Breaking News

ଅମାନବୀୟ… ମିଳେଇଗଲା ନିଜ ଗୋଡ଼ରେ ଠିଆ ହେବାର ସ୍ବପ୍ନ

ଆର୍ଥିକ ଅନାଟନରୁ ଉଚ୍ଚଶିକ୍ଷାରେ ଡୋରି ବାନ୍ଧି ଦୁଇ ପଇସା‌ ରୋଜଗାର କରିବାକୁ ଗାଁ ଛା‌ଡ଼ିଥିଲେ। ମାତ୍ର କୋଡ଼ିଏ ବର୍ଷ ବୟସରେ ନିଜ ଗୋଡ଼ରେ ଛିଡ଼ା ହେବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମିଳେଇଗଲା।

0

ଖଣ୍ଡଗିରି: ଆର୍ଥିକ ଅନାଟନରୁ ଉଚ୍ଚଶିକ୍ଷାରେ ଡୋରି ବାନ୍ଧି ଦୁଇ ପଇସା‌ ରୋଜଗାର କରିବାକୁ ଗାଁ ଛା‌ଡ଼ିଥିଲେ। ମାତ୍ର କୋଡ଼ିଏ ବର୍ଷ ବୟସରେ ନିଜ ଗୋଡ଼ରେ ଛିଡ଼ା ହେବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମିଳେଇଗଲା। ରାସ୍ତା ପାର୍‌ ବେଳେ ମୋ ବସ୍‌ ଚଢ଼ି ଯାଇ ଅକର୍ମଣ୍ୟ କରିଦେଲା। ‌ଗୋଟିଏ ପଟେ ରୋଗିଣା ବାପା ମା’ ଓ ସାନ ଭଉଣୀର ଦ‌ାୟିତ୍ବ ଚିନ୍ତା, ଅନ୍ୟପଟେ ନିଜ ଭବିଷ୍ୟତ କଥା ଭାବିବା ବେଳକୁ ତାଙ୍କୁ ଚତୁର୍ଦ୍ଦିଗ ଅନ୍ଧାର ଦିଶୁଛି ଯେମିତି! ସେ ହେଉଛନ୍ତି ଗତ ଦୁଇ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କି ଛକରେ ମୋ ବସ୍‌ ଧକ୍କାରେ ଗୁରୁତର ଆହତ ହୋଇ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିବା ସମ୍ବଲପୁର ଜିଲ୍ଲାର ଝିଲ୍ଲୀ ସୋହଲା। ଏଭଳି ଏକ ସ୍ଥିତିରେ ସାରା ଦେଶରେ ଶ୍ରେଷ୍ଠ ପରିବହନ ସେବା ପାଇଁ ସ୍ବୀକୃତି ଲାଭ କରିଥିବା ମୋ ବସ୍‌ ପରିଚାଳନା ସଂସ୍ଥା ‘କ୍ରୁଟ୍‌’ କର୍ତ୍ତୃପକ୍ଷ ଆର୍ଥିକ ସହାୟତା ଦେବା ଦୂରର କଥା, ସହାନୁଭୂତି ଦେଖାଇବା ପାଇଁ ଜଣେ ହେଲେ ଅଧିକାରୀ ତାଙ୍କୁ ଭେଟି ନାହାନ୍ତି। କର୍ତ୍ତୃପକ୍ଷଙ୍କର ଏଭଳି ଅମାନବିକତାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି।

ଝିଲ୍ଲୀ ରାସ୍ତା ପାର୍‌ ହେଉଥିବା ବେଳେ ମୋ’ ବସ୍‌ ଚଢ଼ିଯିବାରୁ ତାଙ୍କ ବାମ ହାତ କଟି ଯାଇଥିଲା। ବସ୍‌ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ସମ୍ପୃକ୍ତ ବସ୍‌କୁ ଅଟକାଇଥିଲେ। ଦୁଇ ଦିନ ପରେ ବସ୍‌ ଚାଳକଙ୍କୁ ବି ଗିରଫ କରାଯାଇଥିଲା। ହେଲେ ଝିଲ୍ଲୀଙ୍କର କିଛି ଲାଭ ହୋଇ ନଥିଲା। ଦୁର୍ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଥିବାରୁ ଆହତ ଝିଲ୍ଲୀଙ୍କ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲା। ହେଲେ ଭିଡ଼ କମିଯିବା ପରେ ସବୁ ଭୁଲି ଯାଇଥି‌ଲେ। ‌ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସ୍‌ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଏବେ ବର୍ନ ଆଣ୍ଡ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ଗତ ୨ ତାରିଖରେ ଗୋଟିଏ ଅପରେସନ ହୋଇଛି। ଆଉ ତିନିଦିନ ପରେ ଆଉ ଗୋଟିଏ ଅପରେସନ ହେବ ବୋଳି ଡାକ୍ତର କହିଛନ୍ତି। ଆବଶ୍ୟକ ପଡ଼ିଲେ ଶରୀରର ଅନ୍ୟସ୍ଥାନରୁ ଚମଡ଼ା ଆଣି ହାତରେ ଲଗାଯିବ। ହେଲେ ହାତ ଆଉ କାମ କରିବ କି ନାହିଁ ତାହା ପାଇଁ କେବଳ ଭଗବାନ ଭରସା ବୋଲି କୁହାଯାଉଛି।

୩ ଦିନ ପରେ ବି କ୍ରୁଟ୍‌ କର୍ତ୍ତୃପକ୍ଷଙ୍କ ‌ଦେଖାନାହିଁ
ଯୁବତୀଙ୍କ ଉପରେ ‘ମୋ ବସ୍‌’ ଚଢ଼ିଯିବା ଘଟଣା

ଝିଲ୍ଲୀଙ୍କର ବାପା ଜଣେ ରାଜ ମିସ୍ତ୍ରି। ଯାହା ରୋଜଗାର କରନ୍ତି ୪ ପ୍ରାଣୀ କୁଟୁମ୍ବ ଚଳେ। ସେଥି‌ରେ ବି ମା’ଙ୍କର ୨ କିଡ୍‌ନି ଖରାପ। ସ୍ବଳ୍ପ ରୋଜଗାରରୁ ଚିକିତ୍ସାରେ ବି ଖର୍ଚ୍ଚ ହୁଏ। ୧୭ ବର୍ଷର ଗୋଟିଏ ସାନ ଭଉଣୀ। ତାର ପାଠ ପଢ଼ା ଖର୍ଚ୍ଚ ବି ସେଇ ଏକମାତ୍ର ବାପାଙ୍କ ରୋଜଗାରରୁ ବହନ ହୁଏ। ଏଭଳି ଏକ ସ୍ଥିତିରେ ଘରର ବଡ଼ ଝିଅ ଭାବରେ କିଛି ରୋଜଗାର ନିଶାରେ ସେ ୬ ମାସ ତଳେ ଗାଁ ଛାଡ଼ିଥିଲେ। ଭୁବନେଶ୍ବରରେ ପହଞ୍ଚି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିସ୍ଥିତ ଏକ ପାର୍ଲର୍‌ରେ ବିଉଟିସିଆନ୍‌ ତାଲିମ ନେଉଥିଲେ। ଆଉ ମାସ କେଇଟାରେ ରୋଜଗାର ଆରମ୍ଭ କରିଥା’ନ୍ତେ, ନିଜ ଖର୍ଚ୍ଚ ସହ ପରିବାରର ବି ଦାୟିତ୍ବ ନେଇଥାନ୍ତେ। ହେଲେ ବିଧିର ବିଧାନ ଥିଲା ଅଲଗା। ସରକାରୀ ବସ୍‌ର ବେପରୁଆ ଚାଳନା ପାଇଁ ସେ ଅକର୍ମଣ୍ୟ ହୋଇଗଲେ।

ବଡ଼କଥା ହେଉଛି, ଦୂର୍ଘଟଣା ଖବର ପାଇ କାଳେ ବାପା ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହେବ, ବ୍ୟସ୍ତ ହୋଇ ପଡ଼ିବେ, ସେଥିପାଇଁ ଏଯାଏ ଘର ଲୋକଙ୍କୁ ଜଣାଇ ନାହାନ୍ତି ସେ। ଜଣେ ସମ୍ପର୍କୀୟ ଭଉଣୀ ତାଙ୍କର ଦାୟିତ୍ବ ନେଇଛନ୍ତି। ରୋଗୀ ସହାୟକ ଭାବରେ ତାଙ୍କୁ ଜଗି ରହିଛନ୍ତି। ସମ୍ପର୍କିୟ ଭଉଣୀଙ୍କ କହିବା କଥା, ଖବର ପାଇ ମୁଁ ଦଉଡ଼ି ଆସିଥିଲି। ଏଭଳି ଅବସ୍ଥା ଦେଖିବା ପରେ ଆମେ ଭୟଭୀତ ହୋଇପଡ଼ିଥିଲୁ। ଏବେ ପରିବାରର ଭଲ ମନ୍ଦ ବୁଝିବାକୁ କେହି ନାହିଁ। ସରକାର ସବୁ ଚିକିତ୍ସା ଖର୍ଚ୍ଚ ବହନ କରି ରୋଜଗାର ପନ୍ଥା ଯୋଗାଇ ଦେବାକୁ ସେ ଗୁହାରୀ କରିଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.