Breaking News

ଆଞ୍ଚଳିକ ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ: ପ୍ରଧାନମନ୍ତ୍ରୀ

ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଳ ମଣ୍ଡଳ ନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାୟଗଡ଼ା ରେଳ ମଣ୍ଡଳ ଯାତାୟାତ ସଂଯୋଗକୁ ବୃଦ୍ଧି କରିବା ସହିତ ପରିବହନ ସଂଯୋଗରେ...

ରାୟଗଡ଼ା: ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଳ ମଣ୍ଡଳ ନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାୟଗଡ଼ା ରେଳ ମଣ୍ଡଳ ଯାତାୟାତ ସଂଯୋଗକୁ ବୃଦ୍ଧି କରିବା ସହିତ ପରିବହନ ସଂଯୋଗରେ ଉନ୍ନତି ଆଣିବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ, ବ୍ୟାପର ଓ ରୋଜଗାର କ୍ଷେତ୍ର ସମେତ ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ରାୟଗଡ଼ା ରେଳ ମଣ୍ଡଳର ଭିତ୍ତି ପଡ଼ିଲା

ପୂର୍ବ ଭାରତର ଓଡ଼ିଶା, ଉତ୍ତରରେ ଜମ୍ମୁ-କାଶ୍ମୀର ଏବଂ ଦକ୍ଷିଣରେ ତେଲେଙ୍ଗାନାର ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରହିଛି। ଏହିକ୍ରମରେ ରାୟଗଡ଼ା ରେଳ ମଣ୍ଡଳ ନିମନ୍ତେ ୧୦୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆଖପାଖ ଅଞ୍ଚଳର ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ମଧ୍ୟ ଯୋଜନା ଚାଲିଛି। ରାୟଗଡ଼ାରେ ନୂତନ ରେଳ ମଣ୍ଡଳ କାର୍ଯ୍ୟାଳୟ ସହ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ, ଅଧିକାରୀ ଏବଂ କର୍ମଚାରୀଙ୍କ ରହିବା ପାଇଁ ଆଧୁନିକ ଆବାସ ନିର୍ମାଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂଯୋଗକ୍ରମେ ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଥିବାରୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ।
ରାୟଗଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଏହି ରେଳ ପ୍ରକଳ୍ପ ଦ୍ବାରା ରାୟଗଡ଼ା ତଥା ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ସହ ଏହି ଅଞ୍ଚଳରେ ବିକାଶର ଗତିକୁ ତ୍ବାରାନ୍ବିତ କରିବ। ପ୍ରକଳ୍ପ ଦ୍ବାରା ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶ ବଢ଼ିବ। ଏହି ଅଞ୍ଚଳ ପାଇଁ ରେଳ ପ୍ରକଳ୍ପ ପାରସମଣି ସାବ୍ୟସ୍ତ ହେବ ବୋଲି ମୋର ବିଶ୍ବାସ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ସମ୍ମାନିତ ଅତିଥି ରୂପେ କେନ୍ଦ୍ର ରେଳ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କହିଲେ, ଓଡ଼ିଶାରେ ରେଳ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ୨୦ହଜାର କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଓଡ଼ିଶାର ଆକାଂକ୍ଷା ଜିଲ୍ଲାଗୁଡିକୁ ଯୋଡ଼ିବା ପାଇଁ ଜୁନାଗଡ଼, କୋରାପୁଟ, ନବରଙ୍ଗପୁର, ଜୟପୁର ଓ ମାଲକାନଗିରି ରେଳପଥକୁ ଅନ୍ତର୍ଭୁକ୍ତ କରାଯାଇଛି। ଯାହାଫଳରେ କୋଟିଏ ‌ଜନସାଧାରଣଙ୍କୁ ନୂଆ ସୁଯୋଗ ମିଳିବ। ଗୁଣପୁର-ଥେରୁବାଲି ରେଳପଥ ଆଦିବାସୀ ଅଞ୍ଚଳର ଅଧିବାସୀଙ୍କ ନୂଆଁ ସାଧନ ସୃଷ୍ଟି କରିବ ବୋଲି ସେ ବକ୍ତବ୍ୟରେ କହିଥିଲେ।

କୋର‌ାପୁଟ ସାଂସଦ ସପ୍ତଗିରି ଉଲାକା ରେଳ ମଣ୍ଡଳ ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଗୁଣପୁର-ଥେରୁବାଲି ରେଳଲାଇନ୍‌କୁ ଭାୟା ପଦ୍ମପୁର ଓ ବିଷମକଟକ ଦେଇ ଯୋଡ଼ିବା ପାଇଁ ଦାବି କରିଥିଲେ। ରାୟଗଡ଼ାରେ ମେଡିକାଲ ‌କଲେଜ, ବିମାନବନ୍ଦର ନିର୍ମାଣ ଦାବିକୁ ଦୋହରାଇଥିଲେ। ବରିଷ୍ଠ ନାଗରିକ ଓ ସାମ୍ବାଦିକଙ୍କୁ ପୂର୍ବ ଭଳି ରିହାତି ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତଟ ରେଳ ଜୋନ୍‌ ଜିଏମ୍‌ ପରମେଶ୍ବର ଫୁଙ୍କୁୱାଲା ସ୍ବାଗତ ଭାଷଣ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାୟଗଡ଼ା ବିଧାୟକ ଆପ୍ପଲାସ୍ବାମୀ କାଡ୍ରାକା, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ୱାଲଟିୟର ଡିଭିଜନ୍‌ ଡିଆରଏମ୍‌ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ  କରିଥିଲେ। ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟାୱରୀ, ଏସ୍‌ପି ସ୍ବାଥୀ ଏସ୍‌. କୁମାର, ରେଳ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ – ସମ୍ୱାଦ

Comments are closed.