Breaking News

ଅଲୋଡ଼ା ଇତିହାସ

ନ୍ୟୁଜିଲାଣ୍ଡ୍‌-ଭାରତ ଟେଷ୍ଟ୍ ଶୃଙ୍ଖଳା ଉଭୟ ଦଳ ପାଇଁ ଐତିହାସିକ ମୁହୂର୍ତ ଆଣି ଦେଇଛି। ପ୍ରଥମ ଥର ପାଇଁ ଭାରତ ୩ କିମ୍ବା ତଦୁର୍ଦ୍ଧ ଏକ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ମୂଳପୋଛ ଭାବେ ହାରିଛି।

0

ମୁମ୍ବାଇ: ନ୍ୟୁଜିଲାଣ୍ଡ୍‌-ଭାରତ ଟେଷ୍ଟ୍ ଶୃଙ୍ଖଳା ଉଭୟ ଦଳ ପାଇଁ ଐତିହାସିକ ମୁହୂର୍ତ ଆଣି ଦେଇଛି। ପ୍ରଥମ ଥର ପାଇଁ ଭାରତ ୩ କିମ୍ବା ତଦୁର୍ଦ୍ଧ ଏକ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ମୂଳପୋଛ ଭାବେ ହାରିଛି। ଶେଷ ଥର ପାଇଁ ୨୦୦୦ରେ ଦକ୍ଷିଣ ଆଫ୍ରିକା ୨-୦ରେ ଏବଂ ୧୯୮୦ରେ ଇଂଲଣ୍ଡ ୧-୦ରେ ଜିତିଥିଲା। ୧୯୮୩ ମସିହା ପରେ ଭାରତ ମଧ୍ୟ ପ୍ରଥମ ଥର ଏକ ଘରୋଇ ଶୃଙ୍ଖଳାରେ ୩ ଟେଷ୍ଟ୍ ହାରିଲା। ଏହା ପୂର୍ବରୁ ୧୯୫୮ରୁ ୧୯୮୦ ମସିହା ମଧ୍ୟରେ ଭାରତ ୫ ଥର ୩ ଟେଷ୍ଟ୍ ହାରିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ନିଜ ଇତିହାସରେ ପ୍ରଥମ ଥର ପାଇଁ ଏକ ଟେଷ୍ଟ୍ ଶୃଙ୍ଖଳାକୁ ୩-୦ରେ ଜିତିଛି। ଘରୋଇ ମାଟିରେ କିନ୍ତୁ ଭାରତ ୨୦୦ରୁ କମ୍ ରନ୍ ପଶ୍ଚାତଧାବନ ବେଳେ ଜୟ ପରାଜୟକୁ ୩୧-୧ରେ ରଖିଛି। ମୁମ୍ବାଇରେ କିନ୍ତୁ ଭାରତର ଏଭଳି ପଶ୍ଚାତଧାବନରେ ପ୍ରଥମ ପରାଜୟ।

ଦ୍ବିତୀୟ ସର୍ବନିମ୍ନ ଟାର୍ଗେଟ୍‌କୁ ପିଛା କରି ଭାରତ ହାରିଛି। ୧୯୯୭ରେ ବ୍ରିଜଟାଉନ୍‌ରେ ଭାରତ ୧୨୦ ରନ୍‌କୁ ପିଛା କରି ୮୧ ରନ୍‌ରେ ଅଲ୍ଆଉଟ୍  ହୋଇଯାଇଥିଲା। ସେହିଭଳି ନ୍ୟୁଜିଲାଣ୍ଡ୍‌ ମଧ୍ୟ ଦ୍ବିତୀୟ ସର୍ବନିମ୍ନ ଟାର୍ଗେଟ୍‌କୁ ସଫଳତାର ସହ ଡିଫେଣ୍ଡ୍ କରିଛି। ୧୯୭୮ ମସିହାରେ ଏହି ଦଳ ୱେଲିଂଟନ୍‌ରେ ଇଂଲଣ୍ଡକୁ ୧୩୭ ରନ୍ ଲକ୍ଷ୍ୟ ଦେଇ ୭୨ ରନ୍‌ରେ ଜିତିଥିଲା। ୨୦୨୪ ମସିହାରେ ଭାରତ ୧୦ ଘରୋଇ ଟେଷ୍ଟ୍‌ରୁ ୪ ପରାଜୟ ବରଣ କରି ଦ୍ବିତୀୟ ‌ସର୍ବୋଚ୍ଚରେ ପହଞ୍ଚିଛି। ୧୯୬୯ରେ ମଧ୍ୟ ଏଭଳି କରିଥିଲା। ରୋହିତ ଶର୍ମା ଅଧିନାୟକ ଭାବେ ଏବେ ଘରୋଇ ମାଟିରେ ୫ ଟେଷ୍ଟ୍ ହାରିଲେ। ମନସୁର୍ ଅଲ୍ଲୀ ଖାନ୍ ପଟୌଦୀ (୯)ଙ୍କ ପରେ ଏହା ଦ୍ବିତୀୟ ସର୍ବାଧିକ।

କେବଳ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ମାତ୍ର ୨ ଟେଷ୍ଟ ଖେଳି ମୁମ୍ବାଇ ଜନ୍ମିତ ନ୍ୟୁଜିଲାଣ୍ଡ୍‌ ସ୍ପିନର୍ ଏଜାଜ ପଟେଲ୍‌ ମୋଟ ୨୫ ୱିକେଟ୍ ନେଇଛନ୍ତି। ଭାରତରେ ଭାରତ ବିପକ୍ଷରେ ଏକ ନିର୍ଦ୍ଧିଷ୍ଟ ପିଚ୍‌ରେ ଏହା ସର୍ବାଧିକ। ୱାଙ୍ଖଡେରେ ଇଂଲଣ୍ଡର ଇଆନ୍ ବୋଥାମ ୨ ଟେଷ୍ଟରୁ ୨୨ ୱିକେଟ୍ ନେଇ ଏ ପର୍ଯ୍ୟନ୍ତ ଶୀର୍ଷରେ ଥିଲେ। ବିଦେଶୀ ଭେନ୍ୟୁରେ ୮ ଜଣ ବୋଲର ୧୦ ୱିକେଟ୍‌ ସଫଳତା ପାଇଲେ। ପୂର୍ବ ୭ ଜଣଙ୍କ ମଧ୍ୟରୁ ଦ ଓଭାଲରେ ସେନ୍ ୱର୍ଣ୍ଣ ୪ ଟେ‌ଷ୍ଟରୁ ୨ ଥର ୧୦ ୱିକେଟ୍‌ ନେଇଥିଲେ। ଏଜାଜ ପଟେଲ୍ ଏବଂ ରବୀନ୍ଦ୍ର ଜାଡ଼େଜା ମିଳିତ ଭାବେ ଗୋଟିଏ ୪ ଥର ୫ ୱିକେଟ୍ ସଫଳତା ପାଇଲେ। ଏକ ଟେଷ୍ଟ୍ ମ୍ୟାଚ୍‌ରେ ସ୍ପିନର୍ ହୁଅନ୍ତୁ ଅନ୍ୟ କୌଣସି ବୋଲର ଏହା ମଧ୍ୟ ପ୍ରଥମ ଉଦାହରଣ। ଗୋଟିଏ ଟେଷ୍ଟ୍‌ରେ ଏହା ପୂର୍ବରୁ ଥରେ ମାତ୍ର ଦୁଇ ଜଣ ବାମହାତୀ ସ୍ପିନର୍‌ ୪ ଥର ୫ ୱିକେଟ୍ ସଫଳତା ପାଇଥିଲେ। ୧୯୮୦ ମସିହାର ଅଷ୍ଟ୍ରେଲିଆ ବିପକ୍ଷ କରାଚୀ ଟେଷ୍ଟରେ ପାକିସ୍ତାନର ଇକବାଲ୍ କାସିମ ଓ ରଏ ବ୍ରାଇଟ୍‌ ଏଭଳି କରିଥିଲେ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.