Breaking News

ଆଜି ଶ୍ରୀଲିଙ୍ଗରାଜଙ୍କ ଦେବୀପାଦହରା ଯାତ୍ରା: ଦୁଇ ଦୈତ୍ୟଙ୍କୁ ପାଦରେ ଚାପିଥିଲେ ମା ପାର୍ବତୀ

ରାତି ପାହିଲେ ଅନୁଷ୍ଠିତ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦେବୀପାଦହରା ବା ସହସ୍ରଲିଙ୍ଗ ପୁଷ୍କରିଣୀକୁ ଯାତ୍ରା। ଫାଲ୍‌ଗୁନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।

ପୁରୁଣା ଭୁବନେଶ୍ବର: ରାତି ପାହିଲେ ଅନୁଷ୍ଠିତ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦେବୀପାଦହରା ବା ସହସ୍ରଲିଙ୍ଗ ପୁଷ୍କରିଣୀକୁ ଯାତ୍ରା। ଫାଲ୍‌ଗୁନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏକାମ୍ରଧିପତି ଲିଙ୍ଗରାଜଙ୍କ ବିଭିନ୍ନ ଯାତ୍ରା ମଧ୍ୟରୁ ଅନ୍ୟତମ ଏହି ଯାତ୍ରା ପଛରେ ରହିଛି ଏକ ସୁନ୍ଦର କିଂବଦନ୍ତୀ। ସେହିଭଳି ଏହି ଯାତ୍ରା ସହିତ ଠାକୁରଙ୍କ ରୁକୁଣା ରଥଯାତ୍ରାର ସମ୍ପର୍କ ମଧ୍ୟ ରହିଛି। ତେଣୁ ପ୍ରତିବର୍ଷ ଏହି ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।

କିଂବଦନ୍ତୀ ଅନୁସାରେ ଏକଦା ଏକାମ୍ର କାନନରେ ଆତଙ୍କରାଜ ସୃଷ୍ଟି କରିଥିଲେ ଦୁଇ ଦୁର୍ଦ୍ଦାନ୍ତ ଦୈତ୍ୟ କୀର୍ତ୍ତି ଓ ବାସ। ସେମାନଙ୍କ ଆତଙ୍କରେ ସମଗ୍ର ଏକାମ୍ର କାନନ ଥରହର ହେଉଥିଲା। ତେଣୁ ସେମାନଙ୍କୁ ତୁରନ୍ତ ବଧ କରିବାକୁ ଏକାମ୍ରକାନନବାସୀ ଦେବ ଦେବ ମହାଦେବ ତଥା ପ୍ରଭୁ ଲିଙ୍ଗରାଜଙ୍କୁ ପ୍ରାର୍ଥନା କରିଥିଲେ। କିନ୍ତୁ ଦେବତାଙ୍କ ହସ୍ତରେ ସେମାନେ ମରିବେ ନାହିଁ ବୋଲି ବର ପାଇଥିବାରୁ ମହାଦେବ ମା ପାର୍ବତୀଙ୍କୁ ଏହି ଦାୟିତ୍ବ ଦେଇଥିଲେ। ଏକାମ୍ରକାନନବାସୀଙ୍କ ପ୍ରାର୍ଥନା ଓ ଲିଙ୍ଗରାଜଙ୍କ ନିର୍ଦ୍ଦେଶ ପାଇ ମା ପାର୍ବତୀ ଦୁଇ ଦୁର୍ଦ୍ଦାନ୍ତ ଦୈତ୍ୟଙ୍କ ନିଧନ ପାଇଁ ଉପାୟ ବାହାର କଲେ। ସେ ଗୋପାଳୁଣୀ ବେଶ ଧାରଣ କରି ଦୁଇ ଦୈତ୍ୟଙ୍କ ନିକଟକୁ ଯାଇଥିଲେ ଏବଂ କୌଶଳର ସହ ସେମାନଙ୍କୁ ନିଜ ପାଦରେ ଚାପି ଦେଇଥିଲେ। ମା ପାର୍ବତୀଙ୍କ ପଦ ଚାପରେ ଦୁଇ ଦୈତ୍ୟ ମାଟି ତଳେ ଦବି ମୃତ୍ୟୁବରଣ କରିଥିଲେ ଏବଂ ଉକ୍ତ ସ୍ଥାନରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ସେଦିନର ସେହି ବିଶାଳ ଗର୍ତ୍ତ ଆଜିର ଦେବୀପାଦହରା ପୁଷ୍କରିଣୀ ବୋଲି କୁହାଯାଏ। ଦୁଇ ଦୈତ୍ୟଙ୍କ ସହ ମା ପାର୍ବତୀଙ୍କ ପାଦ ମାଟି ତଳେ ଲୁଚିଯିବାରୁ ଦେବୀପାଦହରା ନାମକରଣ ହୋଇଛି ବୋଲି କୁହାଯାଏ। ସେବେଠୁ ଉକ୍ତ ପୁଷ୍କରିଣୀ ଏକ ପବିତ୍ର ସ୍ଥାନ ଭାବେ ପୂଜା ପାଇଆସୁଛି। କେହି କେହି ଏହି ପୋଖରୀକୁ ପାର୍ବତୀ ସାଗର ବୋଲି ମଧ୍ୟ କହନ୍ତି।

ପ୍ରଭୁ ଲିଙ୍ଗରାଜଙ୍କ ଦେବୀପାଦହରା ଯାତ୍ରା ଅବସରରେ ଏହି ପୁଷ୍କରିଣୀରେ ଠାକୁରଙ୍କ ସ୍ନାନ ବିଧି ଓ ଭେଟ ଆଳତି ନୀତି ବିଧି ରହିଛି। ବିଧି ଅନୁସାରେ ମନ୍ଦିରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ବଲ୍ଲଭ ଭୋଗ ପରେ ବିଜେ ପ୍ରତିମା ଶ୍ରୀଚନ୍ଦ୍ରଶେଖର ସୁସଜ୍ଜିତ ଦୋଳବିମାନରେ ଦେବୀ ପାଦହରା ପୁଷ୍କରିଣୀକୁ ଯାତ୍ରା କରନ୍ତି। ସାଙ୍ଗରେ ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ଯିବା ପରମ୍ପରା ରହିଛି। ପୁଷ୍କରିଣୀର ଦକ୍ଷିଣ ପାର୍ଶ୍ବସ୍ଥ ସ୍ଥାୟୀ ଆସ୍ଥାନରେ ବିଜେ ପ୍ରତିମାମାନଙ୍କୁ ବିରାଜମାନ କରାଯାଏ। ଏହାପରେ ସ୍ନାନ ନୀତି ସମାହିତ ହୁଏ ଏବଂ ପ୍ରତିମାମାନଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଏ। ପୂଜାର୍ଚ୍ଚନା ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଆଳତି ଓ ମୁଆଁ ଭୋଗ ଅର୍ପଣ କରାଯାଏ। ଏହି ଅବସରରେ ବିଜେ ପ୍ରତିମାମାନଙ୍କୁ ପୁଷ୍କରିଣୀ ମଧ୍ୟରେ ଥିବା ମହାଦେବଙ୍କ ସହ ଭେଟ ଆଳତି କରାଯାଏ। ଏତିକିବେଳେ ପାଳିତ ହୁଏ ଏହି ଯାତ୍ରାର ଉଲ୍ଲେଖନୀୟ କାର୍ଯ୍ୟକ୍ରମ। ପୂଜା ପରେ ଭୋଗମୁଆଁକୁ ପୋଖରୀ ମଧ୍ୟକୁ ନିକ୍ଷେପ କରାଯାଏ। ବିଶ୍ବାସ ରହିଛି ଏହି ମୁଆଁ ଦୁଇ ଦୈତ୍ୟ କୀର୍ତ୍ତି ଓ ବାସଙ୍କ ପାଇଁ ସମର୍ପି ଦିଆଯାଏ। ବିଶ୍ବାସ ରହିଛି ଯେ ରୁକୁଣା ରଥଯାତ୍ରା ବେଳେ ଦୁଇ ଦୈତ୍ୟ ଯେମିତି କୌଣସି ବିଘ୍ନ ନ ଘଟାନ୍ତି, ସେଥିପାଇଁ ସେମାନଙ୍କୁ ମୁଆଁ ଭୋଗ ଦିଆଯାଏ। ମୁଆଁ ଭୋଗରେ ସେମାନଙ୍କୁ ସନ୍ତୁଷ୍ଟ କରାଯାଏ ଏବଂ ମା ପାର୍ବତୀଙ୍କ କଥା କହି ଚେତାବନୀ ମଧ୍ୟ ଦିଆଯାଏ। ଅନ୍ୟ କିଛି ଲୋକଙ୍କ ମତରେ ରୁକୁଣା ରଥ ପୂର୍ବରୁ ପ୍ରଭୁ ଲିଙ୍ଗରାଜ ରାହୁ ଦଶା ଖଣ୍ଡନ ପାଇଁ ଦେବୀପାଦହରା ଯାତ୍ରା କରନ୍ତି। ପୁଣି କେତେକଙ୍କ ମତରେ ରୁକୁଣା ରଥଯାତ୍ରା ପୂର୍ବରୁ ଦେବ ଶିଳ୍ପୀ ବିଶ୍ବକର୍ମାଙ୍କୁ ନିମନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଠାକୁରଙ୍କ ଏହି ଯାତ୍ରା ହୋଇଆସୁଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.