Breaking News

ଅହଙ୍କାର ଯୋଗୁଁ ନିର୍ବାଚନ ହାରିଲୁ: ଅରୁଣ

ଡବଲ ଇଞ୍ଜିନ୍‌ ନାରା ଦେଇ ସରକାରକୁ ଆସିଲେ। ଦରଦାମ ନିୟନ୍ତ୍ରଣ, କଟ୍‌ନିଛଟ୍‌ନି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କ୍ଷମତାକୁ ଆସିବାର ୮ମାସ ପରେ ସବୁ ଓଲଟା ହେଉଛି। ଦରଦାମ ବଢ଼ୁଛି, କଟ୍‌ନିଛଟ୍‌ନି ବନ୍ଦ ହୋଇନି।

ରାୟଗଡ଼ା: ଡବଲ ଇଞ୍ଜିନ୍‌ ନାରା ଦେଇ ସରକାରକୁ ଆସିଲେ। ଦରଦାମ ନିୟନ୍ତ୍ରଣ, କଟ୍‌ନିଛଟ୍‌ନି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କ୍ଷମତାକୁ ଆସିବାର ୮ମାସ ପରେ ସବୁ ଓଲଟା ହେଉଛି। ଦରଦାମ ବଢ଼ୁଛି, କଟ୍‌ନିଛଟ୍‌ନି ବନ୍ଦ ହୋଇନି। ଚାଷୀଙ୍କୁ କେମିତି ଶୋଷଣ କରାଯାଉଛି ଓଡ଼ିଶାବାସୀ ଦେଖୁଛନ୍ତି। ଜନତା ଏହି ସରକାରଙ୍କ ଠାରୁ ନିଶ୍ଚୟ ଦୂରେଇ ଯିବେ ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ଆଜି ରାୟଗଡା ଗସ୍ତରେ ଆସିଥିବା ଅରୁଣ ସାହୁ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। କହିଥିଲେ, ପ୍ରଭୁ ଜଗନ୍ନାଥ ଆମକୁ ଶାସନ କ୍ଷମତାରୁ ହଟାଇଛନ୍ତି। ବିଜେଡି ୨୪ବର୍ଷ ଶାସନ କରିବା ପରେ ଆମ ଭିତରେ ଅହଙ୍କାର ବଢ଼ି ଯାଇଥିଲା। ତେଣୁ ନିର୍ବାଚନ ହାରିଲୁ, ଜନତା ଆମକୁ ବିରୋଧୀ ଆସନରେ ବସାଇଛନ୍ତି। ତେବେ ଆମେ ହତାଶ ହେବା ନାହିଁ। ଦଳ ଭିତରେ ଥିବା ଅସନ୍ତୋଷ, ନିଜ ନିଜ ମଧ୍ୟରେ ରହିଥିବା ଦ୍ବନ୍ଦ୍ବକୁ ଭୁଲିଗଲେ ବିଜେଡି ପୁଣି କ୍ଷମତାକୁ ଆସିବ ବୋଲି ଅରୁଣ ସାହୁ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଟିକେଟ୍‌ ଗୁମର ଖୋଲିଲେ ଭାସ୍କର

 ସେହିପରି ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓ ମଧ୍ୟ ଟିକେଟ୍‌ ବିତରଣରେ ଅନିୟମିତତା ସହ ସ୍ଥାନୀୟ ନେତାଙ୍କୁ ଅଣଦେଖା ପ୍ରସଙ୍ଗ ଉଠାଇଥିଲେ। ରାୟଗଡ଼ା ବିଧାନସଭା ଆସନ ନିମନ୍ତେ ଟିକେଟ୍‌ ବଣ୍ଟନ ପରେ ଦଳ ଭିତରେ ଅସନ୍ତୋଷ ବଢ଼ିଲା। ଯାହା ଦଳ ପାଇଁ ପରାଜୟର କାରଣ ସାଜିଲା। ଆଗକୁ ଏମିତି ନିଷ୍ପତ୍ତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ ଭାସ୍କର। ୨୦୧୯ ତୁଳନାରେ ୨୦୨୪ ନିର୍ବାଚନରେ ଗୁଣପୁର ଏବଂ ବିଷମକଟ ଆସନରେ ବିଜେଡି କମ୍‌ ଭୋଟ ପାଇଛି। ରାୟଗଡ଼ା ଆସନରେ ଦଳ ୧୪ପ୍ରତିଶତ ଅଧିକ ଭୋଟ ପାଇବା ସତ୍ତ୍ବେ ପରାଜିତ ହେଲା। ବିଭାଜନକାରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁଁ ଦଳର ଶୋଚନୀୟ ପରାଜୟ ହୋଇଛି। ସବୁ ଭୁଲ୍‌କୁ ଭୁଲିଯାଇ ସମସ୍ତେ ଏକଜୁଟ ହୋଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ସୁଦୃଢ଼ କରିବା ବୋଲି ଆହ୍ବାନ ଦେଇଥିଲେ। ଦଳ ଭିତରେ ଅନ୍ତର୍ଘାତି କାର୍ଯ୍ୟ ଯୋଗୁଁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଧ୍ୟ ସ୍ବୀକାର କରିଥିଲେ। କର୍ମି ସମ୍ମିଳନୀରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧାର ପୁଆଲା, ଚନ୍ଦ୍ରକାନ୍ତ ସାମଲ, ବିନାୟକ କର, ବିନୋଦ ନାୟକ, ବି.ତିରୁପତି, କୈଳାସ କ୍ରାସ୍କା, ଜିଲ୍ଲା ମହିଳା ସଭାପତି ଶ୍ରମିତା ପାଢ଼ୀ, ସୁଜାତା ପାଳ, ହାଲୁୱା ସରପଞ୍ଚ ତାମାରାଓ ବିଡିକା, ପପୁ ପ୍ରବୀଣ, ଶ୍ରୀକାନ୍ତ ଚୌଧୁରୀ, ହରପ୍ରସାଦ ନାୟକ, ଏମ୍‌.ଗଙ୍ଗାଧର ଉପସ୍ଥିତ ଥିଲେ।

 

ସୌଜନ୍ୟ – ସମ୍ବାଦ

Comments are closed.