Breaking News

ଅସଲ ନାୟକକୁ ଲୋଡ଼ା ନାହିଁ ଅସ୍ତ୍ର

ଭାରତ-ପାକିସ୍ତାନ ପ୍ରସଙ୍ଗ ଆସିଲେ ଆତଙ୍କବାଦ, ଯୁଦ୍ଧ, ସଂଘର୍ଷ, ରାଜନୀତି, ଦେଶଭକ୍ତି ଭଳି ବିଷୟ ଏତେ ବଡ଼ ହୋଇଯାଏ ଯେ ସେଥିରେ ଜଣେ ସାଧାରଣ ଲୋକଙ୍କ ବ୍ୟକ୍ତିଗତ ସଂଘର୍ଷ ଖୁବ୍ ଛୋଟ ମନେ ହୋଇଥାଏ।

ଭାରତ-ପାକିସ୍ତାନ ପ୍ରସଙ୍ଗ ଆସିଲେ ଆତଙ୍କବାଦ, ଯୁଦ୍ଧ, ସଂଘର୍ଷ, ରାଜନୀତି, ଦେଶଭକ୍ତି ଭଳି ବିଷୟ ଏତେ ବଡ଼ ହୋଇଯାଏ ଯେ ସେଥିରେ ଜଣେ ସାଧାରଣ ଲୋକଙ୍କ ବ୍ୟକ୍ତିଗତ ସଂଘର୍ଷ ଖୁବ୍ ଛୋଟ ମନେ ହୋଇଥାଏ। ତେଣୁ ପାକିସ୍ତାନ ସମ୍ପର୍କିତ ଅଧିକାଂଶ ବଲିଉଡ୍‌ ସିନେମାରେ ନାୟକ ଓ ନାୟିକା ଥିଲେ ବି ଉପରୋକ୍ତ ବିଷୟମାନ ହିଁ କାହାଣୀ କେନ୍ଦ୍ରରେ ରହିଥାଏ। ସେହି ଧାରାର ଏକ ତାଜା ବ୍ୟତିକ୍ରମ ‘ଦି ଡିପ୍ଲୋମାଟ୍‌’। ଏହା ଜଣେ କୂଟନୀତିଜ୍ଞଙ୍କ ଜୀବନକୁ ନିକଟରୁ ଦେଖାଇବା ସହିତ ଜଣେ ଅତ୍ୟାଚାରିତ ମହିଳାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନର ସଂଘର୍ଷକୁ ଖୁବ୍ ମାନବୀୟ ଢଙ୍ଗରେ ଉପସ୍ଥାପନ କରିଛି। ଏହି ଚଳଚ୍ଚିତ୍ରରେ ଉଗ୍ର ଦେଶପ୍ରେମର ସାହାଯ୍ୟ ନିଆଯାଇନାହିଁ କି ଏଥିରେ ଧର୍ମ ଆଧାରରେ ବିଦ୍ବେଷର ଭାବନା ନାହିଁ। ତଥାପି ସୀମା ସେପାରର ସବୁ ଲୋକ ଯେ ନିଷ୍ଠୁର ଓ କୁଚକ୍ରୀ ତାହା ଦର୍ଶାଇବା ବେଳେ ଏହି ସିନେମା ନିୟନ୍ତ୍ରଣ ପ୍ରଦର୍ଶନ କରିନାହିଁ।

୨୦୧୫ର ‘ବଜରଙ୍ଗୀ ଭାଇଜାନ’ ଚଳଚ୍ଚିତ୍ର ସହ ‘ଦି ଡିପ୍ଲୋମାଟ୍‌’ର କିଛିଟା ସାମଞ୍ଜସ୍ୟ ଓ କେତେକ ବୈପରୀତ୍ୟ ମଧ୍ୟ ରହିଛି। ‘ବଜରଙ୍ଗୀ ଭାଇଜାନ’ରେ ପାକିସ୍ତାନୀ ଝିଅ ‘ଶାହିଦା’ ଭାରତ ଆସି ପରିବାରଠାରୁ ବିଚ୍ଛିନ୍ନ ହୋଇଯିବା ପରେ ‘ବଜରଙ୍ଗୀ’ ନାମକ ଭାରତୀୟ ଯୁବକ ତାକୁ ସୁରକ୍ଷିତ ଭାବେ ତା’ ପରିବାର ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବାର କାହାଣୀ ଦେଖିବାକୁ ମିଳିଥିଲା। ଅପରପକ୍ଷେ ‘ଡି ଡିପ୍ଲୋମାଟ୍‌’ରେ ଭାରତୀୟ ମହିଳା ଉଜମା ଅହମଦ (ସାଦିୟା ଖତୀବ)ଙ୍କୁ ଚକ୍ରାନ୍ତ କରି ପାକିସ୍ତାନ ନେଇଯିବା ପରେ ତାହିର (ଜଗଜୀତ ସାନ୍ଧୁ) ତାଙ୍କୁ ଜୋର ଜବରଦସ୍ତ ବିବାହ କରି ବନ୍ଦୀ ରଖିଛି। ଉଜମା ଭାରତୀୟ ଦୂତାବାସରେ ପହଞ୍ଚି ଜେ. ପି. ସିଂହ (ଜନ୍‌ ଆବ୍ରାହାମ)ଙ୍କୁ ସବୁକଥା କହିବା ପରେ ସେ ତାଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାର ଉଦ୍ୟମ କରୁଛନ୍ତି। ବଜରଙ୍ଗୀ ଉଭୟ ଭାରତ ଓ ପାକିସ୍ତାନରେ ପ୍ରଶାସନର ବିରୋଧର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଜନତାଙ୍କ ସମର୍ଥନ ପାଇଥିଲେ। କିନ୍ତୁ ‘ଦି ଡିପ୍ଲୋମାଟ୍‌’ରେ ଉଜମା ଓ ଜେ. ପି. ଭାରତର ବୈଦେଶିକ ମନ୍ତ୍ରୀଙ୍କ ସିଧାସଳଖ ସମର୍ଥନ ପାଇଛନ୍ତି ଏବଂ ପାକିସ୍ତାନର ବ୍ୟବସ୍ଥାରୁ ଆରମ୍ଭ କରି ଜନସାଧାରଣ ପର୍ଯ୍ୟନ୍ତ ଖଳନାୟକ ଭଳି ଆଚରଣ କରୁଛନ୍ତି। ତଥାପି ପାକିସ୍ତାନର ନ୍ୟାୟାଳୟରୁ ଉଜମାଙ୍କୁ ଭାରତ ଫେରିବାର ଅନୁମତି ମିଳୁଛି। ହେଲେ ଏ ସଂଘର୍ଷର ଅନ୍ତ ଘଟିବା ପୂର୍ବରୁ ସେମାନଙ୍କୁ ବିପଦପୂର୍ଣ୍ଣ ଭାବେ ଵାଘା ବର୍ଡର୍‌କୁ ଯାତ୍ରା କରିବାକୁ ପଡୁଛି।

ପ୍ରାୟ ଅଢ଼େଇ ଘଣ୍ଟାର ଏହି ସିନେମାଟି ଧୀମା ବେଗରେ ଆରମ୍ଭ ହେଲେ ବି ପରଦାରୁ ଦର୍ଶକର ଧ୍ୟାନ ହଟିନଥାଏ। ପୁଣି ଏଥିରେ ଚିତ୍ତାକର୍ଷକ ଆକ୍ସନ, ନାଟକୀୟ ମୋଡ଼, ଅତିରଞ୍ଜନ ବା ରୋମାଞ୍ଚ ବି ନାହିଁ। ତଥାପି ଏହାର ଗତିଶୀଳତା ବା ଉପଭୋଗ୍ୟତା ବ୍ୟାହତ ହୋଇନାହିଁ। ଏହାର ଶ୍ରେୟ କାହାଣୀ ଲେଖକ ରିତେଶ ଶାହଙ୍କୁ ଯିବ। ପାକିସ୍ତାନର ଭାରତୀୟ ଦୂତାବାସରେ ଅବସ୍ଥାପିତ ଡେପୁଟି କମିସନର୍ ଜେ. ପି. ସିଂହ ଚରିତ୍ରରେ ଜନ୍‌ ଆବ୍ରାହାମଙ୍କ ସଂଯମ ଅଭିନୟ ମୁଗ୍‌ଧ କରିବାର ଅନ୍ୟତମ କାରଣ ହେଲା ଅନୁରୂପ ଚରିତ୍ରରେ ଚିରାଚରିତ ଭାବେ ଦିଶିଆସୁଥିବା ଅକ୍ଷୟ କୁମାରଙ୍କର ପାରଙ୍ଗମ ବିକଳ୍ପ ଭାବେ ସେ ଉଭା ହୋଇଛନ୍ତି। କିନ୍ତୁ ଜନ୍‌ଙ୍କ ସହିତ ଆକ୍ସନ ଅଭିନେତାର ପରିଚୟ ଏଭଳି ଓତପ୍ରୋତ ଭାବେ ଜଡ଼ିତ ଯେ ଏହି ସିନେମାର କେତେକ ସଂଘର୍ଷମୟ ଦୃଶ୍ୟରେ ଜେ. ପି. କେଉଁ ମୁହୂର୍ତ୍ତରେ ବି ବନ୍ଧୁକ ଫୁଟାଇବା ଆରମ୍ଭ କରିଦେବେ ବୋଲି ଅନୁଭବ ହୋଇଥାଏ। କିନ୍ତୁ ଏଥିରେ ସେ ନିଜ ଚରିତ୍ରରୁ ବିଚ୍ୟୁତ ନ ହୋଇ ଜୀବନମରଣ ପରିସ୍ଥିତିରେ ସୁଦ୍ଧା ବାହୁବଳ ପ୍ରୟୋଗ କରିନାହାନ୍ତି। କୂଟନୀତିଜ୍ଞମାନେ ବିଭିନ୍ନ ଆହ୍ବାନମୂଳକ ପରିସ୍ଥିତିର ଚାପରେ ରହି ବି କେବଳ ମସ୍ତିଷ୍କର ଶକ୍ତି ବଳରେ ସଫଳତା ହାସଲ କରିନିଅନ୍ତି, ତାହାର ଏକ ବାସ୍ତବଧର୍ମୀ ଉଦାହରଣ ଭାବେ ‘ଦି ଡିପ୍ଲୋମାଟ୍‌’କୁ ଦେଖାଯାଇପାରେ।  ତେଣୁ ଏହାର ପୋଷ୍ଟର୍‌ରେ ଯଥାର୍ଥ ଭାବେ ଲେଖାଯାଇଛି- ‘ଅସଲ ନାୟକକୁ ଅସ୍ତ୍ରଶସ୍ତ୍ର ଲୋଡ଼ା ନାହିଁ।’

ଏହି ଚଳଚ୍ଚିତ୍ରର ଆଉ ଏକ ଭଲ ଦିଗ ହେଲା ଏଥିରେ ଉଜମାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ଜଣେ ଅସହାୟା ନାରୀର ଉଦ୍ଧାର ମିସନ୍ ରୂପେ ଦେଖାଯାଇନାହିଁ। ଜଣେ ଅତ୍ୟାଚାରୀ ଅପହର୍ତ୍ତା ଏବଂ ତାକୁ ସମର୍ଥନ କରୁଥିବା ଏକ ଶକ୍ତିଶାଳୀ ବ୍ୟବସ୍ଥା ବିରୋଧରେ ଲଢ଼ିବାରେ ଉଜମାଙ୍କ ସାହସିକତାକୁ ମଧ୍ୟ ଶ୍ରେୟ ଦିଆଯାଇଛି। ତତ୍‌କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ ଭାରତ ଫେରିବାରେ ସାହାଯ୍ୟ କରିବା ତାଙ୍କ କର୍ତ୍ତବ୍ୟ ବୋଲି କହି ଉଜମାଙ୍କ କୃତଜ୍ଞତାପୂର୍ଣ୍ଣ ଧନ୍ୟବାଦକୁ ଅନାବଶ୍ୟକ କହିବାର ଦୃଶ୍ୟ ନିଶ୍ଚିତ ଭାବେ ଭାରତୀୟମାନଙ୍କୁ ଗର୍ବିତ ଅନୁଭବ କରାଇବ।

ଦି ଡିପ୍ଲୋମାଟ୍‌
ନିର୍ଦେଶକ: ଶିବମ ନାୟର
ମୁଖ୍ୟ ଚରିତ୍ରରେ: ଜନ୍ ଆବ୍ରାହମ, ସାଦିୟା ଖତୀବ, ଜଗଜୀତ ସାନ୍ଧୁ

 

 

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.