Breaking News

ଆତତାୟୀର ଗୁଳିରୁ ଅଳ୍ପକେ ବର୍ତ୍ତିଲେ ବାଦଲ: ସ୍ବର୍ଣ୍ଣ ମନ୍ଦିର ପରିସରରେ ହତ୍ୟା ଉଦ୍ୟମ

ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ଆଜି ଆତତାୟୀର ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସକାଳେ ସ୍ବର୍ଣ୍ଣ ମନ୍ଦିର ବାହାରେ ‘ସେବାଦାର’ ଦାୟିତ୍ବ ତୁଲାଉଥିବା ବେଳେ ଜଣେ ଆତଙ୍କବାଦୀ ତାଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲା।

ଅମୃତସର: ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ଆଜି ଆତତାୟୀର ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସକାଳେ ସ୍ବର୍ଣ୍ଣ ମନ୍ଦିର ବାହାରେ ‘ସେବାଦାର’ ଦାୟିତ୍ବ ତୁଲାଉଥିବା ବେଳେ ଜଣେ ଆତଙ୍କବାଦୀ ତାଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲା। ତେବେ ସାଦା ପୋଷାକରେ ସେଠାରେ ମୁତୟନ ଥିବା ଜଣେ ପୁଲିସ କର୍ମୀ ଉକ୍ତ ଆତଙ୍କବାଦୀକୁ ତତ୍‌କ୍ଷଣାତ କାବୁ କରିବାରୁ ବାଦଲ ଗୁଳିମାଡ଼ରୁ ରକ୍ଷା ପାଇଯାଇଛନ୍ତି।

୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ପଞ୍ଜାବରେ ଶିରୋମଣୀ ଅକାଳି ଦଳ (ଏସଏଡି) ସରକାର କରିଥିବା ଭୁଲ୍‌‌ ପାଇଁ ବାଦଲ ଏବେ ସ୍ବର୍ଣ୍ଣ ମନ୍ଦିରରେ ପ୍ରାୟଶ୍ଚିତ କରୁଛନ୍ତି। ପ୍ରାୟଶ୍ଚିତ ତଥା ଦଣ୍ଡ ଭୋଗର ଦ୍ବିତୀୟ ଦିବସରେ ବାଦଲ ସ୍ବର୍ଣ୍ଣ ମନ୍ଦିରର ଏକ ପ୍ରବେଶ ଦ୍ବାର ସମ୍ମୁଖରେ ‘ସେବାଦାର’ ଭୂମିକା ନିର୍ବାହ କରୁଥିବା ସମୟରେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ସମ୍ମୁଖରେ ଏହି ଦୁଃସାହସିକ ଆକ୍ରମଣ ଆଲୋଡ଼ନ ସୃଷ୍ଟି କରିଛି। ଟେଲିଭିଜନ ଫୁଟେଜରେ ଦେଖିବାକୁ ମିଳିଛି ଯେ ଗୁଳିଚାଳକ ଧୀରେ ଧୀରେ ହ୍ୱିଲ୍‌ଚେୟାରରେ ବସିଥିବା ବାଦଲଙ୍କ ଆଡ଼କୁ ଅଗ୍ରସର ହେଉଛି ଏବଂ ପକେଟରୁ ଏକ ପିସ୍ତଲ ବାହାର କରୁଛି। ବାଦଲଙ୍କ ନିକଟରେ ଠିଆ ହୋଇଥିବା ଜଣେ ପୁଲିସ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ଆକ୍ରମଣକାରୀର ହାତକୁ ଧରିନେବା ସହ ତାକୁ ସଂପୂର୍ଣ୍ଣ ନୟନ୍ତ୍ରଣକୁ ନେବାରେ ସକ୍ଷମ ହୋଇଥିଲେ। ଏହି ସମୟରେ ଆକ୍ରମଣକାରୀ ଏକ ଗୁଳି ଫୁଟାଇବାକୁ ସକ୍ଷମ ହୋଇଥିଲେ ମଧ୍ୟ ତାହା ବାଦଲଙ୍କ ପଛ କାନ୍ଥରେ ବାଜିଥିଲା ଏବଂ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ତୁରନ୍ତ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ଟାସ୍କ ଫୋର୍ସ ସଦସ୍ୟମାନେ ସ୍ଥିତି ନିୟନ୍ତ୍ରଣ କରିନେଇଥିଲେ। ଆତତାୟୀ ଜଣକ ଡେରା ବାବା ନାନକର ବାସିନ୍ଦା ତଥା ପୂର୍ବତନ ଆତଙ୍କବାଦୀ ନାରାୟଣ ସିଂହ ଚୌରା ବୋଲି ପୁଲିସ ଚିହ୍ନଟ କରିଛି। ଆକ୍ରମଣ ପରେ ସୁରକ୍ଷା କର୍ମୀମାନେ ତାକୁ ହେପାଜତକୁ ନେଇଥିଲେ ଏବଂ ସମଗ୍ର ପରିସରକୁ କିଛି ସମୟ ପାଇଁ କର୍ଡନ କରି ରଖାଯାଇଥିଲା। ଅମୃତସର ପୁଲିସ କମିସନର ଗୁରପ୍ରୀତ ସିଂହ କହିଛନ୍ତି ଯେ ପୁଲିସର ସତର୍କତା କାରଣରୁ ବାଦଲଙ୍କ ଉପରେ ଆକ୍ରମଣ ପଣ୍ଡ କରାଯାଇଛି। ଆକ୍ରମଣରେ ବ୍ୟବହୃତ ପିସ୍ତଲ ଜବତ କରାଯାଇଛି ଏବଂ ମାମଲାର ସମସ୍ତ ଦିଗରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ବାଦଲଙ୍କୁ ଆକ୍ରମଣ ଘଟଣା ପରେ ସ୍ବର୍ଣ୍ଣ ମନ୍ଦିର ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୧୭୫ ଜଣ ପୁଲିସ କର୍ମଚାରୀ ସେଠାରେ ମୁତୟନ ହୋଇଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.