Breaking News

ଆଦାନୀଙ୍କ କମ୍ପାନିର ରେଟିଂ ଖସିଲା: ରେଟିଂ କମ୍ କଲେ ଫିଚ୍, ମୁଡିସ୍‌

ଆମେରିକା ଲାଞ୍ଚ କାରବାର ଅଭିଯୋଗ ଆଣିବା ପରଠାରୁ ଶିଳ୍ପପତି ଗୌତମ ଆଦାନୀଙ୍କ ବେଳା ଖରାପ ଚାଲିଛି। ତାଙ୍କ ପ୍ରତି ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ତାଙ୍କ ସମସ୍ୟାକୁ ଆହୁରି ବଢ଼ାଇଛନ୍ତି ଦୁଇଟି ରେଟିଂ ଏଜେନ୍ସି ଫିଚ୍‌ ଓ ମୁଡିସ୍‌।

ନୂଆଦିଲ୍ଲୀ: ଆମେରିକା ଲାଞ୍ଚ କାରବାର ଅଭିଯୋଗ ଆଣିବା ପରଠାରୁ ଶିଳ୍ପପତି ଗୌତମ ଆଦାନୀଙ୍କ ବେଳା ଖରାପ ଚାଲିଛି। ତାଙ୍କ ପ୍ରତି ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ତାଙ୍କ ସମସ୍ୟାକୁ ଆହୁରି ବଢ଼ାଇଛନ୍ତି ଦୁଇଟି ରେଟିଂ ଏଜେନ୍ସି ଫିଚ୍‌ ଓ ମୁଡିସ୍‌। ଫିଚ୍‌ ପକ୍ଷରୁ ଆଦାନୀ ଗ୍ରୁପ୍‌ର ଚାରିଟି କମ୍ପାନିର ରେଟିଂକୁ ‘ନକାରାତ୍ମକ’ ବର୍ଗକୁ ହ୍ରାସ କରାଯାଇଥିବା ବେଳେ ମୁଡିସ୍‌ ପକ୍ଷରୁ ସାତଟି କମ୍ପାନିର ରେଟିଂ କମ୍ କରାଯାଇଛି।

ରେଟିଂ ହେଉଛି ବିଶ୍ବସ୍ତରରେ ପ୍ରଚଳିତ ଏକ ଆଧାର ଯାହା ବିଚାରକୁ ନେଇ ବିଭିନ୍ନ ଆର୍ଥିକ ସଂସ୍ଥା ଓ ନିବେଶକ ପାଣ୍ଠି ଦେବା ନିଷ୍ପତ୍ତି ଗ୍ରହଣ କରିଥାନ୍ତି। ଯେହେତୁ ରେଟିଂ ହ୍ରାସ କରାଯାଇଛି, ତେଣୁ କମ୍ପାନିକୁ ପାଣ୍ଠି ଯୋଗାଡ଼ କରିବା ଆହୁରି କଷ୍ଟକର ହେବ ଯାହା ଏହାର ସମ୍ପ୍ରସାରଣକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଫିଚ୍‌ ପକ୍ଷରୁ ଆଦାନୀ ପୋର୍ଟସ୍‌ର ରେଟିଂକୁ ବିବିବି ନେଗେଟିଭ୍‌କୁ ହ୍ରାସ କରାଯାଇଥିବା ବେଳେ ନର୍ଥ କ୍ବିନ୍‌ସଲ୍ୟାଣ୍ଡ୍‌ ଏକ୍ସପୋର୍ଟ ଟର୍ମିନାଲର ରେଟିଂକୁ ବିବି+ ଏବଂ ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍‌ର ରେଟିଂକୁ ବିବି+ ରେଟିଂ ପ୍ରଦାନ କରାଯାଇଛି। ଆଦାନୀ ଇଣ୍ଟରନ୍ୟାସନାଲ୍ କଣ୍ଟେନର୍‌ ଟର୍ମିନାଲ୍‌, ଆଦାନୀ ଗ୍ରିନ୍ ଏନର୍ଜି ଲିମିଟେଡ୍‌ ଓ ଆଦାନୀ ଏନର୍ଜି ସଲ୍ୟୁସନ୍ସ ଲିମିଟେଡ୍‌ର ରେଟିଂକୁ ବିବିବି ମାଇନସ୍‌କୁ ହ୍ରାସ କରାଯାଇଛି।

ଅନ୍ୟ ପକ୍ଷରେ, ମୁଡିସ୍‌ ରେଟିଂ ପକ୍ଷରୁ ଆଦାନୀ ଗ୍ରୁପ୍‌ର ସାତଟି କମ୍ପାନିର ରେଟିଂ ହ୍ରାସ କରାଯାଇଛି। ‌ସେହି କମ୍ପାନିଗୁଡ଼ିକ ମଧ୍ୟରେ ରହିଛି ଆଦାନୀ ଗ୍ରିନ୍‌ ଏନର୍ଜି, ଆଦାନୀ ପୋର୍ଟସ୍‌, ଆଦାନୀ ଟ୍ରାନ୍ସମିସନ୍‌ ଭଳି ତାଙ୍କର ଗୁରୁତ୍ବପୂର୍ଣ୍ଣ ସଂସ୍ଥା। ଆଦାନୀ ପୋର୍ଟସ୍‌ ଆଣ୍ଡ୍ ଏସ୍‌ଇଜେଡ୍, ଆଦାନୀ ଇଣ୍ଟରନ୍ୟାସନାଲ୍ କଣ୍ଟେନର୍‌ ଟର୍ମିନାଲ୍, ଆଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇ ଲିମିଟେଡ୍‌, ଆଦାନୀ ଗ୍ରିନ୍‌ ଏନର୍ଜିର ଦୁଇଟି ୟୁନିଟ୍ ଓ ଆଦାନୀ ଟ୍ରାନ୍ସମିସନ୍‌ର ଦୁଇଟି ୟୁନିଟ୍‌ର ଆଉଟ୍‌ଲୁକ୍‌ରେ ପରିବର୍ତ୍ତନ କରାଯାଇଛି। ଫିଚ୍‌ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଭବିଷ୍ୟତ ନକରାତ୍ମକ ମନେ ହେଉଥିବାରୁ ନିକଟ ଭବିଷ୍ୟତରେ ଏହାର ରେଟିଂରେ ଉନ୍ନତି ଅଣାଯିବାର ସମ୍ଭାବନା ନାହିଁ। କିନ୍ତୁ ଯଦି ଆମେରିକାରେ ଦେଖାଦେଇଥିବା ଆଇନଗତ ସମସ୍ୟାର ସମାଧାନ ହୋଇଯିବ ତେବେ ଆଉଟ୍‌ଲୁକ୍‌କୁ ସ୍ଥିର ପର୍ଯ୍ୟନ୍ତ ବଢ଼ାଯାଇପାରିବ ବୋଲି ଏହା ଜଣାଇଛି। ଲାଞ୍ଚ କାରବାର ଲାଗି ଆଦାନୀ ଗ୍ରୁପ୍‌ ଉପରେ ଚାରି ଆଡ଼ୁ ଚାପ ପଡ଼ୁଥିବା ବେଳେ ଏହା ଗତକାଲି ନିବେଶକମାନଙ୍କୁ ଶାନ୍ତ କରିବା ଲାଗି କମ୍ପାନି ପାଖରେ ୨୮ ମାସର ଋଣ ଶୁଝିବା ଲାଗି ନଗଦ ରାଶି ରହିଥିବା କହିଛି। କମ୍ପାନିର ସମ୍ପତ୍ତି ପରିମାଣ ୫ ଲକ୍ଷ କୋଟି ଟଙ୍କା ବୋଲି ଜଣାଇଛି। ଏହା ସତ୍ତ୍ବେ ଆଦାନୀ ଗ୍ରୁପ୍‌ର ଏକ ପ୍ରମୁଖ ସହଯୋଗୀ ଫ୍ରାନ୍ସର ଟୋଟାଲ୍‌ଏନର୍ଜିସ୍‌ ଆଦାନୀ ସହ କରାଯାଇଥିବା ଯୌଥ ଉଦ୍ୟୋଗରେ ନୂଆ ପୁଞ୍ଜିନିବେଶ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ତେବେ ସେହି ଘୋଷଣା ଦ୍ବାରା କମ୍ପାନି ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ଆଦାନୀ ଗ୍ରୁପ୍ ଜଣାଇଛି। ଅନ୍ୟ ପକ୍ଷରେ ଆଦାନୀ ଗ୍ରୁପ୍‌ର ପ୍ରମୁଖ ସହଯୋଗୀ ଜିକ୍ୟୁଜି ପାର୍ଟନର୍ସ ଯାହା ଏହା ସହିତ ସବୁ ସଙ୍କଟରେ ଠିଆ ହୋଇ ରହିଛି ତାହା ଏଥର ମଧ୍ୟ ଆଦାନୀକୁ ପୂର୍ଣ୍ଣ ସମର୍ଥନ ଦେଇଛି। ଆଦାନୀ ଗ୍ରୁପ୍‌ର ମୂଳଦୁଆ ବେଶ୍‌ ଦୃଢ଼ ଥିବାରୁ ଏହାର ନିବେଶକୁ ନେଇ ବିଶେଷ ଚିନ୍ତା ନଥିବା ଏହି ସଂସ୍ଥା କହିଛି।

ମାଡ୍ରାସ୍‌ ହାଇକୋର୍ଟରେ ଲାଞ୍ଚ ମାମଲା

ଚେନ୍ନାଇ: ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାର ଆଇନ ବିଭାଗ କରିଥିବା ଲାଞ୍ଚ କାରବାର ଅଭିଯୋଗର ତଦନ୍ତ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟକୁ କହିବା ଲାଗି ମାଡ୍ରାସ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କିମ୍ବା ସିବିଆଇ ଜରିଆରେ ମାମଲାର ତଦନ୍ତ କରାଯାଉ କିମ୍ବା ସ୍ବତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ଗଠନ କରି ଘଟଣାର ତଦନ୍ତ କରିବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ସୁପ୍ରିମ୍‌କୋର୍ଟରେ ମଧ୍ୟ ସେଭଳି ଏକ ମାମଲା ରୁଜୁ ହୋଇଛି। ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଅଭିଯୋଗ ସହିତ ମିଶାଇ ଲାଞ୍ଚ କାରବାର ମାମଲାର ତଦନ୍ତ କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି।
ସୌଜନ୍ୟ-ସମ୍ୱାଦ

Comments are closed.