‘ଆକାଶ’ ସହ ଘଷି ହୋଇଗଲା ‘ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦର‌ରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ବିମାନ ବନ୍ଦରରେ ଆକାଶ ଏୟାର୍‌ର ଏକ ବିମାନ ଛିଡ଼ା ହୋଇଥିବା ବେଳେ ଅପରାହ୍ଣ ପ୍ରାୟ ୨ଟା ୧୫ ସମୟରେ ଏକ ସ୍ପାଇସ୍ ଜେଟ୍ ବିମାନ (ବୋଇଂ ୭୩୭-୭୦୦) ତା’ ଦେହରେ ଘଷି ହୋଇ ଯାଇଥିଲା। ଫଳରେ ଦୁଇଟି ବିମାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ସ୍ପାଇସ୍ ଜେଟ୍‌ର ଡାହାଣ ଡେଣା ଓ ଆକାଶ ବିମାନର ବାମ ପାର୍ଶ୍ବ ଷ୍ଟାବିଲାଇଜର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଆକାଶ ଏୟାର‌୍ର କ୍ୟୁପି-୧୪୦୬ ବିମାନ ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିବାବେଳେ ସ୍ପାଇସ୍ ଜେଟ୍ ବିମାନ ଲେହରୁ ଆସିଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣାରେ ହୋଇଥିବା କ୍ଷୟକ୍ଷତି ହେତୁ ଉଭୟ ବିମାନକୁ ଭୂଶାୟୀ କରାଯାଇଛି। ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ନିରାପଦରେ ଅବତରଣ କରାଯାଇଛି ଏବଂ ଆମର ଗ୍ରାଉଣ୍ଡ ଟିମ୍ ଯାତ୍ରୀମାନଙ୍କୁ ଶୀଘ୍ର ହାଇଦ୍ରାବାଦ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି ବୋଲି ଆକାଶ ଏୟାରଲାଇନ୍ସ ଏକ ବିବୃତିରେ କହିଛି। ବିମାନ ଚଳାଚଳ ନିୟାମକ ଡିଜିସିଏ ଏହି ଘଟଣାର ତଦନ୍ତ କରୁଛି।

 

 

ସୌଜନ୍ୟ ସମ୍ବାଦ