Breaking News

ଅଲ୍ଲୁ ଅର୍ଜୁନଙ୍କ ଘରେ ଆକ୍ରମଣ, ଭଙ୍ଗାରୁଜା: ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ୮ ସଦସ୍ୟ ଗିରଫ

ତେଲୁଗୁ ସୁପର୍‌ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ସ୍ଥିତ ଜୁବିଲି ହିଲ୍ସ ବାସଭବନରେ ରବିବାର ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର କେତେକ ସଦସ୍ୟ ଭଙ୍ଗାରୁଜା କରିବା ସହ ସମ୍ପତ୍ତି ନଷ୍ଟ କରିଛନ୍ତି।

ହାଇଦ୍ରାବାଦ: ତେଲୁଗୁ ସୁପର୍‌ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ସ୍ଥିତ ଜୁବିଲି ହିଲ୍ସ ବାସଭବନରେ ରବିବାର ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର କେତେକ ସଦସ୍ୟ ଭଙ୍ଗାରୁଜା କରିବା ସହ ସମ୍ପତ୍ତି ନଷ୍ଟ କରିଛନ୍ତି।  ଏହି ଘଟଣାରେ ସମ୍ପୃକ୍ତ ଥିବା ୮ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ହସ୍ତକ୍ଷେପ କରି ବିଶ୍ୱବିଦ୍ୟାଳୟର ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି)ର ୮ ଜଣ ସଦସ୍ୟଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଜୁବିଲି ହିଲ୍ସ ଥାନାକୁ ନିଆଯାଇଥିଲା। ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ଜେଏସିର ଏକ ଗୋଷ୍ଠୀ ଆଜି ଅପରାହ୍ନରେ ଅଭିନେତାଙ୍କ ଘରେ ବଳପୂର୍ବକ ପଶିବାକୁ ଚେଷ୍ଟା କରିଥିଲେ ଏବଂ ଭଙ୍ଗାରୁଜା ଆରମ୍ଭ କରିଥିଲେ। ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଏକ ଫିଲ୍ମ ପ୍ରିମିୟରରେ ଦଳାଚକଟାରେ ପ୍ରାଣ ହରାଇଥିବା ୩୫ ବର୍ଷୀୟା ମହିଳାଙ୍କ ପରିବାରକୁ ସେମାନେ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ।

ସୂଚନାଯୋଗ୍ୟ,  ଗତ ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ଏକ ସିନେମା ହଲ୍‌ରେ ଦଳାଚକଟା ଯୋଗୁଁ  ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅଲ୍ଲୁ ଅର୍ଜୁନ  ନିକଟରେ ମୁକ୍ତିଲାଭ କରିଥିବା ତାଙ୍କର ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ର ପ୍ରିମିୟର ପାଇଁ ଉକ୍ତ ହଲ୍‌କୁ ଆସିଥିବା ବେଳେ ଦଳାଚକଟା ହୋଇଥିଲ। ତେଲେଙ୍ଗାନା ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନେ ବୁଝିବା ଦରକାର ଯେ ନାଗରିକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନେ ସେହି ଅନୁଯାୟୀ ଆଚରଣ କରିବା ଉଚିତ। ଚଳିତ ମାସ ପ୍ରାରମ୍ଭରେ ‘ପୁଷ୍ପା-୨’ର ସ୍କ୍ରିନିଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଏବଂ   ଅଲ୍ଲୁ ଅର୍ଜୁନଙ୍କ କିଛି ମନ୍ତବ୍ୟ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.