Breaking News

ଆଜି ବିଶ୍ବ ଜଳ ଦିବସ: ଜଳ ଅପଚୟ ରୋକିବାକୁ କଟକଣା ନାହିଁ

କଥାରେ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ’। ଏହି ଢଗଟି ରାଜଧାନୀରେ ସ୍ପଷ୍ଟ ପ୍ରତିପାଦିତ ହେଉଛି। ଗୋଟିଏ ପଟେ ସହରର ପ୍ରମୁଖ ଛକଗୁଡ଼ିକରେ ଥଣ୍ଡା ପାଣି ଟିକେ ପାଇବା ପାଇଁ ଲୋକ ଡହଳବିକଳ ହେଉଥିବା ବେଳେ......

ପ୍ରିୟଙ୍କା ରାୟ

ଭୁବନେଶ୍ୱର: କଥାରେ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ’। ଏହି ଢଗଟି ରାଜଧାନୀରେ ସ୍ପଷ୍ଟ ପ୍ରତିପାଦିତ ହେଉଛି। ଗୋଟିଏ ପଟେ ସହରର ପ୍ରମୁଖ ଛକଗୁଡ଼ିକରେ ଥଣ୍ଡା ପାଣି ଟିକେ ପାଇବା ପାଇଁ ଲୋକ ଡହଳବିକଳ ହେଉଥିବା ବେଳେ ଅନ୍ୟ ପଟେ ରାସ୍ତାରେ ଶହ ଶହ ଲିଟର ଗାଡ଼ିଧୁଆ ପାଣି ଭାସୁଛି। ସେହିପରି ବର୍ଷା ଜଳକୁ ସଂରକ୍ଷଣ କରିବା ପାଇଁ ବିଭିନ୍ନ ଵାର୍ଡରେ ଲକ୍ଷ ଲକ୍ଷ ଟଙ୍କାରେ ହୋଇଥିବା ବର୍ଷା ଜଳ ଅମଳ ପ୍ରକଳ୍ପ ମାଟିରେ ମିଶି ଗଲାଣି।

ଅଚଳ ପଡ଼ିଛି ଵାଟର ଏଟିଏମ୍‌ ଓ କିଓସ୍କ
ଖରାଦିନକୁ ଦୃଷ୍ଟି‌ରେ ରଖି ପଥଚାରୀ ଓ ସାଧାରଣ ଲୋକଙ୍କୁ କମ୍‌ ମୂଲ୍ୟରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ୨୦୧୪ ମସିହାରେ ବିଏମ୍‌ସି ଯୋଜନା କରିଥିଲା ଵାଟର ଏଟିଏମ୍‌। ୨୦୧୬ରେ ଦୁଇଦଫାରେ ସହରରେ ୪୦ଟି ୱାଟର ଏଟିଏମ୍‌ ପ୍ରତିଷ୍ଠା ହୋଇଥିଲା। ସେଥିରେ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ସ୍ଥାପନ ହୋଇଥିବା ଏଟିଏମ୍‌ ଭିତରୁ ବର୍ତ୍ତମାନ ଅଧିକାଂଶ ଅଚଳ ହୋଇପଡ଼ିଛି। ବିଶେଷ କରି ଜନଗହଳି ସ୍ଥାନ ଯେପରିକି ମାର୍କେଟ ବିଲ୍ଡିଂ, ବାଣୀବିହାର, ରବୀନ୍ଦ୍ର ମଣ୍ଡପ, ନ’ତାଲା, ସତ୍ୟନଗର, ରାଜମହଲ, କେଶରୀ ଟକିଜ୍‌, ରସୁଲଗଡ଼ ଆଦି ସ୍ଥାନରେ ଥିବା ୱାଟର୍‌ ଏଟିଏମ୍‌ କାମ କରୁ ନଥିବାରୁ ଲୋକ ଭୀଷଣ ହଇରାଣ ହେଉଛନ୍ତି। ସେହିପରି ୨୦୧୮ ମସିହାରେ ବିଏମ୍‌ସି ଓ ଡଲାର ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ମିଳିତ ଆନୁକୁଲ୍ୟରେ ପ୍ରଥମ ପର୍ଯ୍ୟାୟରେ ସହରର ବିଭିନ୍ନ ସ୍ଥାନ ଯେପରିକି ଫାୟାର ଷ୍ଟେସନ, ସିଆରପି, ୟୁନିଟ୍‌-୮ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ୟୁନିଟ୍‌-୮ ପାର୍କ, ୧ ନମ୍ୱର ମାର୍କେଟ ଆଦି ସ୍ଥାନରେ ଜଳ କିଓସ୍କ ସ୍ଥାପନା କରାଯାଇଥିଲା। ହେଲେ ତାହା ମଧ୍ୟରୁ ଅଧିକାଂଶ ଅଚଳ ପଡ଼ିଛି। ୟୁନିଟ୍‌-୮ ପାର୍କ, ୧ ନମ୍ୱର ମାର୍କେଟରେ କେବଳ ନାମକୁ ମାତ୍ର କିଓସ୍କ ଥୁଆ ହୋଇଥିବା ବେଳେ ସିଆର୍‌ପି ଛକରେ ଯଦିଓ ପୂର୍ବରୁ ପାଣି ଆସୁଥିଲା ହେଲେ ବର୍ତ୍ତମାନ ସେଥିରେ ତାଲା ଝୁଲୁଛି। ସକାଳ ସାଢ଼େ ୮ଟାରୁ ଖରା ଆରମ୍ଭ ହୋଇଯାଉଥିବା ବେଳେ ଥଣ୍ଡା ପାଣି ମୁନ୍ଦେ ପାଇଁ ଲୋକମାନେ ବାଧ୍ୟ ହୋଇ ପାଣି ବୋତଲ କିଣୁଛନ୍ତି। ଗତ ୬ ତାରିଖରେ ବିଏମ୍‌ସି ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯିବ ବୋଲି କୁହାଯାଇଥିଲା। ସେହିପରି ସହରରେ ଥିବା ୬୧ଟି ଵାଟର କିଓସ୍କ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହୋଇଯିବ ବୋଲି ଵାଟ୍‌କୋ ପକ୍ଷରୁ ସୂଚନା ଦିଆଯାଇଛି।

ରାସ୍ତାରେ ଭାସୁଛି ଶହ ଶହ ଲିଟର ପାଣି
ଖରାଦିନେ ଜଳସଙ୍କଟ ଦେଖା ଦେଉଥିବା ବେଳେ ରାସ୍ତାରେ ଗାଡ଼ି ଧୁଆ ମଇଳା ପାଣି ଭାସୁଛି। ସହରରେ ଛତୁ ଫୁଟିଲା ଭଳି ସର୍ଭିସିଂ ସେଣ୍ଟର। ଏଭଳି କି ଗ୍ୟାରେଜଗୁଡ଼ିକରେ ମଧ୍ୟ ଗାଡ଼ି ଧୁଆ ଚାଲିଛି। ନୂଆପଲ୍ଲୀରେ ଥିବା ସର୍ଭିସିଂ ସେଣ୍ଟରର ମାଲିକଙ୍କ କହିବା ଅନୁଯାୟୀ ଗାଡ଼ିଧୁଆ ମେସିନ୍‌ ଓ ପାଇପ୍‌ର ମାପ ଅନୁସାରେ ପାଣି ବ୍ୟବହାର ହୋଇଥାଏ। ଗୋଟିଏ ବାଇକ୍‌ ବା ସ୍କୁଟି ପାଇଁ  ୧୫ରୁ ୨୦ ଲିଟର ଏବଂ କାର୍‌ ପାଇଁ  ୪୦ରୁ ୫୦ ଲିଟର୍‌ ପାଣି ଦରକାର ହେଉଛି। ପ୍ରତିଦିନ ୧୫ରୁ ୨୦ଟି ଗାଡ଼ି ଗୋଟିଏ ସର୍ଭିସିଂ ସେଣ୍ଟରରେ ସଫା ହେଉଛି। ଯଦି ବାଇକ ଓ ସ୍କୁଟି ପାଇଁ ଏତେ ପରିମାଣରେ ଜଳ ଲାଗୁଛି ତେବେ ବସ୍‌, ଟ୍ରାକ୍ଟର, ଟ୍ରକ୍ କଥା ତ ନ କହିବା ଭଲ। ପୁଣି ଅଧିକାଂଶ ସ୍ଥାନରେ ପାଣି ପାଇପ ଫାଟି ରାସ୍ତାରେ ଜଳ ଭାସୁଥିଲେ ସୁଦ୍ଧା ପଦକ୍ଷେପ ନିଆଯାଉନାହିଁ। ବ୍ୟାବସାୟିକ କାର୍ଯ୍ୟରେ ବ୍ୟବହାର ହେଉଥିବା ଜଳ ପାଇଁ ସରକାରୀ କଟକଣା ରହିଛି। ମନଇଚ୍ଛା ଜଳ ଅପଚୟ ହେଉଥିଲେ ସୁଦ୍ଧା ଏହା ଉପରେ ନିୟନ୍ତ୍ରଣ ଆଣିବାକୁ କାହାର ଆଗ୍ରହ ନାହିଁ। ଫଳରେ ଜଳର ଅପବ୍ୟବହାର ବଢ଼ି ଚାଲିଥିବାରୁ ଗ୍ରୀଷ୍ମରେ ଜଳସଙ୍କଟ ଦେଖାଦେଲେ ସ୍ଥିତି ଅଧିକ ବିଗିଡ଼ି ଯିବାର ଆଶଙ୍କା ରହିଛି।

କୁଆଡ଼େ ଗଲା ବର୍ଷା ଜଳ ଅମଳ ପ୍ରକଳ୍ପ?
ବିଭିନ୍ନ ବେସରକାରୀ ଆପାର୍ଟମେଣ୍ଟ କିମ୍ବା ପ୍ରତିଷ୍ଠାନମାନଙ୍କୁ ବୋର୍‌ୱେଲ୍‌ ଖୋଳିବା ପାଇଁ ଅନୁମତି ଦିଆଯାଉଛି। କିନ୍ତୁ ଏଭଳି କରିବା ଦ୍ବାରା ଭୂତଳ ଜଳସ୍ତର ହ୍ରାସ ପାଉଛି। ଏଥିପାଇଁ ବର୍ଷା ଜଳ ସଂରକ୍ଷଣ ପାଇଁ ସରକାର ନୂଆ ପ୍ରକଳ୍ପ ଘୋଷଣା କଲେ। ପ୍ରତ୍ୟେକ ସରକାରୀ ପ୍ରତିଷ୍ଠାନରେ ପରୀକ୍ଷାମୂଳକ ଭାବେ ‘ବର୍ଷା ଜଳ ଅମଳ ପ୍ରକଳ୍ପ’ ଆରମ୍ଭ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏଥିରୁ ସଫଳତା ମିଳିଲେ ଘରୋଇ ପ୍ରତି‌ଷ୍ଠାନ ଓ ଆପାର୍ଟମେଣ୍ଟଗୁଡ଼ିକରେ ପ୍ରକଳ୍ପ ଲାଗୁ କରିବା ବାଧ୍ୟତାମୂଳକ କରାଯାଇଥାନ୍ତା। ହେଲେ ଏହି ପ୍ରକଳ୍ପ ଓ ଯୋଜନା ନାଲି ଫିତା ତଳେ ରହିଯାଇଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.