Breaking News

ଆଉ ଏକ ନୂତନତାବିହୀନ ଯୁଦ୍ଧ ଚଳଚ୍ଚିତ୍ର

ଗତବର୍ଷ ଠିକ୍ ଏହି ସମୟରେ (ସାଧାରଣତନ୍ତ୍ର ଦିବସ ଅବସରରେ) ମୁକ୍ତିଲାଭ କରିଥିଲା ଋତିକ ରୋଶନ ଅଭିନୀତ ‘ଫାଇଟର୍‌’ ଚଳଚ୍ଚିତ୍ର। ସେହି ଚଳଚ୍ଚିତ୍ର ସହିତ ଅକ୍ଷୟ କୁମାର ଅଭିନୀତ ‘ସ୍କାଇ ଫୋର୍ସ’ର ଅନେକଟା ସାମଞ୍ଜସ୍ୟ ରହିଛି।

ଗତବର୍ଷ ଠିକ୍ ଏହି ସମୟରେ (ସାଧାରଣତନ୍ତ୍ର ଦିବସ ଅବସରରେ) ମୁକ୍ତିଲାଭ କରିଥିଲା ଋତିକ ରୋଶନ ଅଭିନୀତ ‘ଫାଇଟର୍‌’ ଚଳଚ୍ଚିତ୍ର। ସେହି ଚଳଚ୍ଚିତ୍ର ସହିତ ଅକ୍ଷୟ କୁମାର ଅଭିନୀତ ‘ସ୍କାଇ ଫୋର୍ସ’ର ଅନେକଟା ସାମଞ୍ଜସ୍ୟ ରହିଛି। ଉଭୟ ଚଳଚ୍ଚିତ୍ର ଭାରତୀୟ ବାୟୁସେନାର ବହୁଚର୍ଚ୍ଚିତ ଆକ୍ରମଣକୁ କେନ୍ଦ୍ରରେ ରଖିଛନ୍ତି, ଉଭୟରେ ଶତ୍ରୁ ଦେଶ ହେଉଛି ପାକିସ୍ତାନ ଏବଂ ଉଭୟ ଅଲଗା ଅଲଗା ଐତିହାସିକ ଘଟଣାର କାଳ୍ପନିକ ଅବତାରଣା କରିଛନ୍ତି। ତେଣୁ ଦୁଇଟିଯାକ ସିନେମାରେ ଅସଲ ଚରିତ୍ରଙ୍କ ନାମ ଉଲ୍ଲେଖ କରାଯାଇନାହିଁ କି ଅସଲ ଇତିହାସ ପ୍ରତି କାହାଣୀର ପ୍ରତିବଦ୍ଧତା ନାହିଁ। ‘ଫାଇଟର୍‌’ର କାହାଣୀ ଓ ସଂଳାପରେ ଉଗ୍ର ରାଷ୍ଟ୍ରବାଦକୁ ଗୁରୁତ୍ବ ଦିଆଯାଇଥିବା ବେଳେ ‘ସ୍କାଇ ଫୋର୍ସ’ ରାଷ୍ଟ୍ରବାଦକୁ ସୀମିତ ରଖି ମାନବିକ ସମ୍ବେଦନାକୁ ଅଧିକ ଗୁରୁତ୍ବ ଦେଇଛି (ତଥାପି ନିକଟ ଅତୀତରେ ଲୋକପ୍ରିୟ ହୋଇଥିବା କଥନ- ‘ଘର ମେ ଘୁସ୍‌ କର୍‌ ମାରେଙ୍ଗେ’ ୧୯୬୫ର ଯୁଦ୍ଧ କାହାଣୀରେ କୌଣସିମତେ ପ୍ରବେଶ କରିଯାଇଛି)। ସିନେମାରେ ନାରୀ ଭୂମିକାର ଗୁରୁତ୍ବ ଦୃଷ୍ଟିରୁ ଦେଖିଲେ ‘ଫାଇଟର୍‌’ ଏକ ଉତ୍କୃଷ୍ଟ ସିନେମା ଥିଲା, କାରଣ ସେଥିରେ ଦୀପିକା ପାଦୁକୋଣ ଅଭିନୀତ ‘ମିନି’ ଚରିତ୍ର ଜଣେ ସ୍ବାଧୀନଚେତା ଫାଇଟର୍‌ ପାଇଲଟ୍‌ ଭାବେ ଅଧିକ ଗୁରୁତ୍ବ ପାଇଥିବା ବେଳେ ‘ସ୍କାଇ ଫୋର୍ସ’ରେ ନିମ୍ରତ କୌର ଓ ସାରା ଅଲ୍ଲୀ ଖାଁଙ୍କ ଚରିତ୍ରକୁ ଅତି ବେଶିରେ କାହାଣୀର ପାର୍ଶ୍ବ ଚରିତ୍ର ବୋଲି କୁହାଯାଇପାରିବ।

ନିକଟ ଅତୀତରେ ପାକିସ୍ତାନ ଉପରେ ହୋଇଥିବା ସମସ୍ତ ବାୟବୀୟ ଆକ୍ରମଣକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଥିବାରୁ ‘ସ୍କାଇ ଫୋର୍ସ’ର ନିର୍ମାତାମାନେ
ଇତିହାସର ପୃଷ୍ଠା ଓଲଟାଇ ୧୯୬୫ ମସିହାକୁ ଫେରିଯାଇଛନ୍ତି। ଏହା ସ୍ବାଗତଯୋଗ୍ୟ, କାରଣ ସେ ସମୟର ଭାରତୀୟ ସେନାବାହିନୀର ନାୟକଙ୍କ ଅବିଶ୍ବସନୀୟ ସାହସିକତା ଓ ସେମାନେ ସମ୍ମୁଖୀନ ହୋଇଥିବା ସମସ୍ୟାର ଗାଥା ଆଜିର ପିଢ଼ି ଜାଣିବା ଉଚିତ। ଏହାର କାହାଣୀରେ ଭାରତୀୟ ବାୟୁସେନାର ଵିଙ୍ଗ୍‌ କମାଣ୍ଡର୍‌ କୁମାର ଓମ୍ ଆହୁଜା (ଅକ୍ଷୟ କୁମାର)ଙ୍କ ଅଧୀନରେ ଏକ ପାଇଲଟ୍‌ ଦଳ ପାକିସ୍ତାନ ସହିତ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି। ସେଥିରେ ଅଛନ୍ତି ଜଣେ ଵିଙ୍ଗ୍‌ କମାଣ୍ଡର୍‌ ଟି. କୃଷ୍ଣ ବିଜୟ (ବୀର ପହାଡ଼ିୟା), ଯିଏ ଜଣେ ଉତ୍ସର୍ଗୀକୃତ ଓ ଦକ୍ଷ, କିନ୍ତୁ ବିଦ୍ରୋହପ୍ରବଣ ଫାଇଟର୍‌ ପାଇଲଟ୍‌ ଭାବେ ଵିଙ୍ଗ୍‌ କମାଣ୍ଡର୍‌ ଆହୁଜାଙ୍କ ଘନିଷ୍ଠ ହୋଇଛନ୍ତି। ଏହି ସମୟରେ ପାକିସ୍ତାନ ତରଫରୁ ଆକ୍ରମଣ ଆଶଙ୍କାରେ ଆହୁଜା ତାଙ୍କ ଦଳକୁ ପ୍ରତିଆକ୍ରମଣ ଲାଗି ପ୍ରସ୍ତୁତ କରାଉଛନ୍ତି। ଏ ଭିତରେ ପାକିସ୍ତାନର ଆକ୍ରମଣ ସୁନିଶ୍ଚିତ ବୋଲି ଜାଣିବା ସତ୍ତ୍ବେ ପ୍ରଥମେ ଆକ୍ରମଣ ନ କରିବାର ସରକାରୀ ନୀତିକୁ ସମାଲୋଚନା କରାଯାଇଛି। ଏହି ନୀତିର ପରିଣତି ସ୍ବରୂପ ଗୋଟିଏ ରାତିରେ ଭାରତୀୟ ବାୟୁସେନା ଆଡ୍ଡା ଉପରେ ପାକିସ୍ତାନର ଆକ୍ରମଣ ଯୋଗୁଁ ଭାରତୀୟ ସେନାକୁ ଅନେକ କ୍ଷତି ସହିବାକୁ ପଡୁଛି। ଏହା ପରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପ୍ରତିଆକ୍ରମଣ ପାଇଁ ଅନୁମତି ଦେଉଛନ୍ତି ଏବଂ ଵିଙ୍ଗ୍‌ କମାଣ୍ଡର୍‌ ଓମ୍‌ ଆହୁଜା ପାକିସ୍ତାନର ସର୍‌ଗୋଧା ଏଆର୍‌ ବେସ୍‌ ଆକ୍ରମଣର ସାହସିକ ଯୋଜନା ସହ ଅଗ୍ରସର ହେଉଛନ୍ତି। ଵିଙ୍ଗ୍‌ କମାଣ୍ଡର୍‌ ଟି. ବିଜୟଙ୍କୁ ଏହି ମିସନ୍‌ ବାହାରେ ରଖାଯାଇଥିବା ସତ୍ତ୍ବେ ସେ ଆଦେଶ ଅମାନ୍ୟ କରି ଏଥିରେ ସାମିଲ ହେଉଛନ୍ତି, ଯଦିଓ ଏହା ଏକ ‘ସୁଇସାଇଡ୍‌ ମିସନ୍’ ବୋଲି ସେ ଜାଣନ୍ତି।

ପ୍ରଥମାର୍ଦ୍ଧ ପରେ ‘ସ୍କାଇ ଫୋର୍ସ’ ମିସନ୍‌ କେଇ ମିନିଟ୍‌ ମଧ୍ୟରେ ସରିଯାଉଛି ଏବଂ ଚଳଚ୍ଚିତ୍ରଟି ଏକ ଅପ୍ରତ୍ୟାଶିତ ମୋଡ଼ ନେଉଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଟି. ବିଜୟ ପାକିସ୍ତାନ ଅଞ୍ଚଳରେ ରହସ୍ୟମୟ ଭାବେ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି ଏବଂ ଏହା ପରେ କମାଣ୍ଡର୍‌ ଓମ୍ ଆହୁଜା ଦୁଇ ଦଶନ୍ଧି ଧରି ତାଙ୍କ ପ୍ରିୟଶିଷ୍ୟଙ୍କୁ ଖୋଜିବାରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ୧୯୬୫ ଯୁଦ୍ଧର ବାସ୍ତବ ଐତିହାସିକ ଘଟଣାଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ହୋଇଥିବା ବେଳେ ଏହି କାହାଣୀରେ ତାହାର ଅବତାରଣା ସେଭଳି ସ୍ତରର ହୋଇନାହିଁ। ଚରିତ୍ରମାନଙ୍କ ଘନିଷ୍ଠତାକୁ ଦେଖାଇବା ଲାଗି ବିଶେଷ ସମୟ ମିଳିନଥିବାରୁ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବାରେ ମଧ୍ୟ ସମସ୍ୟା ହୋଇଥାଏ। କମ୍ପ୍ୟୁଟର୍‌ ଭିଏଫ୍‌ଏକ୍ସ ନିର୍ଭରଶୀଳତା ଯୋଗୁଁ ଫାଇଟର୍‌ ପ୍ଲେନ୍‌ ଲଢ଼େଇ ଦୃଶ୍ୟଗୁଡ଼ିକ ମନରେ ବିଶେଷ ଛାପ ଛାଡ଼ିବାରେ ବିଫଳ ହୋଇଛି। ପ୍ରଚ୍ଛଦ ସଂଗୀତ ଭାବେ ଅତ୍ୟନ୍ତ କାନଫଟା ଶବ୍ଦର ପ୍ରୟୋଗ ଏହି ଚଳଚ୍ଚିତ୍ରର ସବୁଠାରୁ ବିରକ୍ତିକର ଦିଗ। ଏଭଳି ଚରିତ୍ରରେ ଅଭିନୟ କରିବାରେ ପାରଙ୍ଗମ ଅକ୍ଷୟ ନିଖୁଣ ଅଭିନୟ କରିଛନ୍ତି ସତ, ହେଲେ ଏଥିରେ ନୂଆପଣର ଅଭାବ ଦର୍ଶକ ମନକୁ ପ୍ରଭାବିତ କରିବ ବୋଲି ଆଶା କରିବା ଭୁଲ୍ ହେବ। ସେହିପରି ତାଙ୍କ ପ୍ରଥମ ସିନେମାରେ ବୀର ପହାଡ଼ିୟା ନିଜ ଦକ୍ଷତା ପ୍ରଦର୍ଶନର ପର୍ଯ୍ୟାପ୍ତ ସୁଯୋଗ ପାଇନାହାନ୍ତି, ଯେତେବେଳେକି କାହାଣୀରେ ତାଙ୍କ ଚରିତ୍ର ଅଧିକ ଗୁରୁତ୍ବ ପାଇବା ଲାଗି ହକଦାର ଥିଲା। ଏହି ସିନେମାର ସବୁଠାରୁ ଭଲ ଦିଗ ହେଉଛି ଏହାର ଅବଧି। ପ୍ରାୟ ଦୁଇଘଣ୍ଟାରେ ସିନେମା ସମାପ୍ତ ହୋଇଯାଉଥିବାରୁ ଦର୍ଶକର ଆଖି ବିଶେଷ କ୍ଳାନ୍ତ ହେବନାହିଁ। କୌଣସି ପ୍ରକାର ନୂତନତାର ଅଭାବ ଯୋଗୁଁ ଏହି ସିନେମା ଦେଖିବା ଲାଗି ଉପଦେଶ ଦେବା ଉଚିତ ହେବନାହିଁ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.