ବେଳେବେଳେ ଆମେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଟଙ୍କା ପଠାଇବା  ସମୟରେ ଅଜାଣତରେ ଭୁଲ୍‌ ନମ୍ବରକୁ ଟଙ୍କା ପଠାଇ ଦେଇଥାଉ। ଅନେକ ଏପରି ‌ଅସୁବିଧାର ସମ୍ମୁଖୀନ ହୋଇଥିବେ। ଯଦି ଭୁଲ୍‌ ୟୁପିଆଇ ଠିକଣାରେ ପୈଠ କରିଥାନ୍ତି, ତେବେ ଟଙ୍କା କିପରି ଫେରସ୍ତ ପାଇବେ ଜାଣନ୍ତି କି?

ଯଦି ଅଜାଣତରେ କିମ୍ବା ଅସାବଧାନତାବଶତଃ ଭୁଲ୍‌ ୟୁପିଆଇ ନମ୍ବର/ଠିକଣାକୁ ଟଙ୍କା ପଠେଇଛନ୍ତି, ତେବେ ଆଦୌ ଭୟ କରନ୍ତୁ ନାହିଁ। ଯଦି ଆପଣ ଓ ପ୍ରାପକ ସମାନ ବ୍ୟାଙ୍କର ଗ୍ରାହକ ତେବେ ସାଧାରଣତଃ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ଟଙ୍କା ଫେରସ୍ତ ପାଇପାରିବେ। ଭିନ୍ନ ବ୍ୟାଙ୍କ ହୋଇଥିଲେ ଏହା ଅପେକ୍ଷାକୃତ ଅଧିକ ସମୟ ଲାଗିଥାଏ।

ୟୁପିଆଇ କାରବାର ବେଳେ ସାବଧାନତା
l ଦେୟ ଦେବା ପୂର୍ବରୁ ୟୁପିଆଇ ଆଇଡିକୁ ଭଲ ଭାବେ ଯାଞ୍ଚ କରନ୍ତୁ।
l ଟଙ୍କା ପାଉଥିବା ଲୋକଙ୍କ ନାମ ଠିକ୍‌ ଦେଖାଉଛି କି ନାହିଁ ପରଖନ୍ତୁ।
l କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
l ଫିସିଂ ସ୍କାମ୍‌ ପ୍ରତି ସତର୍କ ରହନ୍ତୁ, କାରଣ ଠକମାନେ ନକଲି କ୍ୟୁଆର୍‌ କୋଡ୍‌ କିମ୍ବା ଲିଙ୍କ୍‌ ବ୍ୟବହାର କରି ଭୁଲ୍‌ ୟୁପିଆଇ ଆଇଡିରେ କାରବାର କରି ଆପଣଙ୍କ ଟଙ୍କା ଲୁଟିନେବାରେ ସକ୍ଷମ ହେବେ।

ଟଙ୍କା ଫେରସ୍ତ ପାଇଁ କ’ଣ କରିବେ?
l ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁସାରେ ପ୍ରଥମେ ଆପଣ ପ୍ରାପକଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ। ତାଙ୍କୁ ଟଙ୍କା ଫେରାଇବାକୁ ଏବଂ କାରବାରର ବିବରଣୀ ପ୍ରଦାନ ଲାଗି ଅନୁରୋଧ କରନ୍ତୁ।
l ଯଦି ପ୍ରାପକଙ୍କ ସହଯୋଗ ମାଧ୍ୟମରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଆପଣ ନ୍ୟାସ୍‌ନାଲ୍‌ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (NPCI) ରେ ଅଭିଯୋଗ ଦାଖଲ କରି ମାମଲା ରୁଜୁ କରିପାରିବେ। କାରବାରର ବିବରଣୀ ଓ ଆବଶ୍ୟକ ପ୍ରମାଣ ଦାଖଲ କରନ୍ତୁ। ଏନ୍‌ପିସିଆଇ କାରବାରର ଅନୁସନ୍ଧାନ କରିବ।
l କାରବାରରେ ହୋଇଥିବା ତ୍ରୁଟି ବିଷୟରେ ଆପଣଙ୍କ ବ୍ୟାଙ୍କ୍‌କୁ ଯଥାଶୀଘ୍ର ସୂଚନା ଦିଅନ୍ତୁ ଏବଂ ଆବଶ୍ୟକ ବିବରଣୀ ଦାଖଲ କରନ୍ତୁ। ଏହାଦ୍ବାରା ସେମାନେ ରିଫଣ୍ଡ୍‌ ପାଇଁ ଏକ ଚାର୍ଜବ୍ୟାକ୍‌ ଆରମ୍ଭ କରିପାରିବେ।
l ଭୁଲ୍‌ ୟୁପିଆଇ ଠିକଣାରେ କାରବାର କ୍ଷେତ୍ରରେ ସହାୟତା ପାଇଁ  ଆପଣ ୧୮୦୦-୧୨୦-୧୭୪୦ ଟୋଲ୍‌ ଫ୍ରି ନମ୍ବରକୁ ମଧ୍ୟ କଲ୍‌ କରିପାରିବେ।

ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା?
l ବ୍ୟବହୃତ ପେମେଣ୍ଟ୍‌ ସିଷ୍ଟମ୍‌ (ଗୁଗୁଲ୍‌ ପେ, ଫୋନ୍‌ ପେ ବା ପେଟିଏମ୍‌)ରେ ଏକ ଅଭିଯୋଗ ଦାଖଲ କରନ୍ତୁ।
ଏନ୍‌ପିସିଆଇ ୱେବ୍‌ସାଇଟ୍‌ ଯାଇ ‘ଡିସ୍‌ପ୍ୟୁଟ୍‌ ରିଡ୍ରେସାଲ୍‌ ମେକାନିଜିମ୍’ ବିଭାଗ ଅଧୀନରେ ଅନଲାଇନ୍ ଫର୍ମ ପୂରଣ କରନ୍ତୁ। କାରବାର ଆଇଡି, ଭର୍ଚୁଆଲ୍‌ ପେମେଣ୍ଟ୍‌ ଠିକଣା, ଆମାଉଣ୍ଟ୍‌ ଟ୍ରାନ୍‌ସଫର୍‌ ରସିଦ, କାରବାର ତାରିଖ, ଇମେଲ୍ ଆଇଡି ଓ ମୋବାଇଲ୍‌ ନମ୍ବର୍‌ ସହ ଆବଶ୍ୟକ ବିବରଣୀ ଦିଅନ୍ତୁ। ଡିଡକ୍‌ସନ୍‌ ଦର୍ଶାଇ ଆପଣଙ୍କର ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟ୍‌ ଅପଲୋଡ୍‌ କରନ୍ତୁ।
l ଆପଣଙ୍କ ଅଭିଯୋଗର କାରଣ ଭାବରେ ‘ଇନ୍‌କରେକ୍ଟଲି ଟ୍ରାନ୍‌ସଫର୍‌ଡ ଟୁ ଆନାଦର୍‌ ଆକାଉଣ୍ଟ’କୁ ବାଛନ୍ତୁ।
l ଯଦି ଅଭିଯୋଗ ସମାଧାନ ହୋଇ ନଥାଏ, ତେବେ ପ୍ରଥମେ TPAP (ଥାର୍ଡ-ପାର୍ଟି ଆପ୍ଲିକେସନ୍‌ ପ୍ରୋଭାଇଡର୍‌)କୁ; ଦ୍ବିତୀୟରେ PSP (ପେମେଣ୍ଟ୍‌ ସର୍ଭିସ୍‌ ପ୍ରୋଭାଇଡର୍‌ ବ୍ୟାଙ୍କ୍‌)କୁ, ତୃତୀୟରେ ବ୍ୟାଙ୍କ୍‌ ଶାଖାକୁ ଏବଂ ଶେଷରେ ଏନ୍‌ପିସିଆଇକୁ ସମସ୍ୟା ସଂପର୍କରେ ଅବଗତ କରାନ୍ତୁ।
l ଯଦି ଗୋଟିଏ ମାସ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇ ନଥାଏ କିମ୍ବା ଆପଣ ପ୍ରତିକ୍ରିୟାରେ ଅସନ୍ତୁଷ୍ଟ ଅଛନ୍ତି, ତେବେ ଡିଜିଟାଲ୍‌ କାରବାର ସଂପର୍କିତ ମାମଲାର ଶୁଣାଣି କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଓମ୍ବୁଡ୍‌ସମ୍ୟାନ୍‌କୁ ଫେରାଦ ହୁଅନ୍ତୁ।