Breaking News

ଆଇଆଇଟିରେ ଚାକିରି ବର୍ଷା: ଅଧିକ ସୁବିଧା, ମୋଟା ଅଙ୍କର ଦରମା

ଇଞ୍ଜିନିୟରିଂ ପାଠପଢ଼ାର ପ୍ରମୁଖ ଅନୁଷ୍ଠାନ ଆଇଆଇଟିଗୁଡ଼ିକରେ ଚାକିରି ବର୍ଷା ହେଉଛି। ଗତବର୍ଷର ଖରାପ ସ୍ଥିତି ଏଥର ସମ୍ପୂର୍ଣ୍ଣ ବଦଳିଯାଇଛି। ଛାତ୍ରଛାତ୍ରୀଙ୍କୁ ଆଉ ଚାକିରି ପାଇଁ ସଂଘର୍ଷ କରିବାକୁ ପଡ଼ୁନି।

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠପଢ଼ାର ପ୍ରମୁଖ ଅନୁଷ୍ଠାନ ଆଇଆଇଟିଗୁଡ଼ିକରେ ଚାକିରି ବର୍ଷା ହେଉଛି। ଗତବର୍ଷର ଖରାପ ସ୍ଥିତି ଏଥର ସମ୍ପୂର୍ଣ୍ଣ ବଦଳିଯାଇଛି। ଛାତ୍ରଛାତ୍ରୀଙ୍କୁ ଆଉ ଚାକିରି ପାଇଁ ସଂଘର୍ଷ କରିବାକୁ ପଡ଼ୁନି। ଦେଶବିଦେଶର ବହୁ ନାମୀଦାମୀ କମ୍ପାନି ପିଲାମାନଙ୍କୁ ଚାକିରି ଦେବାକୁ କ୍ୟାମ୍ପସରେ ଡେରା ପକାଇଛନ୍ତି। ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ନେବା ଲାଗି ସେମାନେ ଏକ କୋଟିରୁ ଅଧିକ ଟଙ୍କାର ଦରମା ଦେବାକୁ ମଧ୍ୟ ପଛାଉ ନାହାନ୍ତି।

ଚଳିତ ବର୍ଷ ଆଇଆଇଟି ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୬୫ ଲକ୍ଷ ଟଙ୍କାରୁ ୧ କୋଟି ୬୫ ଲକ୍ଷ ଟଙ୍କାର ବେତନ ପ୍ରସ୍ତାବ ସହ ଚାକିରି ଦିଆଯାଉଛି। ନିକଟରେ ଜଣେ ଆଇଆଇଟି ଛାତ୍ରଙ୍କୁ ୪ କୋଟି ଟଙ୍କାରୁ ଅଧିକ ଦରମାର ଚାକିରି ମିଳିଥିଲା। ଆଲ୍‌ଗୋରିଦମ୍ ଟ୍ରେଡିଂ, ନିବେଶ ସଂସ୍ଥା, ଡାଟା ନିରାପତ୍ତା ଆଦି କ୍ଷେତ୍ରର କମ୍ପାନିଗୁଡ଼ିକ କ୍ୟାମ୍ପସ୍‌ ଚୟନରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି କ୍ବାଣ୍ଟବକ୍ସ ରିସର୍ଚ୍ଚ, ଗ୍ରାଭିଟନ୍ ରିସର୍ଚ୍ଚ କ୍ୟାପିଟାଲ୍, ରୁବ୍‌ରିକ୍, ଏପିଟି ପୋର୍ଟଫୋଲିଓ, ଡାଟାବ୍ରିକ୍ସ, ଏବୁଲିଏଣ୍ଟ ସିକ୍ୟୁରିଟିଜ୍, କ୍ବାଡ୍‌ଆଇ, ପେସ୍‌ ‌ଷ୍ଟକ୍ ବ୍ରୋକିଂ, ସ୍କୋୟାର ପଏଣ୍ଟ କ୍ୟାପିଟାଲ୍ ଓ ଆଟ୍‌ଲାସ୍ ରିସର୍ଚ୍ଚ ଭଳି କମ୍ପାନି। ଛାତ୍ରଛାତ୍ରୀଙ୍କୁ ଚାକିରି ଲାଗି ଦିଆଯାଉଥିବା ଏକ କୋଟି ଟଙ୍କାର ବେତନ ପ୍ୟାକେଜ୍‌ରେ ରହୁଛି ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଦରମା, ୧୦ ଲକ୍ଷ ଟଙ୍କାର ଚାକିରିରେ ଯୋଗଦେବା ବୋନସ, ୩୦ ଲକ୍ଷ ଟଙ୍କାର ସର୍ବନିମ୍ନ ବୋନସ ଗ୍ୟାରେଣ୍ଟି ଓ ୫ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସୁବିଧାସୁଯୋଗ। ବିଦେଶୀ କମ୍ପାନିର ଚାକିରିକୁ ଗ୍ରହଣ କରୁଥିବା ପିଲାମାନଙ୍କ ଲାଗି ବିଦେଶ ଭ୍ରମଣ ଓ ରହଣୀର ସୁଯୋଗ ମଧ୍ୟ ରହିଛି। ଚଳିତ ବର୍ଷ ଆଇଆଇଟିଗୁଡ଼ିକର ଯେଉଁଭଳି ଭାବେ ନିଯୁକ୍ତି ଚାଲିଛି ସେଥିରୁ ବିଶ୍ବ ଅର୍ଥନୀତି ସୁଧାର ଆଡ଼କୁ ଗତି କରୁଥିବା ଜଣାପଡ଼ୁଛି। ଚଳିତ ମାସ ପହିଲାରୁ ଆଇଆଇଟି ଦିଲ୍ଲୀ, ବମ୍ବେ, ମାଡ୍ରାସ, କାନପୁର, ଖଡ଼ଗପୁର, ରୁର୍‌କି, ଗୌହାଟୀ ଓ ବାରଣାସୀରେ ଚୂଡ଼ାନ୍ତ ପ୍ଲେସ୍‌ମେଣ୍ଟ ଆରମ୍ଭ ହୋଇଛି। ଅନେକ ଛାତ୍ରଛାତ୍ରୀ ଦେଶ ଭିତରେ ଏକ କୋଟି ଟଙ୍କା ପାଖାପାଖିର ନିଯୁକ୍ତି ପ୍ରସ୍ତାବ ପାଇଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.