Breaking News

ଆଜିଠୁ ମହାକୁମ୍ଭମେଳା: ବେଦପାଠରେ କମ୍ପିବ ଖଣ୍ଡଗିରି ପାହାଡ଼

ଆସନ୍ତାକାଲି (ମଙ୍ଗଳବାର)ଠାରୁ ଖଣ୍ଡଗିରିଠାରେ ମହାକୁମ୍ଭମେଳା ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ (୧୨ତାରିଖ) ପର୍ଯ୍ୟନ୍ତ ଚାଲିବ। ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁସନ୍ଥମାନଙ୍କ ଦ୍ୱାରା ସନାତନ ବୈଦିକ ଧର୍ମ...

ଖଣ୍ଡଗିରି: ଆସନ୍ତାକାଲି (ମଙ୍ଗଳବାର)ଠାରୁ ଖଣ୍ଡଗିରିଠାରେ ମହାକୁମ୍ଭମେଳା ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ (୧୨ତାରିଖ) ପର୍ଯ୍ୟନ୍ତ ଚାଲିବ। ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁସନ୍ଥମାନଙ୍କ ଦ୍ୱାରା ସନାତନ ବୈଦିକ ଧର୍ମ, ଧର୍ମ ସଂସ୍କୃତି, ସୁରକ୍ଷା ସର୍ବୋପରି ଜଗତ କଲ୍ୟାଣ ନିମନ୍ତେ ପଞ୍ଚ ମହାଯଜ୍ଞ, ଧାର୍ମିକ ସଭା, ସାଧନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତିବର୍ଷ ପରି ବିଶ୍ୱସନାତନ ବୈଦିକ ଧର୍ମ ପରିଷଦ, ଓଡ଼ିଶା ଆନୁକୂଲ୍ୟରେ ବିଶ୍ୱ ପ୍ରସିଦ୍ଧ ସାଧୁସନ୍ଥ ମହାକୁମ୍ଭ ମେଳା ସିଦ୍ଧ ସାଧନା ପୀଠ ଖଣ୍ଡଗିରିଠାରେ ଆୟୋଜିତ ହୋଇ ଆସୁଥିଲା ବେଳେ ଚଳିତ ବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବିଏମ୍‌ସି ଆନୁକୂଲ୍ୟରେ ଏହି ମେଳା ଆୟୋଜିତ ହେଉଛି।

ଆସନ୍ତାକାଲି ବ୍ରାହ୍ମ ମୁହୂର୍ତ୍ତରେ ଗୁରୁକୁଳ ବ୍ରହ୍ମଚାରୀ, ବ୍ରହ୍ମଚାରିଣୀଙ୍କ ଦ୍ବାରା ବେଦପାଠ, ପ୍ରାର୍ଥନା, ଉପାସନା କରାଯିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟାରେ ଖଣ୍ଡଗିରିରେ ଅବସ୍ଥିତ ରାଧାକୁଣ୍ଡ, ଶ୍ୟାମକୁଣ୍ଡ, ଆକାଶ ଗଙ୍ଗା, ଗୁପ୍ତଗଙ୍ଗାରୁ ୧୪୪ କଳସ ଶୋଭାଯାତ୍ରା କରାଯିବ। ମହାକୁମ୍ଭମେଳା ୧୪୪ ବର୍ଷରେ ପଡ଼ିଥିବାରୁ ୧୪୪ ଜଣକୁ ‘ଖଣ୍ଡଗିରି କୁମ୍ଭମେଳା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯିବ ବୋଲି ମେଳାର ଆବାହକ ତଥା ପରିଷଦର ଅଧ୍ୟକ୍ଷ ବାବା ପଞ୍ଚଦେବ, ମୁଖ୍ୟ ସଂଚାଳକ ବ୍ରହ୍ମଚାରୀ ବିଶେଷ ଚୈତନ୍ୟ, ସଂଯୋଜକ ଆଲୋକ ଦାସ, ଚନ୍ଦନ ଦାସ, କୃଷ୍ଣ ଦାସ, ନବ ଦାସ, ବାବା ଅଖଣ୍ଡାନନ୍ଦ, ବାବା କଲ୍ୟାଣୀ ଦାସ ପ୍ରମୁଖ ସାଧୁସନ୍ଥ ସୂଚନା ଦେଇଛନ୍ତି। ନବଦିନ ବ୍ୟାପୀ ଏହି ମେଳାରେ ୫ହଜାରରୁ ଅଧିକ ସାଧୁସନ୍ଥ, ମହାତ୍ମା, ବୈଦିକ, ବିଦ୍ୱାନ ଯୋଗଦେବେ। ଶ୍ରୀପଞ୍ଚମୀ ଅବସରରେ ଜଗନ୍ନାଥ ଚେତନା ମହାସତ୍‌ସଙ୍ଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରସନ୍ନଜୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ସ୍ଥାପନ ଓ ଧ୍ବଜା ଉତ୍ତୋଳନ କରାଯାଇଛି। ହରି ଓମ୍‌ବାବା, ଚନ୍ଦନ ବାବାଙ୍କ ସହିତ ବହୁ ସଂଖ୍ୟାରେ ସାଧୁସନ୍ଥ ସନ୍ନ୍ୟାସୀମାନେ ଯୋଗଦାନକରି ଖଣ୍ଡଗିରି ମହାକୁମ୍ଭମେଳାର ଶୁଭାଧିବାସ ସମ୍ପନ୍ନ କରିଛନ୍ତି।

‘ପ୍ଲାଷ୍ଟିକ୍‌ମୁକ୍ତ ହେଉ ମେଳା’

ଖଣ୍ଡଗିରି: ଖଣ୍ଡଗିରି ମେଳାରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମାଜସେବୀ ପ୍ରତାପ କୁମାର ସାହୁ ଦାବି କରିଛନ୍ତି। ମେଳାରେ ଲକ୍ଷଲକ୍ଷ ଲୋକଙ୍କ ଆଗମନ ହେତୁ ଏଠାରେ ପ୍ଲାଷ୍ଟିକ୍‌ ଜରି, ବୋତଲ ଓ ପଲିଥିନ୍‌ ଆଦିର ବହୁଳ ବ୍ୟବହାର ନେଇ ଆଶଙ୍କା ଉପୁଜିଛି। ମେଳାରେ ଅଂଶଗ୍ରହଣ କରୁଥିବା ଦୋକାନୀମାନେ ପ୍ଲାଷ୍ଟିକ୍‌ ବଦଳରେ କପଡ଼ା ବ୍ୟାଗ୍‌ ବ୍ୟବହାର କରିବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି। ଖଣ୍ଡଗିରି ମେଳାକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ସହିତ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ଓ ବିଏମ୍‌ସି ନିକଟରେ ଶ୍ରୀ ସାହୁ ଦାବି କରିଛନ୍ତି।

ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ: ବିଏମ୍‌ସି
ଶୃଙ୍ଖଳିତ ମେଳା ପରିଚାଳନା ପାଇଁ ବିଏମ୍‌ସି ବ୍ୟାପକ ପ୍ରସ୍ତୁତି କରିଛି। ଆଜି ମେୟର ସୁଲୋଚନା ଦାସ ଖଣ୍ଡଗିରିରେ ବୁଲି ସାଧୁସନ୍ଥମାନଙ୍କ ସହିତ ଆଲୋଚନା କରିଛନ୍ତି। ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି। କମିସନର ମଧ୍ୟ ମେଳା ବୁଲି ପ୍ରସ୍ତୁତି ଦେଖିଛନ୍ତି। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ଯାତ୍ରା ପାର୍ଟି ମାଲିକଙ୍କୁ ବିଏମ୍‌ସି ଚିଠି ଲେଖିଛି। କମିସନର କହିଛନ୍ତି, ଖଣ୍ଡଗିରିର ଯେଭଳି ମର୍ଯ୍ୟାଦା ହାନି ନ ହୁଏ ତାହାର ଯତ୍ନ ନେବାକୁ କମିଟିମାନଙ୍କୁ କୁହାଯାଇଛି। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଲୋକୀକରଣ, ପାନୀୟ ଜଳକୁ ଗୁରୁତ୍ୱ ଦିଆଯାଇଛି। ପବିତ୍ର ପଞ୍ଚକୁଣ୍ଡର ଖୁବ୍‌ଶୀଘ୍ର ପୁନରୁଦ୍ଧାର କରାଯିବ। ପ୍ରତି ୧୦୦ମିଟରରେ ଜଣେ ଲେଖାଏଁ ସ୍ୱଚ୍ଛ କର୍ମୀ ନିୟୋଜିତ ହେବେ।

ଚଳିତ ବର୍ଷ ଖଣ୍ଡଗିରି ମାଘ ମେଳାରେ ଅଧିକ ଜନ ସମାଗମ ହେବାର ସମ୍ଭାବନା ରହିଥିବାରୁ ସମଗ୍ର ମେଳା ଅଂଚଳରେ ୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ସେହିପରି ଦେଖଣାହାରୀମାନଙ୍କୁ ସହାୟତା କରିବା ପାଇଁ ୭୦ଟି ସୂଚନା କେନ୍ଦ୍ର ଖୋଲାଯାଇଛି । କୌଣସି ଦେଖଣାହାରୀଙ୍କର କିଛି ଅସୁବିଧା ହେଲେ ସେମାନେ ଏହି ସୂଚନା କେନ୍ଦ୍ରର ସହାୟତା ନେଇପାରିବେ। ସାଧୁମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ଟେଣ୍ଟ ବ୍ୟବସ୍ଥା ହୋଇଛି। ସମସ୍ତଙ୍କ ପାଇଁ ରୋଷେଇ ବ୍ୟବସ୍ଥା ମଧ୍ୟ କରାଯାଇଥିବା ମେୟର ସୂଚନା ଦେଇଛନ୍ତି।

ଅଶ୍ଳୀଳ ନୃତ୍ୟ କଲେ ‘ଠେଙ୍ଗା ପାହାର’

ଖଣ୍ଡଗିରି ମେଳା ଆମର ଐତିହ୍ୟ ଓ ସଂସ୍କୃତିର ନିଦର୍ଶନ। ମେଳାରେ ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଯଦି କେହି ଏଥିରେ ଖିଲାପ କରନ୍ତି ତେବେ ଠେଙ୍ଗା ପାହାର ତାର କମାଲ୍ ଦେଖାଇବ। ଅଶ୍ଳୀଳ ନୃତ୍ୟ ଉପରେ ରୋକ୍ ଲଗାଇବା ପାଇଁ ଠେଙ୍ଗା ପାହାର ସର୍ବଶେଷ ଓ ସର୍ବଶ୍ରେଷ୍ଠ ବିକଳ୍ପ ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି।

ଆଜି ଖଣ୍ଡଗିରି ପାହାଡ଼ସ୍ଥିତ ମା’ ବାରଭୁଜାଙ୍କ ପୀଠରେ ବାଉଁଶ ଠେଙ୍ଗା ପୂଜା କରାଯାଇଛି। ଯେଉଁ ସମୟରେ ଅଧର୍ମ ବୃଦ୍ଧି ପାଏ, ସେ ସମୟରେ ଅସ୍ତ୍ର ଉଠାଇବାକୁ ପଡ଼ିଥାଏ। ଯେଉଁମାନେ ସଂସ୍କୃତି ବିରୋଧୀ, ସେମାନେ ରାଷ୍ଟ୍ର ବିରୋଧୀ। ବର୍ତ୍ତମାନ ଯାତ୍ରାମଞ୍ଚରେ ଅଶ୍ଳୀଳତା ବଢ଼ିଚାଲିଥିଲା ବେଳେ ଲୋକେ ପରିବାର ସହିତ ବସି ଯାତ୍ରା ଉପଭୋଗ କରିବାକୁ ସଂକୋଚ କରୁଛନ୍ତି। ଆମ ସଂସ୍କୃତିକୁ କଦର୍ଥ କରିବାକୁ ଯେଉଁମାନେ ଚେଷ୍ଟିତ, ସେମାନଙ୍କୁ ଠିକଣା ଜବାବ ଦିଆଯିବ। ଏଥିପାଇଁ ଏକ ସ୍ବତନ୍ତ୍ର କ୍ୟାମ୍ପ କରାଯିବ। ସେଠାରେ ଠେଙ୍ଗାଧାରୀ ଯୁବକମାନେ ପ୍ରସ୍ତୁତ ରହିବେ। ପ୍ରତ୍ୟେକ ଯାତ୍ରାମଞ୍ଚ ନିକଟରେ ଠେଙ୍ଗାବାହିନୀ ଉପସ୍ଥିତ ରହିବା ସହିତ ଅଶ୍ଳୀଳ ପ୍ରଦର୍ଶନ ହେଲେ ସେମାନେ ତାଙ୍କର କାମ କରିବେ ବୋଲି ବିଧାୟକ ଶ୍ରୀ ସିଂ ଚେତାବନୀ ଦେଇଛନ୍ତି।

ସେହିପରି ଅଶ୍ଳୀଳ ନୃତ୍ୟ ସାମ୍ନାକୁ ଆସିଲେ ସମ୍ପୃକ୍ତ ଅପେରା ପାର୍ଟିକୁ ସବୁଦିନ ପାଇଁ ଖଣ୍ଡଗିରି ବ୍ୟାନ୍‌ କରାଯିବ ବୋଲି ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ରାମଚନ୍ଦ୍ର ରଣସିଂ, ସ୍ଥାନୀୟ ନେତୃତ୍ୱ ହିଂମାଶୁ ଶେଖର ଛୋଟରାୟ, ସୁଭାଷିନୀ ପୃଷ୍ଟି, ଇଦିଶ୍ ଭୂୟାଁ, ତାପସ ଦଳାଇ, ଧୀରେନ୍ ପାତ୍ର, ସ୍ୱୟଂସେବକ ରାୟ, ସୁରିୟ ପ୍ରସାଦ ରାଉତରାୟ, ହାପି ଛୁଆଳସିଂହ, ଜ୍ଞାନରଞ୍ଜନ ମହାନ୍ତି, ସୁରେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ବିଧାୟକ ଶ୍ରୀ ସିଂଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଛି। ଏଣୁ ଜଣେ ଶାସକ ଦଳ ବିଧାୟକ କଳାକାରଙ୍କୁ ଠେଙ୍ଗା ପାହାର ଦେବାକୁ ଚେତାବନୀ ଦେବା କେତେ ଦୂର ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.