Breaking News

ଅଷ୍ଟ୍ରେଲିଆକୁ ଗମ୍ଭୀର ଆହ୍ବାନ: ‘ଆମେ ଯେକୌଣସି ପିଚ୍‌ ପାଇଁ ପ୍ରସ୍ତୁତ’

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପର୍ଥ ସହରକୁ ଯାତ୍ରା କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ତଥା ପୂର୍ବତନ ଅନ୍ତର୍ଜାତୀୟ ଓପନର୍ ଗୌତମ ଗମ୍ଭୀର ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ଖୋଲା ଚେତାବନୀ ଦେଇଛନ୍ତି।

0

ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପର୍ଥ ସହରକୁ ଯାତ୍ରା କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ତଥା ପୂର୍ବତନ ଅନ୍ତର୍ଜାତୀୟ ଓପନର୍ ଗୌତମ ଗମ୍ଭୀର ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ଖୋଲା ଚେତାବନୀ ଦେଇଛନ୍ତି। ଘରୋଇ ପରି‌ବେଶରେ ନ୍ୟୁଜିଲାଣ୍ଡଠାରୁ ଭାରତ ଅପ୍ରତ୍ୟାଶିତ ଭାବେ ୦-୩ରେ ପରାଜିତ ହେବା ପରେ ତୀବ୍ର ସମାଲୋଚନାର ସମ୍ମୁଖୀନ ‌ହେଉଥିବା ଗମ୍ଭୀର ସୋମବାର ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ସାହସର ସହ ଦେଇଥିଲେ। ଅଷ୍ଟ୍ରେଲିଆ ଶୃଙ୍ଖଳା ନେଇ କହିଥିଲେ, ପିଚ୍ ପ୍ରସ୍ତୁତି ଆମ ନିୟନ୍ତ୍ରଣରେ ନାହିଁ। ଯେମିତି ୱିକେଟ୍ ମିଳିବ, ସେମିତି ଖେଳିବୁ। ଆମକୁ କିଭଳି ଓ କିପ୍ରକାର ପିଚ୍‌ରେ ଖେଳାଇବେ, ସେ ନିଷ୍ପତ୍ତି ସେମାନଙ୍କ (ଅଷ୍ଟ୍ରେଲିଆ) ଉପରେ ଛାଡ଼ି ଦେଇଛୁ। ଏକଥା‌ କିନ୍ତୁ ମୁଁ ଦୃଢ଼ତାର ସହ କହିପାରିବି ଯେ ଆମେ ସବୁ ପ୍ରକାର ପାଗ, ପରିବେଶ ଓ ପରିସ୍ଥିତି ଲାଗି ପୂରା ପ୍ରସ୍ତୁତ ଅଛୁ। ସବୁ ଦିଗକୁ ଆମେ ସୁରକ୍ଷିତ କରିଛୁ। ଯଦି ଆମେ ଆମ ଦକ୍ଷତା ଅନୁଯାୟୀ କ୍ରିକେଟ୍ ଖେଳିବୁ, ତାହେଲେ ସେମାନଙ୍କୁ ନିଶ୍ଚିତ ହରାଇପାରିବୁ।

ପର୍ଥରେ ପ୍ରଥମ ଟେଷ୍ଟ୍‌ ଆରମ୍ଭ (ନଭେମ୍ବର ୨୨ରୁ ୨୬) ହେବାର ୧୦ ଦିନ ପୂର୍ବରୁ ଭାରତୀୟ ଦଳ ସେଠାରେ ପହଞ୍ଚିବାର ବ୍ୟବସ୍ଥା ବିସିସିଆ‌ଇ କରିଥିବାରୁ ଗମ୍ଭୀର ଏଥିନେଇ ଖୁସି ଜାହିର କରିଥିଲେ। ‘‘ମୁଁ ଭାବୁଛି ୧୦ ଦିନର ସମୟ ଆମ ପାଇଁ ପର୍ଯ୍ୟାପ୍ତ ହେବ। ଆମ ପାଖରେ ବହୁ ଅଭିଜ୍ଞ ଖେଳାଳି ଅଛନ୍ତି। ଆମେ ମଧ୍ୟ ଅଷ୍ଟ୍ରେଲିଆକୁ ବହୁବାର ଯାଇସାରିଲୁଣି। ଏଣୁ ବରିଷ୍ଠ ଖେଳାଳିଙ୍କ ଅଭିଜ୍ଞତାରୁ ଯୁବ ଓ ନବାଗତମାନେ ବହୁତ କିଛି ଶିଖି ପାରିବେ। ଆଗାମୀ ୧୦ ଦିନ ଆମ ପାଇଁ ଢେର ମହତ୍ତ୍ବ ରଖିବ। ଆମକୁ ପ୍ରଥମ ବଲ୍‌ରୁ ଭଲ କରିବାକୁ ହେବ’’ ବୋଲି ମତ ରଖିଥିଲେ। ନ୍ୟୁଜିଲାଣ୍ଡଠାରୁ ୦-୩ରେ ହାରିବା ସତ୍ତ୍ବେ ଏହା ତାଙ୍କ ଉପରେ କୌଣସି ଅତିରିକ୍ତ ଚାପ ସୃଷ୍ଟି କରିନି ବୋଲି ନିଜ ଚିରାଚରିତ ବିରକ୍ତିକର ଓ ବେପରୁଆ ଢଙ୍ଗରେ କହିଥିଲେ ଗମ୍ଭୀର।

ପଣ୍ଟିଂଙ୍କ ଉପରେ ବର୍ଷିଲେ, ରୋହିତ ଓ ‌କୋହଲିଙ୍କୁ ସମର୍ଥନ
ଭାରତୀୟ କିଂବଦନ୍ତି କ୍ରିକେଟର୍ ବିରାଟ ‌କୋହଲିଙ୍କ ଫର୍ମକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ ବିଶ୍ବବିଜୟୀ ଅଧିନାୟକ ରିକି ପଣ୍ଟିଂ ପ୍ରଶ୍ନ ଉଠାଇଥିବାରୁ ଗମ୍ଭୀର ତାଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ, ରୋହିତ ଓ ବିରାଟଙ୍କୁ ନେଇ ମୋର ଟିକିଏ ହେଲେ ବି ଚିନ୍ତା ନାହିଁ। ପଣ୍ଟିଂଙ୍କର ଭାରତୀୟ କ୍ରିକେଟ୍ ସହ କୌଣସି ଦେବାନେବା ନାହିଁ। ସେ ଅଷ୍ଟ୍ରେଲିଆ କ୍ରିକେଟ୍ କଥା ଚିନ୍ତା କରନ୍ତୁ। ରୋହିତ ଓ କୋହଲି ଦୃଢ଼ ମାନସିକତାଭରା କ୍ରିକେଟର୍‌। ଭାରତୀୟ କ୍ରିକେଟ୍ ପାଇଁ ସେମାନେ ଅନେକ କିଛି କରିଛନ୍ତି। ଭବିଷ୍ୟତରେ ମଧ୍ୟ ସେମାନେ ଅନେକ କିଛି ହାସଲ କରିବେ। ମୋ ପାଇଁ ସବୁଠୁ ବଡ଼ କଥା ହେଲା ସେମାନେ ଏବେ ବି କଠିନ ପ୍ରଦର୍ଶନ କରୁଛନ୍ତି। ଭଲ କରିବା ପାଇଁ ଭୋକିଲା ଅଛନ୍ତି। ଏବେବି କ୍ରିକେଟ୍‌ କଥା ପଡ଼ିଲେ ସେମାନେ ଉଲ୍ଲସିତ ହୋଇଯା’ନ୍ତି। ଆଉ ଏହା ହିଁ ହେଉଛି ସବୁଠୁ ବେଶୀ ଗୁରୁତ୍ବପୂର୍ଣ୍ଣ। ପିଢ଼ି ପରିବର୍ତ୍ତନ ନୁହେଁ, ଏବେ ଶୃଙ୍ଖଳା ଜିତିବା ଆମ ଏକମାତ୍ର ଲକ୍ଷ୍ୟ। ସେହିଭଳି ଆମେ ଏବେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ କଥା‌ ବି ଭାବୁନୁ। ଅନ୍ୟପକ୍ଷରେ ଭାରତର ଗତ ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ଶାର୍ଦୁଳ ଠାକୁରଙ୍କ ଟେଷ୍ଟ୍ କ୍ୟାରିୟର୍ ଆପାତତଃ ଶେଷ ହୋଇଯାଇଛି ବୋଲି ସଙ୍କେତ ଦେଇଥିଲେ ଗମ୍ଭୀର। ସୂଚନାଯୋଗ୍ୟ ଯେ କୋହଲିଙ୍କୁ ନେଇ ପଣ୍ଟିଂ କହିଥିଲେ ଯେ ଗତ ୫ବର୍ଷ ଭିତରେ କୋହଲି ମାତ୍ର ଦୁଇଟି ଶତକ ଅର୍ଜନ କରିଛନ୍ତି। ଆଉ କେଉଁ ଦେଶ ହୋଇଥିଲେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁ ନଥା’ନ୍ତେ।

ରୋହିତ ନ ଖେଳିଲେ ବୁମ୍‌ରା ଅଧିନାୟକ
‌ଅଧିନାୟକ ରୋହିତ ଶର୍ମା ପର୍ଥ ଟେଷ୍ଟ୍‌ରେ ଖେଳିବେ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନଥିଲେ ଗମ୍ଭୀର। ତେବେ ରୋହିତ ଅନୁପସ୍ଥିତ ରହିଲେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ନେତୃତ୍ବ ନେବେ ବୋଲି ସ୍ପଷ୍ଟ କରି ଦେଇଥିଲେ। ସେ ଆହୁରି କହିଥିଲେ, ରୋହିତଙ୍କୁ ନେଇ ମୋ ପାଖରେ ଏବେ କୌଣସି ସ୍ପଷ୍ଟ ସୂଚନା ନାହିଁ। ଆଶା କରୁଛି ସେ ଖେଳିବେ, ଯଦି ନ ଖେଳନ୍ତି ତାହେଲେ ଆମେ ବିକଳ୍ପ କଥା ଚିନ୍ତା କରିବୁ। ବୁମ୍‌ରା ହେଉଛନ୍ତି ଉପଅଧିନାୟକ, ଯଦି ରୋହିତ ଉପଲବ୍ଧ ନ ହେବେ, ପର୍ଥରେ ସେ ହିଁ ଆମ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ। ଅଭିମନ୍ୟୁ ଈଶ୍ବରନ୍ ଓ କେଏଲ୍ ରାହୁଲଙ୍କ ମଧ୍ୟରୁ ଜଣେ ପାଳି ଆରମ୍ଭ କରିବେ। ଏହି ନିଷ୍ପତ୍ତି ଆମେ ମ୍ୟାଚ୍ ଦିନ ସକାଳେ ନେବୁ।

ରାହୁଲ ଜଣେ ଭଲ ଖେଳାଳି
ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ସହ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ବିଫଳ ହୋଇଥିବା ବ୍ୟାଟର୍ କେଏଲ୍ ରାହୁଲଙ୍କୁ ଗମ୍ଭୀର ଦୃଢ଼ ସମର୍ଥନ କରିଛନ୍ତି। ‘‘ରାହୁଲଙ୍କ ବିଶେଷତ୍ବ ହେଉଛି ସେ ତିନି ନମ୍ବରରେ ବି ଖେଳିପାରିବେ, ଛ’ ନମ୍ବରରେ ବି ଖେଳିପାରିବେ। ଏଭଳି କରିବା ଲାଗି ଆପଣଙ୍କ ପାଖରେ ପ୍ରଚୁର ପ୍ରତିଭା ଥିବା ଦରକାର। ଦିନିକିଆରେ ସେ ମଧ୍ୟ ୱିକେଟ୍‌ରକ୍ଷଣ କରୁଛନ୍ତି। ‌ମୋତେ କୁହନ୍ତୁ, ଆଉ କେତେଜଣ ଖେଳାଳି ଏମିତି କରିପାରିବେ। ରୋହିତଙ୍କ ଅନୁପସ୍ଥିତି ରହିଲେ ସେ ଏହାକୁ ସଫଳତା ସହ ଭରଣା କରିପାରିବେ ବୋଲି ଭାବୁଛି’’ ବୋଲି କହିଛନ୍ତି ଗମ୍ଭୀର।

ଗମ୍ଭୀରଙ୍କୁ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରଖ: ମଞ୍ଜରେକର
ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଗମ୍ଭୀର ଭାରତୀୟ ଦଳକୁ ନେଇ ଅନେକ ସାହସିକ ତଥ୍ୟ ପ୍ରଦାନ କରିଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତା ଶୈଳୀ ପୂର୍ବତନ କ୍ରିକେଟର୍‌ ସଞ୍ଜୟ ମଞ୍ଜରେକରଙ୍କୁ ଆଦୌ ପସନ୍ଦ ଆସିନି। ବିଶେଷ କରି ପଣ୍ଟିଂଙ୍କୁ ସେ ଯେଭଳି କଟାକ୍ଷ କରିଥିଲେ ତାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ମଞ୍ଜରେକର। ସେଥିପାଇଁ ‘ଏକ୍ସ’ ପୃଷ୍ଠାରେ ଲେଖାଲେଖି ଗମ୍ଭୀରଙ୍କୁ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରଖି ପରଦା ପଛରେ କାମ କରିବାକୁ ଦେବାକୁ ବିସିସିଆଇକୁ ଆହ୍ବାନ କରିଛନ୍ତି। ସେ ଲେଖିଛନ୍ତି, ଏବେଏବେ ଗମ୍ଭୀରଙ୍କ ସା‌ମ୍ବାଦିକ ସମ୍ମିଳନୀ ଦେଖିଲି। ବିସିସିଆଇ, ଏଭଳି ଦାୟିତ୍ବରୁ ତାଙ୍କୁ ଦୂରେଇ ରଖି, ପରଦା ପଛରେ କାମ କରିବାକୁ ଦେବା ବିଜ୍ଞତାର ପରିଚୟ ହେବ। ଗଣମାଧ୍ୟମ ସହ ବାର୍ତ୍ତାଳାପ କରିବାର ସଠିକ୍ ଆଚରଣ କିମ୍ବା ଶବ୍ଦ ଚୟନ ତାଙ୍କ ପାଖରେ ସମ୍ଭବତଃ ନାହିଁ। ଏହି କାମ ରୋହିତ କିମ୍ବା ଅଗରକର ବହୁତ ଭଲ ଭାବରେ କରିପାରିବେ।
ସୌଜନ୍ୟ – ସମ୍ୱାଦ

Leave A Reply

Your email address will not be published.