Breaking News

ଅସହାୟ ‘ଆର୍କଟିକ୍‌’

ଅନେକ ରଣନୀତିଜ୍ଞ କହନ୍ତି ‌େଯ ‘ଆର୍କଟିକ୍‌’ର ଦୁଃସ୍ଥିତି ବା କଷଣ ସ୍ବାର୍ଥପର, ଲାଭାର୍ଥୀ ଓ ଏକଦେଶଦର୍ଶୀ ରାଷ୍ଟ୍ରନେତାମାନଙ୍କ ହିମୀକୃତ ହୃଦୟକୁ ହୁଏତ ତରଳାଇ ପାରିବ ନାହିଁ। ଅପର ପକ୍ଷରେ ଆବାସ ଓ ଖାଦ୍ୟ ହରା ଅସହାୟ ମେରୁ ଭଲ୍ଲୁକ ଶାବକଟିଏ ଉତ୍ତପ୍ତ ମେରୁ ଅଞ୍ଚଳରେ...

ଅନେକ ରଣନୀତିଜ୍ଞ କହନ୍ତି ‌େଯ ‘ଆର୍କଟିକ୍‌’ର ଦୁଃସ୍ଥିତି ବା କଷଣ ସ୍ବାର୍ଥପର, ଲାଭାର୍ଥୀ ଓ ଏକଦେଶଦର୍ଶୀ ରାଷ୍ଟ୍ରନେତାମାନଙ୍କ ହିମୀକୃତ ହୃଦୟକୁ ହୁଏତ ତରଳାଇ ପାରିବ ନାହିଁ। ଅପର ପକ୍ଷରେ ଆବାସ ଓ ଖାଦ୍ୟ ହରା ଅସହାୟ ମେରୁ ଭଲ୍ଲୁକ ଶାବକଟିଏ ଉତ୍ତପ୍ତ ମେରୁ ଅଞ୍ଚଳରେ ଆଇସ୍‌କ୍ରିମଟିଏ ଚୋଷୁଥିବାର ବ୍ୟଙ୍ଗ ଚିତ୍ର କେଉଁ ଜଣେ ବିଷଣ୍ଣ କାର୍ଟୁନିଷ୍ଟଙ୍କ ଗଭୀର ମର୍ମଦାହରୁ ରୂପ ପାଉଥିବା ବେଳେ ଉପରୋକ୍ତ ରାଷ୍ଟ୍ରର ନେତା ଓ ନୀତି ନିର୍ଧାରକମାନଙ୍କ ସକାଶେ ହୁଏତ ହାସ୍ୟ-ପରିହସର ଖୋରାକ ହେବ!

ଗଲା ଡିସେମ୍ବର ୩ ତାରିଖରେ ଖ୍ୟାତିସଂପନ୍ନ ଗବେଷଣାମୂଳକ ପତ୍ରିକା ‘ନେଚର୍‌ କମ୍ୟୁନିକେସନ୍‌’ରେ ପ୍ରକାଶିତ ଏକ ଆଲେଖ୍ୟର ବର୍ଣ୍ଣନା ଅନୁଯାୟୀ ଆଉ ମାତ୍ର ତିନି ବର୍ଷ ପରେ ଅର୍ଥାତ୍‌ ୨୦୨୭ ମସିହା ‌େବଳକୁ ଚିର ବରଫାବୃତ ‘ଆର୍କଟିକ୍‌’ ବା ଉତ୍ତର ମେରୁ ଅଞ୍ଚଳରେ ‘ବରଫମୁକ୍ତ’ ସ୍ଥିତିର ଆବିର୍ଭାବ ଘଟିବ, ଯାହା ଭୂପୃଷ୍ଠରେ ପ୍ରାଣ ସତ୍ତା ସୃଷ୍ଟି ହେବା ପରଠାରୁ କେବେହେଁ ଘଟି ନ ଥିଲା। ଏହି ନିବନ୍ଧର ରଚୟିତା ତଥା ସ୍ବିଡେନ୍‌ସ୍ଥିତ ଗଟେନବର୍ଗ ବିଶ୍ବବିଦ୍ୟାଳୟର ‘ଉତ୍ତର ମେରୁ ବିଶେଷଜ୍ଞ’ ଦ୍ବୟଙ୍କ ଅନୁସାରେ ଦ୍ରୁତ କ୍ଷୟିଷ୍ଣୁ ବରଫ ଆସ୍ତରଣ ହେତୁ ‘ଆର୍କଟିକ୍‌ ଓସେନ୍‌’ ବା ‘ଉତ୍ତର ମେରୁ ମହାସାଗର’ର ୧୬ ନିୟୁତ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ରଜତ ଶୁଭ୍ର ବିଶାଳ ହିମୀକୃତ ଅଞ୍ଚଳର ଆୟତନରେ ସଂକୋଚନ ଘଟି ଚାଲିଛି, ଯଦ୍ଦ୍ବାରା ଏଭଳି ‘ବରଫମୁକ୍ତ’ ସ୍ଥିତିର ପ୍ରାରମ୍ଭ କ୍ଷଣ ଅଚିରେ ଉପସ୍ଥିତ ହେବ। ଯଦିଓ, ଏହାର କାରଣ ଜଳବାୟୁ ପରିବର୍ତ୍ତନଜନିତ ବିଶ୍ବ ଉତ୍ତପ୍ତୀକରଣ ଏବଂ ଏହାର ପରିଣାମରେ ଉତ୍ତର ମେରୁ ଅଞ୍ଚଳର ଅତ୍ୟନ୍ତ ବିବିଧ ଜୈବ ପରିମଣ୍ଡଳର କ୍ରମ ବିଲୟ ଘଟିବ, ଏଭଳି ଘଟଣା କିନ୍ତୁ କେବଳ ପରିବେଶବିତ୍‌ ଓ ପରିବେଶପ୍ରେମୀମାନଙ୍କୁ ଆନ୍ଦୋଳିତ କରୁନାହିଁ, ବରଂ ରଣନୀତିଜ୍ଞ ଓ ରାଜନୀତିର ବ୍ୟାଖ୍ୟାକାରମାନେ ମଧ୍ୟ ଏହା ଦ୍ବାରା ଉଦ୍‌ବେଳିତ ହେଲେଣି। ସୁତରାଂ, ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ‘ଆର୍କଟିକ୍‌’ (ଉତ୍ତର ମେରୁ) ପରିପ୍ରେକ୍ଷୀରେ ‘ଆଇସ୍‌ ଫ୍ରି’ ବା ବରଫମୁକ୍ତ ସ୍ଥିତି ବୋଇଲେ ସଂପୂର୍ଣ୍ଣ ବରଫ ଶୂନ୍ୟତା ନୁହେଁ; ଏହାର ଅର୍ଥ ‘ସି ଆଇସ୍‌ ଏରିଆ’ (‘ଏସ୍‌.ଆଇ.ଏ.) ବା ‘ବରଫୀକୃତ ସାଗରାଞ୍ଚଳ’ର ଆୟତନ ୧ ନିୟୁତ ବର୍ଗ କିଲୋମିଟରରୁ ହ୍ରାସ ପାଇବା। ଗ‌‌ଟେନବର୍ଗ ବିଶ୍ବବିଦ୍ୟାଳୟର ଦୁଇ ଗବେଷକ ସଲିନ ହେ‌ାଜେ ଓ ଆଲେକଜାଣ୍ଡ୍ରା ଜନ୍‌ଙ୍କ ଗବେଷଣାଲବ୍‌ଧ ସିଦ୍ଧାନ୍ତ ଅନୁସାରେ ଏଭଳି ଏକ ସ୍ଥିତି ୨୦୩୦ ମସିହା ପୂର୍ବରୁ ଓ ନିର୍ଦ୍ଦିଷ୍ଟ ଭାବେ ୨୦୨୭ ମସିହାରେ ଉତ୍ପନ୍ନ ହୋଇପାରେ। ପ୍ରକାଶଯୋଗ୍ୟ ଯେ ଏହି ଧାର୍ଯ୍ୟ ସମୟଟି କତିପୟ ବିଶେଷଜ୍ଞଙ୍କ ଦ୍ବାରା ପୂର୍ବରୁ ନିର୍ଦ୍ଧାରିତ ସମୟସୀମାଗୁଡ଼ିକଠାରୁ ଯଥେଷ୍ଟ ଆଗରୁ! ତେବେ, ଏ ସଂଦର୍ଭରେ ଧାରଣା ପ୍ରାଂଜଳ କରିବାକୁ ହେଲେ ଉତ୍ତର ମେରୁର ପ୍ରାକୃତିକ ପରିବେଶ ଓ ଗତିବିଧି ଉପରେ ଅବଲୋକନ କରାଯିବା ଆବଶ୍ୟକ। ସତ କହିଲେ ‘ଆର୍କଟିକ୍‌’ ମହାସାଗରର ବିସ୍ତୀର୍ଣ୍ଣ ଅଞ୍ଚଳ ସର୍ବଦା ବରଫୀକୃତ ହୋଇ ରହିଥାଏ, ଯହିଁରେ ପ୍ରତ୍ୟେକ ବର୍ଷ ଶୀତର ଆଗମନ ସହିତ ଅଧିକରୁ ଅଧିକ ବରଫ ଜମି ସାଗର ବକ୍ଷରେ ମାର୍ଚ୍ଚ ମାସ ସୁଦ୍ଧା ତିନିରୁ ଚାରି ମିଟର ଉଚ୍ଚତା ବିଶିଷ୍ଟ ବରଫର ପ୍ରାଚୀର ସୃଷ୍ଟି ହୋଇଯାଏ ଏବଂ ଏହାର ତିନି ମାସ ପରେ ଗ୍ରୀଷ୍ମ ଋତୁ ଉପନୀତ ହେବା ସହିତ କ୍ରମେ ବରଫ ତରଳି ସେପ୍‌ଟେମ୍ବର ମାସ ସୁଦ୍ଧା ବରଫ କ୍ଷୟ ସର୍ବନିମ୍ନ ସ୍ତରକୁ ଆସିଯାଏ। ଏଭଳି ସ୍ଥିତିରେ ‘ସି ଆଇସ୍‌ ଏରିଆ’ ବା ବରଫୀକୃତ ସାଗରାଞ୍ଚଳ’ ସବୁଠାରୁ କମ୍‌ ହୋଇଯାଏ। ତେବେ, ଗବେଷକ ଦ୍ବୟଙ୍କ ଆକଳନ ଅନୁସାରେ ଜୀବଜଗତର ଇତିହାସରେ ପ୍ରଥମ ଥର ଲାଗି ୨୦୨୭ ମସିହା ବେଳକୁ ଏହି ‘ସି ଆଇସ୍‌ ଏରିଆ’ ୧ ନିିୟୁତ ବର୍ଗ କିଲୋମିଟରରୁ ହ୍ରାସ ପାଇବାକୁ ଯାଉଛି। ଏହାର ଅନ୍ୟ ଏକ ସଂକେତ ହେଲା ଅଧିକ ଦ୍ରୁତ ଗତିରେ ବରଫ ତରଳିବାକୁ ଲାଗିଛି ଏବଂ ଏହି ଧାରା ଅବ୍ୟାହତ ରହିଲେ କେଇ ଦଶନ୍ଧି ମଧ୍ୟରେ ‘ଆର୍କଟିକ୍‌’ ପ୍ରକୃତରେ ସଂପୂର୍ଣ୍ଣ ବରଫଶୂନ୍ୟ ହୋଇଯିବା ଅବଧାରିତ। ପ୍ରକାଶ ଥାଉ କି ସଂପ୍ରତି ଉତ୍ତର ମେରୁ ପ୍ରତି ଦଶ ବର୍ଷରେ ୧୨ ପ୍ରତିଶତ ବରଫାଞ୍ଚଳ ହରାଇବାରେ ଲାଗିଛି, ଅର୍ଥାତ୍‌ ପ୍ରାୟ ୮୦ ହଜାର ବର୍ଗ କିଲୋମିଟର ପରିମିତ ଅଞ୍ଚଳ।
ପ୍ରଣିଧାନଯୋଗ୍ୟ ବିଷୟ ହେଲା ଦକ୍ଷିଣ ମେରୁ ବା ଆଣ୍ଟାର୍ଟିକା ଭଳି ଉତ୍ତର ମେରୁ ଏକ ବରଫାବୃତ ସ୍ଥଳ ଭାଗ ନୁହେଁ, ବରଂ ସ୍ଥଳ ଭାଗର ଭ୍ରମ ସୃଷ୍ଟି କରୁଥିବା ହିମୀକୃତ ସାଗର। ଦ୍ବିତୀୟରେ ଉତ୍ତର ମେରୁ ଅଞ୍ଚଳରେ ଗ୍ରୀଷ୍ମ ଋତୁ ସାରା ଅସ୍ତ ହେଉ ନ ଥିବା ସୂର୍ଯ୍ୟଙ୍କ ନିରନ୍ତର ରଶ୍ମି ସୁବିସ୍ତୀର୍ଣ୍ଣ ବରଫାଞ୍ଚଳ ଦ୍ବାରା ପ୍ରତିଫଳିତ ହୋଇ ଫେରି ଯାଉଥିବାରୁ ସେହି ଅଞ୍ଚଳ ଅପେକ୍ଷାକୃତ ଶୀତଳ ରହିଥାଏ। ଏହାର ବିପରୀତରେ ବରଫ ଆସ୍ତରଣରେ ଘଟି ଚାଲିଥିବା ସଂକୋଚନ ହେତୁ ଅଧିକରୁ ଅଧିକ ଉନ୍ମୁକ୍ତ ହେଉଥିବା ସମୁଦ୍ର ଜଳ ସୂର୍ଯ୍ୟ କିରଣକୁ ଧରି ରଖି ସେହି ଅଞ୍ଚଳରେ ଉଷ୍ମତା ବୃଦ୍ଧି କରିଥାଏ। ସୁତରାଂ, ବରଫ କ୍ଷୟର ଧାରା ଅଧିକରୁ ଅଧିକ ଦ୍ରୁତ ହୋଇଚାଲେ। ‘ଆର୍କଟିକ୍‌’ରେ ତାହା ହିଁ ଘଟିବାରେ ଲାଗିଛି। ବୈଜ୍ଞାନିକ ଦ୍ବୟଙ୍କ ମତାନୁସାରେ ଏଭଳି ସ୍ଥିତିରେ ସହସା ଆତଙ୍କିତ ହେବାର ବିଶେଷ କାରଣ ନାହିଁ। କାରଣ ଏହାର କୌଣସି ପ୍ରଳୟଙ୍କରୀ ପ୍ରାଦୁର୍ଭାବ ତତ୍‌କ୍ଷଣାତ୍‌ ପରିଦୃଷ୍ଟ ହେବାର ସମ୍ଭାବନା ନାହିଁ। କିନ୍ତୁ ଏହା ସେଠାକାର ଜୈବ ପରିମଣ୍ଡଳକୁ କ୍ରମେ ବିପଦାପନ୍ନ କରିବ। ପ୍ରକାଶ ଥାଉ କି ଦକ୍ଷିଣ ମେରୁ ତୁଳନାରେ ଉତ୍ତର ମେରୁ ଅଞ୍ଚଳରେ ଜଳ ଓ ବରଫ ଆଧାରିତ ଜୈବ ବିବିଧତା ଅଧିକ ସୁସ୍ପଷ୍ଟ ଓ ବ୍ୟାପକ। ସୁତରାଂ, ବରଫ ତରଳିଯିବା ସହିତ କ୍ରମେ ସେଠାକାର ଖାଦ୍ୟ ଶୃଙ୍ଖଳରେ ବ୍ୟାଘାତ ସୃଷ୍ଟି ହୋଇ ମେରୁ ଭଲ୍ଲୁକଙ୍କ ଭଳି ବିରଳତମ ଜୀବଙ୍କୁ ଅବଲୀଳା କ୍ରମେ ବିଲୁପ୍ତ କରି ପକାଇବ। ସୁତରାଂ, ଏହା ଏକ ସତର୍କ ଘଣ୍ଟି ସଦୃଶ! ଗବେଷକ ଦୁହିଁଙ୍କ ମତରେ ଯଦି ଅଙ୍ଗାରକ (କାର୍ବନ) ନିର୍ଗମନ ମାତ୍ରାରେ ଆଖିଦୃଶିଆ ସଂକୋଚନ ଘଟାଯାଏ, ତେବେ ଏ ସ୍ଥିତିରେ ପରିବର୍ତ୍ତନ ଘଟି ‘ଆର୍କଟିକ୍‌’ ଅଞ୍ଚଳର ବିରଳ ସଂସାର ପୁଣି ଭରପୂର ହୋଇ ଉଠିବ। କିନ୍ତୁ ଏକ ବିଡ଼ମ୍ବିତ ବାସ୍ତବତା ହେଲା ଏଭଳି ଘଟିବାର ଆଶା ଅତ୍ୟନ୍ତ କ୍ଷୀଣ ଏବଂ ତାହା ହିଁ ଚିନ୍ତାର କାରଣ!
ପ୍ରକାଶ ଥାଉ କି ମେରୁ ଅଞ୍ଚଳରେ ମହୋଦଧିର ଜଳରାଶି ଅଧିକ ପରିଦୃଶ୍ୟ ହୋଇ ଚାଲିବା ସହିତ ଅନେକ ରାଷ୍ଟ୍ରଙ୍କ ଲୋଲୁପ ଦୃଷ୍ଟି ଅପାର ଖଣିଜ ତୈଳ ଭରା ‘ଆର୍କଟିକ୍‌’ ସମୁଦ୍ର ଉପରେ ନିବଦ୍ଧ ହେଲାଣି। କେବଳ ସେତିକି ନୁହେଁ, ଏକ ବରଫ ଶୂନ୍ୟ ଉତ୍ତର ମେରୁରେ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକୁ ଏକ ସଂକ୍ଷିପ୍ତ ଓ ସୁଗମ ଜଳପଥ ମଧ୍ୟ ଫିଟିଯିବାର ସୁଯୋଗ ରହିଛି, ଅର୍ଥାତ୍‌ ବିପୁଳ ବ୍ୟବସାୟର ସମ୍ଭାବନା! ପୁଣି ଉପକୂଳ ଠାରୁ ନିର୍ଦ୍ଦିଷ୍ଟ ଦୂରତା ପରେ ସାଗର ଉପରେ ଆଧିପତ୍ୟ ସ୍ଥାପନ ନେଇ କୌଣସି ଅନ୍ତର୍ଜାତୀୟ ନିୟମ ନ ଥିବାରୁ ଏହି ଅଞ୍ଚଳକୁ କବଳିତ କରିବା ଲାଗି ‘ଆର୍କଟିକ୍‌’ ସାଗରକୁ ଘେରି ରହିଥିବା ଆଠଟି ରାଷ୍ଟ୍ର ପ୍ରତିଦ୍ବନ୍ଦ୍ବିତାରେ ମଗ୍ନ ହୋଇପାରନ୍ତି। ଏବଂ ଏଭଳି ସ୍ଥିତିରେ ଅସଂଗତିଟି ହେଲା ଏହି ଆଠଟି ରାଷ୍ଟ୍ର ମଧ୍ୟରେ ବିଦ୍ୟମାନ ରହିଛି ରୁଷିଆ, ଯେଉଁ ରାଷ୍ଟ୍ରର ମେରୁ ସାଗର ସଂଲଗ୍ନ ସ୍ଥଳ ଭାଗର ଅଂଶ ହେଉଛି ସମୁଦାୟ ‘ଆର୍କଟିକ୍‌’ ଉପକୂଳର ୫୩ ପ୍ରତିଶତ ଏବଂ ଅବଶିଷ୍ଟ ସାତଟି ରାଷ୍ଟ୍ର ମଧ୍ୟରେ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡା ସମେତ ପାଞ୍ଚଟି ଯାକ ‘ନାଟୋ’ ସଦସ୍ୟ। ଅବଶ୍ୟ, ‘ଆର୍କଟିକ୍‌’ ଅଞ୍ଚଳର ପରିବେଶ ସୁରକ୍ଷା ଓ ଧାରଣକ୍ଷମ ଜୀବନ ସକାଶେ ୧୯୯୬ ମସିହା ଠାରୁ ଏହି ରାଷ୍ଟ୍ରଗୁଡ଼ିକର ସଦସ୍ୟତାରେ ‘ଦ ଆର୍କଟିକ୍‌ କାଉନସିଲ୍‌’ ବିଦ୍ୟମାନ ଅଛି; ତେବେ, ରୁଷିଆ ଓ ‘ନାଟୋ’ ମଧ୍ୟରେ ସଂପ୍ରତି ସୃଷ୍ଟ ଚରମ ବୈରୀ ହେତୁ ପରିବେଶ ସୁରକ୍ଷା ଚିନ୍ତା ସ୍ବାଭାବିକ ଭାବେ ଗୌଣ ହୋଇଯାଇଛି। କେବଳ ସେତିକି ନୁହେଁ, ଆଉ ଏକ ନିଷ୍ଠୁର ବାସ୍ତବତା ହେଲା, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପ୍‌ ଓ ତାଙ୍କ ରିପବ୍ଲିକାନ୍‌ ଦଳର ଅଧିକାଂଶ ଅନୁଗତଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ଉତ୍ତପ୍ତୀକରଣ ଭଳି ବିଷୟମାନ ତୁଚ୍ଛା ମିଥ୍ୟାଚାର ଏବଂ ଶଠ ପରିବେଶ ବିଜ୍ଞାନୀ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନଙ୍କ ଦ୍ବାରା ସୃଷ୍ଟ ଷଡ୍‌ଯନ୍ତ୍ର, ଯାହାର ଉଦ୍ଦେଶ୍ୟ ଆମେରିକା ଭଳି ଅଗ୍ରଣୀ ରାଷ୍ଟ୍ରଙ୍କ ଅର୍ଥନୀତିକୁ ଆକ୍ରାନ୍ତ କରିବା। ସୁତରାଂ, ଅନେକ ରଣନୀତିଜ୍ଞ କହନ୍ତି ‌େଯ ‘ଆର୍କଟିକ୍‌’ର ଦୁଃସ୍ଥିତି ବା କଷଣ ସ୍ବାର୍ଥପର, ଲାଭାର୍ଥୀ ଓ ଏକଦେଶଦର୍ଶୀ ରାଷ୍ଟ୍ରନେତାମାନଙ୍କ ହିମୀକୃତ ହୃଦୟକୁ ହୁଏତ ତରଳାଇ ପାରିବ ନାହିଁ। ଅପର ପକ୍ଷରେ ଆବାସ ଓ ଖାଦ୍ୟ ହରା ଅସହାୟ ମେରୁ ଭଲ୍ଲୁକ ଶାବକଟିଏ ଉତ୍ତପ୍ତ ମେରୁ ଅଞ୍ଚଳରେ ଆଇସ୍‌କ୍ରିମଟିଏ ଚୋଷୁଥିବାର ବ୍ୟଙ୍ଗ ଚିତ୍ର କେଉଁ ଜଣେ ବିଷଣ୍ଣ କାର୍ଟୁନିଷ୍ଟଙ୍କ ଗଭୀର ମର୍ମଦାହରୁ ରୂପ ପାଉଥିବା ବେଳେ ଉପରୋକ୍ତ ରାଷ୍ଟ୍ରର ନେତା ଓ ନୀତି ନିର୍ଧାରକମାନଙ୍କ ସକାଶେ ହୁଏତ ହାସ୍ୟ-ପରିହସର ଖୋରାକ ହେବ!

ସୌଜନ୍ୟ-ସମ୍ୱାଦ

Comments are closed.