Breaking News

ଆଇଏନ୍‌ଏସ୍‌ ଅରିଘାତ୍‌ରୁ ଲଞ୍ଚି କେ-୪ ବାଲିଷ୍ଟିକ୍‌ ମିସାଇଲର ସଫଳ ପରୀକ୍ଷଣ, ୩୫୦୦ କିମି ଦୂରରୁ ଲକ୍ଷ୍ୟଭେଦ କ୍ଷମତା

ନୂଆଦିଲ୍ଲୀ,୨୯/୧୧: ଭାରତୀୟ ନୌସେନା ବୁଧବାର କେ-୪ ବାଲିଷ୍ଟିକ୍‌ ମିସାଇଲର ସଫଳ ପରୀକ୍ଷଣ କରିଛି । ବିଶାଖାପାଟନମ୍‌ରେ ଆଣବିକ ବୁଡ଼ାଜାହାଜ ଅରିଘାତରୁ ଏହି ଟେଷ୍ଟିଂ କରାଯାଇଛି । ଅରିଘାତ ହେଉଛି ଆଇଏନ୍‌ଏସ୍‌ ଅରିହନ୍ତର ଅପ୍‌ଗ୍ରେଡେଡ୍‌ ଭର୍ସନ । ଭାରତୀୟ ନୌସେନାର ଶିପ୍‌ ବିଲ୍ଡିଂ ସେଣ୍ଟର (ଏସ୍‌ବିସି) ରେ ୨୦୧୭ରେ ଅରିଘାତର ନିର୍ମାଣ କରାଯାଇଥିଲା । ଏହି ବୁଡ଼ାଜାହାଜର ଓଜନ ୬ ହଜାର ଟନ୍‌ ହେବ ।
ସେହିପରି ପରୀକ୍ଷଣ ହୋଇଥିବା ବାଲିଷ୍ଟିକ୍‌ ମିସାଇଲର ରେଞ୍ଜ୍‌ ୩,୫୦୦ କିମି ରହିଛି । ଆଗକୁ ନୌସେନା ଏହି ମିସାଇଲ ସିଷ୍ଟମର ଅଧିକ ପରୀକ୍ଷଣ କରିବ ବୋଲି ଯୋଜନା ରଖିଛି । ଭାରତୀୟ ନୌସେନା ଅଦ୍ୟାବଧି ୩ ଆଣବିକ ବୁଡ଼ାଜାହାଜ ପ୍ରସ୍ତୁତ କରିଛି । ଅରିହନ୍ତ ଏବଂ ଅରିଘାତକୁ ନୌସେନାରେ ସାମିଲ କରାଯାଇଥିବାବେଳେ ଏବେ ଏସ୍‌୩ ଉପରେ ପରୀକ୍ଷଣ ଚାଲିଛି । ଏହି ବୁଡ଼ାଜାହାଜଗୁଡ଼ିକରୁ ପରମାଣୁ ମିସାଇଲ ଛଡ଼ା ଯାଇପାରିବ ।
୨୦୨୨ ଅକ୍ଟୋବର ୧୪ରେ ଅରିହନ୍ତରୁ କେ-୧୫ ଏସ୍‌ଏଲ୍‌ବିଏମ୍‌ ମିସାଇଲର ସଫଳ ଟେଷ୍ଟିଂ କରାଯାଇଥିଲା । ଏହାଯୋଗୁ ଆମେରିକା, ରୁଷ୍‌, ବ୍ରିଟେନ, ଫ୍ରାନ୍ସ ଏବଂ ଚୀନ୍‌ ପରେ ଭାରତ ଦୁନିଆର ୬ଷ୍ଠ ନ୍ୟୁକ୍ଲିୟର ଟ୍ରାଏଡ୍‌ ଦେଶ ହୋଇଥିଲା । ଆମେରିକା ପାଖରେ ଟ୍ରାଇଡେଣ୍ଟ ଡି୫ ନାମରେ ୧୨ ହଜାର କିମି ରେଞ୍ଜ୍‌ର ଏସ୍‌ଏଲ୍‌ବିଏମ୍‌ ମିସାଇଲ ରହିଛି । ସେହିପରି ଫ୍ରାନ୍ସ ନିକଟରେ ୧୦ ହଜାର କିମି ରେଞ୍ଜ୍‌ର ଏମ୍‌୫୧, ରୁଷ୍‌ ପାଖରେ ୮,୩୦୦ କିମି ରେଞ୍ଜ୍‌ର ଆର୍‌-୨୯ଆର୍‌ଏମ୍‌ୟୁ ସିନେଭା, ବ୍ରିଟେନ୍‌ ନିକଟରେ ୧୨ ହଜାର କିମିର ଟ୍ରାଇଡେଣ୍ଟ ଡି୫ ଏବଂ ଚୀନ୍‌ ପାଖରେ ୮ ହଜାର କିମି ରେଞ୍ଜ୍‌ର ଜେଏଲ୍‌-୨ ଏସ୍‌ଏଲ୍‌ବିଏମ୍‌ ମିସାଇଲ ରହିଛି।
ସୌଜନ୍ୟ-ପ୍ରମେୟ

Comments are closed.