Breaking News

ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗର ଜବାବ ଦେଲେ ମୋଦୀ

ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେତେବେଳେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ସେତେବେଳେ ଏହି ପ୍ରସଙ୍ଗ ଉଠି ନ ଥିଲା।

ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେତେବେଳେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ସେତେବେଳେ ଏହି ପ୍ରସଙ୍ଗ ଉଠି ନ ଥିଲା। ଆଦାନୀଙ୍କ ସହ ଚାଲିଥିବା ଲାଞ୍ଚ ମାମଲା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କ କଥାବାର୍ତ୍ତାରେ ଏହି ବିଷୟ ଉଲ୍ଲେଖ କରାଯାଇଛି କି ନାହିଁ ବୋଲି ପଚରାଯିବାରୁ ପ୍ରଧାନମନ୍ତ୍ରୀ କହିଥିଲେ, ଦୁଇ ଦେଶର ଦୁଇ ଗୁରୁତ୍ୱପୂର୍ଣ୍ଣ ନେତା କେବେ ବି ବ୍ୟକ୍ତିଗତ ବିଷୟ ଉପରେ କଥା ହୁଅନ୍ତି ନାହିଁ। ଭାରତ ଏକ ଗଣତନ୍ତ୍ର ଏବଂ ଆମ ସଂସ୍କୃତି ହେଉଛି ‘ବସୁଧୈବ କୁଟୁମ୍ବକମ୍’, ଆମେ ଭାବୁଛୁ ଯେ ସମଗ୍ର ବିଶ୍ୱ ଏକ ପରିବାର ପରି। ମୁଁ ଭାବୁଛି ସମସ୍ତ ଭାରତୀୟ ମୋ ପରିବାର।

ନିକଟରେ ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ୨୫୦ ନିୟୁତ ଡଲାରରୁ ଅଧିକ ଲାଞ୍ଚ ଦେବା ଷଡ୍‌ଯନ୍ତ୍ରରେ ଅଂଶଗ୍ରହଣ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲା। କୁହାଯାଉଛି, ସୌରଶକ୍ତି କାରବାର ପାଇଁ ଅନୁକୂଳ ପରିସ୍ଥିତି ହାସଲ କରିବା ନିମନ୍ତେ ଏହା କରାଯାଇଥିଲା। ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ଦେୟ ଆମେରିକୀୟ ବ୍ୟାଙ୍କ ଓ ନିବେଶକଙ୍କଠାରୁ ଲୁଚାଇ ରଖାଯାଇଥିଲା, ଯେଉଁମାନଙ୍କଠାରୁ ଆଦାନୀ ଗ୍ରୁପ୍ ଏହି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲା।

ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାର କିଛି ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଥିଲେ। ଅଦାନୀ ଗ୍ରୁପ୍ ଭଳି କାରବାରର ତଦନ୍ତରେ ବ୍ୟବହୃତ ପାଖାପାଖି ୫୦ ବର୍ଷ ପୁରୁଣା ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ସେ ନ୍ୟାୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ଆଦେଶରେ ଆଟର୍ଣ୍ଣି ଜେନେରାଲଙ୍କୁ କୁହାଯାଇଛି- ୧୮୦ ଦିନ ମଧ୍ୟରେ ଏଭଳି ତଦନ୍ତକୁ ନିୟନ୍ତ୍ରଣ କରୁଥିବା ମାର୍ଗଦର୍ଶିକା ଓ ନୀତି ଉପରେ ବିଚାର କରନ୍ତୁ। କୌଣସି ବିଶେଷ ବ୍ୟତିକ୍ରମ ନ ଥିଲେ କୌଣସି ନୂତନ ବିଦେଶୀ ଦୁର୍ନୀତି ଉପରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଅପରପକ୍ଷେ ଲାଞ୍ଚ ଓ ଠକେଇ ଅଭିଯୋଗ ଆସିବା ପରେ ଗୌତମ ଆଦାନୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ତାଙ୍କ ବିରୋଧରେ ଏକ ଷଡ଼୍‌ଯନ୍ତ୍ର ବୋଲି କହିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.