Breaking News

ଅମିତ ଶାହଙ୍କ ବାସଭବନରେ ମହାୟୁତି ନେତାଙ୍କ ବୈଠକ

ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ସତ୍ତ୍ବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସସ୍‌ପେନ୍ସ ଜାରି ରହିଛି। ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଆଜି ରାତିରେ ଦିଲ୍ଲୀରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ...

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ସତ୍ତ୍ବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସସ୍‌ପେନ୍ସ ଜାରି ରହିଛି। ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଆଜି ରାତିରେ ଦିଲ୍ଲୀରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ, ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନ୍‌ସିପି ନେତା ଅଜିତ ପାୱାର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ସରକାର ଗଠନ ତଥା ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗରେ ବୈଠକ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ମହାୟୁତିର ବିପୁଳ ବିଜୟ ସତ୍ତ୍ୱେ ବିଜେପି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଘୋଷଣା ନେଇ କୌଣସି ତତ୍ପରତା ଦେଖାଇ ନାହିଁ। ତେବେ ଫଡ଼ନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ନିଜ ବିଧାୟକଙ୍କ ଚାପରେ ଥିବା ବେଳେ ଏବେ କାମଚଳା ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଭବିଷ୍ୟତ କ’ଣ ହେବ ସେ ନେଇ ନାନା କଳ୍ପନାଜଳ୍ପନା ଚାଲିଛି। ଅନେକ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ନାମ ସୁପାରିସ କରିବା ସହ ଦଳର ଐତିହାସିକ ସଫଳତା ପାଇଁ ତାଙ୍କୁ ଶ୍ରେୟ ଦେଇଛନ୍ତି। ମହାରାଷ୍ଟ୍ରରେ ଚଳିତ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ରେ ଶେଷ ହୋଇଛି।

ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ୨୩୫ଟି ଆସନ ହାସଲ କରିଛି। ୨୦୨୪ ଲୋକସଭା ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବିଜେପି ୧୩୨ଟି ବିଧାନସଭା ଆସନରେ ବିଜୟୀ ହୋଇ ନିଜର ଆଧିପତ୍ୟ ବଜାୟ ରଖିଛି, ଯାହା କି ସମସ୍ତ ମହାୟୁତି ସହଯୋଗୀଙ୍କ ମଧ୍ୟରେ ସର୍ବାଧିକ। ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପି ମଧ୍ୟ ଭଲ ପ୍ରଦର୍ଶନ କରିଥିବା ବେଳେ ଶିବସେନା ୫୭ ଏବଂ ଏନସିପି ୪୧ଟି ଆସନ ହାସଲ କରିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟର ବିଜୟ ପଛରେ ସିନ୍ଦେଙ୍କ ନେତୃତ୍ୱ ଏକ ପ୍ରମୁଖ କାରଣ ବୋଲି ଦର୍ଶାଇ ତାଙ୍କ ଶିବିରର ବିଧାୟକମାନେ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଆଶା ରଖିଛନ୍ତି ।
ସୌଜନ୍ୟ-ସମ୍ୱାଦ

Comments are closed.