Breaking News

ଆକାଂକ୍ଷୀ ଅଞ୍ଚଳ ବିକାଶ ପରିଷଦ

ଆଞ୍ଚଳିକ ବୈଷମ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୯୮ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ। ନୂଆ ସରକାର ଉତ୍ତର ଓଡ଼ିଶା ବିକାଶ ପରିଷଦ ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଏକ ଉଚ୍ଚସ୍ତରୀୟ କାର୍ଯ୍ୟବାହିନୀ ଗଠନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତିନିଟି ଆଞ୍ଚଳିକ ବିକାଶ ପରିଷଦ ଗଠନର ଆବଶ୍ୟକତା ଉପରେ ତର୍ଜମା କରିବାର ଆବଶ୍ୟକତା ରହିଛି। ବାସ୍ତବରେ ଆଞ୍ଚଳିକ ବିକାଶ ପରିଷଦ କ’ଣ ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ସହାୟକ ହେବ ନା ଏଥିପାଇଁ ଅନ୍ୟ କିଛି ଉପାୟ ଚିନ୍ତା କରିବାର ଆବଶ୍ୟକତା ରହିଛି।
ଆଞ୍ଚଳିକ ବୈଷମ୍ୟ ସମସ୍ୟା ଉପରେ ଅଧିକ ଅଧ୍ୟୟନ ଏବଂ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ୧୯୯୧ରେ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୧୯୯୪ରେ ରିପୋର୍ଟ ଦାଖଲ କରିଥିଲା। ୨୦୦୪ରେ ଜଷ୍ଟିସ୍‌ ଏସ୍‌. କେ. ମହାନ୍ତିଙ୍କ ଅଧ୍ୟକ୍ଷତାରେ କମିଟି ୨୦୦୮ରେ ରିପୋର୍ଟ ଦାଖଲ କରିଥିଲା।
ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତ କେବଳ ଏଇ ଦୁଇଟି ରିପୋର୍ଟରେ ଜିଲା ଏବଂ ବ୍ଲକ ସ୍ତରରେ ବିକାଶ ଉପରେ ବିଶେଷ ଅନୁଧ୍ୟାନ କରାଯାଇଛି। ଯଦିଓ ଅନେକ ଗବେଷକ ମଧ୍ୟ ରାଜ୍ୟର ବୈଷମ୍ୟ ଉପରେ ଅନେକ ଗବେଷଣାମୂଳକ ଲେଖା ବାହାର କରିଛନ୍ତି ଆମେ ସରକାରୀ ତଥ୍ୟ ଉପରେ ମୁଖ୍ୟତଃ ଆଲୋଚନା କରିବା। ୧୯୯୪ର ରିପୋର୍ଟ ୧୧ଟି ସୂଚକାଙ୍କକୁ ନେଇ ଓ ୨୦୦୮ର ରିପୋର୍ଟ ୧୪ଟି ସୂଚକାଙ୍କକୁ ନେଇ ୩୧୪ଟି ବ୍ଲକକୁ ବିକଶିତ, ବିକାଶମୁଖୀ, ପଛୁଆ ଓ ଅତି ପଛୁଆ ଏପରି ଚାରିଭାଗରେ ବିଭକ୍ତ କରିଥିଲେ।
୧୯୯୪ ଆଞ୍ଚଳିକ ବୈଷମ୍ୟ ରିପୋର୍ଟ ଅନୁସାରେ ରାଜ୍ୟର ୩୦ଟି ଜିଲା ମଧ୍ୟରୁ ୧୨ଟି ଜିଲାରେ କୌଣସି ଅତି ପଛୁଆ ବ୍ଲକ ନ ଥିଲା ଏବଂ ପାଞ୍ଚଟି ଜିଲାରେ କୌଣସି ପଛୁଆ ବ୍ଲକ ନ ଥିଲା। କଟକ, ଯାଜପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ କୌଣସି ପଛୁଆ କିମ୍ବା ଅତି ପଛୁଆ ବ୍ଲକ ନ ଥିଲା। ୧୪ଟି ଜିଲାରେ କୌଣସି ବିକଶିତ ବ୍ଲକ ନ ଥିଲା ଏବଂ ଆଠଟି ଜିଲାରେ କୌଣସି ବିକାଶମୁଖୀ ବ୍ଲକ ନ ଥିଲା। ୨୦୦୮ ଆଞ୍ଚଳିକ ବୈଷମ୍ୟ ରିପୋର୍ଟ ଅନୁସାରେ ରାଜ୍ୟର ୩୦ଟି ଜିଲା ମଧ୍ୟରୁ ୧୫ଟି ଜିଲାରେ କୌଣସି ଅତି ପଛୁଆ ବ୍ଲକ ନ ଥିଲା ଏବଂ ଛଅଟି ଜିଲାରେ କୌଣସି ପଛୁଆ ବ୍ଲକ ନ ଥିଲା। କେବଳ କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ କୌଣସି ପଛୁଆ କିମ୍ବା ଅତି ପଛୁଆ ବ୍ଲକ ନ ଥିଲା। ୧୩ଟି ଜିଲାରେ କୌଣସି ବିକଶିତ ବ୍ଲକ ନ ଥିଲା ଏବଂ ପାଞ୍ଚଟି ଜିଲାରେ କୌଣସି ବିକାଶମୁଖୀ ବ୍ଲକ ନ ଥିଲା। ତେଣୁ ପ୍ରାୟ ସମସ୍ତ ଜିଲାର ପଛୁଆ କିମ୍ବା ଅତି ପଛୁଆ ବ୍ଲକଗୁଡିକର ବିକାଶ ପାଇଁ ଯୋଜନାର ଆବଶ୍ୟକତା ରହିଛି।
ନୀତି ଆୟୋଗ ଦ୍ୱାରା ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (୨୦୨୩) ଅନୁସାରେ ଓଡ଼ିଶାର ସବୁଠାରୁ ପଛୁଆ ଦଶଟି ଜିଲା ହେଲା ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ଗଜପତି, କେନ୍ଦୁଝର, କନ୍ଧମାଳ, ନୂଆପଡ଼ା ଓ କଳାହାଣ୍ଡି। ଏସବୁ ଜିଲା ଆଦିବାସୀବହୁଳ ଜିଲା। ଭୌଗୋଳିକ ଦୃଷ୍ଟିକୋଣରୁ ଦଶଟି ଜିଲାରୁ ଆଠଟି ଜିଲା ରାଜ୍ୟର ଦକ୍ଷିଣପଶ୍ଚିମ ଭାଗରେ ଓ ଦୁଇଟି ଜିଲା ଉତ୍ତର ଓଡ଼ିଶାରେ ଅବସ୍ଥାପିତ। ରାଜ୍ୟର ଦଶଟି କମ୍‌ ଗରିବ ଜିଲା ହେଲା ପୁରୀ, ଜଗତ୍‌ସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଝାରସୁଗୁଡା, ସୋନପୁର, କେନ୍ଦ୍ରାପଡା ଓ ବଲାଙ୍ଗୀର। ଏଥିରୁ ଅଧିକାଂଶ ଜିଲା ଉପକୂଳ ଜିଲା ଏବଂ ତିନିଟି ଅଛି ପଶ୍ଚିମ ଓଡ଼ିଶାରେ। ନୀତି ଆୟୋଗଙ୍କ ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ହାରାହାରି ଦାରିଦ୍ର୍ୟ ହାର ପାଖାପାଖି ୧୬ ପ୍ରତିଶତ ଥିବା ସମୟରେ ପୁରୀ ଜିଲାରେ ସର୍ବନିମ୍ନ ତିନି ପ୍ରତିଶତ ଏବଂ ମାଲକାନଗିରି ଜିଲାରେ ସର୍ବାଧିକ ୪୫ ପ୍ରତିଶତ ପରିବାର ଗରିବ ଥିଲେ।
ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ୧୯୯୮ରୁ ଗଠନ ହୋଇଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଫଳତା ଏବଂ ବିଫଳତାରୁ ଆମକୁ ଅନେକ ଶିକ୍ଷା ମିଳିପାରିବ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କ୍ଷମତା ପରିସର ଭିତରେ ଆସୁଥିବା ଜିଲାଗୁଡିକ ହେଲା ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଏବଂ ଅନୁଗୋଳ ଜିଲାର ଆଠମଲ୍ଲିକ ଉପ-ବିଭାଗ। ନିରପେକ୍ଷ ମୂଲ୍ୟାୟନରୁ ଜଣାପଡେ ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ବିଶେଷ ଫଳପ୍ରଦ ହୋଇ ପାରିନାହିଁ। ଏହାର କାର୍ଯ୍ୟଶୈଳୀ, ଜିଲାୱାରି ପାଣ୍ଠି ବଣ୍ଟନ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଉପରେ ଅନେକ ସମୟରେ ଅଭିଯୋଗ ଆସିଛି।
ପ୍ରତ୍ୟେକ ଅଞ୍ଚଳର ବିକାଶ ପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥା ଭିତରେ ତିଆରି ହୋଇଛି ଅନେକ ବ୍ୟବସ୍ଥା ଓ ଅନୁଷ୍ଠାନ। କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ସ୍ତରରେ ନୀତି ନିଷ୍ପତ୍ତିକୁ କାର୍ଯ୍ୟାନ୍ବୟନ ପାଇଁ ସୃଷ୍ଟି ହୋଇଛି ଅମଲାତନ୍ତ୍ର। ତେଣୁ ଯେତେ ନୂଆ ବିକାଶ ପରିଷଦ ବା ବୋର୍ଡ ସୃଷ୍ଟି କଲେ ମଧ୍ୟ ସମସ୍ତ ସରକାରୀ ଅର୍ଥ ସମାନ ବ୍ୟବସ୍ଥା ଦେଇ ଖର୍ଚ୍ଚ କରିବାକୁ ପଡିବ। ଅନେକ ନୂଆ ଆଞ୍ଚଳିକ ବିକାଶ ପରିଷଦ ବା ବୋର୍ଡ ତିଆରି କଲେ କେବଳ ଆଉ ଗୋଟିଏ ସ୍ତରର ପ୍ରତିବନ୍ଧକ ସୃଷ୍ଟିକଲା ଭଳି ହୁଏ। ବିଭିନ୍ନ ପରିଷଦ ଏବଂ ବିଭାଗମାନଙ୍କ ଭିତରେ ସମନ୍ବୟ ରଖିବା ଜଟିଳ ହୁଏ।
ପଛୁଆ ଅଞ୍ଚଳର ବିକାଶ ପାଇଁ ବଜେଟରେ ଅଧିକ ଅର୍ଥ ବରାଦ କରାଯାଉ। ରାଜ୍ୟ ଅର୍ଥ ଆୟୋଗଙ୍କ ଗୁରୁତ୍ୱ ବୃଦ୍ଧି କରାଯାଉ। ରାଜ୍ୟ ଅର୍ଥ ଆୟୋଗ ବ୍ଲକ ଏବଂ ପଞ୍ଚାୟତ ସ୍ତରର ବିକାଶ ସୂଚୀ ପ୍ରସ୍ତୁତ କରନ୍ତୁ। ଅନଗ୍ରସର ପଞ୍ଚାୟତ ଏବଂ ବ୍ଲକ୍‌ଗୁଡିକୁ ଅଧିକରୁ ଅଧିକ ପାଣ୍ଠି ହସ୍ତାନ୍ତର କରାଯାଉ। ମୁଖ୍ୟତଃ ଭିତ୍ତିଭୂମି ବିକାଶର ସୂଚକାଙ୍କ ଅନୁସାରେ ନିଅଣ୍ଟିଆ ଅଞ୍ଚଳକୁ ଅଧିକ ପାଣ୍ଠି ଦିଆଯାଉ। ଏହି ପାଣ୍ଠିର ସୁବିନିଯୋଗ ପାଇଁ ସରକାରୀ ବ୍ୟବସ୍ଥାକୁ ସୁଦୃଢ କରାଯାଉ। ପଞ୍ଚାୟତ ଦପ୍ତରଠାରୁ ଆରମ୍ଭ କରି ବ୍ଲକ, ଉପବିଭାଗ ଏବଂ ଜିଲା ସଦର ମହକୁମାର ସମସ୍ତ ବିଭାଗରେ ଥିବା ସମସ୍ତ ପଦବୀ ପୂରଣ କରାଯାଉ। ରାଜ୍ୟ ଯୋଜନା ବୋର୍ଡକୁ ସକ୍ରିୟ କରାଯାଉ। କେନ୍ଦ୍ର ଅର୍ଥ ଆୟୋଗ ଏବଂ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ବରାଦ ହୋଇଥିବା ଅର୍ଥ ବିନିଯୋଗର ତଦାରଖ ହେଉ।
ଅନଗ୍ରସର ପଞ୍ଚାୟତ ଏବଂ ବ୍ଲକଗୁଡିକରେ ହେଉଥିବା ବିକାଶ କାର୍ଯ୍ୟକ୍ରମର ତଦାରଖ ପାଇଁ ରାଜ୍ୟସ୍ତରରେ ଏକ ଆକାଂକ୍ଷୀ ବ୍ଲକ ବିକାଶ ପରିଷଦ ଗଠନ କରାଯାଉ, ଏହା ରାଜ୍ୟ ଯୋଜନା ବୋର୍ଡର ଏକ ଅଂଶ ହେଉ, ଯାହାର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ରହିବେ। ଏହି ପରିଷଦ ପ୍ରତି ତିନି ମାସରେ ବଛା ବଛା ବିକାଶ ସୂଚକାଙ୍କର ତଦାରଖ କରିବ। ଏହା ସହିତ ଯୋଜନା ଏବଂ ସମନ୍ବୟ ବିଭାଗର ମନ୍ତ୍ରୀ କିମ୍ବା ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏହାର ଉପାଧ୍ୟକ୍ଷ ରହିପାରିବେ।
ଦୈନନ୍ଦିନ ତଦାରଖ ପାଇଁ ଏହି ପରିଷଦ ପଛୁଆ ଅଞ୍ଚଳଗୁଡିକ ପରିଦର୍ଶନ କରିବ। କେନ୍ଦ୍ର ଓ ରାଜ୍ୟ ସରକାର କରିଥିବା ସମସ୍ତ ଯୋଜନାର ବ୍ଲକ ଓ ପଞ୍ଚାୟତ ସ୍ତରରେ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲା ପରିଷଦ, ବିଧାୟକ ଏବଂ ସାଂସଦଙ୍କ ମିଳିତ ବୈଠକରେ ମାସିକ ଅଗ୍ରଗତି ରିପୋର୍ଟ ତର୍ଜମା କରିବେ।
କେନ୍ଦ୍ର ନୀତି ଆୟୋଗଙ୍କ ଦ୍ୱାରା ପ୍ରଚଳିତ ଆକାଂକ୍ଷୀ ଜିଲା ଏବଂ ବ୍ଲକ ଯୋଜନା ଅନୁରୂପ ରାଜ୍ୟ ଆକାଂକ୍ଷୀ ବ୍ଲକ ବିକାଶ ପରିଷଦ ସମସ୍ତ ଅତି ପଛୁଆ ଏବଂ ପଛୁଆ ବ୍ଲକଗୁଡିକର ପାଳିକରି ମାସିକ ପ୍ରଗତି ତଦାରଖ କରିବେ। ଅତିପଛୁଆ ଏବଂ ପଛୁଆ ବ୍ଲକ ଚିହ୍ନଟକରି ଆକାଂକ୍ଷୀ ବ୍ଲକ ବିକାଶ ପରିଷଦ ଏହିସବୁ ବ୍ଲକଗୁଡିକର ବିକାଶଧାରା ନିୟମିତ ତଦାରଖ କରିବ। ମୁଖ୍ୟ ବଜେଟ ସାଙ୍ଗରେ ଫଳାଫଳ ବଜେଟ, ମହିଳା ବଜେଟ, ପରିବେଶ ବଜେଟ ଭଳି ଆକାଂକ୍ଷୀ ବ୍ଲକ ବିକାଶ ବଜେଟ ବିଧାନସଭାରେ ଉପସ୍ଥାପନ କରାଯାଇପାରିବ। ଏଥିରେ ଆକାଂକ୍ଷୀ ବ୍ଲକଗୁଡିକରେ କେତେ ପାଣ୍ଠି ବରାଦ ହୋଇଛି, ବିଗତ ବର୍ଷ କେତେ ବରାଦ ହୋଇଥିଲା, କେତେ ଖର୍ଚ୍ଚ ହୋଇପାରିଛି ଏବଂ ଏହାର ଫଳାଫଳ କ’ଣ ହୋଇଛି ତାହାର ଏକ ସବିସ୍ତୃତ ବଜେଟ/ରିପୋର୍ଟ ଉପସ୍ଥାପନ ହୋଇପାରିବ। ରାଜ୍ୟ ଅର୍ଥ ଆୟୋଗ ଓ ଯୋଜନା ବୋର୍ଡର ସୁଦୃଢ଼ୀକରଣ ସହିତ ଏକ ଆକାଂକ୍ଷୀ ବ୍ଲକ ବିକାଶ ପରିଷଦ ଗଠନ କରି ସମସ୍ତ ପଛୁଆ ଓ ଅତି ପଛୁଆ ବ୍ଲକଗୁଡିକରେ ସରକାରୀ କଳର ସୁଦୃଢ଼ୀକରଣ, ଯୋଜନାର ତଦାରଖ ଏବଂ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କଲେ ସୁଫଳ ମିଳିବ।
ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର
ମୋ: ୯୪୩୯୯୨୩୬୨୬

 

 

 

 

 

 

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.