Breaking News

ଆପଣ ସୀମାଶୁଳ୍କ ଠକେଇର ଶିକାର?

ଆପଣ କିମ୍ବା ଆପଣଙ୍କ ପ୍ରିୟଜନ କିଏ ବିଦେଶରେ ରହୁଛନ୍ତି କି? ବେଳେବେଳେ ଆପଣ ତାଙ୍କଠୁ ଉପହାର ପାଇଥାଆନ୍ତି କିମ୍ବା ସେଠାରୁ କୌଣସି ଜିନିଷ ମଗାଇଥାନ୍ତି। ଏଥିଲାଗି ଆପଣଙ୍କୁ ଏକ ସ୍ବତନ୍ତ୍ର ଟିକସ ଦେବାକୁ ପଡ଼େ। ଆଇନ ଅନୁସାରେ, ବିଦେଶରୁ ଦ୍ରବ୍ୟ କିଣିଲେ ସୀମାଶୁଳ୍କ ଦେବାକୁ ପଡ଼େ।

ପ୍ରଜ୍ଞା ନିବେଦିତା ନାୟକ

ଆପଣ କିମ୍ବା ଆପଣଙ୍କ ପ୍ରିୟଜନ କିଏ ବିଦେଶରେ ରହୁଛନ୍ତି କି? ବେଳେବେଳେ ଆପଣ ତାଙ୍କଠୁ ଉପହାର ପାଇଥାଆନ୍ତି କିମ୍ବା ସେଠାରୁ କୌଣସି ଜିନିଷ ମଗାଇଥାନ୍ତି। ଏଥିଲାଗି ଆପଣଙ୍କୁ ଏକ ସ୍ବତନ୍ତ୍ର ଟିକସ ଦେବାକୁ ପଡ଼େ। ଆଇନ ଅନୁସାରେ, ବିଦେଶରୁ ଦ୍ରବ୍ୟ କିଣିଲେ ସୀମାଶୁଳ୍କ ଦେବାକୁ ପଡ଼େ। ଭିନ୍ନ ଭିନ୍ନ ସାମଗ୍ରୀ ଉପରେ ଏହାର ହାର ବି ଭିନ୍ନ। ପୁଣି ଏପରି କିଛି ସାମଗ୍ରୀ ଅଛି, ଯାହା ଉପରେ ସୀମାଶୁଳ୍କ ଲାଗୁ ହୋଇ ନଥାଏ। ଗତ ବଜେଟ୍‌ରେ ଭାରତ ସରକାର କେତେକ ଜୀବନ ରକ୍ଷାକାରୀ କର୍କଟ ଔଷଧ ଆମଦାନି ଉପରେ ସୀମାଶୁଳ୍କ ଛାଡ଼ କରିଥିଲେ। ସେହିପରି ସୁନା, ରୁପା ଓ ପ୍ଲାଟିନମ୍‌ ଭଳି ଦାମୀ ଧାତୁ ଉପରୁ ମଧ୍ୟ ସୀମାଶୁଳ୍କ କମାଇ ଦେଇଥିଲେ। ପ୍ରତିବର୍ଷ ବଜେଟ୍‌ରେ କେନ୍ଦ୍ର ସରକାର ଅର୍ଥନୀତିକୁ ଚାହିଁ ଏହି ଶୁଳ୍କ ହାର ନିର୍ଣ୍ଣୟ କରିଥାଆନ୍ତି।

ସରଳରେ କହିଲେ, ଯେତେବେଳେ କୌଣସି ଦ୍ରବ୍ୟ/ସାମଗ୍ରୀର ପରିବହନ ଅନ୍ତର୍ଜାତୀୟ ସୀମା ଦେଇ ହୋଇଥାଏ, ସେ‌େତବେଳେ ତା’ଉପରେ ସୀମାଶୁଳ୍କ ‌ଲାଗେ। ଏହାଦ୍ବାରା ଦେଶ ଭିତରକୁ ଆସୁଥିବା ସାମଗ୍ରୀ ଉପରେ ନଜର ରଖାଯାଇପାରିବା ସହ ଦେଶରେ ନିଷିଦ୍ଧ ଥିବା ଦ୍ରବ୍ୟର ପ୍ରବେଶ ଉପରେ କଟକଣା ଲଗାଇହୁଏ। ସୀମାଶୁଳ୍କ ବ୍ୟବସ୍ଥା ହେତୁ ଦେଶର ଅର୍ଥନୀତିରେ ସ୍ଥିରତା, ଚାକିରି ସୁରକ୍ଷା, ନାଗରିକ ଅଧିକାର ଏବଂ ପରିବେଶର ସୁରକ୍ଷା ସମ୍ଭବ ହୋଇଥାଏ। ସର୍ବୋପରି ଅନ୍ତର୍ଜାତୀୟ ଅବୈଧ କାରବାର ଉପରେ ଏହା ନିୟନ୍ତ୍ରଣ ର‌ଖେ। ଆଜିକାଲି ସୀମାଶୁଳ୍କ ଆଦାୟ ଓ ପୈଠ କ୍ଷେତ୍ରରେ ବ୍ୟାପକ ଠକେଇ ଓ ହେର୍‌ଫେର୍‌ ହେଉଥିବା ଅଭିଯୋଗ ହେଉଛି। ନିୟମ ଅନୁଯାୟୀ, ଜଣେ ବିଦେଶରୁ କେଉଁ ଜିନିଷ କିଣିଛନ୍ତି କିମ୍ବା କେଉଁଟି ଉପହାର ପାଇଛନ୍ତି ଅଥବା ବ୍ୟବହୃତ ହୋଇଥିବା ଦ୍ରବ୍ୟ ଆଣିଛନ୍ତି, ତାହା ଦର୍ଶାଇଥାଆନ୍ତି; ସୀମାଶୁଳ୍କ ଅଧିକାରୀମାନେ ଏହାର ସତ୍ୟତା ଯାଞ୍ଚ କରି ସଂପୃକ୍ତ ବ୍ୟକ୍ତିଙ୍କୁ କ୍ଲିୟରାନ୍ସ ଦେଇଥାଆନ୍ତି। ସାଇବର୍‌ ଅପରାଧୀମାନେ ମଧ୍ୟ ବିଦେଶରୁ ଆସୁଥିବା ଭାରତୀୟଙ୍କୁ ଏହି ବାଟ ଦେଇ ଲୁଟିବା ଆରମ୍ଭ କରିଛନ୍ତି।

କାନାଡା ନିବାସୀ ଶ୍ରାବଣୀ ମହାପାତ୍ର କହନ୍ତି, ‘‘ବିଦେଶରୁ ଆସୁଥିବା ଭାରତୀୟ ଏବଂ ଭାରତରୁ ବିଦେଶକୁ  ଯାଉଥିବା ପ୍ରବାସୀମାନେ ବିଭିନ୍ନ ସମୟରେ ବେସରକାରୀ ଜଳପଥ ପରିବହନକାରୀ (ସିପ୍‌ମେଣ୍ଟ୍‌) କମ୍ପାନିମାନଙ୍କ ଦ୍ବାରା ଠକାମିର ଶିକାର ହେଉଛନ୍ତି। ସୀମାଶୁଳ୍କ ଆଇନ ଆଳରେ ଏମାନେ ଗ୍ରାହକଙ୍କୁ ଶୋଷଣ କରୁଛନ୍ତି। ଏହା ଏକ ଅନ୍ତର୍ଜାତୀୟ ରୢାକେଟ୍‌। ଠକାମିର ଶିକାର ଲୋକେ ସହଜରେ କଷ୍ଟମ୍‌ ଅଫିସର୍‌ଙ୍କ ସହ ଯୋଗାଯୋଗରେ ନଆସିପାରିବା ହେତୁ ଠକା‌ମିରୁ ବର୍ତ୍ତିବା ପାଇଁ ବିକଳ୍ପ ରାସ୍ତା ପାଆନ୍ତିନାହିଁ। ବାଧ୍ୟ ହୋଇ ଆର୍ଥିକ ଶେ‌ାଷଣର ଶିକାର ହୁଅନ୍ତି।’’ ଆମେରିକାରୁ ଆସିଥିବା ମିଚେଲ୍‌ କହନ୍ତି, ‘‘ମୁଁ ମୋର ନିତ୍ୟବ୍ୟବହାର୍ଯ୍ୟ ଓ କିଛି ଗୃହୋପକରଣ ମୁମ୍ବାଇର ଏକ ସିପ୍‌ମେଣ୍ଟ୍‌ କମ୍ପାନି ମାଧ୍ୟମରେ ମଗାଇଥିଲି। ମୁମ୍ବାଇରେ ମୋ ସାମଗ୍ରୀ ପହଞ୍ଚିବା ପରେ ସେମାନେ ଭେରିଫିକେସନ୍‌ ପାଇଁ ଅରିଜିନାଲ୍‌ ପାସ୍‌ପୋର୍ଟ ମାଗିଲେ ଏବଂ ମୁଁ ଡାକରେ ପଠାଇଲି ବି। ୭ଦିନ ଭିତରେ ପାସ୍‌ପୋର୍ଟ ଫେରାଇବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୨ବର୍ଷ ବିତିଗଲା, ହେଲେ ମୋ ପାସ୍‌ପୋର୍ଟ ଫେରାଉନାହାନ୍ତି କି ସାମଗ୍ରୀ ଟ୍ରାନ୍‌ସପୋର୍ଟିଂ କରୁନାହାନ୍ତି। ମୁଁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ବି ଏକଥା ଶୁଣିବାକୁ କେହିନାହାନ୍ତି।’’

ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୀମାଶୁଳ୍କ ପୈଠ ପ୍ରକ୍ରିୟାକୁ ଅନ୍‌ଲାଇନ୍‌ କରିଛନ୍ତି। ଭାରତ ସରକାର କଷ୍ଟମ୍‌ ଟାରିଫ୍‌ ହାରର ଏକ ଡାଟାବେସ୍‌ ସିବିଆଇସି ଟାରିଫ୍‌ ପୋର୍ଟାଲ୍‌ (www.cbic.gov.in)ରେ ଉପଲବ୍ଧ କରାଇଛନ୍ତି। କଷ୍ଟମ୍‌ ଡ୍ୟୁଟି ପୈଠ ଲାଗି ଆଇସିଇଜିଏଟିଇ ପୋର୍ଟାଲ୍‌ ରହିଛି। www.icegate.gov.inକୁ ଯାଇ ଆପଣ ନିଜ ସାମଗ୍ରୀର କଷ୍ଟମ୍‌ ଡ୍ୟୁଟି ହାର ନିର୍ଣ୍ଣୟ ସହ ଶୁଳ୍କ ପୈଠ କରିପାରିବେ। ଏହାବାଦ୍‌ ଯଦି ଆପଣଙ୍କ ସମସ୍ୟା ସମାଧାନ ନହେଉଛି ତେବେ ଆପଣ କଷ୍ଟମ୍‌ ହାଉସ୍‌ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିପ‌ାରିବେ। ସିଏଚ୍‌ଏଗୁଡ଼ିକ ଲାଇସେନ୍ସପ୍ରାପ୍ତ ବୃତ୍ତିଗତ ସଂସ୍ଥା ହୋଇଥିବାରୁ, ସେମାନେ ପ୍ରଯୁଜ୍ୟ ଶୁଳ୍କ ହାର ନିର୍ଣ୍ଣୟ କରିବାରେ ଓ କ୍ଲିୟରାନ୍‌ସରେ ସହାୟତା କରିଥାଆନ୍ତି। ନହେଲେ ସିବିଆଇସି ହେଲ୍‌ପଲାଇନ୍‌କୁ କଲ୍‌ କରି କିମ୍ବା ଇମେଲ୍ କରି ସହାୟତା ଲୋଡ଼ିପାରିବେ। ୱାଲେଟ୍‌ ୪ ୱେଲ୍‌ଥ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର୍‌ ତ୍ରିନାଥ ଲେଙ୍କା କହନ୍ତି, ‘‘ଅନ୍‌ଲାଇନ୍‌ରେ ଉପଲବ୍ଧ ତଥ୍ୟକୁ ଭଲଭାବେ ପଢ଼ିବା ଦରକାର। ଟାରିଫ୍‌ ଦେଖି ଶୁଳ୍କ ପୈଠ କଲେ ଲୋକମାନେ ଠକାମିରେ ପଡ଼ିବେ ନାହିଁ। ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ। ଏବେ ଅନ୍‌ଲାଇନ୍‌ କଷ୍ଟମ୍‌ ସ୍କାମ୍‌ ଏକ ବଡ଼ ସମସ୍ୟା। ଏସବୁରୁ ବର୍ତ୍ତିବା ପାଇଁ ସଚେତନତା ଜରୁରି।’’

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.