Breaking News

ଆଜିଠାରୁ ଦିବ୍ୟ, ଭବ୍ୟ ମହାକୁମ୍ଭ: ଲକ୍ଷାଧିକ ସାଧୁସନ୍ଥଙ୍କ ସମାଗମ, ଅଭୂତପୂର୍ବ ସୁରକ୍ଷା

ବିଶ୍ବର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଭୂତପୂର୍ବ ପ୍ରସ୍ତୁତି ହୋଇଛି। ଆସନ୍ତାକାଲି (ଜାନୁଆରି ୧୩)ଠାରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ।

ପ୍ରୟାଗରାଜ: ବିଶ୍ବର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଭୂତପୂର୍ବ ପ୍ରସ୍ତୁତି ହୋଇଛି। ଆସନ୍ତାକାଲି (ଜାନୁଆରି ୧୩)ଠାରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ  ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ସମେତ ଆଜି ଲକ୍ଷାଧିକ ସାଧୁସନ୍ଥ କୁମ୍ଭରେ ପହଞ୍ଚିଛନ୍ତି ଏବଂ ସେମାନଙ୍କୁ ତୀର୍ଥନଗରୀରେ ସନାତନପ୍ରେମୀ ଜୋର୍‌ଦାର୍‌ ସ୍ବାଗତ କରିଛନ୍ତି।  ଏହି ବିଶାଳ ଧାର୍ମିକ ସମାଗମ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଥିବା ବେଳେ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି। ମହାକୁମ୍ଭ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଓ ବିଶ୍ୱାସର ପ୍ରତୀକ  ।  ପ୍ରତି ୧୨ ବର୍ଷରେ  ଆୟୋଜିତ ହେଉଥିବା ଏହି ମେଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର  ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ଏକ  ଦିବ୍ୟ  ଉତ୍ସବ ।  ବିଶ୍ୱାସ ରହିଛି ଯେ ପ୍ରୟାଗରାଜରେ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମୋକ୍ଷ ମିଳିଥାଏ । ମହାକୁମ୍ଭ କେବଳ ପାପରୁ ମୁକ୍ତି ପାଇବାର ଏକ ଅବସର ନୁହେଁ, ବରଂ ଆତ୍ମା ଶୁଦ୍ଧି ଏବଂ ମୁକ୍ତି ପ୍ରାପ୍ତିର ଏକ ମାର୍ଗ ବୋଲି କୁହାଯାଏ।

ପବିତ୍ର ମହାକୁମ୍ଭ ଅବସରରେ ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିବେ।  ହଜାର ହଜାର ନାଗା ସାଧୁଙ୍କ ଆଗମନ କୁମ୍ଭମେଳାର ମୁଖ୍ୟ ଆକର୍ଷଣ ପାଲଟିଛି। ସଂସାରର ସମସ୍ତ ଜିନିଷ ତ୍ୟାଗ କରି ପବିତ୍ରତା ଓ ସାଧନାର ଉଦାହରଣ ସୃଷ୍ଟି କରିଥିବା ଏହି ସାଧୁମାନଙ୍କୁ ନେଇ ବିଶ୍ବବ୍ୟାପୀ ଉତ୍ସୁକତା ଦେଖିବାକୁ ମିଳିଛି।   ଚଳିତ ମହାକୁମ୍ଭରେ ୪୦ରୁ ୪୫ କୋଟି ଲୋକଙ୍କ ସମାଗମ ସମ୍ଭାବନା  ରହିଥିବାରୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ରହଣି ପାଇଁ ୪ ହଜାର ହେକ୍ଟର ପରିମିତ ଅଂଚଳରେ ଅସ୍ଥାୟୀ ଶିବିର ସ୍ଥାପନ କରାଯାଇଛି। ରାଜ୍ୟ ସରକାର ଏହି ମେଗା କାର୍ଯ୍ୟକ୍ରମ ପାଇଁ ୧୨ ହଜାର ୬୭୦ କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି।

୧୩  ବର୍ଷର ନାବାଳିକାକୁ ‘ଦାନ’ ଭାବେ ଗ୍ରହଣ, ମହନ୍ତଙ୍କୁ ବହିଷ୍କାର କଲା ଜୁନା ଆଖଡ଼ା

ପ୍ରୟାଗରାଜ, ୧୨/୧: କୁମ୍ଭମେଳାର ପ୍ରାରମ୍ଭିକ ସ୍ନାନ ବିଧି ପୂର୍ବରୁ ଜଣେ ୧୩ ବର୍ଷୀୟା ନାବାଳିକାକୁ ତାଙ୍କ ପରିବାରଠାରୁ ‘ଦାନ’ଭାବରେ ଗ୍ରହଣ କରିବା ଏବଂ ତାଙ୍କୁ ସାଧ୍ୱୀ (ସନ୍ନ୍ୟାସିନୀ) ଭାବେ ପ୍ରସ୍ତୁତ କରାଇବା ପାଇଁ ପ୍ରୟାସ କରିବା ମାମଲାରେ ଭାରତର  ଅନ୍ୟତମ ସର୍ବଶ୍ରେଷ୍ଠ ହିନ୍ଦୁ ମଠ ଜୁନା ଆଖଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଭଳି କାର୍ଯ୍ୟ ସଂପାଦନ କରିଥିବା ମହନ୍ତ କୌଶଲ ଗିରିଙ୍କୁ ୭ ବର୍ଷ ପାଇଁ ଜୁନା ଆଖଡ଼ା ବହିଷ୍କାର କରିଛି। ଆଖଡ଼ାର ଶୀର୍ଷ ପଦାଧିକାରୀଙ୍କ କହିବାନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ନାବାଳିକାଙ୍କୁ ଆଗ୍ରାରେ ଥିବା ତାଙ୍କ ପରିବାରକୁ ଫେରାଇ ଦିଆଯାଇଛି। ଏବେ ମହିଳାମାନଙ୍କୁ ସନ୍ନ୍ୟାସିନୀ ଭାବେ ଗ୍ରହଣ କରାଯିବା   ପାଇଁ ସର୍ବନିମ୍ନ ବୟସ ସୀମା ୨୨ ବର୍ଷ ରଖାଯାଇଛି ବୋଲି ଆଖଡ଼ା ପକ୍ଷରୁ ଅବଗତ କରାଯାଇଛି।

ଅନ୍ୟପକ୍ଷରେ ଗିରି କହିଛନ୍ତି ଯେ ଝିଅର ବାପା ତାଙ୍କ  ଝିଅର  ଇଚ୍ଛା ମୁତାବକ ‘ଦାନ’ କରିଥିଲେ ଏବଂ ସନ୍ନ୍ୟାସ ନେବା ସେହି ଝିଅର ସଂକଳ୍ପ ଥିଲା।  ଏଥିରେ ଝିଅର   ପିତାମାତାଙ୍କ କୌଣସି ଆପତ୍ତି ନଥିଲା। ଧର୍ମ ଧ୍ୱଜା ଧାରଣ ଓ ପିଣ୍ଡଦାନ ରୀତିନୀତି ସମାପ୍ତ କରିବା ପରେ ସେ ଆନୁଷ୍ଠାନିକ ଭାବେ ସନ୍ନ୍ୟାସ ଗ୍ରହଣ କରିଥାନ୍ତେ ଏବଂ ଏହାକୁ ସେ ସାର୍ବଜନୀନ ଭାବେ ଘୋଷଣା କରିଥିଲେ ବୋଲି ଗିରି କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଶୀର୍ଷ ସନ୍ଥମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ନୈତିକ ଓ ଆଇନଗତ ମାନଦଣ୍ଡ ଉଲ୍ଲଂଘନ କରିଥିବାରୁ ଗିରିଙ୍କୁ ହଟାଇବାକୁ ସେମାନେ ସର୍ବସମ୍ମତିକ୍ରମେ ରାଜି ହୋଇଥିଲେ। ସୂଚନାଯୋଗ୍ୟ, ଆଗ୍ରାରେ ମିଠା ବ୍ୟବସାୟ କରୁଥିବା ସଂପୃକ୍ତ ନାବାଳିକାଙ୍କ ବାପା ତାଙ୍କୁ ଏବଂ ତାଙ୍କ ଭଉଣୀଙ୍କୁ ଡିସେମ୍ବର ୨୬ ତାରିଖରେ ପ୍ରୟାଗରାଜ ନେଇ ସେକ୍ଟର ୨୦ସ୍ଥିତ ଜୁନା ଆଖଡ଼ା ଶିବିରରେ ପହଞ୍ଚି ଝିଅକୁ ସନ୍ନ୍ୟାସ ଗ୍ରହଣ ପାଇଁ  ‘ଦାନ’ କରିଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.