Breaking News

ଆଜିଠୁ ଜାତୀୟ ମହିଳା ହକି ଲିଗ୍‌ ଶେଷ ପର୍ଯ୍ୟାୟ: ବେଙ୍ଗଲ ବିପକ୍ଷରୁ ଓଡ଼ିଶାର ଅଭିଯାନ

ପ୍ରଥମ ଥର ଲାଗି ଆୟୋଜିତ ଜାତୀୟ ମହିଳା ହକି ଲିଗ୍‌ ୨୦୨୪-୨୫ରେ ଶେଷ ପର୍ଯ୍ୟାୟ ମଙ୍ଗଳବାରଠୁ ରାଞ୍ଚିସ୍ଥିତ ମାରାଙ୍ଗ ଗୋମ୍‌କେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍‌ରେ ଆରମ୍ଭ ହେବ।

ଭୁବନେଶ୍ବର: ପ୍ରଥମ ଥର ଲାଗି ଆୟୋଜିତ ଜାତୀୟ ମହିଳା ହକି ଲିଗ୍‌ ୨୦୨୪-୨୫ରେ ଶେଷ ପର୍ଯ୍ୟାୟ ମଙ୍ଗଳବାରଠୁ ରାଞ୍ଚିସ୍ଥିତ ମାରାଙ୍ଗ ଗୋମ୍‌କେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍‌ରେ ଆରମ୍ଭ ହେବ। ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୮ଟି ୨୧ ବର୍ଷରୁ କମ୍‌ ଦଳ ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବେଙ୍ଗଲ, ମିଜୋରାମ, ମଣିପୁର ଓ ଓଡ଼ିଶା ଭାଗନେବେ। ମ୍ୟାଚ୍‌ଗୁଡ଼ିକ ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ଖେଳାଯିବ। ଲିଗ୍‌ ମ୍ୟାଚ୍‌ ପରେ ଟେବୁଲ୍‌ର ଶୀର୍ଷରେ ଥିବା ଦଳ ଏଲିଟ୍‌ ଘରୋଇ ପ୍ରତିଯୋଗିତାର ବିଜେତା ଘୋଷିତ ହେବ। ତେବେ ଫେଜ୍‌-୧ ଓ ଶେଷ ପର୍ଯ୍ୟାୟରେ ମିଳିତ ଭାବେ ଟେବୁଲର ଶୀର୍ଷରେ ଥିବା ଦୁଇ ଦଳ ୨୮ ତାରିଖରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ଖେଳିବେ। ସେହିଭଳି ତୃତୀୟ ଓ ଚତୁର୍ଥ ଦଳ କାଂସ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ।‌ ଫେଜ୍‌-୧ରେ ହରିୟାଣା ୭ ମ୍ୟାଚ୍‌ରୁ ୧୬ ପଏଣ୍ଟ୍‌ ପାଇ ଟେବୁଲର ଶୀର୍ଷରେ ଥିଲା। ଏହା ପଛକୁ ସମାନ ମ୍ୟାଚ୍‌ ଖେଳି ଝାଡ଼ଖଣ୍ଡ ଓ ଓଡ଼ିଶା (୧୫ ପଏଣ୍ଟ୍‌ ଲେଖାଏଁ) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଓଡ଼ିଶା ଉଦ୍‌ଘାଟନୀ ଦିବସରେ ବେଙ୍ଗଲ୍‌ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

ଏଥିନେଇ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ‘‘ଯୁବ ଖେଳାଳିମାନେ ଏତେ ଉଚ୍ଚସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖି ଆମେ ଖୁସି।  ବର୍ଷ ସାରା ଘରୋଇ ପ୍ରତିଯୋଗିତା ଆୟୋଜନ ହେଉଛି। ଏଥିରେ ଅଂଶଗ୍ରହଣ କରିବା ଦ୍ବାରା ଖେଳାଳିମାନଙ୍କ ବିକାଶ ହେଉଛି। ମୁଁ ସମସ୍ତ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଶୁଭକାମନା ଜଣାଉଛି। ଆଶା ରଖିଛୁ ଏହି ପ୍ରତିଯୋଗିତାରେ ଆମେ କିଛି ଉଦୀୟମାନ ପ୍ରତିଭା ପାଇପାରିବୁ। ନିକଟରେ ବରିଷ୍ଠସ୍ତରରେ ଚମତ୍କାର ପ୍ରତିଯୋଗିତା ଦେଖିଛେ। ଏବେ କନିଷ୍ଠସ୍ତରରେ ଏଭଳି ଦେଖିବା ବୋଲି ଆଶା ରହିଛି’’।

ଜାତୀୟ ହକି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାରୁ ୫

ଭୁବନେଶ୍ବର: ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ଠାରେ ସୋମବାରଠୁ ଭାରତୀୟ ପୁରୁଷ ହକି ଦଳର ଜାତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ ସାରା ଭାରତରୁ ୩୬ ଜଣ ଖେଳାଳି ଭାଗ ନେଇଥିଲା ବେଳେ ଓଡ଼ିଶାରୁ ୫ ଜଣ ଅମିତ ରୋହିଦାସ, ଅମନଦୀପ ଲାକ୍ରା, ନୀଲମ ସଂଜୀପ ଖେସ୍‌, ସୁଦୀପ ଚିର୍ମାକୋ ଓ ଶିଳାନନ୍ଦ ଲାକ୍ରା ରହିଛନ୍ତି। ଏହି ୧୫ ଦିନିଆ ଶିବିର ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଶିବିରାର୍ଥୀ: କ୍ରିଶନ ବାହାଦୁର ପାଠକ, ପବନ, ସୂରଜ କରକେରା, ହୋନେନାହାଲ୍ଲୀ ଶଶିକୁମାର (ଗୋଲ୍‌ରକ୍ଷକ), ଜର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ସୁମିତ, ସଂଜୟ, ଯୁଗରାଜ ସିଂହ, ଅମନଦୀପ ଲାକ୍ରା, ନୀଲମ ସଂଜୀପ ଖେସ୍‌, ବରୁଣ କୁମାର, ୟଶଦୀପ ସିୱାଚ (ଡିଫେଣ୍ଡର), ରାଜକୁମାର ପାଲ, ଶମଶେର ସିଂହ, ମନପ୍ରୀତ ସିଂହ, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ମୋଇରାଙ୍ଗଥେମ ରବିଚନ୍ଦ୍ର ସିଂହ, ମହମ୍ମଦ ରାହିଲ ମୌସିନ, ବିଷ୍ଣୁକାନ୍ତ ସିଂହ, ରାଜିନ୍ଦର ସିଂହ, ପୂଭାନ୍ନା ସିବି (ମିଡ୍‌ଫିଲ୍ଡର), ଅଭିଷେକ, ସୁଖଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ, ଗୁରଜାଣ୍ଟ ସିଂହ, ଅଙ୍ଗଦବୀର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ବବି ସିଂହ ଧାମି, ସୁଦୀପ ଚିର୍ମାକୋ, ସେଲଭାମ କାର୍ତ୍ତି, ଶିଳାନନ୍ଦ ଲାକ୍ରା, ଦିଲ୍‌ପ୍ରୀତ ସିଂହ, ଉତ୍ତମ ସିଂହ (ଫରୱାର୍ଡ)।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.