Breaking News

ଅଭିଷେକ ଝଡ଼: ଭାରତ ୧୫୦ ରନ୍‌ରେ ଜିତିଲା

ଯୁବ ଖେଳାଳି ଅଭିଷେକ ଶର୍ମା ବ୍ୟାଟିଂ ଝଡ଼ ସୃଷ୍ଟି କରିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମାତ୍ର ୩୭ ବଲ୍‌ରୁ ଶତକ ପୂର୍ଣ୍ଣ କରି ଭାରତର ଦ୍ବିତୀୟ ଦ୍ରୁତତମ ରେକର୍ଡ କରିଛନ୍ତି।

ମୁମ୍ବାଇ: ଯୁବ ଖେଳାଳି ଅଭିଷେକ ଶର୍ମା ବ୍ୟାଟିଂ ଝଡ଼ ସୃଷ୍ଟି କରିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମାତ୍ର ୩୭ ବଲ୍‌ରୁ ଶତକ ପୂର୍ଣ୍ଣ କରି ଭାରତର ଦ୍ବିତୀୟ ଦ୍ରୁତତମ ରେକର୍ଡ କରିଛନ୍ତି। ମାତ୍ର ୫୪ ବଲ୍‌ରୁ ୧୩୫ ରନ୍‌ର ଛକା ବର୍ଷା ପାଳି ଖେଳିଛନ୍ତି ଏହି ୨୪ ବର୍ଷୀୟ ଡାହାଣହାତୀ ବ୍ୟାଟର୍‌। ଏଥି ସହିତ ଅଭିଷେକ ମଧ୍ୟ ନିଜ ପଞ୍ଜାବୀ ସାଥୀ ଶୁବମନ ଗିଲ୍‌ଙ୍କ ନାମରେ ଥିବା ସର୍ବୋଚ୍ଚ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ରେକର୍ଡକୁ ପଛରେ ପକାଇଛନ୍ତି। ଗିଲ୍ ଠିକ୍ ଦୁଇ ବର୍ଷ ତଳେ ତଳେ (୧ ଫେବ୍ରୁଆରି ୨୦୨୩) ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୧୨୬* ରନ୍ ପାଳି ଖେଳିବା ବେଳେ ୫୪ ବଲ୍‌ରୁ ଶତକ ହାସଲ କରିଥିଲେ। ଦ୍ରୁତତମ ରେକର୍ଡ କିନ୍ତୁ ରୋହିତ ଶର୍ମାଙ୍କ ନାମରେ ରହିଛି। ସେ ୨୦୧୭ରେ ମାତ୍ର ୩୫ ବଲ୍‌ରୁ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଥିଲେ।

ଅଭିଷେକଙ୍କ ପାଳିରେ ରବିବାର ୭ ଚୌକା ଓ ୧୩ ଛକା ସାମିଲ ଥିଲା। ଗୋଟିଏ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପାଳିରେ ସର୍ବାଧିକ ଛକା ମାରିବାରେ ଅଭିଷେକ ପୂର୍ବତନ ଅଧିନାୟକ ରୋହିତ ଶର୍ମା, ସଂଜୁ ସାମସନ୍‌, ତିଳକ ବର୍ମାଙ୍କୁ ପଛରେ ପକାଇଛନ୍ତି। ଏହି ୩ ଜଣ ସମାନ ୧୦ ଲେଖାଏଁ ଛକା ମାରିଛନ୍ତି। ମାତ୍ର ୧୭ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିବା ଅଭିଷେକ ମଧ୍ୟ ଏ କ୍ଷେତ୍ରରେ ଯୁବରାଜ ସିଂହ (୧୨ ବଲ୍‌, ବନାମ ଇଂଲଣ୍ଡ, ୨୦୦୭)ଙ୍କ ପଛରେ ପହଞ୍ଚି ଯାଇଥିଲେ। ମାତ୍ର ୧୦.୧ ଓଭର ବେଳକୁ ଅଭିଷେକ ଶତକ ପୂର୍ଣ୍ଣ କରିଥିବାରୁ ଆଇସିସିର ପୂର୍ଣ୍ଣସଦସ୍ୟ ରାଷ୍ଟ୍ର ମଧ୍ୟରେ ଦ୍ରୁତତମ ହୋଇଛନ୍ତି। ଅଭିଷେକଙ୍କ ଏହା ଦ୍ବିତୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ। ଗତବର୍ଷ ହରାରେରେ ଜିମ୍ବାୱେ ବିପକ୍ଷରେ ଅଭିଷେକ ମାତ୍ର ୪୭ ବଲ୍‌ରୁ ୧୦୦ ରନ୍ କରିଥିଲେ। ବୋଲିଂରେ ମଧ୍ୟ ଅଭିଷେକ ଗୋଟିଏ ମାତ୍ର  ଓଭର ପକାଇ ୧-୦-୩-୨ ଚିତ୍ର ସହ ମ୍ୟାଚ୍‌ର‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଛନ୍ତି। ବରୁଣ ଚକ୍ରବର୍ତ୍ତୀ ୫ ମ୍ୟାଚ୍‌ରୁ ୧୪ ୱିକେଟ୍‌ ନେଇ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଭାରତ ୧୫୦ ରନ୍‌ରେ ଜିତିଲା
୪-୧ରେ ଶୃଙ୍ଖଳା ବିଜୟ
ଅଭି‌ଷେକ ମ୍ୟାଚ୍‌ର ଶ୍ରେଷ୍ଠ
ବରୁଣ ଶୃଙ୍ଖଳାର ଶ୍ରେଷ୍ଠ

ରବିବାର ଏହି ମୁକାବିଲାରେ ଭାରତ ୨୪୭/୯ କରି ନେଇଥିଲା। ଅଭି‌‌ଷେକଙ୍କ ପରେ ଦ୍ବିତୀୟ ସର୍ବାଧିକ ୩୦ ରନ୍ କରିଥିଲେ ଶିବମ ଦୁବେ। ସେ ମାତ୍ର ୧୩ ବଲ୍ ଖେଳିଥିଲେ। ସଂଜୁ ସାମସନ୍ (୭ ବଲ୍‌ରୁ ୧୬), ସୂର୍ଯ୍ୟକୁମାର ୟାଦବ (୨)ଙ୍କ ବିଫଳତା ଜାରି ରହିଥିଲା। ୫ ମ୍ୟାଚ୍‌ ଶୃଙ୍ଖଳାରେ ସଂଜୁ ୫୧ ରନ୍ ଏବଂ ସୂର୍ଯ୍ୟ ୨୬ ରନ୍ (ଦୁଇ ଥର ଶୂନ) କରିଥିଲେ। ଭାରତର ୨୪୭ ରନ୍ ପାଳି ପରେ ଇଂଲଣ୍ଡ ୯୭ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। କେବଳ ଫିଲ୍ ସଲ୍ଟ (୨୩ ବଲ୍‌ରୁ ୫୫ ରନ୍) ଓ ଜ‌ାକବ ବେଥେଲ୍ (୧୦) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଭାରତ ୧୫୦ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇ ଶୃଙ୍ଖଳାକୁ ୪-୧ରେ ଜିତିଛି। ଏହା ପରେ ଦୁଇ ଦେଶ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଖେଳି ଚାମ୍ପିଅନ୍ସ ଟ୍ରଫି ପ୍ରସ୍ତୁତି କରିବେ। ମ୍ୟାଚ୍‌ ତିନିଟି ଫେବ୍ରୁଆର‌ି ୬ (ନାଗପୁର), ୯ (କଟକ), ୧୨ (ଅହମଦାବାଦ) ତାରିଖରେ ଖେଳାଯିବ।

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୪୭/୯ (ଅଭି‌ଷେକ ଶର୍ମା-୧୩୫, ଶିବମ ଦୁବେ-୩୦, ତିଳକ ବର୍ମା-୨୪, ବ୍ରାଏଡନ୍ କାର୍ସ-୩/୩୮, ମାର୍କ ଉଡ୍‌-୨/୩୨)। ଇଂଲଣ୍ଡ ୧୦.୩ ଓଭରରେ ୯୭/୧୦ (ଫିଲ୍ ସଲ୍ଟ-୫୫, ମହମ୍ମଦ ସାମି-୩/୨୫, ଅଭି‌ଷେକ ଶର୍ମା-୨/୩, ଶିବମ ଦୁବେ-୨/୧୧, ବରୁଣ ଚକ୍ରବର୍ତ୍ତୀ-୨/୨୫, ରବି ବିଷ୍ଣୋଇ-୧/୯)।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.