Breaking News

ଅସ୍ତବ୍ୟସ୍ତ କରୁଛି ଟିଟିଏସ୍‌ ଦୁର୍ଗନ୍ଧ: ମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇଲେ

ସୈନିକ ସ୍କୁଲ ପଛ ପାର୍ଶ୍ବ ତଥା ଗାଡ଼କଣରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌)ରେ ସୃଷ୍ଟି ହୋଇଥିବା ଆବର୍ଜନାରେ ୧୦ ଖଣ୍ଡ ଗାଁ ଲୋ‌କେ ଅଣନିଶ୍ବାସୀ ହୋଇଗଲେଣି। ମାସ ପରେ ମାସ ବିତୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ।

ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ପଛ ପାର୍ଶ୍ବ ତଥା ଗାଡ଼କଣରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌)ରେ ସୃଷ୍ଟି ହୋଇଥିବା ଆବର୍ଜନାରେ ୧୦ ଖଣ୍ଡ ଗାଁ ଲୋ‌କେ ଅଣନିଶ୍ବାସୀ ହୋଇଗଲେଣି। ମାସ ପରେ ମାସ ବିତୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ। ଲୋକେ କବାଟ କିଳି ଘର ଭିତରେ ରହୁଛନ୍ତି। ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା, ରେଲୱେ କଲୋନି, ଆଦିମାତା କଲୋନି, ଭିଏସ୍‌ଏସ୍‌ ନଗର, ଗଜପତିନଗର, ସୁବାସ ଏନ୍‌କ୍ଲେଭ, ଶକ୍ତିବିହାର, ଗଜପତିନଗର, ଲକ୍ଷ୍ମୀବିହାର ପରି ଅଞ୍ଚଳ ଲୋକଙ୍କ ବଞ୍ଚିବା ଦୁର୍ବିସହ ହୋଇପଡ଼ିଛି। ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ। ବରଂ ଟିଟିଏସ୍‌ରୁ ବାହାରୁଥିବା ଦୁର୍ଗନ୍ଧ ଏବେ ସାରା ସହରକୁ ମାଡ଼ିଗଲାଣି। ଭୁବନେଶ୍ବର ମହାନଗର ନିଗମର ୧୦ରୁ ଅଧିକ ୱାର୍ଡବାସୀ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି।

ଏହାରି ଭିତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତକାଲି ବିଧାନସଭାରେ ରଖିଥିବା ଉତ୍ତରକୁ ନେଇ ଆଜି ଅଞ୍ଚଳବାସୀ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାପାତ୍ର ଏକ ଲିଖିତ ଉତ୍ତରରେ କହିଥିଲେ ଯେ ବିଏମ୍‌ସିର ବିଭିନ୍ନ ୱାର୍ଡରୁ ସୃଷ୍ଟି ହେଉଥିବା ଆବର୍ଜନାଗୁଡ଼ିକୁ ଗାଡ଼କଣଠାରେ ଥିବା ଟିଟିଏସ୍‌ରେ ଓଦା ବର୍ଜ୍ୟବସ୍ତୁଗୁଡ଼ିକୁ କମ୍ପୋଷ୍ଟିଂ ଏବଂ ଶୁଖିଲା ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାରଯୋଗ୍ୟ ଜିନିଷକୁ ପୁନରୁଦ୍ଧାର କରାଯାଉଛି। ବଳକା ରିଫ୍ୟୁଜ୍‌-ଡେରିଭଡ୍‌ ଫୁଏଲ(ଆରଡିଏଫ୍‌)ଗୁଡ଼ିକ ସିମେଣ୍ଟ କାରଖାନାରେ ପ୍ରକ୍ରିୟାକରଣ ହେଉଛି। ଟିଟିଏସ୍‌ଠାରେ ଉଇଣ୍ଡ୍ରୋସ୍‌ କମ୍ପୋଷ୍ଟିଂ ମାଧ୍ୟମରେ ଓଦା ବର୍ଜ୍ୟବସ୍ତୁଗୁଡ଼ିକୁ ଖାଦରେ ପରିଣତ କରାଯାଉଛି। ସେଥିରୁ ବାହାରୁଥିବା ଦୁର୍ଗନ୍ଧ ନିରାକରଣ ପାଇଁ ବିଏମ୍‌ସି ଦ୍ବାରା ଅଗ୍ରାନିକ୍‌ ଡିଓଡ୍ରାଇଜର ଉପଯୁକ୍ତ ପରିମାଣରେ ପ୍ରୟୋଗ ହେଉଛି। ଏହାବ୍ୟତୀତ ଆବଶ୍ୟକତା ଅନୁଯାୟୀ ବାୟୋ-କଲଚର ପ୍ରୟୋଗ ହେଉଛି, ଯାହାକି ଖାଦ ପ୍ରକ୍ରିୟାକୁ ତୀବ୍ର କରୁଛି। କୌଣସି ପ୍ରକାର ଦୁର୍ଗନ୍ଧ ହେଉ ନାହିଁ।

ଦୁର୍ଗନ୍ଧ ହେଉ ନ ଥିବା ଉତ୍ତର ରଖିଥିଲେ ମନ୍ତ୍ରୀ
ପୁଣିଥରେ ଦାନା ବାନ୍ଧିଲାଣି ଅସନ୍ତୋଷ

ଲକ୍ଷାଧିକ ଲୋକ ଦୁର୍ଗନ୍ଧରେ ଘାଣ୍ଟି ହେଉଥିବା ବେଳେ ମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇ ଅଧିକାରୀମାନେ ଖସିଯିବାକୁ ବସିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଆଞ୍ଚଳିକ ସୁରକ୍ଷା ମଞ୍ଚର ଉପଦେଷ୍ଟା ସୁର ପାତ୍ର, ରସାନ୍ତ ସାହୁ, ସମ୍ପାଦକ କିଶୋର ଚନ୍ଦ୍ର ସାହୁ, କୀର୍ତ୍ତିରଞ୍ଜନ ନନ୍ଦ, କୃଷ୍ଣଚନ୍ଦ୍ର ପତି, ଅକ୍ଷୟ ସାହୁ, ଅଶୋକ ସେଠୀ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ୨୦୦୬ରେ ଏଠାରେ ଜୋର୍‌ ଜବରଦସ୍ତ କରାଯାଇଥିବା ଅସ୍ଥାୟୀ ଅଳିଆ ଗଦା ଏବେ ସ୍ଥାୟୀ ଭାବେ ପରିଚାଳିତ ହେଉଛି। ଟିଟିଏସ୍‌ର ଆବର୍ଜନା ପାହାଡ଼ରୁ ନିର୍ଗତ ଦୁର୍ଗନ୍ଧରେ ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହେଉଛନ୍ତି। ଦୁର୍ଗନ୍ଧ ପାଇଁ ସୈନିକ ସ୍କୁଲ, ରେଳବିହାର ପ୍ରାଥମିକ ସ୍କୁଲ, ଶିଶୁ ନିକେତନ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଶାନ୍ତି ଶିଶୁମନ୍ଦିର, ସରସ୍ବତୀ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀ ସ୍କୁଲ୍‌ ଯିବାକୁ ମନ କରୁନାହାନ୍ତି। ପ୍ରତିବର୍ଷ ଶୀତଦିନେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲେ ମଧ୍ୟ ସେଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ଗନ୍ଧରେ ଅତିଷ୍ଠ ହୋଇ କେନ୍ଦ୍ରୀୟ ବିଦ୍ୟାଳୟ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ବିଏମ୍‌ସିକୁ ଚିଠି ଲେଖିଛନ୍ତି। ତା’‌ସତ୍ତ୍ବେ ବି ପ୍ରଶାସନର ନିଦ ଭାଙ୍ଗିନି। ଲୋକଙ୍କୁ ଦେଖାଇବା ପାଇଁ ବଡ଼ ବଡ଼ ମେସିନ୍‌ ଲଗାଯାଇଥିଲେ ମଧ୍ୟ ସେସବୁ କାର୍ଯ୍ୟକ୍ଷମ ହେଉ ନାହିଁ। ନିର୍ବାଚନ ପୂର୍ବରୁ ବିଜେପିର ଏହି ନେତାମାନେ ସତ୍ୟାଗ୍ରହ କରିଥିଲେ। ବିରୋଧୀରେ ଥିବା ସମୟରେ ସେମାନଙ୍କୁ ଗନ୍ଧାଉଥିଲା। ଏବେ ଶାସନ କ୍ଷମତାକୁ ଆସିବା ପରେ ସେମାନଙ୍କୁ କେମିତି ବାସୁଛି ବୋଲି ମଞ୍ଚ ପକ୍ଷରୁ ପ୍ରଶ୍ନ କରାଯାଇଛି। ପୂର୍ବରୁ ଯେଉଁଭଳି ଅଳିଆ ପ୍ରକ୍ରିୟାକରଣ ହେଉଥିଲା ତାହା ଏବେ ପ୍ରଭାବିତ ହୋଇଛି। ନୂଆ ସରକାର ଆସିବା ପରେ ସେଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ଅଳିଆ ଗନ୍ଧେଇବା କମିବ କ’ଣ, ଏବେ ସହର ପାଇଁ ଏକ ବଡ଼ ସମସ୍ୟା ହୋଇ ଛିଡ଼ାହେଲାଣି। ଯେଉଁ ଦୁର୍ଗନ୍ଧ ଦିନେ ଗାଁରେ ଲୋକଙ୍କୁ କଲବଲ କରୁଥିଲା, ତାହା ଏବେ ସହରର ୪ କିମି ପର୍ଯ୍ୟନ୍ତ ବ୍ୟାପିଗଲାଣି। ପାଖାପାଖି ତିନି ସପ୍ତାହ ହେବ ଆଚାର୍ଯ୍ୟବିହାର, ବାଣୀବିହାର, ସହିଦନଗର, ୟୁନିଟ୍‌-୯, ରସୁଲଗଡ଼, ମଞ୍ଚେଶ୍ବର, ବମିଖାଲ, ଲକ୍ଷ୍ମୀବିହାର, ପଳାସୁଣି ପ୍ରଭୃତି ଅଞ୍ଚଳରେ ଲୋକଙ୍କ ନାକ ଫଟାଉଛି।

ଭିଏସ୍‌ଏସ୍‌ ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା କହିଛନ୍ତି ଯେ ଏବେ ଯେଉଁ ଦୁର୍ଗନ୍ଧ ହେଉଛି ସେଥିରେ ଘରର ଝରକା କବାଟ ଖୋଲି ହେଉ ନାହିଁ। କେମିକାଲ ‌ସ୍ପ୍ରେ ହେବା ଏବଂ ଦୁର୍ଗନ୍ଧ ନ ହେବା ନେଇ ମନ୍ତ୍ରୀ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଦିନେ ଆସି ଭିଏସ୍‌ଏସ୍‌ନଗରରେ ରୁହନ୍ତୁ, ଜାଣିବେ ଦୁର୍ଗନ୍ଧ ହେଉଛି କି ନାହିଁ। ତତ୍‌କାଳୀନ କମିସନର ଓ ବର୍ତ୍ତମାନର ମେୟର ଏଠାରେ ପାର୍କ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କଲେ ନାହିଁ। ଏମିତିକି ନିର୍ବାଚନ ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସରକାରକୁ ଆସିଲେ ୨୪ ଘଣ୍ଟା ମଧ୍ୟରେ ଅଳିଆ ଉଠାଇଦେବୁ। ଇତିମଧ୍ୟରେ ୬ ମାସ ବିତିଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ।

ସୌଜନ୍ୟ-ସମ୍ୱାଦ

Comments are closed.