Breaking News

ଆଉଜା ବା‌ତାୟନ

ସଂପ୍ରତି ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସଂପର୍କ ଆଉ ଏକସୂତ୍ରୀ ହୋଇ ରହିନାହିଁ, ତାହା ବହୁସୂତ୍ରୀ ହୋଇଛି! ଉଦାହରଣ ସ୍ବରୂପ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଚରମ ପର୍ଯ୍ୟାୟ‌େର ଥିଲାବେଳେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସଂପର୍କ ପୂର୍ବବତ୍‌ ଚା‌ଲୁ ରହିଥିଲା‌...

ସଂପ୍ରତି ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସଂପର୍କ ଆଉ ଏକସୂତ୍ରୀ ହୋଇ ରହିନାହିଁ, ତାହା ବହୁସୂତ୍ରୀ ହୋଇଛି! ଉଦାହରଣ ସ୍ବରୂପ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଚରମ ପର୍ଯ୍ୟାୟ‌େର ଥିଲାବେଳେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସଂପର୍କ ପୂର୍ବବତ୍‌ ଚା‌ଲୁ ରହିଥିଲା‌; ଅର୍ଥାତ୍‌ ସଂପର୍କର କିଛି ଖିଅ ଛିଣ୍ଡିଗଲେ ସୁଦ୍ଧା ଅନ୍ୟ ଖିଅ ତକ ରହି ସଂପର୍କକୁ ମୂଳୋତ୍ପାଟିତ ହେବାକୁ ଦେବନାହିଁ। ସେହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ କୂଟନୈତିକ ସଂପର୍କ ନ ଥିଲେ ମଧ୍ୟ ଆଫଗାନିସ୍ତାନ ସହିତ ରଣନୈତିକ, ମାନବୀୟ, ସାଂସ୍କୃତିକ ସଂପର୍କ ରଖାଯାଇପାରେ।

ଏଭଳି ଏକ ପ୍ରଶ୍ନ ଅ‌େହତୁକ ଭଳି ପ୍ରତୀତ ହେଉଥିଲେ ହେଁ ପଚରାଯାଇପାରେ ଯେ ପୃଥିବୀ ତାଲିବାନ ଶାସିତ ଆଫଗାନିସ୍ତାନକୁ କେଉଁ ଦୃଷ୍ଟିରେ ଦେଖିଥାଏ? ଏହାର କାରଣ ହେଲା ସଂପ୍ରତି ପୃଥିବୀ ଏଭଳି ଏକ ବୈଚିତ୍ର୍ୟମୟ ପରିସ୍ଥିତିରେ ଉପନୀତ ଯେ ଯହିଁରେ ଅନ୍ତର୍ଜାତୀୟ ସଂପର୍କର ପୁରୁଣା ସମୀକରଣମାନ ପୁନଃ ପରିଭାଷିତ ହେଉଛନ୍ତି; ସଂପୂର୍ଣ୍ଣ ମିତ୍ର ବା ସଂପୂର୍ଣ୍ଣ ଶତ୍ରୁ ରାଷ୍ଟ୍ର ଭଳି ଆଖ୍ୟାନମାନ ଦୁର୍ବଳ ହେବାରେ ଲାଗିଛନ୍ତି ଏବଂ ଆନ୍ତର୍ଜାତିକ ସଂପର୍କମାନ ମୁହୁର୍ମୁହୁଃ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛନ୍ତି। କହିବାର ତାତ୍ପର୍ଯ୍ୟ ହେଲା ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁ.ଏ.ଇ.)ର ରାଜଧାନୀ ଦୁବାଇରେ ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି ଏବଂ ତାଲିବାନ କାର୍ଯ୍ୟ ନିର୍ବାହୀ ବିଦେଶ ମନ୍ତ୍ରୀ ଅମିର ଖାଁ ମୁତାକିଙ୍କ ମଧ୍ୟରେ ନିକଟରେ ହୋଇଥିବା ଏକ ବନ୍ଧୁତ୍ବପୂର୍ଣ୍ଣ ସାକ୍ଷାତ ଏବଂ ଆଲୋଚନା ଅନେକତ୍ର ଭ୍ରୂକୁଂଚନ ସୃଷ୍ଟି କରିଥିଲେ ହେଁ ପ୍ରଶ୍ନ ଉଠିଥାଏ ଭାରତ ଦ୍ବାରା ପ୍ରଦର୍ଶିତ ଆଭିମୁଖ୍ୟ କ’ଣ ଔଚିତ୍ୟର ସୀମା ଅତିକ୍ରମ କରିଛି?
ଅବଶ୍ୟ, ଏହି ସଂଦର୍ଭରେ ଉଦ୍‌ବେଗ ପ୍ରକା‌ଶ ପାଇଛି ଯେ ଏହା ଆଫଗାନିସ୍ତାନର ଚରମ ମୌଳବାଦୀ (ଅାତଙ୍କବାଦୀ ମଧ୍ୟ!) ଏବଂ ପ୍ରଜା ପୀଡ଼କ ତାଲିବାନ ଶାସନକୁ ଭାରତ ଭଳି ଏକ ବିଶିଷ୍ଟ ଗଣତନ୍ତ୍ର ଦ୍ବାରା ସ୍ବୀକୃତି ପ୍ରଦାନ ତୁଲ୍ୟ ଲାଗିଥାଏ, ଯେତେବେଳେ କି ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ର ଏବଂ ଜାତିସଂଘ ପକ୍ଷରୁ ତାଲିବାନ ଶାସନକୁ ଅସ୍ବୀକାର କରାଯାଇ ଆଫଗାନିସ୍ତାନ ସହିତ ସମସ୍ତ ସଂପର୍କ ଛିନ୍ନ କରି ଦିଆଯାଇଛି। ତେବେ, ଦୁବାଇ ଆଲୋଚନା ପରେ ମୁତାକିଙ୍କ ପକ୍ଷରୁ ପ୍ରଦତ୍ତ ବିବୃତି ଅନୁଯାୟୀ ଆ‌ଫଗାନିସ୍ତାନରେ ଭାରତ ଦ୍ବାରା ପ୍ରାରମ୍ଭ କରାଯାଇଥିବା ବିଭିନ୍ନ ମାନବ ହିତୈଷୀ ପ୍ରକଳ୍ପଗୁଡ଼ିକର ଭାଗ୍ୟ ନିର୍ଦ୍ଧାରଣ, ପ୍ରମୁଖ ଭାବେ ସେଠାରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଦୃଢ଼ତା ପ୍ରଦାନ ତଥା ଆଫଗାନିସ୍ତାନର ସୁରକ୍ଷା ପରିସ୍ଥିତି ଭଳି ବିଷୟ ଥିଲା ଶଂସିତ ଆଲୋଚନାର କେନ୍ଦ୍ରବିନ୍ଦୁ। ଏହି ପରିପ୍ରେକ୍ଷୀରେ ଏଠାରେ ଉଠୁଥିବା ଗୋଟିଏ ମୌଳିକ ପ୍ରଶ୍ନ ହେଲା ଏୟା ଯେ କୌଣସି ଏକ ଦେଶ ସହିତ ସଂପର୍କ ଛିନ୍ନ କରି ତାକୁ ‘ଏକ ଘରିକିଅା’ କରି ଦେବା ସେହି ଦେଶର ଶାସକ ପ୍ରତି ତୀବ୍ର ବିଦ୍ବେଷର ପରିଚାୟକ ହୋଇଥିଲେ ହେଁ ଏଭଳି ଆଭିମୁଖ୍ୟ ସେ ଦେଶରେ ବାସ କରୁଥିବା ଜନସାଧାରଣଙ୍କୁ ବିନା ଦୋଷରେ ପ୍ରଦାନ କରାଯାଉଥିବା ଦଣ୍ଡ ତୁଲ୍ୟ ହୋଇ ନ ଥା‌ଏ କି? ପ୍ରକାଶ ଥାଉ କି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ, ୨୦୦୧ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଏକ ଅପୂର୍ବ କାଳଖଣ୍ଡରେ, ଆଫଗାନିସ୍ତାନରେ ଗଣତନ୍ତ୍ର, ମୁକ୍ତ ବିଚାର, ଲିଙ୍ଗୀୟ ସାମ୍ୟ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶର ଯେଉଁ ସୂର୍ଯ୍ୟୋଦୟ ଘଟିଥିଲା, ତାହା ତାଲିବାନ ଦ୍ବାରା ପୁନଃ ଅଧିକୃତ (୨୦୨୧ ମସିହା) ହେବା ପରେ ଅକାଳ ଅସ୍ତମିତ ହୋଇ ସେହି ଦେଶକୁ ନିଶାର୍ଧର ତମସା ମଧ୍ୟକୁ ନିକ୍ଷେପିତ କରିଥିଲା। ଏହା ସୁବିଦିତ କିଭଳି ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନକୁ ତାଲିବାନ ହାତରେ ସମର୍ପି ଦେଇ ଅପ୍ରତ୍ୟାଶିତ ଭାବେ ପଳାୟନ କରିଥିଲା ଏବଂ ତା’ ପର ଠାରୁ ଆମେରିକା ସମେତ ଅଧିକାଂଶ ପୃଥିବୀ ଆଫଗାନିସ୍ତାନକୁ କେବଳ ବିସ୍ମରି ଯାଇ ନାହିଁ, ଏହା ଆଡ଼କୁ ଖୋଲା ରଖିଥିବା ବାତାୟନଗୁଡ଼ିକୁ ମଧ୍ୟ ବୁଜି ଦେଇଛି। ସେହି ଦୃଷ୍ଟିରୁ ଭାରତର ଆଭିମୁଖ୍ୟ ସେଠାରେ କ୍ଷୀଣ ଆଶାର ଆଲୋକ ସଦୃଶ ହୋଇଥାଏ। ଏଠାରେ ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ଉଚ୍ଚ ଶିକ୍ଷା ନେବା ଲାଗି ଆକାଂକ୍ଷୀ ଆଫଗାନ ଯୁବକମାନଙ୍କ ଭାରତ ଆଗମନକୁ ସୁଗମ କରିବା ଲାଗି ଗଲା ନଭେମ୍ବର ମାସରୁ ମୁମ୍ବାଇସ୍ଥିତ ଆଫଗାନିସ୍ତାନ କନ୍‌ସଲେଟ୍‌କୁ କାର୍ଯ୍ୟକ୍ଷମ କରାଯାଇଛି, ଯହିଁରେ ନିଯୁକ୍ତ ହୋଇଛନ୍ତି ଇକ୍ରାମୁଦ୍ଦିନ କମିଲ ନାମକ ଜଣେ ଉଚ୍ଚ ଶିକ୍ଷିତ ଯୁବ ଆଫଗାନ। କହିବାର ଅର୍ଥ ହେଲା ରାଜନୈତିକ ସ୍ବୀକୃତି ପ୍ରଦାନ କରା ନ ଯାଇ ମଧ୍ୟ ଏହି ଭୂଖଣ୍ଡରେ ଅବସ୍ଥାନ କରୁଥିବା ସାଢ଼େ ଚାରି କୋଟି ସଂଖ୍ୟା ବିଶିଷ୍ଟ ଜନ ସମୁଦାୟଙ୍କ ଦୁର୍ଦଶା ମୋଚନ କରିବାର ପ୍ରୟାସ କରାଯାଇପାରେ, ଯାହାକୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖିବା ଅନୁଚିତ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ସର୍ବନିମ୍ନ ଆବଶ୍ୟକତା ଭାବେ ଅାଫଗାନିସ୍ତାନରେ ଲିଙ୍ଗଗତ ବୈଷମ୍ୟର ଅବସାନ ନ ଘଟିବା ପର୍ଯ୍ୟନ୍ତ ଭାରତ ପକ୍ଷରୁ ତାଲିବାନ ଶାସନକୁ ଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ କରାଯିବ ନାହିଁ। କିନ୍ତୁ ଏହା ସତ୍ତ୍ବେ ଏକ ଶ୍ବାସରୁଦ୍ଧ ଆଫଗାନିସ୍ତାନ ଲାଗି ବାତାୟନକୁ ସାମନ୍ୟ ଖୋଲା ରଖି ଆଲୋକ ଓ ଅମ୍ଳଜାନର ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ।
ଅବଶ୍ୟ, କେତେକ ବିଶେଷଜ୍ଞ କହିଥାଆନ୍ତି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୃଷ୍ଟ ତୀବ୍ର ତିକ୍ତତାର ସୁଯୋଗ ନେଇ ଭାରତ ପକ୍ଷରୁ ଆଫଗାନିସ୍ତାନକୁ ଅମଳ କରାଯାଉଛି, ଯାହା ଏକ ସୁବିଧାବାଦୀ ଅଭିସନ୍ଧି ଏବଂ ତାହା ଆତଙ୍କବାଦ ପ୍ରତି ‌ପ୍ରୋତ୍ସାହନ। କିନ୍ତୁ ଏକ କଟୁ ବାସ୍ତବତା ହେଲା ତାଲିବାନକୁ ସୃଷ୍ଟି ଓ ପରିପୁଷ୍ଟ କରିଥିବା ପାକିସ୍ତାନର ପୃଷ୍ଠପୋଷକ ଥିଲା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସମଗ୍ର ପାଶ୍ଚାତ୍ୟ ପୃଥିବୀ ଏ ସମ୍ବନ୍ଧରେ ସଂପୂର୍ଣ୍ଣ ଅବଗତ ଥିଲା, ଯାହା ଏବେ ତାଲିବାନ ଶାସିତ ଆଫଗାନିସ୍ତାନକୁ ସଂପୂର୍ଣ୍ଣ ତ୍ୟାଜ୍ୟ କରିଦେଇଛି! ଏକ ଚରମ ମୌଳବାଦୀ ଓ ଉଗ୍ରବାଦୀ (ଆତଙ୍କବାଦୀ) ଇସଲାମୀ ସଂଗଠନ ହାତକୁ ଶାସନ ଭାର ଗଲେ ତାହା କିଭଳି ଆଭିମୁଖ୍ୟ ପ୍ରଦର୍ଶନ କରିପାରେ, ସେ ସମ୍ବନ୍ଧରେ ପାଶ୍ଚାତ୍ୟ ବିଶ୍ବ ଅନ୍ଦାଜ କରି ପାରି ନ ଥିଲା ନା ଅପରିଣାମଦର୍ଶିତା ଓ ଶୁଦ୍ଧ କପଟାଚାର ପାଶ୍ଚାତ୍ୟ ଦେଶଗୁଡ଼ିକର ଚରିତ୍ରଗତ ହୋଇସାରିଲାଣି? ଏହା ଏକ ବଡ଼ ପ୍ରଶ୍ନ! କହିବାରେ ଦ୍ବିଧା ନାହିଁ ‌େଯ ତାଲିବାନକୁ ଜନ୍ମ ଦେବା ପଛରେ ପାକିସ୍ତାନର ଏକ ପ୍ରଚ୍ଛନ୍ନ ଅଭିସନ୍ଧି ମଧ୍ୟ ଥିଲା ଯେ ଏହା ଜରିଆରେ ଜାମ୍ମୁ ଓ କାଶ୍ମୀରରେ ଅସ୍ଥିରତା ଓ ରକ୍ତପାତ ସୃଷ୍ଟି କରିବା। କିନ୍ତୁ ଯାହା ଅବିମୃଶ୍ୟକାରୀ ପାକିସ୍ତାନ ଅନ୍ଦାଜ କରି ପାରି ନ ଥିଲା, ତାହା ହେଲା ତାଲିବାନ ଖୁବ୍‌ ଶୀଘ୍ର ତା’ର କର୍ତ୍ତୃତ୍ବକୁ ଅବଜ୍ଞା କରିବ, କାରଣ ପାକିସ୍ତାନ ଆଶା କରିଥିଲା ଯେ କୃତଜ୍ଞତା ପ୍ରକାଶ କରି ଆଫଗାନିସ୍ତାନ ସର୍ବଦା ତା’ର ବଶମ୍ବଦ ହୋଇ ରହିବ। କିନ୍ତୁ କୃତଜ୍ଞତାର ବୋଝ ଏକ ସମ୍ମାନକ୍ଷୟକାରୀ ପରିସ୍ଥିତି ସୃଷ୍ଟି କରିଥାଏ, ଯାହାକୁ ସହନ କରି ସର୍ବଦା ବଚସ୍କର ହୋଇ ରହିବା ତାଲିବାନମାନଙ୍କ ସକାଶେ ସହଜ ହୁଅନ୍ତା ନାହିଁ!
ପ୍ରକାଶ ଥାଉ କି ୨୦୨୧ ମସିହାରେ ତାଲିବାନ ୨.୦ ଦ୍ବାରା ଆଫଗାନିସ୍ତାନ ଅଧିକୃତ ହେବା ପରେ ସେ ଦେଶ ଭାରତ ଦ୍ବାରା ସଂପୂର୍ଣ୍ଣ ରୂପେ ବର୍ଜ୍ୟ ହୋଇ ନ ଥିଲା, ଯେମିତି ଅନେକ ରାଷ୍ଟ୍ର କରି ଦେଇଛନ୍ତି। ପରବର୍ତ୍ତୀ କାଳରେ ଭାରତ ବିଭିନ୍ନ ସମୟରେ ଆଫଗାନିସ୍ତାନ ସହିତ ସଂପର୍କର ଦ୍ବାରକୁ ଅଧା ଆଉଜା କରି ରଖି ଆସିଛି ଏବଂ ନିଜ ଆଡୁ ସକାରାତ୍ମକ ଆଭମୁଖ୍ୟ ପ୍ରଦର୍ଶନ କରି ଆଫଗାନମାନଙ୍କ ଦୁର୍ଦଶା ବିମୋଚନ ଲାଗି ଉଦ୍ୟମ କରି ଆସିଛି। ସେହି ଦୃଷ୍ଟିରୁ ଦୁବାଇ ଆଲୋଚନା ହେଉଛି ଆଉ ଏକ ପଦପାତ ମାତ୍ର। କିନ୍ତୁ ଆଉ ଏକ ବାସ୍ତବତା ହେଲା ତାଲିବାନ ଶାସନକୁ ଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ କରି ନ ଥିଲେ ସୁଦ୍ଧା ଚୀନ ପକ୍ଷରୁ ଏକ ମିତ୍ରତାପୂର୍ଣ୍ଣ ଆଭିମୁଖ୍ୟ ପ୍ରଦର୍ଶନ କରାଯାଉଛି, ଯାହାର ପ୍ରକୃତ ଉଦ୍ଦେଶ୍ୟ ହେଲା ଦକ୍ଷିଣ ଏସୀୟ ଅଞ୍ଚଳରୁ ଭାରତର ପ୍ରଭାବକୁ ନିଷ୍ପ୍ରଭ କରିବା। ସେହି ଦୃଷ୍ଟିରୁ ମଧ୍ୟ ଆଫଗାନିସ୍ତାନ ସହିତ ସଂପର୍କ ରଖିବା ଭାରତ ଲାଗି କାମ୍ୟ ଭଳି ମନେ ହୋଇଥାଏ। ସଂପ୍ରତି ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସଂପର୍କ ଆଉ ଏକସୂତ୍ରୀ ହୋଇ ରହିନାହିଁ, ତାହା ବହୁସୂତ୍ରୀ ହୋଇଛି! ଉଦାହରଣ ସ୍ବରୂପ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଚରମ ପର୍ଯ୍ୟାୟ‌େର ଥିଲାବେଳେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସଂପର୍କ ପୂର୍ବବତ୍‌ ଚା‌ଲୁ ରହିଥିଲା‌; ଅର୍ଥାତ୍‌ ସଂପର୍କର କିଛି ଖିଅ ଛିଣ୍ଡିଗଲେ ସୁଦ୍ଧା ଅନ୍ୟ ଖିଅ ତକ ରହି ସଂପର୍କକୁ ମୂଳୋତ୍ପାଟିତ ହେବାକୁ ଦେବନାହିଁ। ସେହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ କୂଟନୈତିକ ସଂପର୍କ ନ ଥିଲେ ମଧ୍ୟ ଆଫଗାନିସ୍ତାନ ସହିତ ରଣନୈତିକ, ମାନବୀୟ, ସାଂସ୍କୃତିକ ସଂପର୍କ ରଖାଯାଇପାରେ। ଏକ ମତ ପ୍ରକାଶ ପାଇଥାଏ ଯେ ତାଲିବାନ ସହିତ କୌଣସି ପ୍ରକାର ସଂପର୍କ ସ୍ଥାପନ କରିବାର ଅର୍ଥ ହେଉଛି ମଧ୍ୟ-ଯୁଗୀୟ ବର୍ବରତାକୁ ପ୍ରଶ୍ରୟ ଦେବା। କିନ୍ତୁ ଭାରତ ପକ୍ଷରୁ ହେଉଥିବା ଉଦ୍ୟମ ଆଫଗାନମାନଙ୍କ ମଧ୍ୟରେ ଯେଉଁ ଆଲୋକ ପ୍ରଜ୍ଜ୍ବଳନ କରିବାର (ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବାରେ ବିକାଶ ଘଟାଇ) ସମ୍ଭାବନା ରଖିଛି, ତଦ୍ଦ୍ବାରା ଅନ୍ତତଃ ସାମାନ୍ୟ ତମସା ଦୂରୀଭୂତ ହୋଇପାରେ, ଯାହା ବାତାୟନ ନିବୁଜ କରିଦେଲେ ହେବା ଅସମ୍ଭବ!

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.