Breaking News

‘ଅଶ୍ବିନ ଭଲ ବିଦାୟୀର ହକ୍‌ଦାର ଥିଲେ’: ଝିଅର ଆବେଗଭରା ବାର୍ତ୍ତା

ଅଗ୍ରଣୀ ଅଫ୍‌ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନଙ୍କ ଅପ୍ରତ୍ୟାଶିତ ଅବସର ଭାରତୀୟ କ୍ରିକେଟ୍‌ରେ ଏକପ୍ରକାର ଝଡ଼ ସୃଷ୍ଟି କରିଛି। ଅଶ୍ବିନଙ୍କ ନିଷ୍ପତ୍ତି ଅନେକଙ୍କୁ ଚକିତ ବି କରି ଦେଇଛି। ବିଶେଷ କରି ବିଦେଶ ଗସ୍ତରେ ଏକ ଶୃଙ୍ଖଳା...

ନୂଆଦିଲ୍ଲୀ:  ଅଗ୍ରଣୀ ଅଫ୍‌ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନଙ୍କ ଅପ୍ରତ୍ୟାଶିତ ଅବସର ଭାରତୀୟ କ୍ରିକେଟ୍‌ରେ ଏକପ୍ରକାର ଝଡ଼ ସୃଷ୍ଟି କରିଛି। ଅଶ୍ବିନଙ୍କ ନିଷ୍ପତ୍ତି ଅନେକଙ୍କୁ ଚକିତ ବି କରି ଦେଇଛି। ବିଶେଷ କରି ବିଦେଶ ଗସ୍ତରେ ଏକ ଶୃଙ୍ଖଳା ଅଧାରୁ ଏଭଳି ନିଷ୍ପତ୍ତିକୁ ଅନେକ ଗ୍ରହଣ କରିପାରିନାହାନ୍ତି। କିଂବଦନ୍ତି କ୍ରିକେଟର୍ କପିଳ ଦେବ କହିଛନ୍ତି ‘‘ମୁଁ ବୁଝିପାରୁନି ରବିଚନ୍ଦ୍ରନ ଅଶ୍ବିନ କାହିଁକି ଅବସର ନେଇଗଲେ। ମୁଁ ଏହା ପଛର କାହାଣୀ ଜାଣିବାକୁ ଚାହେ ଏବଂ ତାଙ୍କୁ ବି ବହୁ ସମ୍ମାନ କରେ। ଅଶ୍ବିନ ନିଶ୍ଚିତ କୌଣସି କାରଣରୁ ଅସନ୍ତୁଷ୍ଟ ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଭାରତର ଅନ୍ୟତମ ମହାନ କ୍ରିକେଟର୍ ଏଭଳି ଭାବେ ଖେଳ ଛାଡ଼ିବାରେ ମୁଁ ସମ୍ପୂର୍ଣ୍ଣ ଭାବେ ବିସ୍ମିତ। ପ୍ରଶଂସକମା‌ନେ ବି ଚକିତ ହୋଇଛନ୍ତି। ଅଶ୍ବିନ ଏକ ଭଲ ବିଦାୟୀର ହକ୍‌ଦାର ଥିଲେ। ଘରୋଇ ମାଟିରେ ଅବସର ନେବାକୁ ସେ ଅପେକ୍ଷା କରିବାର ଥିଲା।’’  ଭାରତୀୟ କ୍ରିକେଟ୍‌ ପାଇଁ ଅଶ୍ବିନଙ୍କ ଅବଦାନ ଉଲ୍ଲେଖନୀୟ। ମୁଁ ନିଶ୍ଚିତ ଯେ ବିସିସିଆଇ ଏକ ସ୍ବତନ୍ତ୍ର ବିଦାୟୀର ଆୟୋଜନ କରିବ ବୋଲି ୬୫ ବର୍ଷୀୟ କପିଳ ଆଶା ପ୍ରକଟ କରିଛନ୍ତି। ୧୦୬ ଟେଷ୍ଟ୍ ଖେଳିଥିବା ଅଶ୍ବିନ ଭାରତ ପାଇଁ ସର୍ବାଧିକ ଥର ମ୍ୟାନ୍ ଅଫ୍ ଦି ସିରିଜ୍ ସମ୍ମାନ ପାଇଥିଲେ।

ପୂର୍ବତନ ପାକିସ୍ତାନ ବ୍ୟାଟର୍ ବସିତ୍ ଅଲୀ ମଧ୍ୟ ଅଶ୍ବିନଙ୍କ ଅବସରକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ବିରାଟ କୋହଲି ଅଧିନାୟକ ଥିଲେ ସେ ନିଶ୍ଚିତ ଅଶ୍ବିନଙ୍କୁ ବିଜିଟି ଶୃଙ୍ଖଳା ଶେଷରେ ନିଷ୍ପତ୍ତି ନେବାକୁ ପ୍ରବର୍ତ୍ତାଇଥାନ୍ତେ। ଏପରିକି ରାହୁଲ ଦ୍ରାବିଡ଼ କି ରବି ଶାସ୍ତ୍ରୀ ପ୍ରଶିକ୍ଷକ ଭୂମିକାରେ ଥିଲେ ଏହା କରିଥାନ୍ତେ। ଅଶ୍ବିନଙ୍କ ଶାରୀରିକ ଭାଷା ଅନେକ କଥା କହୁଛି ବୋଲି ୫୩ ବର୍ଷୀୟ ବସିତ୍ ପ୍ରକାଶ କରିଥିଲେ। ଅଶ୍ବିନ୍ କେବଳ ଜଣେ ମ୍ୟାଚ୍‌ ବିଜେତା ନଥିଲେ, ସେ ସିରିଜ୍ ବିଜେତା ଥିଲେ  ବୋଲି ବସିତ ପ୍ରକାଶ କରିଥିଲେ।

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସ୍‌ବେନ୍‌ ଟେଷ୍ଟ୍‌ ଅମୀମାଂସିତ ‌ଭାବେ ଶେଷ ହେବା ପରେ ଭାରତର କିଂବଦନ୍ତି ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅଚାନକ ଅବସର ଘୋଷଣା କରିଥିଲେ। ଗୁରୁବାର ଅଶ୍ବିନ ଅଷ୍ଟ୍ରେଲିଆରୁ ଫେରି ଚେନ୍ନାଇରେ ପହଞ୍ଚିଛନ୍ତି।  ଅଶ୍ବିନଙ୍କ ଝିଅ ସାମାଜିକ ଗଣମାଧ୍ୟମରେ ବାପାଙ୍କୁ ଦେଇଥିବା ବିଦାୟୀ ବାର୍ତ୍ତା ଏବେ ଚର୍ଚ୍ଚାକୁ ଆସିଛି। ଅଶ୍ବିନ ନିଜ ‘ଏକ୍ସ’ରେ ଝିଅର ଏକ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଝିଅ ଏକ ପ୍ଲା କାର୍ଡ ଧରିଛନ୍ତି। ଏଥିରେ ଲେଖା ହୋଇଛି ‘ଧନ୍ୟବାଦ, ଆଶ୍‌ନା, ଆପଣଙ୍କ ପାଖରେ ରାସ୍ତା ଅଛି’। ଗୁରୁବାର ଅଶ୍ବିନ ନିଜ ସହର ଚେନ୍ନାଇରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ ସହ ପାଛୋଟି ନିଆଯାଇଥିଲା। ବିମାନବନ୍ଦରରେ ଅଶ୍ବିନ ସାମ୍ବାଦିକଙ୍କୁ କହିଥିଲେ, ‘‘ମୁଁ ସିଏସ୍‌କେ ପାଇଁ ଖେଳିବାକୁ ଯାଉଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ‌ଯେତେ‌ ଦିନ ପର୍ଯ୍ୟନ୍ତ ମୋ ଶରୀର ଚାହିବ ଖେଳିବି। ମୁଁ ଭାବୁନି କ୍ରିକେଟର୍‌ ଅଶ୍ବିନଙ୍କ କାମ ସରିଗଲା। ଭାରତୀୟ କ୍ରିକେଟର୍‌ ଅଶ୍ବିନଙ୍କ ସମୟ ଆସିଗଲା। ଏହା ବହୁତ ଲୋକଙ୍କୁ ଭାବପ୍ରବଣ କରିଛି। ଏହା ତ ହେବ। କିନ୍ତୁ ମୋ ପାଇଁ ଆରାମ ଓ ସନ୍ତୁଷ୍ଟିର ଏକ ବଡ଼ ଅନୁଭୂତି। ଅବସର ନେବା ମୋ ମନରେ ଚାଲୁଥିଲା। ‌ଚତୁର୍ଥ ଦିନ ଚିନ୍ତା କଲି ଏବଂ ପଞ୍ଚମ ଦିନ ଅବସର ଘୋଷଣା କଲି’’। ଅନିଲ କୁମ୍ବଲେ (୬୧୯)ଙ୍କ ପରେ ଅଶ୍ବିନ ଭାରତର ଦ୍ବିତୀୟ ସର୍ବାଧିକ ଟେଷ୍ଟ୍‌ ୱିକେଟ୍‌ (୫୩୭ ୱିକେଟ୍‌) ହାସଲକାରୀ।

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.