Breaking News

ଅମାନିଆଙ୍କୁ ଜଗିବ ୨୬୬ କୋଟିର ସିସି କ୍ୟାମେରା ପ୍ରକଳ୍ପ: ୭୦ଟି ସ୍ଥାନରେ ଲାଗିଲାଣି ୨୮୦ କ୍ୟାମେରା

ରାଜ୍ୟ ଓ ଜାତୀୟ ରାଜପଥରେ ଅମାନିଆ ଗାଡ଼ି ଚାଳକଙ୍କୁ ଜଗିବା ପାଇଁ ୨୬୬ କୋଟି ଟଙ୍କାର ସିସି କ୍ୟାମେରା ପ୍ରକଳ୍ପ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଛି। ଇଣ୍ଟେଲିଜେଣ୍ଟ ଟ୍ରାଫିକ୍‌ ଏନ୍‌ଫୋର୍ସମେଣ୍ଟ ସିଷ୍ଟମ୍‌ (ଆଇଟିଏନ୍‌ଏସ୍‌) ମାଧ୍ୟମରେ...

କଟକ: ରାଜ୍ୟ ଓ ଜାତୀୟ ରାଜପଥରେ ଅମାନିଆ ଗାଡ଼ି ଚାଳକଙ୍କୁ ଜଗିବା ପାଇଁ ୨୬୬ କୋଟି ଟଙ୍କାର ସିସି କ୍ୟାମେରା ପ୍ରକଳ୍ପ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଛି। ଇଣ୍ଟେଲିଜେଣ୍ଟ ଟ୍ରାଫିକ୍‌ ଏନ୍‌ଫୋର୍ସମେଣ୍ଟ ସିଷ୍ଟମ୍‌ (ଆଇଟିଏନ୍‌ଏସ୍‌) ମାଧ୍ୟମରେ ଏହି କ୍ୟାମେରା ରାଜ୍ୟ ପରିବହନ ବିଭାଗ ଲଗାଉଛି। ଇତିମଧ୍ୟରେ ୭୦ଟି ସ୍ଥାନରେ ୨୮୦ଟି ସିସି କ୍ୟାମେରା ଲାଗି ସାରିଥିବା ବେଳେ ଆହୁରି ୧୦୦ଟି ସ୍ଥାନରେ ୪୦୦ କ୍ୟାମେରା ଲାଗିବା ପ୍ରକ୍ରିୟା ଜାରି ରହିଛି। ଏହି କ୍ୟାମେରାଗୁଡ଼ିକ କଟକସ୍ଥିତ ଏସ୍‌ଟିଏ କାର୍ଯ୍ୟାଳୟରୁ ନିୟନ୍ତ୍ରିତ ହେବ।

ସୂଚନା ଅନୁଯାୟୀ ଜାତୀୟ ଓ ରାଜ୍ୟ ରାଜପଥରେ ବୃଦ୍ଧି ପାଉଥିବା ଦୁର୍ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଦିଶା ପ୍ରକଳ୍ପରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ୍‌ ଏନ୍‌ଫୋର୍ସମେଣ୍ଟ ସିଷ୍ଟମ୍‌ (ଆଇଟିଏନ୍‌ଏସ୍‌)ର ପାଇଲଟ୍ ପ୍ରକଳ୍ପ କରାଯାଇଥିଲା। ରାମେଶ୍ବରରୁ ପାଣିକୋଇଲି ଯାଏଁ ୨୧ଟି ସ୍ଥାନରେ ସିସି କ୍ୟାମେରା ଲଗାଯାଇଥିଲା। ଏହାବାଦ୍ ତିନୋଟି ସୀମା, ଯଥା ଗୋଲନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା, ସୋହେଲା, ଲକ୍ଷ୍ମଣନାଥରେ ସିସି କ୍ୟାମେରା ଲଗାଯାଇଥିଲା। ଏହି ସବୁ ସ୍ଥାନରେ ୮୪ଟି କ୍ୟାମେରା ଲଗାଇବାରେ ୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରୁ ୧୭ଟି ସ୍ଥାନରେ ସିସି କ୍ୟାମେରା କାର୍ଯ୍ୟକ୍ଷମ ହୋଇ ସାରିଛି।

୭୦ଟି ସ୍ଥାନରେ ଲାଗିଲାଣି ୨୮୦ କ୍ୟାମେରା
ଆହୁରି ୧୦୦ଟି ସ୍ଥାନରେ ଲାଗିବ ୪୦୦ କ୍ୟାମେରା
ଏସ୍‌ଟିଏରୁ ହେବ ନିୟନ୍ତ୍ରଣ

ଅନ୍ୟପଟେ ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ବର-ପୁରୀ, ପୁରୀ-କୋଣାର୍କ, କୋଣାର୍କ-ପିପିଲି, କଟକ-ପାରାଦୀପ, ରାମେଶ୍ବର-ବ୍ରହ୍ମପୁର, ପାଣିକୋଇଲି-ଲକ୍ଷ୍ମଣନାଥ, ବଲାଙ୍ଗୀରରୁ କଳାହାଣ୍ଡି ଦିଗରେ ଲଗାଯିବାକୁ ଥିବା ସିସି କ୍ୟାମେରା ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଏହି ସବୁ ଅଞ୍ଚଳରେ ୪୯ଟି ସ୍ଥାନରେ ୧୯୬ଟି ସିସି କ୍ୟାମେରା ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପୁରୀ-ଭୁବନେଶ୍ବର ମଧ୍ୟରେ ୮ଟି ସ୍ଥାନରେ ଓ କୋଣାର୍କରୁ ପିପିଲି ମଧ୍ୟରେ ୧୩ଟି ସ୍ଥାନରେ ସିସି କ୍ୟାମେରା ଲାଗିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀ-କୋଣାର୍କ ରାସ୍ତାରେ ଲାଗିଥିବା କ୍ୟାମେରାକୁ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିଭଳି ତୃତୀୟ ପର୍ଯ୍ୟାୟରେ ଗଞ୍ଜାମରୁ ତପ୍ତପାଣି, ଗଞ୍ଜାମରୁ ଭଞ୍ଜନଗର, ସମ୍ବଲପୁର, ଝାରପୋଖରିଆ-ସୋର ରାଜପଥ, ବାଙ୍ଗିରିପୋଷି, କେନ୍ଦୁଝରଦେବଗଡ଼, ସମ୍ବଲପୁର ରାଜପଥରେ ସିସି କ୍ୟାମେରା ଲାଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସବୁ ଅଞ୍ଚଳରେ ୧୦୦ଟି ସ୍ଥାନରେ ୪୦୦ଟି କ୍ୟାମେରା ଲାଗିବ। ଏଥିପାଇଁ ୪୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଦ୍ରୁତ ଗାଡ଼ି ଚାଳନା, ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇବା, ବାଇକ୍‌ରେ ତିନି ଜଣ ଯିବା, ରାସ୍ତାର ବିପରୀତି ଦିଗରୁ ଆସିବା, ସିଟ୍ ବେଲଟ୍‌ ନପିନ୍ଧିବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ରେ କଥା ହେବା ଘଟଣାକୁ ଏହି ସିସି କ୍ୟାମେରାରେ ଚିହ୍ନଟ କରାଯାଇ ମୋଟର ଯାନ ଆଇନ ଅନୁଯାୟୀ ଜରିମାନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

 

 

 

 

ସୌଜନ୍ୟ-ସମ୍ୱାଦ

 

 

Comments are closed.