Breaking News

ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରନାହିଁ

ଶମ୍ଭୁ ଓ ଖାନାଉରି ସୀମାରେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ଆନ୍ଦୋଳନ ସମୟରେ ସାଧାରଣ ଲୋକ ଯେଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ଶମ୍ଭୁ ଓ ଖାନାଉରି ସୀମାରେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ଆନ୍ଦୋଳନ ସମୟରେ ସାଧାରଣ ଲୋକ ଯେଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୧୩ ତାରିଖରୁ ପଞ୍ଜାବ-ହରିୟାଣା ସୀମାରେ ଚାଷୀମାନେ ଧାରଣା ଆରମ୍ଭ କରିଥିଲେ। ପଞ୍ଜାବର ଚାଷୀ ନେତା ଜଗଜିତ ସିଂହ ଦାଲେୱାଲ୍‌ ଆମରଣ ଅନଶନ କରିଥିଲେ। ନଭେମ୍ବର ୨୬ରେ ପୁଲିସ ତାଙ୍କୁ ଖାନାଉରି ଧାରଣାସ୍ଥଳରୁ ବଳପୂର୍ବକ ଉଠାଇ ନେଇଥିଲା। ଏହା ପରେ ଚାଷୀମାନେ ଦିଲ୍ଲୀ ଅଭିମୁଖେ ପ୍ରତିବାଦ ରାଲି ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଚାଷୀନେତା ଦାଲେୱାଲ୍‌ଙ୍କ ‘ହେବିଅସ୍‌ କର୍ପସ୍‌’ ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ ଦାଲେୱାଲ୍‌ଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହ ପରବର୍ତ୍ତୀ ସମୟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ ରାୟରେ ଖଣ୍ଡପୀଠ କହିଛନ୍ତି, ଆମେ ଦେଖିଲୁଣି ଯେ ସେ ମୁକ୍ତ ହୋଇସାରିଛନ୍ତି। ନିଜର ସାଥୀ ଆନ୍ଦୋଳନକାରୀଙ୍କୁ ଆମରଣ ଅନଶନ ଶେଷ କରିବାକୁ ମଧ୍ୟ ଶନିବାର ଅନୁରୋଧ କରିଛନ୍ତି। ଚାଷୀଙ୍କ ଦ୍ବାରା ଉଠାଯାଇଥିବା ପ୍ରସଙ୍ଗ କୋର୍ଟଙ୍କ ବିଚାରାଧୀନ ରହିଛି। ଗାଣତାନ୍ତ୍ରିକ ବ୍ୟବସ୍ଥାରେ ତୁମେମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିପାରିବ, କିନ୍ତୁ ସାଧାରଣ ଲୋକଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିପାରିବ ନାହିଁ। ତୁମେ‌ମାନେ ଜାଣିଛ ଯେ ଖାନାଉରି ସୀମା ପଞ୍ଜାବର ‘ଜୀବନ ଧାରା’। ଆମେ ଆନ୍ଦୋଳନକୁ ‘ଠିକ୍‌ କିମ୍ବା ଭୁଲ୍‌’ ବୋଲି କହୁନାହୁଁ। ଏଣୁ ଦାଲେୱାଲ୍‌ ନିଜର ସାଥୀଙ୍କୁ କୌଣସି ଆଇନ ଶୃ୍‌ଙ୍ଖଳା ପରିସ୍ଥିତି ଯେଭଳି ସୃଷ୍ଟି ନହୁଏ ସେନେଇ ବୁଝାନ୍ତୁ।

‘ଦିଲ୍ଲୀ ଚଲୋ’ପଦଯାତ୍ରା ସପ୍ତାହେ ସ୍ଥଗିତ

ନୂଆଦିଲ୍ଲୀ: ଆଜି ସକାଳେ କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ ହେବା ସହ ଦିଲ୍ଲୀ-ନଏଡ଼ା ସୀମାରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଉପୁଜିଥିଲା। ବିକେପି (ଭାରତୀୟ କିଷାନ ପରିଷଦ) , କେଏମଏମ୍‌ ( କିଷାନ ମଜଦୁର ମୋର୍ଚ୍ଚା),ଏ‌ସକେମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚା) ସମେତ ‌ଅନ୍ୟ କେତେକ କୃଷକ ସଂଗଠନ ସରକାର ଦଖଲ କରିଥିବା ସେମାନଙ୍କ ଜମି ବଦଳରେ ପର୍ଯ୍ୟାପ୍ତ କ୍ଷତିପୂରଣ ଦାବି କରି ପଦଯାତ୍ରା ଆନ୍ଦୋଳନ ଆରମ୍ଭ କରିଥିଲେ। ଫଳରେ ଯାତ୍ରୀମାନଙ୍କ ପାଇଁ ସମସ୍ୟା ଉପୁଜିଥିଲା। କିନ୍ତୁ କର୍ତ୍ତୃପକ୍ଷ ଆଜି ଅପରାହ୍ନରେ କୃଷକମାନଙ୍କ ସହ ଏକ ବୁଝାମଣାରେ ପହଞ୍ଚିଥିଲେ। ଏହାପରେ ରାସ୍ତା ଉପରୁ ବ୍ୟାରିକେଡ୍‌ ହଟିଥିଲା ଏବଂ ଟ୍ରାଫିକ୍‌ ସମସ୍ୟାର ସମାଧାନ ହୋଇଥିଲା। ଉତ୍ତରପ୍ରଦେଶର ବରିଷ୍ଠ ସରକାରୀ ଅଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପାଇବାପରେ କୃଷକମାନେ ସେମାନଙ୍କ ଆନ୍ଦୋଳନ ସପ୍ତାହେ ସ୍ଥଗିତ ରଖିବାପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ଦଳିତ ପ୍ରେରଣା ସ୍ଥଳରେ ନଏଡ଼ା କର୍ତ୍ତୃପକ୍ଷ ଆନ୍ଦୋଳନରତ କୃଷକଙ୍କ ସହ କଥା ‌ହୋଇଥିଲେ। ସେମାନେ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ସପ୍ତାହକ ମଧ୍ୟରେ ଚାଷୀ ନେତା ଏବଂ ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କ ମଧ୍ୟରେ ଏକ ବୈଠକ ହେବ। ଲିଖିତ ପ୍ରତିଶ୍ରୁତି ପାଇବାପରେ ଆନ୍ଦୋଳନରତ କୃଷକ ସେମାନଙ୍କ ପଦଯାତ୍ରା ସ୍ଥଗିତ ରଖିବାପାଇଁ ରାଜି ହୋଇଥିଲେ।
ସୌଜନ୍ୟ-ସମ୍ୱାଦ

Comments are closed.