Breaking News

ଆପ୍‌-ବିଜେପି ହାଇଡ୍ରାମା: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆପ୍

ଦିଲ୍ଲୀ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରୋଚକ ରାଜନୈତିକ ନାଟକମାନ ଦେଖିବାକୁ ମିଳୁଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅହେତୁକ ମରାମତି ଅଭିଯୋଗକୁ ନେଇ ଆପ୍ ଓ ବିଜେପି...

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଅବ୍ୟବହିତ ପୂର୍ବରୁ  ରୋଚକ ରାଜନୈତିକ ନାଟକମାନ ଦେଖିବାକୁ ମିଳୁଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅହେତୁକ ମରାମତି ଅଭିଯୋଗକୁ ନେଇ ଆପ୍ ଓ ବିଜେପି ମଧ୍ୟରେ ବିବାଦ ତୀବ୍ର ହେବା ପରେ ଦିଲ୍ଲୀରେ ବୁଧବାର ହାଇଭୋଲ୍ଟେଜ୍ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା। ଆପ୍ ନେତା ସଞ୍ଜୟ ସିଂହ ଓ ସୌରଭ ଭରଦ୍ୱାଜ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ବିକ୍ଷୋଭ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବାଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗଣମାଧ୍ୟମ ଟିମ୍‌ ଗସ୍ତ କରିବାକୁ ଆପ୍‌ ଚାହୁଥିଲା, ଯାହାକୁ ପୁଲିସ ବିଫଳ କରିଥିଲା। ସେପଟେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବାସଭବନ ବାହାରେ ବିଜେପି ନେତାମାନେ ଏକାଠି ହୋଇ କେନ୍ଦ୍ର ସରକାର ତାଙ୍କ ବାସଭବନ ଛଡ଼ାଇ ନେଉଥିବା ଭଳି ମିଥ୍ୟା ଅଭିଯୋଗ ଉପରେ ପ୍ରଶ୍ନ ଉଠାଇ ବିକ୍ଷୋଭ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ – ୬ ଫ୍ଲାଗଷ୍ଟାଫ୍ ରୋଡ୍‌ର ନବୀକରଣ ପାଇଁ କେଜ୍ରିୱାଲ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଛି। ବିଜେପିର ଅଭିଯୋଗର ଜବାବରେ ଆପ୍ କହିଛି ଯେ ପ୍ରଧାନମନ୍ତ୍ରୀ ୨୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବାସଭବନରେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆପ୍ ନେତାମାନେ ପୁଲିସ ସହ ଯୁକ୍ତିତର୍କ କରିବା ସହ ଭିତରକୁ ପ୍ରବେଶ କରିବାକୁ ଦିଆ ନ ଯିବାରୁ ୬ ଫ୍ଲାଗ୍‌ଷ୍ଟାଫ୍ ରୋଡ୍ ବଙ୍ଗଳା ବାହାରେ ଧାରଣା ଦେଇଥିଲେ। ମନ୍ତ୍ରୀ ଓ ସାଂସଦଙ୍କୁ କାହିଁକି ଅନୁମତି ଦରକାର ବୋଲି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ବିଜେପି ପ୍ରତିଦିନ ନୂଆ ନୂଆ ଭିଡିଓ ଓ ଫଟୋ ପଠାଉଥିଲା। ଆଜି ଆମେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏଠାକୁ ଆସିଛୁ।  ତିନିସ୍ତରୀୟ ବ୍ୟାରିକେଡିଂ ଲଗାଯାଇଛି। ଗଣମାଧ୍ୟମକୁ ଭିତରକୁ ଯିବାକୁ ଦିଆଯାଉ ନାହିଁ। ସୁଇମିଂ ପୁଲ୍ ଓ ବାର୍ କେଉଁଠି ଅଛି ତାହା ଆମକୁ ଦେଖାନ୍ତୁ ବୋଲି ମନ୍ତ୍ରୀ ଭରଦ୍ୱାଜ କହିଛନ୍ତି।

ଏହାପରେ ଆପ୍ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ତେବେ ଦିଲ୍ଲୀ ପୁଲିସ ଏହାକୁ ବିରୋଧ କରି କହିଛି ଯେ ସେମାନେ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଧାରା ୧୬୩ (ପୂର୍ବରୁ ଧାରା ୧୪୪) ଅନୁଯାୟୀ କଟକଣା ଲାଗୁ କରାଯାଇଛି ଏବଂ ଆପ୍‌କୁ କୌଣସି ବିକ୍ଷୋଭରୁ ଦୂରେଇ ରହିବାକୁ କୁହାଯାଇଛି। ସେପଟେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଏବି-୧୭ ମଥୁରା ରୋଡ୍‌ରେ ଥିବା ଆପ୍ ନେତା ଆତିଶୀଙ୍କ ବାସଭବନରେ ପହଞ୍ଚି ପ୍ରଶ୍ନ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ କାହିଁକି ୬ ଫ୍ଲାଗଷ୍ଟାଫ୍ ରୋଡ୍ ବିଲ୍ଡିଂକୁ ଦଖଲ କରିବାକୁ ଜିଦ୍ ଧରିଛନ୍ତି। ଏହି ବଙ୍ଗଳା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ଆବଣ୍ଟନ କରାଯାଇଛି। ଯେତେବେଳେ ଏହି ବଙ୍ଗଳା ଆପଣଙ୍କୁ ଆବଣ୍ଟନ କରାଯାଇଛି, ତେବେ ଆପଣ କାହିଁକି ‘ଶୀଶମହଲରେ’ ରହିବାକୁ ଚାହୁଛନ୍ତି? ଯେତେବେଳେ ‘ଶୀଶମହଲ’ ଆପଣଙ୍କୁ ଦିଆଯାଇଥିଲା, ଆପଣ ତିନି ମାସ ପର୍ଯ୍ୟନ୍ତ କାହିଁକି ଗଲେ ନାହିଁ ବୋଲି ସଚଦେବ ପ୍ରଶ୍ନ କରିଛନ୍ତି।

 

 

 

 

 

 

ସୌଜନ୍ୟ – ସମ୍ୱାଦ

Comments are closed.