Breaking News

ଆନନ୍ଦ ବଜାର ସଂସ୍କାର: ୨୫ ସୁଦ୍ଧା ସୁଆର ସେବକଙ୍କ ସହାୟକ ପିନ୍ଧିବେ ସ୍ୱତନ୍ତ୍ର ଗଞ୍ଜି

ପୁରୀ,୧୯/୧୨: ଶ୍ରୀମନ୍ଦିରରେ ଆନନ୍ଦ ବଜାରରେ ସଂସ୍କାର ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ସୁଆର ସେବକଙ୍କ ସହାୟକଙ୍କୁ ସ୍ୱତନ୍ତ୍ର ପୋଷାକ ପିନ୍ଧାଇବାକୁ ପଦକ୍ଷେପ ନେଇଛି । ଆନନ୍ଦ ବଜାରରେ ଦୋକାନ କରିଥିବା ସୁଆର ସେବକମାନେ ଜଣେ ଲେଖାଏଁ ସହାୟକଙ୍କୁ ନିଯୁକ୍ତ କରିପାରିବେ । ଏହାକୁ ଅନୁମତି ଦେବାକୁ ପ୍ରଶାସନ ପ୍ରସ୍ତୁତି କରୁଛି । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆରମାନଙ୍କୁ ନିଯୁକ୍ତ କରୁଥିବା ସହାୟକଙ୍କ ନାମ, ଠିକଣା ସହ ବିସ୍ତୃତ  ପରିଚୟ ମଗାଯାଇଛି । ଆସନ୍ତା ୨୨  ତାରିଖ ସୁଦ୍ଧା ଏହି ତଥ୍ୟ ଦେବା ପରେ  ୨୫ ତାରିଖ ସୁଦ୍ଧା ଏହାକୁ ଯାଞ୍ଚ କରି ସହାୟକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର  ଗଞ୍ଜି ଓ ପରିଚୟପତ୍ର ଯୋଗାଇ ଦେବ ।  ସହାୟକମାନେ ଆନନ୍ଦ ବଜାରରେ ଅବଢ଼ା  ବିକ୍ରିରେ ସହାୟତା କରିବା ବେଳେ  ଏହି ଗଞ୍ଜି ଓ ପରିଚୟପତ୍ର ବ୍ୟବହାର  କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ  ନିର୍ଦ୍ଦେଶକ୍ରମେ ଆନନ୍ଦ ବଜାରରେ  ଏହି ଶୃଙ୍ଖଳା ଆଣିବାକୁ ବିଭାଗୀୟ  ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ  ପକ୍ଷରୁ କରାଯାଉଥିବା ଏହି ପୋଷାକୁ  ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ନ  ମହାପ୍ରସାଦ ଦୋକାନ ପାଇଁ କମଳା ରଙ୍ଗ  ଓ ଛପନ ଭୋଗ ବା ଶୁଖିଲା ମହାପ୍ରସାଦ  ଦୋକାନ ପାଇଁ ସବୁଜ ରଙ୍ଗର ଡ୍ରେସ୍‌  କୋର୍ଡ(ଗଞ୍ଜି) ହୋଇଛି । ଶୁଖିଲା ଦୋକାନ  ପାଇଁ ୨ ଜଣ ସହଯୋଗୀଙ୍କୁ ନିଯୁକ୍ତ  କରାଯିବାକୁ ଅନୁମତି ଦିଆଯାଉ ବୋଲି  ସୁଆର ମହାସୁଆର ନିଯୋଗ ପ୍ରଶାସନକୁ  ଜଣାଇଛି ।

ଅନ୍ୟପଟେ ପାରମ୍ପରିକ  ପୋଷାକକୁ ଭୁଲି ଶ୍ରୀମନ୍ଦିର ପ୍ରଶାସନ  ଏବେ ଅତ୍ୟାଧୁନିକ ଗଞ୍ଜିକୁ ଡ୍ରେସ୍‌ କୋର୍ଡ  କରିବା ବୁଦ୍ଧିଜୀବୀଙ୍କୁ ହତବାକ୍‌ କରିଛି । ଅନ୍ୟପଟେ ଖେଇକୁ ପାଳିଆ  ସେବକମାନଙ୍କ ଦ୍ୱାରା ବିକ୍ରି ନକରି  ସୁଆରମାନେ ନିଜେ ବିକ୍ରି କରନ୍ତୁ  ପ୍ରଶାସନିକ ବୈଠକରେ କୁହାଯିବା ଆଉ  ଏକ ଅସନ୍ତୋଷର ବିଷୟ ହୋଇଛି ।  ସେହିପରି ପସରତିଆଙ୍କୁ ବାଦ୍‌ ନଦେଇ  ସେମାନଙ୍କ ପାଇଁ ଡ୍ରେସ୍‌ କୋର୍ଡ କରିବାକୁ  ମଧ୍ୟ ଦାବି ଉଠିଛି । ଯାହାକୁ ନେଇ  ସୁଆର ସେବକଙ୍କ ଭିତରେ ଭିତ୍ତିରି  ଅସନ୍ତୋଷ ଦେଖାଦେଇଛି । ଆନନ୍ଦ  ବଜାରରେ ବାସି ଓ ନଷ୍ଟ ହୋଇଯାଇଥିବା  ଅବଢ଼ା ବିକ୍ରି ବନ୍ଦ ସାଙ୍ଗକୁ ଠାକୁରଙ୍କ  ନିକଟରେ ଭୋଗ ଲାଗୁ ନଥିବା ବିଭିନ୍ନ  ଖାଦ୍ୟ ସାମଗ୍ରୀ ଆନନ୍ଦ ବଜାରରେ  ପ୍ରଶାସନ ପକ୍ଷରୁ ବିକ୍ରି ବନ୍ଦ ପରେ ଏବେ  ସୁଆରସେବକଙ୍କ ଅସନ୍ତୋଷ ବଢ଼ିଛି ।

 

 

 

 

ସୌଜନ୍ୟ-ପ୍ରମେୟ

 

Comments are closed.