବିଫଳ ହୋଇଥିବା ଜୟସିଂ ମାଝୀ, କେଶରୀ ମାଝୀ, ଗଣେଶ ମାଝୀ ଗଙ୍ଗାଧର ମାଝୀ, ନବୀନ ମାଝୀ, ଜଟାରାମ ମାଝୀ ଅଭିଯୋଗ କରିଛନ୍ତି।

ଭୋଟବର୍ଜନ କରିଥିଲେ ଗଦିଙ୍ଗିଆବାସୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ କଳିଙ୍ଗା ପଞ୍ଚାୟତ ଗଦିଙ୍ଗିଆ ଗ୍ରାମବାସୀ ନିଜସ୍ୱ ପାଣ୍ଠି ସଂଗ୍ରହ କରି ନିଜ ଗାଁ ରାସ୍ତା  ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଗାଁକୁ ରାସ୍ତାଟିଏ ପାଇଁ ନିବେଦନ କରି ନେତା ଓ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ବର୍ଷ ପରେ ବର୍ଷ ବିତିଗଲା, କେହି ଶୁଣିଲେନି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମବାସୀ ରାସ୍ତା ନିର୍ମାଣ ଦାବିରେ ଭୋଟବର୍ଜନ ମଧ୍ୟ କଲେ। ହେଲେ ପ୍ରଶାସନ ଉପରେ ମଧ୍ୟ କିଛି ଫରକ ପଡ଼ିଲାନି। ୨୪ ବର୍ଷର ବିଜେଡି ସରକାର ଗ୍ରାମବାସୀଙ୍କ ସମସ୍ୟା ବୁଝିଲା ନାହିଁ। ନୂଆ ବିଜେପି ସରକାର ଆସିବା ପରେ ଏହି ଦାବି ଉପସ୍ଥାପନ କରିଥିଲେ। ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା ରଖିଥିଲେ। ହେଲେ ନୂଆ ସରକ‌ାରକୁ ଇତି ମଧ୍ୟରେ ୭ମାସ ବିତିଗଲାଣି। ପରେ ସମସ୍ତଙ୍କ ଉପରୁ ଭରସା ତୁଟାଇ ଆଜି ନିଜସ୍ୱ ପାଣ୍ଠି ସଂଗ୍ରହ କରି ନିଜ ଗାଁ ରାସ୍ତା  ନିର୍ମାଣ କରିଛନ୍ତି।

ସବୁଦିନିଆ ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ନେହୁରା ହୋଇ ଆସିଥିଲେ। ତଳସ୍ତରରୁ ଉପର ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କୁ ଲିଖିତ ଭାବେ ବାରମ୍ବାର ଜଣାଇଥିଲେ। ଏପରିକି ପ୍ରଶାସନ ମଧ୍ୟ ଗାଁ’ରେ ଏକ ପରିବର୍ତ୍ତନ ମେଳା କାର୍ଯ୍ୟକ୍ରମ ଆୟୋଜନ କରି ବିକାଶର ଅନେକ ସ୍ବପ୍ନ ଦେଖାଇଥିଲା। ବିଭିନ୍ନ ବିଭାଗର ଅଧିକାରୀ ପହଁଚି ଅଭିଯୋଗ ବି ଶୁଣିଥିଲେ। ହେଲେ ସମସ୍ୟାର ସମାଧାନ ହେଲା ନାହିଁ। ଗଦିଙ୍ଗିଆ ଗ୍ରାମବାସୀ ଆଜି ଏକତ୍ରିତ ହୋଇ ଶ୍ରମଦାନ କରି ଗାଁକୁ ପକ୍କା ରାସ୍ତା ନିର୍ମାଣ କରିଛନ୍ତି। ପ୍ରତି ପରିବାର ଚାନ୍ଦା କରି ଗୋଡ଼ି,ବାଲି ଓ ସିମେଣ୍ଟ ଆଣି ରାସ୍ତା ନିର୍ମାଣ କରିଥିଲେ। ଗାଁ ସଭାପତି ବାବୁଲା ପ୍ରଧାନ, ଉତ୍ସବ ପ୍ରଧାନ, ମିଟୁ ପ୍ରଧାନ, ଦେବରାଜ ପ୍ରଧାନ, ବିକାଶ ମଲ୍ଲିକ, ସନ୍ତୋଷ ମଲ୍ଲିକ, ସୁବାସ ଦିଗାଲ, ଜଗଦୀଶ ପ୍ରଧାନ, ଶ୍ରୀହରି ପ୍ରଧାନ, ସୁବ୍ରତ ଦିଗାଳଙ୍କ ନେତୃତ୍ବରେ ଗ୍ରାମବାସୀ ନିଜସ୍ୱ ପାଣ୍ଠିଓ ଶ୍ରମଦାନ କରି ରାସ୍ତା ନିର୍ମାଣ କରି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପଞ୍ଚାୟତ ଠାରୁ ଏହା ୨.୫ କିମି ଦୂର ହୋଇଥିବା ବେଳେ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.